ତୃଷିତ ଭାରତ

ପ୍ରାଚୀନ ଗ୍ରୀକ୍‌ ଦାର୍ଶନିକ ଥାଲେସ୍‌ ବିଶ୍ବାସ କରୁଥିଲେ ଯେ ସଂସାରର ଏକମାତ୍ର ମୌଳିକ ଉପାଦାନ ହେଉଛି ଜଳ। ଆମେ ଯଦି ବେଳହୁଁ ସାବଧାନ ନ ହେବା, ଏହାର ଅଭାବରେ ଆମର ସଂସାର ଉଜୁଡ଼ି ଯିବାର ସମ୍ଭାବନା ଆସନ୍ନ। ଅତି କମ୍‌ରେ ଏକ ତୃଷିତ ଭାରତ କେବେ ହେଲେ ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ ହୋଇପାରିବ ନାହିଁ, ଯାହା ଏବେ ଆମର ଲକ୍ଷ୍ୟ ରୂପେ ଘୋଷଣା କରାଯାଉଛି।

ବୈଜ୍ଞାନିକମାନେ ଲଘୁ ପରିହାସ ମୁଡ୍‌ରେ ଥିବା ବେଳେ କେବେ କେମିତି ଜଳ ସମ୍ବନ୍ଧରେ ନିମ୍ନମତେ ବର୍ଣ୍ଣନା କରିବା ଦେଖାଯାଇଥାଏ। ଜଳ ହେଉଛି ଏକ ଅଦ୍ଭୁତ ପଦାର୍ଥ। ଏହା ହେଉଛି କୌଣସି ନିର୍ଦ୍ଦିଷ୍ଟ ଆକାରହୀନ ଓ ସ୍ବଚ୍ଛ, କିନ୍ତୁ ଏଥି ସତ୍ତ୍ବେ ଆମେ ତା’ର ସାହଚର୍ଯ୍ୟ ଲାଭ ପାଇଁ ସର୍ବଦା ଆଶାୟୀ ଥାଉ। ଏହା ହେଉଛି ସ୍ବାଦହୀନ, ତଥାପି ଆମେ ତା’ର ଆସ୍ବାଦନ ପାଇଁ ବ୍ୟାକୁଳ ହୋଇଥାଉ। ଏହାର ଅବସ୍ଥା ଅନୁସାରେ ଜଳ ତୁମ ଶରୀରରେ ଫୋଟକା ସୃଷ୍ଟି କରିପାରେ କିମ୍ବା ଶରୀରକୁ ହିମଶୀତଳ କରିଦେଇପାରେ। ଏକ ଟମାଟରର ୯୫ ଶତାଂଶ, ଏକ ଆଳୁର ୮୦ ଶତାଂଶ, ଏକ ଗାଈର ୭୪ ଶତାଂଶ, ତୁମ ଭଳି ଜଣେ ମନୁଷ୍ୟର ୬୫ ଶତାଂଶ ହେଉଛି ଜଳ- ଅର୍ଥାତ୍‌ ନିଜକୁ କଠିନ ମନେ କରୁଥିବା ମନୁଷ୍ୟ ହେଉଛି ମୁଖ୍ୟତଃ ଏକ ତରଳ ପଦାର୍ଥ! ଜଳ ଅଭାବରେ ମନୁଷ୍ୟର ଅବସ୍ଥା ଏକ ନିର୍ଜୀବ, ଶୁଖିଲା ପତ୍ର ପରି ହୋଇଯିବ।
ପୃଥିବୀ ନାମକ ଗ୍ରହରେ ମୋଟ ୧୩୦ କୋଟି ଘନ କିଲୋମିଟର ପରିମାଣର ଜଳ ମହଜୁଦ ରହିଛି, ଯେଉଁଥିରେ କୌଣସି ହ୍ରାସବୃଦ୍ଧି ସମ୍ଭବ ନୁହେଁ। ଏହା ଏକ ନିବୁଜ ବ୍ୟବସ୍ଥା। ଏହି ଜଳର ୯୭ ଶତାଂଶ ରହିଛି ସମୁଦ୍ରମାନଙ୍କରେ, ଯାହା ଲବଣାକ୍ତ। ଅବଶିଷ୍ଟ ୩ ଶତାଂଶ ହେଉଛି ମଧୁର ଜଳ, ଯାହାର ଅଧିକ ଅଂଶ ରହିଛି ବରଫ ଆକାରରେ ବାନ୍ଧି ହୋଇ। ପୃଥିବୀର ନଦନଦୀ, ହ୍ରଦ, ଜଳଭଣ୍ଡାର ଆଦିରେ ଉପଲବ୍‌ଧ ଥିବା ମଧୁର ଜଳ ହେଉଛି ଏହାର ମାତ୍ର ୦.