ସମାଧାନର ପଥ

ବିଭିନ୍ନ କାରଣରୁ ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ତୀବ୍ର ବିଶ୍ବାସହାନି ସୃଷ୍ଟି ହୋଇସାରିଛି, ଯାହାର ଉପଶମ କେବଳ ସରକାରଙ୍କ ପକ୍ଷରୁ ଧୈର୍ଯ୍ୟଶୀଳ ତଥା ସଂବେଦନାପୂର୍ଣ୍ଣ ବାର୍ତ୍ତାଳାପ ଦ୍ବାରା ସମ୍ଭବ। ଚାଷୀମାନଙ୍କ ସହିତ ସଂଘାତପୂର୍ଣ୍ଣ ମନୋଭାବ ଅଧିକ ଜଟିଳତାକୁ ଜନ୍ମ ଦେଇପାରେ। କାରଣ, ଭାରତୀୟ କୃଷି ଆନ୍ଦୋଳନର ନେତା ରମଣଦୀପ ସିଂହ ମାନ୍‌ କହିଥିବା ଶୁଣିବାକୁ ମିଳିଛି ଯେ ‘ଦିଲ୍ଲୀକୁ ଯିବା ଲାଗି ଆମ ପଥ ଅବରୋଧ କରାଗଲେ ଆମେ କ୍ଷେତରେ କ୍ଷେତରେ ଚାଲି ସେଠାରେ ପହଞ୍ଚିବୁ।’ ଏହା ମଧ୍ୟ ସମାଧାନର ପଥ ନୁହେଁ।

ଆମ ଦେଶରେ ପୁନର୍ବାର କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି ଏବଂ ଦିଲ୍ଲୀମୁହାଁ ହୋଇଥିବା ଆନ୍ଦୋଳନକାରୀ କୃଷକଙ୍କ ଛତ୍ରଭଙ୍ଗ ସକାଶେ ଡ୍ରୋନ୍‌ ଦ୍ବାରା ଲୁହବୁହା ବାଷ୍ପର ପ୍ରୟୋଗ ଏବଂ ରବର ବୁଲେଟ୍‌ର ପ୍ରହାର ଭୀଷଣ ବିବାଦ ମଧ୍ୟ ସୃଷ୍ଟି କରିଛି। ଦେଶର ଦ୍ବାରଦେଶରେ ସାଧାରଣ ନିର୍ବାଚନ ଉପନୀତ ହୋଇଥିବା ଦୃଷ୍ଟିରୁ ଏ ସମଗ୍ର ଘଟଣାକ୍ରମର ସମୂଳ ରାଜନୀତୀକରଣ ଯଦିଓ ଏକ ଅତ୍ୟନ୍ତ ସ୍ବାଭାବିକ ବିଷୟ; ତଥାପି ଏ ପ୍ରକରଣରେ ଆରୋପ-ପ୍ରତ୍ୟାରୋପ, କୁତ୍ସା, ତୀବ୍ର ଜାତୀୟତାବାଦୀ ଆକ୍ଷେପର ଧୂଳି ଝଡ଼ ସୃଷ୍ଟି ହୋଇ କୃଷକ ସମସ୍ୟାର ପ୍ରକୃତ ସମାଧାନର ପଥକୁ ରୁନ୍ଧି ପକାଇବା ଏକ ବିଡ଼ମ୍ବନା ତୁଲ୍ୟ ଦିଶିଥାଏ। ଏହି ପରିପ୍ରେକ୍ଷୀରେ ସେହି ଧୂଳିର ପଟଳକୁ ଅପସାରଣ କରିବା ସକାଶେ ଯେ ଏକ କ୍ଷୁଦ୍ର ଆଲୋଚନାର ଆବଶ୍ୟକତା ରହିଛି, ତହିଁରେ ଦ୍ବିରୁକ୍ତି ନାହିଁ।
ପ୍ରକାଶ ଥାଉ କି ସରକାରଙ୍କ ଦ୍ବାରା ଘୋଷିତ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ବା ‘ଏମ୍‌.ଏସ୍‌.ପି.’କୁ ଏକ ଆଇନ‌େର ପରିଣତ କରିବାର ଏକମାତ୍ର ଦାବି ନେଇ ଏହି ଆନ୍ଦୋଳନ ସକ୍ରିୟ ହୋଇଛି। ଆନ୍ଦୋଳନକାରୀମାନଙ୍କ ମତରେ ‘ଏମ୍‌.ଏସ୍‌.ପି.’କୁ ଆଇନର ମାନ୍ୟତା ମିଳିଲେ, ସରକାରଙ୍କ ଦ୍ବାରା ସ୍ଥିରୀକୃତ ଅନ୍ତତଃ ୨୪ଟି କୃଷିଜକୁ କୌଣସି କ୍ରେତା ‘ଏମ୍‌.ଏସ୍‌.ପି.’ରୁ ନୀଚା ମୂଲ୍ୟରେ କିଣି ପାରିବେ ନାହିଁ; ସୁତରାଂ, ଚାଷୀ ଅଭାବୀ ବିକ୍ରି କରିବାର ବାଧ୍ୟବାଧକତାର ଶିକାର ହେବ ନାହିଁ; ‘ଏମ୍‌.ଏସ୍‌.ପି.’ ପ୍ରଦାନ କରି ସରକାର କୃଷିଜ କିଣିଲେ ଚାଷୀ ସକାଶେ ଏକ ନିର୍ଦ୍ଦିଷ୍ଟ ଆୟର ଗ୍ୟାରେଣ୍ଟି ମଧ୍ୟ ରହିବ।
ତେବେ, ଏଭଳି ମତ ସହିତ ଅମଙ୍ଗ ହେଉଥିବା ପକ୍ଷ କହିଥାଆନ୍ତି ଯେ ପ୍ରକାରାନ୍ତରେ କିନ୍ତୁ ଏହା କୃଷକ ବିରୋଧୀ ହୋଇ ଉଠିବ, କାରଣ କୌଣସି କ୍ରେତା ମୂଲଚାଲ କରି ‘ଏମ୍‌.ଏସ୍‌.ପି.’ ଠାରୁ ସାମାନ୍ୟ ଊଣା ଦର ଦେଇ କୃଷିଜ କ୍ରୟ କରିବାରୁ କ୍ଷାନ୍ତ ରହିବେ; ଫଳରେ ଚାହିଦାରେ ନ ଥିବା କୃଷିଜ ସରକାରୀ ଗୋଦାମରେ ବା ବଳକା ଥିଲେ ଚାଷୀ ନିକଟରେ ପଡ଼ି ରହିବା ହିଁ ସାର ହେବ। ଏଭଳି ସ୍ଥଳେ କ୍ରମେ ଚାଷୀମାନେ କିଛି ନିର୍ଦ୍ଦିଷ୍ଟ କିସମର ଚାଷ ପ୍ରତି ବିମୁଖ ହେବେ, ଭାରତୀୟ କୃଷିଜ ‘ବାସ୍କେଟ’ ବା ଡାଲା ଅଗତ୍ୟା ବିବିଧତାଶୂନ୍ୟ ହେବାକୁ ବସିବ। ସେମାନଙ୍କ ମତରେ ସଂପ୍ରତି କେବଳ ଧାନ ଓ ଗହମ ଭଳି ମୁଷ୍ଟିମେୟ କେତେକ କୃଷିଜର ବିକ୍ରି ‘ଏମ୍‌.ଏସ୍‌.ପି.’ ଆଧାରରେ ହେଉଛି; ଅନ୍ୟାନ୍ୟ ଅନେକ କୃଷିଜରେ, ‘ଏମ୍‌.ଏସ୍‌.ପି.’ ବ୍ୟବସ୍ଥା ଥିବା ସତ୍ତ୍ବେ, ଚାଷୀ ବଜାର ବା ‘ମାର୍କେଟ୍‌’ ଦ୍ବାରା ସ୍ଥିରୀକୃତ ମୂଲ୍ୟ ଦ୍ବାରା ଅଧିକ ଲାଭ କରିବାର ସୁଯୋଗ ପାଉଛି। ଏହି ମତ ପୋଷଣ କରୁଥିବା ବିଶେଷଜ୍ଞଙ୍କ ମତରେ ‘ଏମ୍‌.ଏସ୍‌.ପି.’ ତାଲିକାଭୁକ୍ତ ଫସଲଗୁଡ଼ିକର ବ୍ୟବସାୟ ପରିମାଣ ହେଉଛି ମାତ୍ର ୨୮% ଏବଂ ଚାଷ କାରବାରରେ ଅବଶିଷ୍ଟ ୭୨% ସ୍ଥାନ ଅଧିକାର କରିଥିବା କୁକୁଡ଼ା ଚାଷ ବା‌ ମତ୍ସ୍ୟ ଚାଷ ବା ଦୁଗ୍‌ଧ ଅମଳ କୌଣସି ‘ଏମ୍‌.