ସୁଇସାଇଡ୍‌ କ୍ଲବ୍‌!

ଏକ କ୍ଲବ୍‌ର କଳ୍ପନା କରାଯାଉ ଯାହାର ପ୍ରତ୍ୟେକ ସଦସ୍ୟର ଲକ୍ଷ୍ୟ ହେଉଛି ଆତ୍ମହତ୍ୟା, କିନ୍ତୁ ସେଥିପାଇଁ ଏକ ଉପଯୁକ୍ତ ବାଟ ଖୋଜି ପାଇପାରୁନାହିଁ। କ୍ଲବ୍‌ ପ୍ରତିଷ୍ଠା ପଛରେ ଥିବା ଉଦ୍ଦେଶ୍ୟ ହେଉଛି ସଦସ୍ୟମାନଙ୍କୁ ସେମାନଙ୍କର ଏହି ଅନ୍ତିମ ଲକ୍ଷ୍ୟ ହାସଲରେ ସହାୟକ ହେବା। କ୍ଲବ୍‌ର ପ୍ରତ୍ୟେକ ବୈଠକରେ ଲଟେରି ମାଧୢମରେ ଅନିର୍ଦ୍ଦିଷ୍ଟ ଭାବରେ ସମବେତ ସଦସ୍ୟମାନଙ୍କ ମଧୢରୁ ଦୁଇଜଣଙ୍କୁ ବଛାଯାଏ, ଯାହା ସମ୍ପୂର୍ଣ୍ଣ ଗୋପନୀୟ। ସେ ଦୁଇଜଣଙ୍କ ମଧୢରୁ ଉଠିଥିବା ଲଟେରି ଅନୁସାରେ ଜଣକୁ ପ୍ରାଣ ହରାଇବାକୁ ହେବ ଏବ˚ ଅନ୍ୟ ଜଣକ ଉପରେ ଏହା ଘଟାଇବା ଦାୟିତ୍ବ ନ୍ୟସ୍ତ ହୋଇଥାଏ। ପରସ୍ପରର ଅଗୋଚରରେ ସେମାନେ କ୍ଲବ୍‌ର ସଭାପତିଙ୍କୁ ଭେଟନ୍ତି। ପ୍ରାଣ ହରାଇବାକୁ ଥିବା ସଦସ୍ୟଙ୍କୁ ସଭାପତି ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ଉପଦେଶ ଦିଅନ୍ତି ଏବ˚ ପ୍ରାଣନାଶ କରିବା ଦାୟିତ୍ବ ବହନ କରିଥିବା ସଦସ୍ୟ ଜଣଙ୍କୁ କେଉଁ ଉପାୟରେ ସେଇ ହତ୍ୟାକାଣ୍ତ ରଚନା କରିବେ, ତାହା ବୁଝାଇ ଦିଅନ୍ତି। ସଭାପତି ହତ୍ୟାକାଣ୍ତର ଏପରି ପରିକଳ୍ପନା କରିଥାନ୍ତି ଯେପରି ତାହା ଏକ ଦୁର୍ଘଟଣା ଭଳି ପ୍ରତୀୟମାନ ହେବ।

‘ଦି ସୁଇସାଇଡ୍‌ କ୍ଲବ୍‌’ ଶୀର୍ଷକ ରବର୍ଟ ଲୁଇସ୍‌ ଷ୍ଟିଭେନ୍‌ସନ୍‌ଙ୍କ ରଚିତ ପ୍ରସିଦ୍ଧ ରୋମାଞ୍ଚକାରୀ କାହାଣୀରେ ନାୟକ ପ୍ରିନ୍‌ସ ଫ୍ଲୋରିଜେଲ୍‌ ଓ ତାଙ୍କର ସାଥୀ କର୍ଣ୍ଣେଲ୍‌ ଜେରାଲ୍‌ଡିନ୍‌ ଘଟଣା ଚକ୍ରରେ ଏହି କ୍ଲବ୍‌ର ଉପସ୍ଥିତି ସମ୍ବନ୍ଧରେ ସନ୍ଧାନ ପାଆନ୍ତି ଏବ˚ ସେଥିରେ ଅନୁପ୍ରବେଶ କରି ଏହି ବିକଟାଳ କାର୍ଯ୍ୟରେ ବ୍ୟାପୃତ ସେଇ ଅନୁଷ୍ଠାନର ଅନ୍ତ ଘଟାନ୍ତି। ନ୍ୟାୟଶାସ୍ତ୍ରର ଛାତ୍ରମାନେ ଉପରୋକ୍ତ ଅପରାଧ ଏକ ଆତ୍ମହତ୍ୟା କିମ୍ବା ହତ୍ୟା, ସେ ନେଇ ଏକ ବିତର୍କରେ ମାତିଯିବାର ସମ୍ଭାବନା ରହିଛି, କିନ୍ତୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ମୂଳ ଉଦ୍ଦେଶ୍ୟକୁ ପ୍ରାଥମିକତା ଦେଇ ଯଦି ଏହାକୁ ଆତ୍ମହତ୍ୟା ରୂପେ ବିଚାର କରାଯାଏ, ତେବେ କେବଳ ଲଟେରି ଦ୍ବାରା ନିଯୁକ୍ତ ତାଙ୍କ ପ୍ରାଣହାନିର ପ୍ରତ୍ୟକ୍ଷ ସହାୟକ ନୁହଁନ୍ତି, ସେ ‘ସୁଇସାଇଡ୍‌ କ୍ଲବ୍‌’ର ସଭାପତି ସମେତ ସମସ୍ତ ସଦସ୍ୟମାନେ ସେ ଆତ୍ମହତ୍ୟାର ପ୍ରରୋଚକ (ଆବେଟର‌୍‌) ରୂପେ ସାବ୍ୟସ୍ତ ହେବେ।

ଆକ୍ଷରିକ ଅର୍ଥରେ ଏଠାରେ ପ୍ରରୋଚନା ଅର୍ଥ ହେଉଛି ଜଣେ ବ୍ୟକ୍ତିଙ୍କୁ କୌଣସି ଏକ କାଣ୍ତ ଘଟାଇବା ପାଇଁ ପ୍ରରୋଚିତ କରିବା କିମ୍ବା ବ୍ୟକ୍ତିଗତ ଭାବରେ କିମ୍ବା ମିଳିତ ଭାବରେ ତାଙ୍କୁ ଏହି କାଣ୍ତ ଘଟାଇବାରେ ସହାୟତା ପ୍ରଦାନ କରିବା। ଆତ୍ମହତ୍ୟା ପାଇଁ ପ୍ରରୋଚନା ହେଉଛି ଏକ ବ୍ୟକ୍ତିକୁ ନିଜ ହାତରେ ନିଜର ଜୀବନ ନାଶ କରିବା ପାଇଁ ମାନସିକ ସ୍ତରରେ ଉସ୍‌କାଇବା କିମ୍ବା ଉଦ୍ଦେଶ୍ୟମୂଳକ ଭାବରେ ଜଣେ ବ୍ୟକ୍ତିଙ୍କୁ ନିଜ ହାତରେ ନିଜେ ନିଜର ଜୀବନ ନେବାରେ ସହାୟତା ପ୍ରଦାନ କରିବା। ଆତ୍ମହତ୍ୟା ପାଇଁ ପ୍ରରୋଚନା ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ୩୦୬ ଦଫା ଅନ୍ତର୍ଭୁକ୍ତ କରାଯିବା ପଛରେ ସେଇ ଚିନ୍ତାଧାରା ନିହିତ ଅଛି, ଯେଉଁ ଚିନ୍ତାଧାରାର ପ୍ରଭାବରେ ପ୍ରିନ୍‌ସ ଫ୍ଲୋରିଜେଲ୍‌ ଓ କର୍ଣ୍ଣେଲ୍‌ ଜେରାଲ୍‌ଡିନ୍‌ ‘ସୁଇସାଇଡ୍‌ କ୍ଲବ୍‌’ରେ ଅନୁପ୍ରବେଶ କରି ସମସ୍ତ ସଦସ୍ୟମାନଙ୍କୁ କାବୁ କରିଥିଲେ: ତାହା ହେଲା କୌଣସି ବ୍ୟକ୍ତି ନିଜେ ନିଜର ପ୍ରାଣହାନି ଘଟାଇବାରେ ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କର ସମ୍ପୃକ୍ତି, ସହାୟତା କିମ୍ବା ପ୍ରବର୍ତ୍ତନକୁ ପ୍ରତିହତ କରିବା ପାଇଁ ଏକ ଯୁକ୍ତିଯୁକ୍ତ ଜନସ୍ବାର୍ଥ ସମ୍ବଳିତ ନୀତି।