୦୩୬ ଶତାଂଶ ଏବଂ ଅାକାଶରେ ବାଦଲ ଓ ବାୟୁମଣ୍ଡଳରେ ଜଳୀୟବାଷ୍ପ ଆକାରରେ ଉପସ୍ଥିତ ଏହି ଜଳର ଅନୁପାତ ହେଉଛି କେବଳ ୦.୦୦୧ ଶତାଂଶ ମାତ୍ର। ଏହି ମଧୁର ଜଳର କିୟଦଂଶ ମୃତ୍ତିକା ଆସ୍ତରଣ ଭେଦ କରି ଭୂତଳ ଜଳ ରୂପେ ସଞ୍ଚିତ ହୋଇଥାଏ। ପୃଥିବୀ ପୃଷ୍ଠରେ ଏଭଳି ନଗଣ୍ୟ ଅନୁପାତରେ ଉପଲବ୍‌ଧ ମଧୁର ଜଳ ହିଁ ହେଉଛି ଉଭୟ ପ୍ରାଣୀ ଓ ଉଦ୍ଭିଦ ଜଗତର ଜୀବନ। ମଧୁର ଜଳ ଯେଉଁଠି ଆଦୌ ଉପଲବ୍‌ଧ ନ ଥାଏ, ସେ ଅଞ୍ଚଳ ମରୁଭୂମିରେ ପରିଣତ ହୋଇଥାଏ।
ପ୍ରକୃତି କିନ୍ତୁ ବିଭିନ୍ନ ଭୌଗୋଳିକ ଅଞ୍ଚଳମାନଙ୍କ ମଧ୍ୟରେ ଜୀବନର ଏହି ମୌଳିକ ଉପାଦାନର ବଣ୍ଟନକୁ ସୁଷମ ଭାବରେ କରି ନାହିଁ। ଉଦାହରଣ ସ୍ବରୂପ ଭାରତ ପୃଥିବୀର ମୋଟ ଲୋକସଂଖ୍ୟାର ୧୮ ଶତାଂଶକୁ ସମ୍ଭାଳିଛି; କିନ୍ତୁ ଭାରତ ଭାଗରେ ପୃଥିବୀର ଉପରୋକ୍ତ ମଧୁର ଜଳ ଆବଣ୍ଟନର ଯେତିକି ଅଂଶ ପଡ଼ିଛି, ତାହା ହେଉଛି ମାତ୍ର ୪ ଶତାଂଶ। ସେଇଥିପାଇଁ ୨୦୨୩ର ‘ୱାର୍ଲଡ୍‌ ଡେଭେଲପ‌୍‌ମେଣ୍ଟ ରିପୋର୍ଟ’ରେ ସତର୍କବାଣୀ ଶୁଣାଇ ଦିଆଯାଇଛି ଯେ ୨୦୫୦ ସୁଦ୍ଧା ଭାରତ ଜଳାଭାବ ଦ୍ବାରା ସର୍ବାଧିକ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ଦେଶରେ ପରିଣତ ହେବ। ଏହା ଯଦି କେଉଁ ଏକ ଗୁରୁତ୍ବହୀନ ସୁଦୂର ସ୍ବର ପରି କାହାର ମନେ ହୋଇଥାଏ, ସରକାର ଏବେ ପାର୍ଲିଆମେଣ୍ଟରେ ଯେଉଁ ସବୁ ତଥ୍ୟ ପ୍ରକାଶ କରିଛନ୍ତି, ତାହା ସେମାନଙ୍କର ସେଭଳି ସନ୍ଦେହରେ ଅନ୍ତ ଘଟାଇବା ନିଶ୍ଚିତ। ‘ସେଣ୍ଟ୍ରାଲ୍‌ ୱାଟର୍‌ କମିସନ୍‌’ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଉଦ୍ଧାର