ଏସ୍‌.ପି.’ ଉପରେ ଅବଲମ୍ବନ ନ କରି ହାରାହାରି ୭% ହାରରେ ଅଭିବୃଦ୍ଧି ହାସଲ କରି ଚାଲିଛନ୍ତି। ସେମାନଙ୍କ ମତରେ ‘ଏମ୍‌.ଏସ୍‌.ପି.’ ହେଉଛି ଚାଷୀ ପାଉଥିବା ‘ସର୍ବନିମ୍ନ ମୂଲ୍ୟ’; ଏବଂ କୌଣସି କୃଷିଜର ‘ସର୍ବୋଚ୍ଚ ମୂଲ୍ୟ’ କେବଳ ବଜାର ହିଁ ସ୍ଥିର କରିଥାଏ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ସଂପ୍ରତି କୃଷି ସର୍ବାଧିକ ଦୁଃସାହସ ଲୋଡୁଥିବା ଏକ ବୃତ୍ତିରେ ପରିଣତ ହୋଇଛି, ଯହିଁରେ ଆୟର ଆକଳନ ସଂପୂର୍ଣ୍ଣ ଅନିଶ୍ଚିତ। ଦ୍ବିତୀୟ ବିଷୟ ହେଲା ଭାରତୀୟ କୃଷକମାନଙ୍କୁ ଯଦି ‘ମୌସୁମୀ’ ଓ ‘ମାର୍କେଟ୍‌’ ଭଳି ଦୁଇଟି ସଂପୂର୍ଣ୍ଣ ବିଶ୍ବାସ-ଅଯୋଗ୍ୟ ଅବଲମ୍ବନ ଉପରେ ଭରା ଦେଇ ଦଣ୍ଡାୟମାନ ରହିବାକୁ ଛାଡ଼ି ଦିଆଯାଏ, ତେବେ ସେମାନଙ୍କ ସ୍ଥିତି ଭୁଶୁଡ଼ି ପଡ଼ିବା ଅନିବାର୍ଯ୍ୟ। ତେଣୁ, ‘ଏମ୍‌.ଏସ୍‌.ପି.’କୁ ଏକ ତ୍ରାଣକର୍ତ୍ତା ରୂପେ ଦେଖାଯାଇପାରେ। କିନ୍ତୁ ଅ‌େନକଙ୍କ ମତରେ ‘ଏମ୍‌.ଏସ୍‌.ପି.’ ପରିବର୍ତ୍ତେ ‘ବଜାର ଦର ସ୍ଥିରୀକରଣ’କୁ ଅଧିକ ଗୁରୁତ୍ବ ପ୍ରଦାନ କରାଯିବା ଆବଶ୍ୟକ, ଯାହା ଦୁର୍ଭାଗ୍ୟଜନକ ଭାବେ ଏ ଯାବତ୍‌ ଖାଉଟି-କୈନ୍ଦ୍ରିକ ହୋଇ ରହିଛି। ଉଦାହରଣ ସ୍ବରୂପ ପିଆଜ ଦର କିଲୋଗ୍ରାମ ପ୍ରତି ୫୦ ଟଙ୍କା ହୋଇଗଲେ ସରକାର ଖାଉଟିଙ୍କ ଲାଗି ସବସିଡି ଦେଇ ଦରକୁ ୨୫ ଟଙ୍କାକୁ ହ୍ରାସ କରି ଦିଅନ୍ତି ସିନା, ଅମଳ କାଳରେ ପିଆଜ ଦର ଖସି କିଲୋ ପ୍ରତି ୫ ଟଙ୍କା ହୋଇଗଲେ ଚାଷୀମାନଙ୍କ ସକାଶେ କୌଣସି ସାନ୍ତ୍ବନା-ପ୍ରଦାୟୀ ପ୍ରାବଧାନ କରାଯାଇ ନ ଥାଏ; ବଜାର ଦରକୁ ସ୍ଥିର ରଖିବା ଉଦ୍ଦେଶ୍ୟରେ ଆମ ଦେଶରେ ୫୦୦୦ କୋଟି ଟଙ୍କାର ଏକ ପାଣ୍ଠି ଉପଲବ୍‌ଧ ଥିଲେ ସୁଦ୍ଧା ତହିଁରୁ ପିଆଜ ଲାଗି କିଲୋ ପ୍ରତି ଚାଷୀ ହରାଉଥିବା ୨୦ ଟଙ୍କା ତାକୁ ପ୍ରଦାନ କରାଯାଇ ନ ଥାଏ। ସୁତରାଂ, ‘ବଜାର ଦର ସ୍ଥିରୀକରଣ’ ନେଇ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରାଯିବା ‘ଏମ୍‌.