ସୁବର୍ଣ୍ଣ ମୋହ

ଊନବିଂଶ ଶତାବ୍ଦୀରେ ଆମେରିକାର ପଶ୍ଚିମ ତଟବର୍ତ୍ତୀ ବିସ୍ତୀର୍ଣ୍ଣ କାଲିଫର୍ନିଅାରେ ସୁବର୍ଣ୍ଣର ସନ୍ଧାନ ସେଠାକୁ ଯେଉଁ ଜନ ସ୍ରୋତ ଛୁଟାଇଥିଲା, ତାହା ‘ଗୋଲ୍‌ଡ ରସ୍‌’ ନାମରେ ପରିଚିତ। ଏଥିରେ ସନ୍ଦେହ ନାହିଁ ଯେ ସଫଳତା, ବିଫଳତା, ପ୍ରତିରଣା, ବୁଭୁକ୍ଷା, ହିଂସା, ହତାଶା ଇତ୍ୟାଦିର ସାକ୍ଷୀ ଏହି ‘ଗୋଲ୍‌ଡ ରସ୍‌’ ପ୍ରକାରାନ୍ତରେ ଆମେରିକାର ଇତିହାସ ବଦଳାଇବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ସୁବର୍ଣ୍ଣର ସେହି ଅତୁଲ୍ୟ ଆକର୍ଷଣ ଏବେ ସୁଦ୍ଧା ବଞ୍ଚି ରହିଛି, ଯାହା ଏହି ଧାତୁଟିକୁ ଅଧିକରୁ ଅଧିକ ଦୁର୍ମୂଲ୍ୟ କରିବାରେ ଲାଗିଛି।

ସଂପ୍ରତି ସୁନା ଦରରେ ଦେଖିବାକୁ ମିଳିଥିବା ତୀବ୍ର ଊର୍ଦ୍ଧ୍ବ ଗତି ପୃଥିବୀ ସାରା ଆଲୋଡ଼ନ ସୃଷ୍ଟି କରିଛି; ଭାରତରେ ଏବେ ୨୪ କାରାଟ ଖାଣ୍ଟି ସୁନାର ମୂଲ୍ୟ ହେଉଛି ପ୍ରତି ୧୦ ଗ୍ରାମ୍‌କୁ ୭୩ ହଜାର ଟଙ୍କା। ଗଲା ବର୍ଷକ ମଧ୍ୟରେ ଏହି ମହାର୍ଘ ଉଜ୍ଜ୍ବଳ ପୀତ ଧାତୁର ମୂଲ୍ୟ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି। ପ୍ରକାଶ ଥାଉ କି ହିନ୍ଦୁ ପୂଜା ବିଧି, କର୍ମକାଣ୍ଡ, ବିଶ୍ବାସ ଓ ସଂସ୍କୃତି ଇତ୍ୟାଦି ଦ୍ବାରା ପ୍ରଦତ୍ତ ପବିତ୍ରତା କାରଣରୁ ଭାରତୀୟ ସମାଜରେ ସୁବର୍ଣ୍ଣର ଭୂମିକା ‌େକବଳ ସୌନ୍ଦର୍ଯ୍ୟବୋଧ ବା ଆଳଙ୍କରିକତାରେ ସୀମତ ହୋଇ ନ ରହି ଧନୀ ଠାରୁ ଦରିଦ୍ରଙ୍କ ପର୍ଯ୍ୟନ୍ତ ସଭିଁଙ୍କ ଜୀବନରେ ଅନେକ ସମୟରେ ଅନିବାର୍ଯ୍ୟ ଆବଶ୍ୟକତାରେ ମଧ୍ୟ ପରିଣତ ହୋଇଥାଏ। ସୁତରାଂ, ଆମ ଦେଶ ସକାଶେ ଏହି ମୂଲ୍ୟ ବୃଦ୍ଧି ବିଶେଷ ଚିନ୍ତାର ବିଷୟ ମଧ୍ୟ ହୋଇଛି।
ଏଭଳି ତୀବ୍ର ଦର ବୃଦ୍ଧି ନେଇ କୁହାଯାଉଛି ଯେ ଚୀନ, ଭାରତ ଏବଂ ତୁର୍କୀ ଭଳି କେତେକ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟା‌ଙ୍କଗୁଡ଼ିକ କଳ୍ପନାତୀତ ଭାବେ ବିପୁଳ ପରିମାଣର ସୁବର୍ଣ୍ଣ କ୍ରୟ କରୁଥିବାରୁ ଚାହିଦା-ଯୋଗାଣ ଜନିତ ଅସନ୍ତୁଳନ ସୃଷ୍ଟି ହୋଇ ଏଭଳି ମୂଲ୍ୟ ବୃଦ୍ଧିକୁ ଜନ୍ମ ଦେଇଛି। ଏକ ରିପୋର୍ଟ ଅନୁସାରେ ୨୦୨୩ ମସିହାରେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ (‘ପି.ବି.ସି.’) କ୍ରୟ କରିଥିବା ସୁନାର ପରିମାଣ ହେଉଛି ୨୨୩ ମେଟ୍ରିକ ଟନ୍‌। ସେହିଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁନା କ୍ରୟ କରିବାରେ ବ୍ୟାପୃତ। ଗତ କେଇ ମାସରେ ଭାରତ କ୍ରୟ କରିଛି ୧୩ ମେଟ୍ରିକ ଟନ ଓଜନ ପରିମିତ ସୁନା। ଅନୁମାନ କରାଯାଇଥାଏ ଯେ ଏଭଳି ସୁନା ଖର୍ଦ୍ଦି ପଛରେ ନିହିତ କାରଣ ହେଉଛି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିକଟରେ ମହଜୁଦ ବିତ୍ତକୁ କେବଳ ଅର୍ଥ ଆକରରେ ନ ରଖି ସୁବର୍ଣ୍ଣ ଭଳି ସର୍ବତ୍ର ଲୋକପ୍ରିୟ ଏବଂ ପ୍ରଚଳିତ ମହାର୍ଘ ଧାତୁ ଆକାରରେ ଗଚ୍ଛିତ କରି ରଖିବାର ଉଦ୍ଦେଶ୍ୟ। ଏହା ସୁବିଦିତ ଯେ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଦୃଢ଼ ଆର୍ଥିକ ବାସନ୍ଦ ଦ୍ବାରା ଜର୍ଜର ରୁଷିଆ ଅଗତ୍ୟା ବିଦେଶୀ ବ୍ୟାଙ୍କରେ ଡଲାର ଆକାରରେ ଜମା ଥିବା ତା’ର ନିଜସ୍ବ ବିପୁଳ ଅର୍ଥରାଶି (ପ୍ରାୟ ୩୦୦ ବିଲିଅନ ଡଲାର) ଉପରୁ ମଧ୍ୟ ମାଲିକତ୍ବ ହରାଇ ବସିଛି। ସେହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ କହିଥାଆନ୍ତି ଯେ ସେଭଳି ଆଶଙ୍କାରୁ ମୁକ୍ତ ହେବା ଲାଗି ଚୀନ ନିଜ ସଂପଦର ବିବିଧୀକରଣ ଚାହିଁଥାଏ, ଯହିଁରେ ସୁବର୍ଣ୍ଣ କ୍ରୟରେ ଅର୍ଥ ନିବେଶ ଏକ ଉତ୍ତମ ବିକଳ୍ପ ରୂପେ ଉଭା ହୋଇଛି। କହିବା ବାହୁଲ୍ୟ, ଭାରତ ବା ତୁର୍କୀ ବା କାଜାକସ୍ଥାନ ଭଳି ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡଲାର ପରାଧୀନତାରୁ କେତେକାଂଶରେ ମୁକ୍ତ ହେବା ଲାଗି ତାହାକୁ ସୁବର୍ଣ୍ଣ କ୍ରୟରେ ନିୟୋଜିତ କରୁଛନ୍ତି। ପ୍ରକାଶ ଥାଉ କି ଭାରତ ହେଉଛି ପୃଥିବୀର ଦ୍ବିତୀୟ ସର୍ବାଧିକ ସୁନା ଆମଦାନି କରୁଥିବା ରାଷ୍ଟ୍ର, ଯାହା ୨୦୨୩ ମସିହାରେ ଆମଦାନି କରିଥିଲା ୭୫୦ ମେଟ୍ରିକ ଟନ ପରିମାଣର ସୁନା, ଅର୍ଥାତ୍‌ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ। କହିବା ବାହୁଲ୍ୟ, ଏହାର ଚାପ ରାଷ୍ଟ୍ରର ରାଜକୋଷ ଉପରେ କ୍ରମେ ଅସହନୀୟ ହୋଇ ଚାଲିଛି। କିନ୍ତୁ ବିଡ଼ମ୍ବନା ହେଲା, ସୁବର୍ଣ୍ଣର ଅଲଂଘ୍ୟ ଆକର୍ଷଣରୁ ମୁକ୍ତି କାହିଁ?
ସୁବର୍ଣ୍ଣ ପ୍ରତି ମାନବର ଦୁର୍ବାର ଆକର୍ଷଣ କିଭଳି ‘ଆଲକେମି’ ଭଳି ଶଠ ରସାୟନ ବିଦ୍ୟା (ଆଲକେମିଷ୍ଟମାନେ ଦସ୍ତାକୁ ସୁନାରେ ପରିଣତ କରିବାର ଦାବି କରୁଥିଲେ)ର ଉତ୍ପତ୍ତି ଠାରୁ ପ୍ରାରମ୍ଭ କରି ‘ଏଲ ଡରାଡୋ’ର ସୁବର୍ଣ୍ଣ ସ୍ବପ୍ନ ସଂଚାର କରିଥିଲା, ତାହା ଇତିହାସର ଅନେକ ଉତ୍କଣ୍ଠାପୂର୍ଣ୍ଣ ଅଧ୍ୟାୟର ବିଷୟବସ୍ତୁ। ଦକ୍ଷିଣ ଆମେରିକାର ନିଘଞ୍ଚ ବର୍ଷାବନର କୌଣସି ଏକ ଅଞ୍ଚଳରେ ସଂପୂର୍ଣ୍ଣ ସୁବର୍ଣ୍ଣ ନିର୍ମିତ ସହର ‘ଏଲ ଡରାଡୋ’ (ସ୍ବର୍ଣ୍ଣ ଲଙ୍କା ତୁଲ୍ୟ!) ଅବସ୍ଥିତ ବୋଲି ଗପ ବା ଗୁଜବ ଷୋଡ଼ଶ ଶତାବ୍ଦୀରୁ ପ୍ରାରମ୍ଭ ହୋଇ ଏଭଳି ପ୍ରବଳ ହୋଇ ଉଠିଥିଲା ଯେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରୁ ଶହ ଶହ ପୋତ ଆଟଲାଣ୍ଟିକ୍‌ ମହାସାଗରରେ ଦକ୍ଷିଣ ଆମେରିକା ଅଭିମୁଖେ ବିପଜ୍ଜନକ ଯାତ୍ରା ଆରମ୍ଭ କରି ଦେଇଥିଲେ, ଯାହା ଅବଲୀଳା କ୍ରମେ ଅସଫଳତାରେ ହିଁ ସମାପ୍ତ ହୋଇଥିଲା। ଏହି ସୂତ୍ରରେ ୧୫୪୧ ମସିହାରେ, ଦକ୍ଷିଣ ଆମେରିକାର ସ୍ପେନୀୟ ଉପନିବେଶରୁ, ଗନ୍‌କଜାଲ୍‌ଜୋ ପିଜାରୋ ଏବଂ ଫ୍ରେନ୍‌ସିସ୍‌କା ଡି ଓରେଆନା ପ୍ରାୟ ୩୦୦ ସ୍ପେନୀୟ ଏବଂ ୪୦୦୦ ଆଦିମ ଜନଜାତି ସଦସ୍ୟଙ୍କୁ ନେଇ ପ୍ରଥମ ‘ଏଲ୍‌ ଡରାଡୋ’ ଅଭିଯାନ ଆରମ୍ଭ କରିଥିଲେ। କହିବା ବାହୁଲ୍ୟ ଯେ ଅତ୍ୟନ୍ତ ଦୁର୍ଗମ ଯାତ୍ରା ପଥରେ ବ୍ୟାଧି, କ୍ଳାନ୍ତି ଏବଂ ଅନ୍ୟାନ୍ୟ ଜନଜାତିମାନଙ୍କ ସହିତ ସଂଘର୍ଷ କାରଣରୁ ବିପୁଳ କ୍ଷତି ସହିବା ପରେ ଅଭିଯାନ ମଝିରୁ ପିଜାରୋ ପ୍ରତ୍ୟାବର୍ତ୍ତନ କରିଥିଲେ ସିନା, ମୁଷ୍ଟିମେୟ ସାଥୀଙ୍କ ସହିତ ଏକ ନଦୀ ପଥରେ ନୌକା ଯାତ୍ରା କରି ଓରେଆନା ପରିଶେଷରେ ଆଟଲାଣ୍ଟିକ ମହାସାଗରରେ ବାହାରିଥିଲେ। ସେହି ନଦୀଟି ଥିଲା ସେ ପର୍ଯ୍ୟନ୍ତ ବାହାର ପୃଥିବୀ ଦ୍ବାରା ଅନାବିଷ୍କୃତ ବିଶାଳ ଆମାଜନ; ଯାହାର