କରି ସରକାର ପ୍ରଦାନ କରିଥିବା ସୂଚନା ଅନୁସାରେ ୧୯୫୧ରେ ଦେଶରେ ଉପଲବ୍‌ଧ ମୁଣ୍ଡ ପିଛା ଜଳର ପରିମାଣ ଥିଲା ୫,୦୦୦ ଘନ ମିଟର, ଯାହା ୨୦୨୧ ବେଳକୁ ହ୍ରାସ ପାଇ ହୋଇଥିଲା ୧,୪୮୬ ଘନ ମିଟର। ଏହା ହ୍ରାସ ପାଇ ୨୦୩୧ରେ ୧,୩୬୭ ଘନମିଟର ହେବାକୁ ଯାଉଛି ବୋଲି ସରକାର ସୂଚନା ଦେଇଛନ୍ତି।
ମୁଣ୍ଡ ପିଛା ଜଳ ଉପଲବ୍‌ଧତାରେ ଏହି ହ୍ରାସର କାରଣ ଜନସଂଖ୍ୟା ବୃଦ୍ଧି ବୋଲି ସରକାର କହିଥିଲେ ହେଁ ଜଳର ଅତ୍ୟଧିକ ‌େଶାଷଣ ଓ ଉପଯୁକ୍ତ ସଞ୍ଚୟର ଅଭାବ ଯେ ଏହାର ଏକ ଗୁରୁତ୍ବପୂର୍ଣ୍ଣ କାରଣ, ଏଥିରେ ‌େକୗଣସି ସନ୍ଦେହ ନାହିଁ। ‌‘ସେଣ୍ଟ୍ରାଲ୍‌ ଗ୍ରାଉଣ୍ଡ୍‌ ୱାଟର୍‌ ବୋର୍ଡ’ ୨୦୨୨ରେ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ଦେଶରେ ଉତ୍ତୋଳନ କରାଯାଉଥିବା ଭୂତଳ ଜଳର ୮୯ ଶତାଂଶ କୃଷି ପାଇଁ ଆବଶ୍ୟକ ଜଳସେଚନ ଉଦ୍ଦେଶ୍ୟରେ ଭୂଗର୍ଭରୁ ନିଷ୍କାସନ କରାଯାଇଥାଏ। ଭାରତର ୭୪ ଶତାଂଶ ଅଞ୍ଚଳରେ ଗହମ ଓ ୬୫ ଶତାଂଶ ଅଞ୍ଚଳରେ ହେଉଥିବା ଧାନ ଚାଷ ପାଇଁ ଏହି ଜଳସେଚନ ଆବଶ୍ୟକ ହୋଇଥାଏ। ଏହି ଆବଶ୍ୟକତା ପୂରଣ ନିମିତ୍ତ ଦେଶର ସମ୍ପୃକ୍ତ ଅଞ୍ଚଳମାନଙ୍କରେ ପ୍ରାୟ ୨୦ କୋଟିରୁ ଅଧିକ ସଂଖ୍ୟକ ପାଣିପମ୍ପ ଭୂମିତଳେ ସଞ୍ଚିତ ଥିବା ଜଳ ଟାଣିବାରେ ବ୍ୟସ୍ତ ଅଛନ୍ତି। ‘ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର୍‌ ବୋର୍ଡ’ର ରିପୋର୍ଟ ଅନୁସାରେ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପରିବ୍ୟାପ୍ତ ଥିବା ଏହାର ୭୦୮୯ଟି ଆକଳନ କ୍ଷେତ୍ରମାନଙ୍କ ମଧ୍ୟରୁ ୧୦୦୬ଟିରୁ ଉପଲବ୍‌ଧ ତଥ୍ୟ ଅନୁସାରେ ସେଠାରେ ଭୂତଳ ଜଳର ଅତି-ଶୋଷଣ ଘଟିଚାଲିଛି, ଅର୍ଥାତ୍‌ ବାର୍ଷିକ ଯେତିକି ପରିମାଣର ନୂତନ ଜଳ ଭୂଗର୍ଭରେ ପ୍ରବେଶ କରୁଛି (ରିଚାର୍ଜ‌୍), ତାହାଠାରୁ ଅଧିକ ପରିମାଣରେ ଜଳ ଶେ‌ାଷଣ କରାଯାଉଛି। ଏହା ବ୍ୟତୀତ ଆହୁରି ୨୬୦ଟି ଆକଳନ କ୍ଷେତ୍ରରେ ଭୂତଳ ଜଳର ଶୋଷଣ ବାର୍ଷିକ ରିଚାର୍ଜ ପରିମାଣର ଅତି ଉଚ୍ଚା ୯୦-୧୦୦ ଶତାଂଶ ମଧ୍ୟରେ ହୋଇଥିବା ଜଣାଯାଇଛି, ଯାହା ରିଚାର୍ଜର ପାଖାପାଖି ସମ୍ପୂର୍ଣ୍ଣ ଶେ‌ାଷଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭୂତଳ ଜଳର ଏପରି ଅବାଧ ଶୋଷଣ ଭାରତକୁ ଏକ ଅବାଞ୍ଛିତ ମର୍ଯ୍ୟାଦା ପ୍ରଦାନ କରିଛି- ଭାରତ ହେଉଛି ପୃଥିବୀର ସର୍ବାଧିକ ଭୂତଳ ଜଳ ଶୋଷଣକାରୀ ଦେଶ।
ରାଜ୍ୟ ସ୍ତରରେ ଓ କେନ୍ଦ୍ର ସ୍ତରରେ ଦୀର୍ଘକାଳ ଧରି ଅନୁସୃତ କେତେକ ସରକାରୀ ନୀତି ଏଥି ପାଇଁ ସହାୟକ ହୋଇଛି- କୃଷି ପାଇଁ ମାଗଣା ବିଦ୍ୟୁତ୍‌ ଯୋଗାଣ ଠାରୁ ଆରମ୍ଭ କରି ଉତ୍ପାଦିତ ଶସ୍ୟ ପାଇଁ ନିଶ୍ଚିତ ବଜାର ଯୋଗାଣ ଓ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପର୍ଯ୍ୟନ୍ତ। ଏହି ନୀତିମାନ କୃଷି ଓ କୃଷକମାନଙ୍କର ମଙ୍ଗଳ ସାଧନ ପାଇଁ ଉଦ୍ଦିଷ୍ଟ, ଏଥିରେ ସନ୍ଦେହ ନାହିଁ, କିନ୍ତୁ ଏଥି ସହିତ ବର୍ଷାଜଳର ଉପଯୁକ୍ତ ସଂରକ୍ଷଣ କରି କୃଷି ପାଇଁ ଆବଶ୍ୟକ ଜଳସେଚନ ମଧ୍ୟ ନିଶ୍ଚିତ କରାଯିବା ଜରୁରୀ, ଯେମିତି ଭୂତଳ ଜଳର ଅତ୍ୟଧିକ ଶୋଷଣ ଘଟି ଦେଶ ଏକ ମରୁଭୂମିରେ ପରିଣତ ନ ହୁଏ।
ଭାରତର ପାଣିପାଗ ଅବଶ୍ୟ ଏଥିପାଇଁ ଏକ ସମସ୍ୟା ସୃଷ୍ଟି କରିଥାଏ। ମୌସୁମୀ ନିର୍ଭରଶୀଳ ଭାରତର ବାର୍ଷିକ ବୃଷ୍ଟିପାତର ୮୦ ଶତାଂଶ ମାତ୍ର ଚାରି ମାସ- ଜୁନରୁ ସେପ୍‌ଟେମ୍ବର ମଧ୍ୟରେ ଅଜାଡ଼ି ହୋଇ ଯାଇଥାଏ ଏବଂ ତାହାର ଅଧିକ ଅଂଶ ମାତ୍ର ୨୫ ଦିନ ମଧ୍ୟରେ କେନ୍ଦ୍ରୀଭୂତ ହୋଇ ଦେଶର ଏକ-ସପ୍ତମାଂଶ ଅଞ୍ଚଳରେ ବନ୍ୟା ବିତ୍ପାତ ସୃଷ୍ଟି କରିଥାଏ, ଯେଉଁ ବିଶାଳ ଜଳରାଶି ଶେଷରେ ସମୁଦ୍ରରେ ପଡ଼ି ନଷ୍ଟ ହୋଇଥାଏ। ବର୍ଷର ଅନ୍ୟ ସମୟରେ ଓ ଦେଶର ଅନ୍ୟ ଅଞ୍ଚଳରେ ଜଳ କଷ୍ଟ ଦୂର କରିବାରେ ଏହି ଜଳ ଆଦୌ ସହାୟକ ହୋଇନଥାଏ।