ଏହି ଦଫା ଅନୁସାରେ କୌଣସି ଅଭିଯୁକ୍ତ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବାକୁ ହେଲେ ଅଭିଯୋଜକ (ପ୍ରସିକ୍ୟୁସନ୍‌)ଙ୍କୁ ଯାହା ପ୍ରମାଣ କରିବାକୁ ହେବ ତାହା ଅତି ସରଳ ଭାବରେ ହେଉଛି ତିନିଟି କଥା: ମୃତକ ଜଣକଙ୍କ ମୃତ୍ୟୁ ହେଉଛି ଆତ୍ମହତ୍ୟା ଜନିତ; ଅଭିଯୁକ୍ତ ବ୍ୟକ୍ତି ବିଶେଷ ମୃତକଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇ ଥିଲେ; ଅଭିଯୁକ୍ତଙ୍କର ମାନସିକ ଅବସ୍ଥା। ଏହି ଦଫା ଅନୁସାରେ କାହାକୁ ଆତ୍ମହତ୍ୟାର ପ୍ରରୋଚକ ରୂପେ ଦୋଷୀ ସାବ୍ୟସ୍ତ କରିବାକୁ ହେଲେ ଅଦାଲତରେ ପ୍ରମାଣ କରିବା ଅପରିହାର୍ଯ୍ୟ ଯେ ଅପରାଧ (ମୃତକଙ୍କ ଆତ୍ମହତ୍ୟା) ଘଟାଇବା ପଛରେ ଅଭିଯୁକ୍ତଙ୍କର ବିଧିବଦ୍ଧ ଉଦ୍ଦେଶ୍ୟ (‘ମେନ୍‌ସ ରିଆ’) ନିହିତ ଥିଲା ଏବ˚ ନିଜେ ନିଜର ଜୀବନ ନେବା ପାଇଁ ମୃତକଙ୍କୁ ପ୍ରଭାବିତ କରିବା ଦିଗରେ ସେ ପ୍ରକୃତରେ ଏକ ନିଶ୍ଚୟାତ୍ମକ ପଦକ୍ଷେପ ନେଇଥିଲେ।

ଏଥର ମନେ କରାଯାଉ ରାମ ନିଜର ବାସଗୃହ ନିର୍ମାଣ ପାଇଁ ଶ୍ୟାମକୁ ଠିକା ଦେଇଥିଲା। ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ରାମ କିନ୍ତୁ ଶ୍ୟାମକୁ ତା’ର ପ୍ରାପ୍ୟ ଦେବାରେ ହେଳା କଲା। ଶ୍ୟାମ ଶେଷରେ ହତାଶ ହୋଇ ଆତ୍ମହତ୍ୟା କରିଦେଲା। ରାମକୁ ଏଥିପାଇଁ ଆଇପିସି ୩୦୬ ଦଫା ବଳରେ ପ୍ରରୋଚକ ରୂପେ ଦାୟୀ କରାଯାଇ ପାରିବ କି? ନିମ୍ନ ଅଦାଲତମାନଙ୍କରୁ ଆରମ୍ଭ କରି ସୁପ୍ରିମ୍‌ କୋର୍ଟ ପର୍ଯ୍ୟନ୍ତ ଏଭଳି ମାମଲାରେ ଯାହା ଆଭିମୁଖ୍ୟ ଗ୍ରହଣ କରିବା ଦେଖାଯାଇଛି ତାହା ହେଲା ଶ୍ୟାମ ଯଦି ଏକ ସ୍ବାଭାବିକ ମାନସିକ ସନ୍ତୁଳନ ସମ୍ପନ୍ନ ବ୍ୟକ୍ତି ହୋଇଥିବ ତେବେ ସେ ରାମଠାରୁ ଚୁକ୍ତି ଅନୁଯାୟୀ ତା’ର ପ୍ରାପ୍ୟ ଆଦାୟ କରିବା ପାଇଁ ଉପଲବ୍‌ଧ ବିଧିବଦ୍ଧ ଆଇନଗତ ଉପାୟମାନ ଅବଲମ୍ବନ କରିବ। ଅପରପକ୍ଷେ ଶ୍ୟାମ ଯଦି ଅତ୍ୟନ୍ତ ସ୍ପର୍ଶକାତର ଓ ଦୁର୍ବଳମନା ବ୍ୟକ୍ତି ହୋଇଥିବାରୁ ବ୍ୟକ୍ତିଗତ ବା ସାମାଜିକ ସମସ୍ୟାର ମୁକାବିଲା କରିବା ପରିବର୍ତ୍ତେ ରାମଠାରୁ ନିଜର ପ୍ରାପ୍ୟ ନ ପାଇବାରୁ ଆତ୍ମହତ୍ୟା କରିଦିଏ, ଅଦାଲତ ଏଥିପାଇଁ ରାମକୁ ୩୦୬ ଦଫା ବଳରେ ପ୍ରରୋଚକ ରୂପେ ଦୋଷୀ ସାବ୍ୟସ୍ତ କରନ୍ତି ନାହିଁ। ଶ୍ୟାମ ଯଦି ନିଜର ଆତ୍ମହତ୍ୟା ପାଇଁ ରାମକୁ ଦାୟୀ କରି ଏକ ‘ସୁଇସାଇଡ୍‌ ନୋଟ୍‌’ ଲେଖି ଦେଇଯାଇଥାଏ, ତେବେ ବି ଅଦାଲତ ଏହା ଦ୍ବାରା ପ୍ରଭାବିତ ହୁଅନ୍ତି ନାହିଁ, କାରଣ ଶ୍ୟାମର ଆତ୍ମହତ୍ୟା ପାଇଁ ରାମର ‘ମେନ୍‌ସ ରିଆ’ ଏହା ଦ୍ବାରା ପ୍ରମାଣିତ ହୋଇନଥାଏ।