ନାମକରଣ ମଧ୍ୟ କରିଥିଲେ ଓରେଲାନା। ଏହି ଯାତ୍ରା କାଳରେ ଆମାଜନ କୂଳରେ ସୁବର୍ଣ୍ଣ ନଗରଟିଏ ଦେଖିଥିବାର ଦାବି କରିଥିଲେ ଓରେଆନା, ଯେଉଁଠାରେ ନୌକା ଲଗାଇବା ସେଠାକାର ଶତ୍ରୁଭାବାପନ୍ନ ଜନଜାତିଙ୍କ ଭୀଷଣ ଆକ୍ରମଣ କାରଣରୁ ସମ୍ଭବ ହୋଇ ନ ଥିଲା। ତେବେ ସ୍ପେନ ପ୍ରତ୍ୟାବର୍ତ୍ତନ ପରେ ‘ଏଲ ଡରାଡୋ’ ପ୍ରବେଶ କରିବାର ଦୃଢ଼ ପ୍ରତିଜ୍ଞା ସହିତ ଓରେଆନା ପୁନର୍ବାର ଯାତ୍ରା ଆରମ୍ଭ କରି ବିପୁଳ ଅର୍ଥ ବ୍ୟୟ ସହିତ ସଂପୂର୍ଣ୍ଣ ପ୍ରସ୍ତୁତି ସତ୍ତ୍ବେ ବିଫଳ ହୋଇଥିଲେ। ଏହା ପରେ ଅନେକ ‘ଏଲ ଡରାଡୋ’ ସ୍ବପ୍ନ ମାନ ଚୂର୍ଣ୍ଣ ହେବା ପରେ ଦୁଃସାହସୀ ଅଭିଯାତ୍ରୀ ଓରେଆନା ବିଶ୍ବାସଘାତକ, ମିଥ୍ୟାବଦୀ ଓ ଗୁଜବ ପ୍ରଚାରକାରୀର ଅପବାଦ ସହିତ ଇତିହାସରେ ବଞ୍ଚି ରହିଲେ। ପରିଶେଷରେ ‘ଏଲ ଡରାଡୋ’କୁ ଏକ ଉଦ୍ଭଟ ପରିକଳ୍ପନା ବୋଲି ସ୍ବୀକାର କରାଯାଇ ୧୭୮୪ ମସିହାରେ ବିଧିବଦ୍ଧ ରୂପେ ଅଭିଯାନଗୁଡ଼ିକର ଅନ୍ତ ଘଟାଗଲା। ଅବଶ୍ୟ, ଏହା ଏକ ଭିନ୍ନ ବିଷୟ ଯେ ୨୦୨୦ ମସିହାରେ ପୁନର୍ବାର ପ୍ରାରମ୍ଭ ହୋଇଥିବା ‘ଏଲ ଡରୋଡୋ’ର ସନ୍ଧାନ କ୍ରମରେ ଉପଗ୍ରହ ଚିତ୍ର ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ପ୍ରୟୋଗ କରାଯାଇ ପେରୁର ନିବିଡ଼ ବର୍ଷାବନରେ ସଂପୂର୍ଣ୍ଣ ଲୁକ୍କାୟିତ ଅବସ୍ଥାରେ ଥିବା ଏକ ପରିତ୍ୟକ୍ତ ନଗରର ସନ୍ଧାନ ମିଳିଛି, ଯାହା ଓରେଆନା ଦେଖି ‘ଏଲ ଡରାଡୋ’ ବୋଲି ବିଚାର କରିଥିବା ସମ୍ଭବ ବୋଲି କୁହାଯାଉଛି। ସୁତରାଂ, ଓରେଆନା ଅନ୍ତତଃ ମିଥ୍ୟାବାଦୀ ନ ଥିଲେ। ଊନବିଂଶ ଶତାବ୍ଦୀରେ ଆମେରିକାର ପଶ୍ଚିମ ତଟବର୍ତ୍ତୀ ବିସ୍ତୀର୍ଣ୍ଣ କାଲିଫର୍ନିଅାରେ ସୁବର୍ଣ୍ଣର ସନ୍ଧାନ ସେଠାକୁ ଯେଉଁ ଜନ ସ୍ରୋତ ଛୁଟାଇଥିଲା, ତାହା ‘ଗୋଲ୍‌ଡ ରସ୍‌’ ନାମରେ ପରିଚିତ। ଏଥିରେ ସନ୍ଦେହ ନାହିଁ ଯେ ସଫଳତା, ବିଫଳତା, ପ୍ରତିରଣା, ବୁଭୁକ୍ଷା, ହିଂସା, ହତାଶା ଇତ୍ୟାଦିର ସାକ୍ଷୀ ଏହି ‘ଗୋଲ୍‌ଡ ରସ୍‌’ ପ୍ରକାରାନ୍ତରେ ଆମେରିକାର ଇତିହାସ ବଦଳାଇବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ସୁବର୍ଣ୍ଣର ସେହି ଅତୁଲ୍ୟ ଆକର୍ଷଣ ଏବେ ସୁଦ୍ଧା ବଞ୍ଚି ରହିଛି, ଯାହା ଏହି ଧାତୁଟିକୁ ଅଧିକରୁ ଅଧିକ ଦୁର୍ମୂଲ୍ୟ କରିବାରେ ଲାଗିଛି।
ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆ ଏବଂ ରୁଷିଆ ହେଉଛନ୍ତି ସର୍ବାଧିକ ସୁବର୍ଣ୍ଣ ଖଣି ଧାରଣ କରିଥିବା ଦୁଇ ରାଷ୍ଟ୍ର। ଭୂତତ୍ତ୍ବବିତ୍‌ମାନଙ୍କ ଆକଳନ କହିଥାଏ ଯେ ପୃଥିବୀର ଖଣିରେ ଥିବା ସୁନା ୨୦୫୦ ମସିହା ସୁଦ୍ଧା ଶେଷ ହୋଇଯିବ ବା ଯଦି କିଛି ଉଦ୍‌ବୃତ୍ତ ରହେ ତାହାକୁ ଖନନ କରି ଉତ୍ତୋଳନ କରିବା ଅସମ୍ଭବ ହୋଇଯିବ। ସେମାନେ କହନ୍ତି ଯେ ତା’ ପରେ ହୁଏତ ଅଥଳ ସମୁଦ୍ର ତଳେ ଭୂ-ଖନନ କରି ବା ଅନ୍ୟ ଗ୍ରହରେ ଉପଲବ୍‌ଧ ସୁବର୍ଣ୍ଣ ଉତ୍ତୋଳନ କରିବା ଦିଗରେ ମାନବ ଜାତି ପକ୍ଷରୁ ସଘନ ପ୍ରୟାସ ଏବଂ ଅଭିଯାନ ଆରମ୍ଭ ହୋଇଯାଇପାରେ! ସୁତରାଂ, ଆଉ ମାତ୍ର ଦୁଇରୁ ତିନି ଦଶନ୍ଧି ପରେ ସୁବର୍ଣ୍ଣ ମୂଲ୍ୟ କିଭଳି ଭାବେ ବୃଦ୍ଧି ପାଇଥିବ ସେ ବିଷୟରେ ଏବେ ଠାରୁ ଅନୁମାନ ଲଗାଯାଇ ପାରିବ ନାହିଁ; କାରଣ ସୁବର୍ଣ୍ଣର ଐନ୍ଦ୍ରଜାଲିକ ଆକର୍ଷଣରୁ ମାନବ ଜାତି କଦାପି ମୁକ୍ତିି ପାଇପାରିବ ନାହିଁ। ଏବେ ସୁବର୍ଣ୍ଣର ଆକର୍ଷଣ ବିଷୟ ଲେଖାଯାଉଥିବା ବେଳେ ସେହି ଅଭୁଲା ପୁରୁଣା କବିତାର ଧାଡ଼ିଟିଏ ତୁହାକୁ ତୁହା କାନରେ ଶୁଭିଯାଉଛି, ଯାହା ଥିଲା ଏକ ଖେଦୋକ୍ତି: ‘ରୁପାରେ ଭରିଛି ନାବ, ସୁନା ରଖିବାକୁ ନାହିଁ ତ ଠାବ’: ରୁପା ବୋଝେଇ ବୋଇତରେ ସୁନା ପାଇଁ ସ୍ଥାନାଭାବ କାରଣରୁ ଦୀର୍ଘଶ୍ବାସ ସହିତ ଏହି ଧାଡ଼ିଟି ସେହି ଦିନ ମୁଖ ନିସୃତ ହୋଇଥିବ ଅବା!

ସମ୍ବନ୍ଧିତ ଖବର