ମାରାଡୋନା ଶୂନ୍ୟତା

ଶ୍ରୀମଦ ଭାଗବତରେ ଲିଖିତ ତଥା ଆମ ଭାଷାରେ ବହୁ ପ୍ରଚଳିତ ବାଣୀ ‘କରି କରାଉଥାଏ ମୁହିଁ; ମୋ ବିନୁ ଅନ୍ୟ ଗତି ନାହିଁ’ର ଯଦି ଏକ ଚମକପ୍ରଦ ଉଦାହରଣ କେଉଁଠି ଦେଖିବାକୁ ମିଳିଥିଲା, ତାହା ଘଟିଥିଲା ୧୯୮୬ ମସିହାରେ, ଦକ୍ଷିଣ ଆମେରିକୀୟ ଦେଶ ମେକ୍‌ସିକୋରେ ଏବ˚ ‘ଫିଫା’ ବିଶ୍ବକପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଏକ କ୍ବାର୍ଟର ଫାଇନାଲ ଖେଳରେ; ଯେଉଁଠି ଆର୍ଜେଣ୍ଟିନାର କୁହୁକ ସୃଷ୍ଟିକାରୀ ଫୁଟ୍‌ବଲ୍‌ ଖେଳାଳି ଡିଏଗୋ ମାରାଡୋନା ଉଚ୍ଚକୁ ଲ˚ଫ ପ୍ରଦାନ କରି ତାଙ୍କ ମୁଣ୍ତର ଚାଳନା ଦ୍ବାରା ବଲ୍‌ଟିକୁ ପ୍ରତିପକ୍ଷ ଇ˚ଲଣ୍ତର ଗୋଲି ପୋଷ୍ଟ ଭିତରକୁ ପେଲି ଦେଇଥିଲେ। ତେବେ, କଥା ସେତିକିରେ ସରି ନ ଥିଲା। କାରଣ, ଅନ୍ତତଃ, ସେହି ମୁହୂର୍ତ୍ତରେ ଯାହା ଏକ ଅତ୍ୟନ୍ତ ସଫଳ ‘ହେଡର‌୍‌’ ଭଳି ପ୍ରତୀୟମାନ ହୋଇଥିଲା ଏବ˚ ମ୍ୟାଚ୍‌ ରେଫରି ଯାହାକୁ ଏକ ଗୋଲ୍‌ ବୋଲି ଘୋଷଣା କରିଥିଲେ, ପ୍ରକୃତରେ ଥିଲା ଏକ ଫାଉଲ୍‌; ଯେହେତୁ ବଲ୍‌ଟି ମାରାଡୋନାଙ୍କ ମୁଣ୍ତରେ ନୁହେଁ ଊର୍ଦ୍ଧ୍ବ-ପ୍ରସାରୀ ହାତରେ ବାଜି ଗୋଲି ପୋଷ୍ଟ୍ ଭିତରକୁ ପ୍ରବେଶ କରିଥିଲା। ଏହା ଘଟିଥିଲା ଖେଳର ୫୧ତମ ମିନିଟ୍‌ରେ। ତେବେ, ବାରମ୍ବାର ଟେଲିଭିଜନ ‘ରି ପ୍ଲେ’ ଦ୍ବାରା ଖେଳ ଶେଷ ବେଳକୁ ଏହା ସନ୍ଦେହାତୀତ ଭାବେ ପ୍ରତିପାଦିତ ହୋଇ ସାରିଥିଲା ଯେ ଗୋଲ୍‌ ପଛରେ ରହିଥିଲା ମାରାଡୋନାଙ୍କ ହାତର ଭୂମିକା। ସୁତରା˚, ଟୁର୍ନାମେଣ୍ଟ ଶେଷରେ ସେ ସ˚ପର୍କରେ ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବା ଥିଲା ସ୍ବାଭାବିକ। ତେବେ ଏହାର ପ୍ରତିକ୍ରିୟାରେ ତାଙ୍କ ଠାରୁ ମିଳିଥିଲା ଏକ ଅତ୍ୟନ୍ତ ପ୍ରତ୍ୟୁତ୍ପନ୍ନମତିତା ଭରା ଉତ୍ତର- ଗୋଲ୍‌ ପଛରେ ରହିଛି ଈଶ୍ବରଙ୍କ ହାତ।