ସମସ୍ୟା ସମାଧାନର ଏକମାତ୍ର ଉପାୟ ହେଉଛି ପ୍ରକୃତିର ଏହି ଅସନ୍ତୁଳିତ ଦାନକୁ ସଞ୍ଚୟ କରି ତାହାର ଉପଯୋଗକୁ ସନ୍ତୁଳିତ କରିବା। ଭାରତରେ ପ୍ରାୟ ହାରାହାରି ବାର୍ଷିକ ୩,୮୮୦ ବିଲିଅନ୍‌ କ୍ୟୁବିକ୍‌ ମିଟର (ବିସିଏମ୍‌) ବୃଷ୍ଟିପାତ ଘଟିଥାଏ, କିନ୍ତୁ ଭାରତରେ ନିର୍ମିତ ଡ୍ୟାମ୍‌ମାନଙ୍କର ମୋଟ ଜଳ ସଞ୍ଚୟ କ୍ଷମତା ହେଉଛି ଏହାର ଏକ-ଦଶମାଂଶରୁ ମଧ୍ୟ କମ୍‌- ୩୨୫ ବିସିଏମ୍‌। ପୁଣି ସେଥିମଧ୍ୟରୁ ପ୍ରକୃତ କାର୍ଯ୍ୟକ୍ଷମ ଜଳଧାରଣ କ୍ଷମତା ହେଉଛି ମାତ୍ର ୨୫୭ ବିସିଏମ୍‌। ଯଦି ମୋଟ ବୃଷ୍ଟିପାତର ୫୦ ଶତାଂଶ ମଧ୍ୟ ବାଷ୍ପୀକରଣ ଯୋଗୁଁ ଅନ୍ତର୍ଦ୍ଧାନ ହୋଇଯାଏ, ତଥାପି ମଧ୍ୟ ସଞ୍ଚୟ ପାଇଁ ଆମକୁ ପ୍ରାୟ ୨,୦୦୦ ବିସିଏମ୍‌ ବୃଷ୍ଟି ଜଳ ଉପଲବ୍‌ଧ ହେବ। ଉଭୟ କେନ୍ଦ୍ର ସ୍ତରରେ ଓ ରାଜ୍ୟ ସ୍ତରରେ ତେଣୁ କାଳ ବିଳମ୍ବ ନ କରି ଉପରୋକ୍ତ ସତର୍କ ବାଣୀ ସତ୍ୟରେ ପରିଣତ ହେବାର ଯଥେଷ୍ଟ ପୂର୍ବରୁ ଜଳ ସଞ୍ଚୟ ପଦକ୍ଷେପମାନ ଗ୍ରହଣ କରାଯିବା ଜରୁରୀ।
ପ୍ରାଚୀନ ଗ୍ରୀକ୍‌ ଦାର୍ଶନିକ ଥାଲେସ୍‌ ବିଶ୍ବାସ କରୁଥିଲେ ଯେ ସଂସାରର ଏକମାତ୍ର ମୌଳିକ ଉପାଦାନ ହେଉଛି ଜଳ। ଆମେ ଯଦି ବେଳହୁଁ ସାବଧାନ ନ ହେବା, ଏହାର ଅଭାବରେ ଆମର ସଂସାର ଉଜୁଡ଼ି ଯିବାର ସମ୍ଭାବନା ଆସନ୍ନ। ଅତି କମ୍‌ରେ ଏକ ତୃଷିତ ଭାରତ କେବେ ହେଲେ ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ ହୋଇପାରିବ ନାହିଁ, ଯାହା ଏବେ ଆମର ଲକ୍ଷ୍ୟ ରୂପେ ଘୋଷଣା କରାଯାଉଛି।

ସମ୍ବନ୍ଧିତ ଖବର