ଏସ୍‌.ପି.’ ତୁଳନାରେ ଅଧିକ ଚାଷୀ ଅନୁକୂଳ ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଥାଏ। ସେହିଭଳି ବିହନ, ସାର, କୀଟନାଶକ ଓ ବିଜୁଳି ବାବଦ ବ୍ୟୟ ହ୍ରାସ କରିବା ଲାଗି ସରକାର ଚାଷୀଙ୍କ ହାତକୁ ଅର୍ଥ ପ୍ରଦାନ କରିବା ବା ପ୍ରକାରାନ୍ତରେ ‘ପୁଂଜି ନିବେଶ’ କରିବା ଚାଷୀଙ୍କ ସକାଶେ ଚାଷ ଜନିତ ବ୍ୟୟରେ ସଂକୋଚନ ଘଟାଇବ, ଯାହା ସେମାନଙ୍କୁ ‘ମାର୍କେଟ୍‌’ର ମର୍ଜିକୁ ସାମନା କରିବା ନେଇ ଦମ୍ଭ ପ୍ରଦାନ କରିବ ଏବଂ ସେହି ଭଳି କୃଷି ବୀମାର ଉପଯୁକ୍ତ ପରିଚାଳନା ଚାଷୀମାନଙ୍କୁ ‘ମୌସୁମୀ’ର ରସ ଭଙ୍ଗ କ୍ଷେତ୍ରରେ ମଧ୍ୟ ପରିସ୍ଥିତିର ସାମନା କରିବାକୁ ସାହାଯ୍ୟ କରିବ। ସୁତରାଂ, ସରକାରୀ ଅନୁଗ୍ରହରୁ ପ୍ରାପ୍ତ ‘ସର୍ବନିମ୍ନ ମୂଲ୍ୟ’ ଚାଷୀମାନଙ୍କ ଏକମାତ୍ର ଭାଗ୍ୟ ନିୟନ୍ତା ହେବା ଅନୁଚିତ।
ଏହି ଆନ୍ଦୋଳନ ମୁଖ୍ୟତଃ ପଞ୍ଜାବ ଓ ହରିଆଣାର ଚାଷୀମାନଙ୍କ ଦ୍ବାରା ସଂଘଟିତ ହେଉଥିବାରୁ ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଥିବା ଚାଷୀମାନେ ସମସ୍ୟାଜର୍ଜର ନୁହନ୍ତି ବୋଲି ଧାରଣା ସୃଷ୍ଟି ହେବା ସଂପୂର୍ଣ୍ଣ ବିଭ୍ରାନ୍ତିକର। ଏପରିକି କେବଳ ଭାରତୀୟ ଚାଷୀ ନୁହନ୍ତି, ୟୁରୋପର ବିଭିନ୍ନ ରାଷ୍ଟ୍ରରେ ଚାଷୀମାନେ ଆନ୍ଦୋଳନରେ ବ୍ୟାପୃତ। ପୋଲାଣ୍ଡର କୃଷକମାନଙ୍କ ଦ୍ବାରା ଆରମ୍ଭ ହୋଇଥିବା ତୀବ୍ର ବିକ୍ଷୋଭର ନିଆଁ ଜର୍ମାନି, ଫ୍ରାନ୍‌ସ, ପର୍ତ୍ତୁଗାଲ, ଇଟାଲି, ଗ୍ରୀସ‌, ବେଲଜିଅମ ଇତ୍ୟାଦି ଭଳି ଦେଶକୁ ବ୍ୟାପି ଯାଇ ପୋଡ଼ାଜଳା ଓ ହିଂସାର ସୂତ୍ରପାତ କଲାଣି। ଏହାର କାରଣ ମଧ୍ୟ ଭାରତୀୟ କୃଷକଙ୍କ କ୍ଷୋଭର କାରଣ ସହିତ ସମାନ। ତାହା ହେଲା ଜଳବାୟୁ ପରିବର୍ତ୍ତନଜନିତ ପ୍ରାକୃତିକ ବିପର୍ଯ୍ୟୟ ତଥା ସେମାନଙ୍କ ରାଷ୍ଟ୍ରର ସରକାରଗୁଡ଼ିକ ଦ୍ବାରା କୃଷକ ହିତକାରୀ ରିହାତିର ଅପସାରଣ ଦ୍ବାରା କୃଷିର ବ୍ୟୟରେ ବୃଦ୍ଧି, ଯାହା ସେମାନଙ୍କୁ ବଜାରରେ ଉପଲବ୍‌ଧ ବିଦେଶରୁ (ପ୍ରମୁଖ ଭାବେ ୟୁକ୍ରେନ୍‌) ଆମଦାନି କୃଷିଜର ଶସ୍ତା ଦର ପରାସ୍ତ କରିଛି। ସେଇ ପରିପ୍ରେକ୍ଷୀରେ ଏକ ନ୍ୟୁଜ ଚ୍ୟାନେଲରେ ଜଣେ ଉତ୍ତ୍ୟକ୍ତ ଚାଷୀ କହୁଥିବା ଶୁଣିବାକୁ ମିଳିଲା ଯେ ‘ଆମେ ଟ୍ରାକ୍‌ଟର ଏବଂ ଟ୍ରକ୍‌ ନେଇ ରାସ୍ତା ଅବରୋଧ କରିଦେବୁ। ଦରକାର ପଡ଼ିଲେ ପ୍ୟାରିସ୍‌ରେ ଧସେଇ ପଶିବୁ।’ ଏହି ସ୍ତମ୍ଭର ପାଠକପାଠିକାମାନେ ସେହି ବକ୍ତବ୍ୟରେ ପ୍ୟାରିସ ବଦଳରେ ସେ ସ୍ଥାନରେ ବ୍ରସେଲସ ବା ଲିସବନ ବା ରୋମ ବା ବର୍ଲିନ ବା ଦିଲ୍ଲୀକୁ ରଖି ପାରନ୍ତି; କାରଣ କ୍ଷୋଭର ମୂଳ କାରଣ ସେହି ଗୋଟିଏ। ମୂଳ କାରଣଟି ହେଲା କ୍ଷେତରେ ମାଟି ସହିତ ମାଟିରେ ପରିଣତ ହୋଇଥିବା ଚାଷୀମାନେ ସେମାନଙ୍କ ଦୁଃସ୍ଥିତି କାଳରେ ଆଉ ସୀମାନ୍ତରିତ ହୋଇ ନ ରହି ରାଜନୈତିକ ନାଭିକେନ୍ଦ୍ରରେ କଂପନ ସୃଷ୍ଟି କରିବାକୁ ଉଦ୍‌ଗ୍ରୀବ। ବିଭିନ୍ନ କାରଣରୁ ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ତୀବ୍ର ବିଶ୍ବାସହାନି ସୃଷ୍ଟି ହୋଇସାରିଛି, ଯାହାର ଉପଶମ କେବଳ ସରକାରଙ୍କ ପକ୍ଷରୁ ଧୈର୍ଯ୍ୟଶୀଳ ତଥା ସଂବେଦନାପୂର୍ଣ୍ଣ ବାର୍ତ୍ତାଳାପ ଦ୍ବାରା ସମ୍ଭବ। ଚାଷୀମାନଙ୍କ ସହିତ ସଂଘାତପୂର୍ଣ୍ଣ ମନୋଭାବ ଅଧିକ ଜଟିଳତାକୁ ଜନ୍ମ ଦେଇପାରେ। କାରଣ, ଭାରତୀୟ କୃଷି ଆନ୍ଦୋଳନର ନେତା ରମଣଦୀପ ସିଂହ ମାନ୍‌ କହିଥିବା ଶୁଣିବାକୁ ମିଳିଛି ଯେ ‘ଦିଲ୍ଲୀକୁ ଯିବା ଲାଗି ଆମ ପଥ ଅବରୋଧ କରାଗଲେ ଆମେ କ୍ଷେତରେ କ୍ଷେତରେ ଚାଲି ସେଠାରେ ପହଞ୍ଚିବୁ।’ ଏହା ମଧ୍ୟ ସମାଧାନର ପଥ ନୁହେଁ।

ସମ୍ବନ୍ଧିତ ଖବର