ଏହି କାଳ୍ପନିକ ରାମ-ଶ୍ୟାମ ଉଦାହରଣ ଯେ ବର୍ତ୍ତମାନ ବହୁ ଚର୍ଚ୍ଚିତ ଅର୍ଣ୍ଣବ ଗୋସ୍ବାମୀ ମାମଲାର ଏକ ସରଳ ଉପସ୍ଥାପନ ମାତ୍ର, ଏହା ସୂଚାଇବା ଅନାବଶ୍ୟକ। ରାମ ହେଉଛନ୍ତି ଅର୍ଣ୍ଣବ ଗୋସ୍ବାମୀ ଏବ˚ ଶ୍ୟାମ ହେଉଛନ୍ତି ଅନ୍ବୟ ନାୟକ ଓ ତାଙ୍କର ମା’ କୁମୁଦ। ଉପରୋକ୍ତ ଯୁକ୍ତି ଅନୁସରଣ କରି ଯେଉଁ ମହାରାଷ୍ଟ୍ର ପୁଲିସ୍‌ ୨୦୧୯ରେ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ପ୍ରରୋଚକ ଅଭିଯୋଗ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା, ସେଇ ପୁଲିସ ଆଉ ଥରେ ତାହାକୁ ଖୋଲି ଗୋସ୍ବାମୀଙ୍କୁ ଗିରଫ କଲା। ନିଜର ଟିଭି ଚ୍ୟାନେଲ୍‌ ‘ରିପବ୍ଲିକ୍‌ ଟିଭି’ ମାଧୢମରେ ଆକ୍ରମଣାତ୍ମକ ଜାତୀୟତାବାଦୀ ସାମ୍ବାଦିକତା କରି ଅର୍ଣ୍ଣବ ଗୋସ୍ବାମୀ ଯେ ଉଭୟ ରାଜନୈତିକ ମହଲରେ ଏବ˚ ନିଜର ବୃତ୍ତି ସାମ୍ବାଦିକତା ଜଗତ୍‌ରେ ଅନେକଙ୍କର ଚକ୍ଷୁଶୂଳ ହୋଇ ପଡ଼ିଛନ୍ତି, ଏହା କାହାକୁ ଅଛପା ନାହିଁ। ଏହାର ଅନ୍ୟତମ ପ୍ରମାଣ ସ୍ବରୂପ କେବଳ ଏହି ଆତ୍ମହତ୍ୟା ପ୍ରରୋଚନା ମାମଲାକୁ ଯେ ନୂତନ ଜୀବନ୍ୟାସ ଦିଆଯାଇଛି, ତାହା ନୁହେଁ, ଶିବସେନା-କ˚ଗ୍ରେସ ମେଣ୍ଟ ସରକାର ଅମଳରେ ମହାରାଷ୍ଟ୍ର ପୁଲିସ ଅନ୍ୟାନ୍ୟ ବିଭିନ୍ନ ମାମଲାରେ ତାଙ୍କୁ ଛନ୍ଦିବାକୁ ମଧୢ ଚେଷ୍ଟା ଚଳାଇବା ଦେଖାଯାଇଛି। ମଇ ମାସରେ ସୁପ୍ରିମ୍‌ କୋର୍ଟ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ଦରଜ ଏଇଭଳି ଏକାଧିକ ଏଫ୍‌ଆଇଆର ସବୁକୁ ଖାରଜ କରି ଦେଇଥିଲେ-କେବଳ ପାଲ୍‌ଘର ସାଧୁ ହତ୍ୟା ସମ୍ପର୍କରେ ଏକ ବିତର୍କ ସମ୍ବନ୍ଧିତ ଏଫ୍‌ଆଇଆର‌୍‌କୁ ଛାଡ଼ି। ବର୍ତ୍ତମାନ ସୁପ୍ରିମ୍‌ କୋର୍ଟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆତ୍ମହତ୍ୟା ପ୍ରରୋଚନା ମାମଲାରେ ଯେଉଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି, ସେଥିରେ ତେଣୁ କୌଣସି ଅସ୍ବାଭାବିକତା କିମ୍ବା ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ପୃଥିବୀର ସର୍ବତ୍ର ଭଳି ଆମ ଦେଶରେ ଆତ୍ମହତ୍ୟା ହେଉଛି ଏକ ନିୟମିତ ଘଟଣା। ଏକ ସଦ୍ୟ ପ୍ରକାଶିତ ସମ୍ବାଦ ଅନୁସାରେ ୨୦୧୬ରୁ ବର୍ତ୍ତମାନ ମଧୢରେ ‘ସିଆର‌୍‌ପିଏଫ୍‌’ ଅର୍ଦ୍ଧ ସାମରିକ ବାହିନୀରେ ଘଟୁଥିବା ଆତ୍ମହତ୍ୟା ସ˚ଖ୍ୟାରେ ୫୫% ବୃଦ୍ଧି ଘଟିଛି ଏବ˚ କେବଳ ଚଳିତ ବର୍ଷ ଏ ଯାବତ୍‌ ୪୫ଟି ଆତ୍ମହତ୍ୟା ଘଟିସାରିଲାଣି। ଯଦି ଅର୍ଣ୍ଣବ ଗୋସ୍ବାମୀଙ୍କ ପ୍ରତି ହୋଇଥିବା ଭଳି ଏଠାରେ ହୁଗୁଳା ପ୍ରରୋଚନା ଅଭିଯୋଗ କରାଯାଏ, ତେବେ ଗୃହମନ୍ତ୍ରୀଙ୍କ ପ୍ରତି ମଧୢ ୩୦୬ ଦଫା ଲାଗୁ ହେବ କି? ଯେଉଁସବୁ ରାଜ୍ୟରେ କୃଷକ ଆତ୍ମହତ୍ୟା ଲାଗିରହିଛି, ସେସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀମାନଙ୍କ ପ୍ରତି ମଧୢ ଏହି ଦଫା ଲାଗୁ ହେବ? ପରୀକ୍ଷାରେ ଫେଲ୍‌ ହୋଇ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା କିଛି ବିରଳ ଘଟଣା ନୁହେଁ, ଏଥିପାଇଁ କ’ଣ ପ୍ରଧାନଶିକ୍ଷକଙ୍କ ଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀଙ୍କ ପର୍ଯ୍ୟନ୍ତଙ୍କୁ ଅର୍ଣ୍ଣବ ଗୋସ୍ବାମୀଙ୍କ ଦଶା ଭୋଗିବାକୁ ପଡ଼ିବ? ସମାଜର ପ୍ରତ୍ୟେକ ଅ˚ଶରେ ଆତ୍ମହତ୍ୟା ଉପସ୍ଥିତ ଥିବାରୁ, ୩୦୬ ଦଫାର ଯଦି ଏହିପରି ଅପପ୍ରୟୋଗ କରାଯାଏ, ତେବେ ଦେଶସାରା ଏ ସମସ୍ତ ଆତ୍ମହତ୍ୟାମାନଙ୍କର ପ୍ରରୋଚକମାନଙ୍କ ଉପସ୍ଥିତି ଦେଖିବାକୁ ମିଳିବ, ଯେମିତି ‘ସୁଇସାଇଡ୍‌ କ୍ଲବ୍‌’ରେ ପ୍ରିନ୍‌ସ ଫ୍ଲୋରିଜେଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ଅନ୍ୟ ଭାଷାରେ କହିଲେ, ସାରା ଦେଶ ଏକ ‘ସୁଇସାଇଡ୍‌ କ୍ଲବ’ରେ ପରିଣତ ହୋଇଯିବ।

ସମ୍ବନ୍ଧିତ ଖବର