ଡିଏଗୋ ମାରାଡୋନା ତାଙ୍କର ଆତ୍ମଜୀବନୀରେ ଲେଖିଛନ୍ତି ଯେ ସେହି ସମୟରେ ଏହା ଏକ ଫାଉଲ ବୋଲି ପଡ଼ିଆରେ ପ୍ରଥମେ ପ୍ରତିବାଦ କରିଥିବା ଇ˚ଲଣ୍ତର ଖେଳାଳି ଫେନଵିକ୍‌ ମଧ୍ୟ ଦେଖି ନ ଥିଲେ ଯେ ବଲ୍‌ରେ ମାରାଡୋନାଙ୍କ ହାତ ବାଜି ଏକ ‘ହ୍ୟାଣ୍ତ୍‌ ବଲ୍‌’ ଫାଉଲ୍‌ ସୃଷ୍ଟି କରିଛି। ସେ କେବଳ ଏତକ ବୁଝି ପାରି ନ ଥିବାରୁ ପ୍ରତିବାଦ କରିଥିଲେ ଯେ ଖର୍ବକାୟ ଡିଏଗୋ କିଭଳି ଏତେ ଉଚ୍ଚତାକୁ ଲ˚ଫ ମାରି ଛଅ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଇ˚ଲଣ୍ତ ଦଳର ଗୋଲ୍‌ କିପର ପିଟର ସିଲଟନଙ୍କ ମୁଣ୍ତ ଉପର ଦେଇ ବଲ୍‌କୁ ପାରେଇ ଗୋଲ୍‌ଟିଏ ସମ୍ଭବ କରାଇ ପାରିଲା! ତେବେ, ସେ ଯାହା ହେଉ, ସେ ଦିନ ସେହି ଖେଳରେ ଯାହା ସବୁ ଘଟିଥିଲା, ତହିଁରୁ ମନେ ହୋଇଥାଏ ଯେ ସ୍ବୟ˚ ଈଶ୍ବର ଖେଳ ପଡ଼ିଆରେ ଉପସ୍ଥିତ ଥିଲେ। ତାହା ହୋଇ ନ ଥିଲେ ଏହାର ଠିକ୍‌ ଚାରି ମିନିଟ୍‌ ପରେ ଡିଏଗୋ ମାରାଡୋନାଙ୍କ ଠାରେ ଈଶ୍ବର ପ୍ରଦତ୍ତ ଐନ୍ଦ୍ରଜାଲିକ କ୍ରୀଡ଼ା ପ୍ରତିଭାର ଚମକ ଦେଖିବାକୁ ମିଳି ନ ଥାଆନ୍ତା ଏବ˚ ଫୁଟ୍‌ବଲ୍‌ ଖେଳର ଇତିହାସରେ ସର୍ବାଧିକ ଆକର୍ଷଣୀୟ ଗୋଲ୍‌ଟିଏ ସେ ସ୍କୋର‌୍‌ କରି ନ ଥାଆନ୍ତେ। ଖେଳର ୫୫ତମ ମିନିଟ୍‌ରେ ଏକ ଚମତ୍କାର ପ୍ରୟାସରେ ମାତ୍ର ୧୦.୮ ସେ‌େକଣ୍ତ୍‌ର ଅବଧି ମଧ୍ୟରେ ୪୪ଟି ପଦପାତ ଏବ˚ ୧୨ଟି ବଲ୍‌ ସହ ପଦ-ସ୍ପର୍ଶ ଜରିଆରେ ଇ˚ଲଣ୍ତ ଦଳର ପାଞ୍ଚ ଜଣ ଖେଳାଳିଙ୍କୁ ଜଣକ ପରେ ଜଣକୁ ପରାସ୍ତ କରି ପରିଶେଷରେ ଗୋଲି-ପୋଷ୍ଟ୍ ଭିତରକୁ ବଲ୍‌କୁ ଠେଲି ଦେବା ସହ ନିଜକୁ ଭୂପତିତ ହେବାରୁ କୌଣସିମତେ ସମ୍ଭାଳି ନେଇ ମାରାଡୋନା ଯେତେବେଳେ ବିଜୟ ସୂଚକ ଆନନ୍ଦରେ ଊର୍ଦ୍ଧ୍ବ ବାହୁ ହୋଇ ପଡ଼ିଆରେ ଦୌଡ଼ି ବୁଲୁଥିଲେ, ସେତିକି ବେଳେ ପ୍ରତିପକ୍ଷ ଇ˚ଲଣ୍ତର କି˚ବଦନ୍ତୀୟ ଖେଳାଳି ଗେରି ଲିନେକର ମଝି ପଡ଼ିଆରୁ ଏଭଳି ଅଲୌକିକ କ୍ରୀଡ଼ା ନୈପୁଣ୍ୟ ଦେଖି ତାଳି ମାରିବାକୁୁ ଉଦ୍ୟତ ହେଉଥିବା ବେଳେ ଦୈବାତ୍‌ ଆତ୍ମ ସମ୍ବରଣ କରି ନେଇଥିଲେ; ଯାହା ତାଙ୍କ ଭାଷାରେ ଏଭଳି ବର୍ଣ୍ଣିତ ହୋଇଥିଲା- ‘ମୋ ଜୀବନରେ ଆଗରୁ କେବେ ସେମିତି ଆବେଗର ବଶବର୍ତ୍ତୀ ହୋଇନାହିଁ!’ କହିବା ନିଷ୍ପ୍ରୟୋଜନ ଯେ ମାରାଡୋନା ସେ ଦିନ ସେ ଗୋଲ୍‌ଟି ଦେଇ ନ ଥିଲେ ହୁଏ’ତ ତାଙ୍କର ସେହି ବିଶ୍ବକପ୍‌ ବିଜୟ ଏକ କଳଙ୍କର ଦାଗ ସହିତ ସମାହିତ ହୋଇଥାଆନ୍ତା। ଆଜି ତାଙ୍କର ଅବର୍ତ୍ତମାନରେ ସେହି ମୁହୂର୍ତ୍ତ କଥା ଚିନ୍ତା କଲେ ପ୍ରତୀତ ହୋଇଥାଏ ଯେ ସମ୍ଭବତଃ ଈଶ୍ବର ଏହି ଅଦ୍ବିତୀୟ ପ୍ରତିଭାବାନ ଖେଳାଳିଙ୍କ ଠାରୁ ଔଜ୍ଜ୍ବଲ୍ୟ ହରଣ କରିବାକୁ ଚାହୁଁ ନ ଥିଲେ। ସୁତରା˚, ‘ଈଶ୍ବରଙ୍କ ହାତ’ ଦ୍ବାରା ସୃଷ୍ଟ କଳଙ୍କ ମାତ୍ର ଚାରି ମିନିଟ୍‌ ମଧୢରେ ସ˚ପୂର୍ଣ୍ଣ ନିଷ୍ପ୍ରଭ ହୋଇଯିବା ସହିତ ତାଙ୍କୁ ଫୁଟ୍‌ବଲ୍‌ ଖେଳ ଇତିହାସରେ ଜଣେ ଶ୍ରେଷ୍ଠତମ ଖେଳାଳି ରୂପେ ସ୍ଥାପନ କରିଥିଲା।

ଆଜିକୁ ଷାଠିଏ ବର୍ଷ ତଳେ ଫୁଟ୍‌ବଲ୍‌ ପ୍ରମତ୍ତ ରାଷ୍ଟ୍ର ଆର୍ଜେଣ୍ଟିନାର ରାଜଧାନୀ ବୁଏନ୍‌ସଏୟାର୍ସର ଏକ ଅପରାଧପ୍ରବଣ ବସ୍ତିରେ ଅତ୍ୟନ୍ତ ଦାରିଦ୍ର୍ୟ ଭିତରେ ଜନ୍ମ ଲାଭ କରିଥିଲେ ଡିଏଗୋ ମାରାଡୋନା। ମାତ୍ର ତିନି ବର୍ଷ ବୟସରେ କକେଇ ସିର୍ଲୋଙ୍କ ଦ୍ବାରା ଉପହାର ସ୍ବରୂପ ପ୍ରଦତ୍ତ ଏକ ଚମଡ଼ା ଫୁଟ୍‌ବଲ୍‌ ତାଙ୍କ ଠାରେ ଥିବା ଐନ୍ଦ୍ରଜାଲିକ ପ୍ରତିଭା ବାବଦରେ ଏକ ଧାରଣା ସୃଷ୍ଟି କରିପାରିିଥିଲା। ମାତ୍ର ଚଉଦ ବର୍ଷ ବୟସରେ ‘ଆର୍ଜେଣ୍ଟିନୋ ଜୁୁନିଅର୍ସ’ ସହିତ ପେସାଦାର ଖେଳାଳି ଭାବେ ଖେଳ ଆରମ୍ଭ କରିଥିଲେ। ତାଙ୍କ ଅଧିନାୟକତ୍ବରେ ଆର୍ଜେଣ୍ଟିନା ଲଗାତାର ଦୁଇ ଥର ବିଶ୍ବକପ୍‌ ଫୁଟ୍‌ବଲ୍‌ର ଫାଇନାଲରେ ପ୍ରବେଶ କରିଥିଲା, ଯହିଁରୁ ଗୋଟିକରେ ବିଜୟୀ ହୋଇଥିଲା। ଯେଉଁ ୟୁରୋପୀୟ କ୍ଲବ୍‌ ସହିତ ସେ ଘନିଷ୍ଠ ଥିଲେ, ତାହା ହେଉଛି ଇଟାଲିର ଦ୍ବିତୀୟ ଶ୍ରେଣୀର କ୍ଲବ୍‌ ନେପୋଲି। କିନ୍ତୁ ତାଙ୍କ ନେତୃତ୍ବରେ ନେପୋଲି ଇଟାଲି ତଥା ୟୁରୋପର ପ୍ରାୟ ସମସ୍ତ ଟୁର୍ନାମେଣ୍ଟରେ ବିଜୟ ଲାଭ କରି ଏକ ଫୁଟ୍‌ବଲ୍‌ ଶକ୍ତି ରୂପେ ଆବିର୍ଭୂତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ମାରାଡୋନା ଅବସର ନେବା ପରେ ନେପୋଲି ସବୁ ଦିନ ଲାଗି ମାରାଡୋନାଙ୍କ ସହିତ ସମାର୍ଥବାଚକ ହୋଇଯାଇଥିବା ତାଙ୍କ ଜର୍ସିର ‘୧୦’ ନମ୍ବରକୁ କ୍ଲବ୍‌ର ଅନ୍ୟ କୌଣସି ଖେଳାଳିଙ୍କୁ ପିନ୍ଧିବାକୁ ନ ଦେଇ ସବୁ ଦିନ ଲାଗି ବିଶ୍ରାମ ଦେଇଛି।

ଏହା ମଧୢ ସତ ଯେ ତାଙ୍କର କ୍ଷଣ କୋପ ଏବ˚ ଆବେଗାତିଶଯ୍ୟ କାରଣରୁ ମାରାଡୋନା ଅତ୍ୟନ୍ତ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କ କ୍ରୀଡ଼ା ଜୀବନ ସର୍ବାଧିକ ଉଚ୍ଚତାରେ ଥିବା ବେଳେ ମଧୢ ସେ କୋକେନ୍‌ ଭଳି ନିଷିଦ୍ଧ ନିଶା ତଥା ମଦ୍ୟର ଦାସ ହୋଇ ପଡ଼ିଥିଲେ। ୧୯୯୪ ବିଶ୍ବକପ୍‌ ସମୟରେ କୋକେନ୍‌ ସେବନ କାରଣରୁ ତାଙ୍କୁ ଟୁର୍ନାମେଣ୍ଟରୁ ବହିଷ୍କାର କରି ଦିଆଯାଇଥିଲା। କେବଳ ସେତିକି ନୁହେଁ ସାମ୍ବାଦିକମାନଙ୍କ ଉପରେ ଗୁଳି ଚାଳନା କରିବା ହେଉ ବା ଜଣେ ପ୍ରଶ˚ସକଙ୍କୁ ଗୋଇଠା ମାରିବା ହେଉ ଅଥବା ଆର୍ଜେଣ୍ଟିନାର ଅନ୍ୟତମ ପ୍ରତିଭାଶାଳୀ ଖେଳାଳି ଲିଓନେଲ ମେସିଙ୍କ ସ˚ପର୍କରେ ଅପମାନଜନକ ମନ୍ତବ୍ୟ ପ୍ରଦାନ କରିବା ହେଉ କିମ୍ବା ଖେଳ ପଡ଼ିଆରେ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ହେଉ; ଏଭଳି ଅନେକ ଘଟଣା ତାଙ୍କୁ ଅତ୍ୟନ୍ତ ବିବାଦୀୟ କରି ଗଢ଼ି ତୋଳିଥିଲା। କିନ୍ତୁ ନିଜ ଭାବମୂର୍ତ୍ତିକୁ ଉଜ୍ଜ୍ବଳତା ପ୍ରଦାନ କରିବା ଲାଗି ସେ ନିଜକୁ କୌଣସି ବିବାଦରୁ ଦୂରେଇ ରଖିବାର ପ୍ରୟାସ କେବେ ହେଲେ କରି ନ ଥିଲେ। ଯେଉଁ ଭୂଖଣ୍ତରେ ସେ ଜନ୍ମ ଲାଭ କରି ଫୁଟ୍‌ବଲ୍‌ ଖେଳି ବଡ଼ ହୋଇଥିଲେ, ସେହି ଲାଟିନ ଆମେରିକାରେ କେବଳ ଫୁଟ୍‌ବଲ୍‌ ହିଁ ହେଉଛି