ଜଣେ ପେସାଦାର କ୍ୟାମେରାମ୍ୟାନ୍ଙ୍କ ଜଘନ୍ୟ ହତ୍ୟାକାଣ୍ଡ ନିକଟରେ ସମଗ୍ର ରାଜ୍ୟକୁ ଆଲୋଡ଼ିତ କରିଛି। ସେମିତିରେ ଦେଖିବା ପାଇଁ ଗଲେ ଯେ କୌଣସି ଅପରାଧ, ବିଶେଷ କରି ହତ୍ୟା ଘଟଣା, ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟି ଯାଏ। ରାସ୍ତାକଡ଼ର ଚା’ ଦୋକାନ ଖଟିରୁ ଆରମ୍ଭ କରି ଶିକ୍ଷିତ ମହଲ, ସବୁଠାରେ ଆଲୋଚିତ ହୁଏ। ଗଣମାଧ୍ୟମଗୁଡ଼ିକ ତାକୁ ନେଇ ମୁଖର ହୋଇ ଉଠନ୍ତି। କାରଣ, ଅପରାଧ ସର୍ବଦା ରୋମାଞ୍ଚକର- ତାହା ଉପନ୍ୟାସରେ ହେଉ ଅଥବା ବାସ୍ତବ ଜୀବନରେ। ଅପରାଧ ପଛର କାରଣ, କିଏ, କେମିତି ଅପରାଧ ସଂଘଟିତ କଲା, ପୁଲିସ୍ ଆଖିରେ ଧୂଳି ଦେଇ କେମିତି ଲୁଚି ପାରିଲା- ତାହା ହିଁ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ହୋଇ ଉଠେ। ପ୍ରତ୍ୟେକ ବ୍ୟକ୍ତି ଗଭୀର ଅନୁଶୀଳନ ପୂର୍ବକ ନିଜ ନିଜର ମୂଲ୍ୟବାନ ମତାମତ ଦିଅନ୍ତି; ଏପରି କି ନ୍ୟାୟାଳୟ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ସାଧାରଣ ଜନତା ସମାନ୍ତରାଳ ବିଚାର କରି ରାୟ ଶୁଣାଇ ଦିଅନ୍ତି। ଏହି ପୃଷ୍ଠଭୂମିରେ ଯଦି ସନ୍ଦିଗ୍ଧ ଅଭିଯୁକ୍ତ ଜଣେ ମହିଳା ହୋଇଥା’ନ୍ତି, ତେବେ ଆଲୋଚନା ତୁଙ୍ଗରେ ପହଞ୍ଚିବା ସ୍ୱାଭାବିକ।
ଯେଉଁ ନିର୍ଦ୍ଦିଷ୍ଟ ମାମଲା ବିଷୟରେ ଆଜିର ଏହି ଆଲୋଚନା, ତା’ର ମୁଖ୍ୟ କାର୍ପଟଦାର କେବଳ ଜଣେ ସାଧାରଣ ମହିଳା ନୁହନ୍ତି, ଜଣେ ସାମ୍ବାଦିକା ଭାବରେ କ୍ୟାରିଅର୍ ଆରମ୍ଭ କରି ପରେ ନିଜସ୍ୱ ଏକ ୱେବ୍ ଚ୍ୟାନେଲ୍ ଗଢ଼ିବା ସହିତ ଜଣେ ‘ସମାଜସେବୀ’ ରୂପେ ପରିଚିତ ହେବାକୁ ଲାଗିଥିଲେ। ପରିତ୍ୟକ୍ତ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଆଶ୍ରୟ ଦେବା ଉଦ୍ଦେଶ୍ୟରେ ଗୋଟିଏ ଘର ଭଡ଼ା ନେଇ ଆଶ୍ରମଟିଏ ପ୍ରତିଷ୍ଠା କରିଥିଲେ। ମିଳୁଥିବା ତଥ୍ୟାନୁଯାୟୀ ସେଠାକୁ କୁଆଡ଼େ ବିଭିନ୍ନ ସୂତ୍ରରୁ ଆର୍ଥିକ ଅନୁଦାନ ଆସୁଥିଲା। କେବଳ ସେତିକି ନୁହେଁ, ପଦସ୍ଥ ସରକାରୀ ଅଧିକାରୀମାନଙ୍କ ଅନୁକମ୍ପା ମଧ୍ୟ ସେ ପାଉଥିଲେ। ଏ ସବୁ କିଛି କମ୍ ସଫଳତା ନ ଥିଲା; ହେଲେ ଜଣେ ଉଚ୍ଚାଭିଳାଷୀ ମହିଳା ହୋଇଥିବାରୁ ହୁଏ’ତ ତାହା ଯଥେଷ୍ଟ ନ ଥିଲା। ଜୀବନରେ ଅଧିକରୁ ଅଧିକ ସଫଳତାର ପାହାଚ ଚଢ଼ିବା ପାଇଁ ସେ ଚାହୁଁଥିଲେ।
ମନସ୍ତତ୍ତ୍ବବିତ୍ ହେନ୍ରୀ ମରେ ୧୯୩୮ ମସିହାରେ ‘ଉପଲବ୍ଧିର ଆବଶ୍ୟକତା’ (Need for achievement ବା N-Ach) ନାମକ ଏକ ତତ୍ତ୍ବର ପ୍ରଚଳନ କରିଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ମନୋବିଜ୍ଞାନୀ ଡାଭିଡ ମେକଲିଲେନ୍ଡ ଅଧିକ ଲୋକପ୍ରିୟ କରାଇପାରିଥିଲେ। ଏହା ଅନୁଯାୟୀ ଖାଦ୍ୟପେୟ, ବାସଗୃହ ଓ ମୈଥୁନ ଭଳି ମୌଳିକ ଆବଶ୍ୟକତା ପୂର୍ଣ୍ଣ ହେବା ପରେ, ମଣିଷ ଆହୁରି ଅନେକ କିଛି ଚାହେଁ- ଯେମିତି କି ଧନ, ଯଶ ଇତ୍ୟାଦି। ମୃତ୍ୟୁ ପରେ ଅମର ହୋଇ ରହିବାର ଲୁକ୍କାୟିତ ମନୋବାଞ୍ଛା ପୋଷଣ କରେ! ଯେଉଁ ବ୍ୟକ୍ତି ପାଖରେ ଏହି କାମନା ଯେତେ ଦୁର୍ବାର, ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ସେ ସେତିକି ଦୃଢ଼ମନସ୍କ ହୁଏ। ସାଧାରଣତଃ ଏହି ବର୍ଗର ଲୋକେ ବିଫଳତାକୁ ପସନ୍ଦ କରନ୍ତି ନାହିଁ। କଳେ-ବଳେ-କଉଶଳେ ସଫଳ ହେବା ଲାଗି ଉଦ୍ୟମ କରନ୍ତି; କ୍ଷେତ୍ର ବିଶେଷରେ ନୀତିହୀନ ପଥରେ ଅଗ୍ରସର ହେବାରେ ଦ୍ବିଧା କରନ୍ତି ନାହିଁ। ଏଥିରେ ବିଡ଼ମ୍ବନା ହେଲା ଯଶ ଲାଭ ଲାଗି ଆଶାୟୀ ବ୍ୟକ୍ତି ଯେଉଁ ମାର୍ଗରେ ଅଗ୍ରସର ହେଉଥାଏ, ତାହା ଯଦି ଦୈବାତ୍ ପ୍ରକାଶ୍ୟ ହୋଇଯାଏ, ତେବେ ତାହା ସୁନାମ ବଦଳରେ ପ୍ରଚଣ୍ଡ ଅପଖ୍ୟାତି ଆଣିଦେବ ବୋଲି ସଚେତନ ଥିଲେ ସୁଦ୍ଧା ସେ ସେହି ବାଟ ପରିହାର କରିପାରେନାହିଁ, କିନ୍ତୁ ତାହା ଲୁଚାଇବାକୁ ଯାଇ ଗୋଟିକ ପରେ ଗୋଟିଏ ଭୁଲ୍ କରି ବସେ ଏବଂ ଶେଷରେ ଅନ୍ୟାୟ, ଅନୀତିର ଆବର୍ତ୍ତ ମଧ୍ୟରେ ଏମିତି ଛନ୍ଦି ହୋଇଯାଏ ଯେ ଆଉ ମୁକୁଳିବାର ରାସ୍ତା ହିଁ ନ ଥାଏ।
ଏହି ମର୍ମରେ ନିକଟ ଅତୀତରେ କିଛି ବହୁଚର୍ଚ୍ଚିତ ‘ବାବା’ମାନଙ୍କ କଥା ମନେପଡ଼େ। ଏମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ କକ୍ଷଚ୍ୟୁତ ଅଶାନ୍ତ ଗ୍ରହ। ତାହା ହୋଇ ନ ଥିଲେ ସମାଜକୁ ସତ୍ ମାର୍ଗ ପ୍ରଦର୍ଶନ କରିବା ଲାଗି ପ୍ରବଚନ େଦଉଥିବା ଏହି ତଥାକଥିତ ‘ବାବା’ମାନେ ଅତ୍ୟନ୍ତ ଅନୈତିକ କାର୍ଯ୍ୟମାନରେ ଲିପ୍ତ ରହି ନ ଥାଆନ୍ତେ। ଯଶ ଏବଂ ସଫଳତା ଅର୍ଜନ କରିବାର ଇଚ୍ଛା ପୋଷଣ କରିବାରେ କୌଣସି ତ୍ରୁଟି ନାହିଁ, ବରଂ, ଏହା ଏକ ଉଚ୍ଚକୋଟୀର ଚେତନାର ପରିଚୟ ଦେଇଥାଏ। କିନ୍ତୁ ପ୍ରଶ୍ନ ଉଠେ, ଲକ୍ଷ୍ୟ ହାସଲ କରିବା ଗୁରୁତ୍ବପୂର୍ଣ୍ଣ ନା ସେହି ଲକ୍ଷ୍ୟ ହାସଲ କରିବା ଲାଗି ଗ୍ରହଣ କରାଯାଉଥିବା ମାଧ୍ୟମ ବା ମାର୍ଗ ଗୁରୁତ୍ବପୂର୍ଣ୍ଣ। ମହାତ୍ମା ଗାନ୍ଧୀ ସର୍ବଦା ମାଧ୍ୟମର ମହାନତା ଉପରେ ଗୁରୁତ୍ବ ଦେଉଥିଲେ। ତାଙ୍କ ମତରେ ନୀତିହୀନ ମାଧ୍ୟମକୁ ଗ୍ରହଣ କରି ସଫଳତା ଲାଭ କରିବା ନିରର୍ଥକ। କିନ୍ତୁ ଯେଉଁମାନେ ମାତ୍ରାଧିକ ଉଚ୍ଚାଭିଳାଷୀ, ସେମାନେ ଲକ୍ଷ୍ୟ ହାସଲକୁ ଏତେ ମହତ୍ତ୍ବ ପ୍ରଦାନ କରନ୍ତି ଯେ ସେଠାରେ ପହଞ୍ଚିବା ଲାଗି ଗ୍ରହଣ କରୁଥିବା ମାଧ୍ୟମ ବିଷୟରେ ଚିନ୍ତା କରନ୍ତି ନାହିଁ; ଯାହା ଘଟିଛି ଏହି କକ୍ଷଚ୍ୟୁତ ସମାଜସେବୀଙ୍କ ଠାରେ ବା ସେହି ପ୍ରବଞ୍ଚକ ‘ବାବା’ମାନଙ୍କ କ୍ଷେତ୍ରରେ।
ମୋ- ୯୪୩୮୧୪୯୭୬୧