ମାନବ ଶୋଣିତର ଲୋହିତ ରକ୍ତ କଣିକା। ସେହି ମାଟିରେ ଗୋଟିଏ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ହୋଇଥିବା ବିବାଦୀୟ ନିଷ୍ପତ୍ତି ଦୁଇ ଦେଶ ମଧୢରେ (ହଣ୍ତୁରାସ ଏବ˚ ଏଲ ସାଳଭାଡୋର) ଏକ ଯୁଦ୍ଧର କାରଣ ହୋଇଥିଲା; ୧୯୯୪ ବିଶ୍ବକପ୍‌ ଟୁର୍ନାମେଣ୍ଟରେ ଦୁର୍ଭାଗ୍ୟବଶତଃ ନିଜ ଗୋଡ଼ରେ ବଲ୍‌ ବାଜି ନିଜ ପକ୍ଷକୁ ଗୋଲ୍‌ ଦେଇ ପକାଇଥିବା କାରଣରୁ କଲମ୍ବୀୟ ଖେଳାଳି ଆନ୍ଦ୍ରେ ଏସକୋବାରଙ୍କୁ ଏକ ରେସ୍ତୋରାଁରେ ଗୁଳି କରି ହତ୍ୟା କରାଯାଇଥିଲା। ଏଭଳି ଅସୁମାରି ଉଦାହରଣ ରହିଛି, ଯହିଁରେ ଫୁଟବଲକୁ ଲାଟିନ ଆମେରିକାର ପ୍ରଥମ ଓ ଅନ୍ତିମ କଥା ରୂପେ ଦେଖି ହେବ। ସୁତରା˚, କହିବା ବାହୁଲ୍ୟ ଯେ ସେଠାରେ ଫୁଟ୍‌ବଲ୍‌ ଯେଉଁ ଔଜ୍ଜଲ୍ୟ ପ୍ରଦାନ କରିଥାଏ, ତାହା ସମ୍ଭବତଃ କୌଣସି ଅପବାଦ ଦ୍ବାରା ରାହୁଗ୍ରସ୍ତ ହେବ ନାହିଁ ବୋଲି ହୁଏ’ତ ମାରାଡୋନଙ୍କ ଏକ ଧାରଣା ରହିଥିବ।

ଅତ୍ୟନ୍ତ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ଠାରେ ଆତ୍ମ-ବିନାଶର ପ୍ରବୃତ୍ତି ରହିଥିବା ପରିଲକ୍ଷିତ ହୋଇଥାଏ, ଯାହା ମାରାଡୋନାଙ୍କ କ୍ଷେତ୍ରରେ ଘଟିଥିଲା; ଏବ˚ ସେ ଈଶ୍ବରପ୍ରଦତ୍ତ ପ୍ରତିଭାକୁ ସ˚ରକ୍ଷଣ କରିବାର ଆଦୌ ପ୍ରଯତ୍ନ କରି ନ ଥିଲେ। ଏଭଳି ବେପରୁଆ ଜୀବନଶୈଳୀ କାରଣରୁ ତାଙ୍କୁ ଯେତେବେଳେ ୪୪ ବର୍ଷ ବୟସ ସେ ଗୋଟିଏ ହୃଦ୍‌ଘାତର ଶିକାର ହୋଇ ସାରିଥିଲେ ଏବ˚ ଗଲା ବୁଧବାର ଦିନ ମାତ୍ର ଷାଠିଏ ବର୍ଷ ବୟସରେ ପୃଥିବୀକୁ ମାରାଡୋନା ଶୂନ୍ୟ କରି ଅପସରି ଗଲେ; ଯେଉଁ ପୃଥିବୀର କ୍ଷୁଦ୍ରାତିକ୍ଷୁଦ୍ର କୋଣ-ଅନୁକୋଣରେ (ଭାରତର କୋଲକତା) ଅନେକ ଅଖ୍ୟାତ ବସ୍ତିରେ ଅସଂଖ୍ୟ ମାରାଡୋନା ନାମଧାରୀ କିଶୋର ଏବେ ବି ବଲ୍‌ଟିିଏ ଧରି ନିଜେ ନିଜେ ସେମାନଙ୍କ ଖେଳ ଅଭ୍ୟାସ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର