ସମତଳ କ୍ରୀଡ଼ାଙ୍ଗନ!
ଏହା ଏକ ତିର୍ଯକ୍ ଉକ୍ତି ହୋଇଥିଲେ ହେଁ ଏଥିରେ ସାଂପ୍ରତିକ ରାଜନୀତିର ଜାନ୍ତବ ଚରିତ୍ରଟି ଦିଶିଥାଏ। ସେହି ଦୃଷ୍ଟିରୁ ନିର୍ବାଚନ ପୂର୍ବରୁ ‘ସମତଳ କ୍ରୀଡ଼ାଙ୍ଗନ’ ଦାବି କରୁଥିବା ଦଳମାନେ ଜାଣି ରଖିବା ଉଚିତ ଯେ ତୀବ୍ର ରାଜନୈତିକ ଧ୍ରୁବୀକରଣ ପରିପ୍ରେକ୍ଷୀରେ କ୍ଷମତାସୀନଙ୍କ ପ୍ରତିଶୋଧପରାୟଣତା ହିଁ ରାଜନୀତିର କ୍ଷେତ୍ରକୁ ଏକ ‘ସମତଳ କ୍ରୀଡ଼ାଙ୍ଗନ’ରେ ପରିଣତ କରିବ! ସେହି ଦୃଷ୍ଟିରୁ ବିଜେପି ବା ଆପ୍ ମଧ୍ୟରେ ବିଶେଷ ପ୍ରଭେଦ ରହିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଗଲା ଗୁରୁବାର ଦିନ ସଂଧ୍ୟା ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ବା ‘ଇ.ଡି.’ ପକ୍ଷରୁ ଗିରଫ କରାଯିବା ଭଳି ଘଟଣା ସ୍ବାଭାବିକ ଭାବେ ତୁମୂଳ ବିବାଦର ଝଡ଼ ସୃଷ୍ଟି କରିଛି। ଇତିମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ଲାଗି ତାରିଖମାନ ଘୋଷିତ ହୋଇଯାଇଥିବା ଦୃଷ୍ଟିରୁ ଏହି ଗିରଫଦାରିକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କେତେକ ପ୍ରଶ୍ନ ଉତ୍ଥାପନ କରାଯିବାରେ ଲାଗିଛି; ଯେମିତି କି ନିର୍ବାଚନ ତାରିଖର ଘୋଷଣା ପରେ ଗୋଟିଏ ସରକାରୀ ଏଜେନ୍ସି ଦ୍ବାରା ଏଭଳି ଏକ କାର୍ଯ୍ୟାନୁଷ୍ଠାନ ‘ଆଦର୍ଶ ଆଚରଣ ସଂହିତା’ର ଉଲ୍ଲଂଘନ ନୁହେଁ କି? ବା ‘ଇ.ଡି.’କୁ ଏକ ଆୟୁଧରେ ପରିଣତ କରି ସାରିଥିବା ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଠିକ୍ ନିର୍ବାଚନ ପୂର୍ବରୁ ତାକୁ କେଜ୍ରିୱାଲଙ୍କ ବିରୋଧରେ ପ୍ରୟୋଗ କରି ଅଗତ୍ୟା ନିର୍ବାଚନ କମିସନଙ୍କ ‘ସମତଳ କ୍ରୀଡ଼ାଙ୍ଗନ’ର ପ୍ରତିଶ୍ରୁତିକୁ ପ୍ରହସନରେ ପରିଣତ କରିଦେଇ ନାହିଁ କି? ବା ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କରି ରଖିବା ସାଂବିଧାନିକ ଔଚିତ୍ୟର ପରିପନ୍ଥୀ ନୁହେଁ କି? କହିବା ବାହୁଲ୍ୟ ଏହି ସମସ୍ତ ପ୍ରଶ୍ନର ଉତ୍ତର ଭାବେ କେଜ୍ରିୱାଲଙ୍କ ସମର୍ଥକ ଏବଂ ବିପକ୍ଷବାଦୀଙ୍କ ପକ୍ଷରୁ ପରସ୍ପର ବିରୋଧୀ ଅଥଚ ସମାନ ଭାବେ ବଳିଷ୍ଠ ଯୁକ୍ତିମାନ ଶ୍ରୁତିଗୋଚର ହୋଇଥାଏ। ଏଭଳି ଏକ ତର୍କ-ମୁଖର କ୍ଷଣରେ ଏକ ସରଳ ଉପସଂହାର ସକାଶେ ଏକ କ୍ଷୁଦ୍ର ପ୍ରୟାସ ଆବଶ୍ୟକ ଭଳି ମନେ ହୋଇଥାଏ।
ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଉଚ୍ଚ ପଦର ସରକାରୀ ଚାକିରି ପରିତ୍ୟାଗ କରି ସମାଜ ସେବା କ୍ଷେତ୍ରରେ ପ୍ରବେଶ କରିବା ଏବଂ ସେହି କ୍ରମରେ ୨୦୧୨ ମସିହାରେ ‘ଇଣ୍ଡିଆ ଏଗେନ୍ଷ୍ଟ କରପସନ’ (ଦୁର୍ନୀତି ବିରୋଧରେ ଭାରତ) ଭଳି ଏକ ଭୂଚଳନକାରୀ ଆନ୍ଦୋଳନର ସୂତ୍ରପାତ ଘଟାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ଭଳି ଘଟଣା ସୂଚାଇ ଥାଏ ଯେ କେଜ୍ରିୱାଲଙ୍କ ଡି.ଏନ୍.ଏ.’ରେ ବ୍ୟବସ୍ଥା ବା ‘ଏଷ୍ଟାବ୍ଲିସମେଣ୍ଟ’ ବିରୋଧରେ ଏକ ‘ଦ୍ରୋହ’ ଭାବ ବିଦ୍ୟମାନ ଥିବ, ଯାହା ତାଙ୍କୁ ସ୍ବଭାବଗତ ଭାବେ ଜଣେ ‘ଅମାନିଆ ଅବୋଲକରା’ରେ ପରିଣତ କରିଥିବ। କିନ୍ତୁ, ପ୍ରଶ୍ନ ହେଲା, ତା’ ବୋଲି ଏକ ଦଶନ୍ଧିରୁ ଅଧିକ କାଳ ଧରି ମୁଖ୍ୟମନ୍ତ୍ରୀ ପଦାସୀନ ହୋଇସାରିଥିବା ସତ୍ତ୍ବେ ଏକ ସରକାରୀ ଅନୁସନ୍ଧାନ ଏଜେନ୍ସି ଦ୍ବାରା ଜାରି ସମନକୁ ଆଠ ଥର ଅମାନ୍ୟ କରିବା କ’ଣ କ୍ଷମଣୀୟ? ଏହା ତାଙ୍କର ଅର୍ବାଚୀନସୁଲଭ ମୂଢ଼ତା ଏବଂ ଧୃଷ୍ଟତାର ପରିଚାୟକ ନୁହେଁ କି? କହିବା ବାହୁଲ୍ୟ, ଏହି କାରଣରୁ ହିଁ ତାଙ୍କୁ ଏଭଳି ଭାବେ ଗିରଫଦାରିର ସମ୍ମୁଖୀନ ହେବାକୁ ପଡ଼ିଛି। ସେହି ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ପରିପକ୍ବତାର ପରିଚୟ ଦେଇ ଅନୁସନ୍ଧାନକାରୀ ଏଜେନ୍ସିକୁ ସହଯୋଗ କରିବା ତାଙ୍କ ସକାଶେ ସମୀଚୀନ ହୋଇଥାଆନ୍ତା। ସେମାନଙ୍କ ପ୍ରଶ୍ନ ହେଲା, ବ୍ୟବସ୍ଥା ଦ୍ବାରା ଅର୍ପଣ କରାଯାଇଥିବା କ୍ଷମତା ଓ ପ୍ରତିପତ୍ତିର ମଧୁ ପାନ କରୁଥିବା କେଜ୍ରିୱାଲ ରାଜନୈତିକ କ୍ୟାରିଅର ସହିତ ଯୋଡ଼ି ହୋଇ ରହିଥିବା ସମ୍ଭାବ୍ୟ ‘ବିପଦ’ମାନର ସମ୍ମୁଖୀନ ହେବାକୁ କୁଣ୍ଠିତ ହେବା ହାସ୍ୟାସ୍ପଦ ନୁହେଁ କି? ‘ଇ.ଡି’.କୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ତାଙ୍କ ବିରୋଧରେ ଅଯୌକ୍ତିକ ଏବଂ ଅଭିସନ୍ଧିମୂଳକ ଭାବେ ବ୍ୟବହାର କରୁଛି ବୋଲି ହେଉଥିବା ଅଭିଯୋଗ ପରିପ୍ରେକ୍ଷୀରେ ମନ୍ତବ୍ୟ ଦେଇ ପୂର୍ବତନ ସୋଲିସିଟର ଜେନେରାଲ ସନ୍ତୋଷ ହେଗ୍ଡେ ଯାହା କହିବା ଶୁଣାଯାଇଛି, ତାହାର ମର୍ମ ହେଲା: ଏଥିରେ ଅସ୍ବାଭାବିକତା କାହିଁ? ଅରବିନ୍ଦ କେଜ୍ରିୱାଲ ଯଦି କେବେ ସେ ଭଳି କ୍ଷମତାପ୍ରାପ୍ତ ହୁଅନ୍ତି, ସେ ମଧ୍ୟ ବିଜେପି ବିରୋଧରେ ସମତୁଲ ଆଚରଣ ପ୍ରଦର୍ଶନ କରିବେ!’ ଏହାର ଅର୍ଥ ସାଂପ୍ରତିକ ତୀବ୍ର ଧ୍ରୁବୀକୃତ ରାଜନୀତିରେ ଏହା ହିଁ ସ୍ବାଭାବିକ ଏବଂ ଅରବିନ୍ଦ କେଜ୍ରିୱାଲ ଆଉ ନୀତିବାଦୀ ହୋଇ ରହି ନାହାନ୍ତି, ଇତିମଧ୍ୟରେ ସେ ଜଣେ ଖାଣ୍ଟି ରାଜନେତାରେ ପରିଣତ ହୋଇ ସାରିଲେଣି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜିକୁ ଏକ ଦଶକ ତଳେ ସନ୍ତୋଷ ହେଗ୍ଡେ ମଧ୍ୟ ‘ଇଣ୍ଡିଆ ଏଗେନ୍ଷ୍ଟ କରପସନ୍’ ଆନ୍ଦୋଳନର ପୁରୋଭାଗରେ ଥିଲେ।
ପ୍ରକାଶ ଥାଉ କି ୨୦୧୨ ମସିହାରେ ଆନ୍ନା ହଜାରେ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଜନ ଆନ୍ଦୋଳନ (‘ଇଣ୍ଡିଆ ଏଗେନ୍ଷ୍ଟ କରପସନ୍’) ତା’ର ତୀବ୍ରତା ସ୍ପର୍ଶ କରିଥିବା ବେଳେ ଏକ ମୃଦୁ ଗୁଂଜରଣ ମଧ୍ୟ ଶୁଣିବାକୁ ମିଳିଥିଲା ଯେ ରାଜନୀତିରୁ ବାହାରେ ରହି ଏଭଳି ତମ୍ବିତୋଫାନ କରିବା ସହଜ। ଏବଂ ଆନ୍ଦୋଳନକାରୀ ନେତାମାନେ ରାଜନୈତିକ କ୍ଷେତ୍ରକୁ ପ୍ରବେଶ କରି ତାହା ସମ୍ଭବ କରି ଦେଖାଇ ଦେଉ ନାହାନ୍ତି କାହିଁକି? ସମ୍ଭବତଃ ଏଭଳି ଗୁଂଜରଣ କେଜ୍ରିୱାଲଙ୍କ କର୍ଣ୍ଣ କୁହରରେ ପଶି ତାଙ୍କୁ ଅସ୍ଥିର କରି ପକାଇଥିବ, ଯାହାକୁ ଏକ ଚ୍ୟାଲେଂଜ ଭାବେ ଗ୍ରହଣ କରି ଅରବିନ୍ଦ କେଜ୍ରିୱାଲ ଏକ ଦଳ ଗଢ଼ି ତାଙ୍କ ରାଜନୈତିକ ଜୀବନର ସୂତ୍ରପାତ ଘଟାଇଥିଲେ। ଏହି କ୍ରମରେ ତାଙ୍କ ସତୀର୍ଥ ତଥା ପଥପ୍ରଦର୍ଶକ ଆନ୍ନା ହଜାରେ କ୍ଷମତା ରାଜନୀତିର କୃଷ୍ଣଗର୍ତ୍ତର ଅପରିମେୟ କ୍ଷୁଧା ସଂପର୍କରେ ସଚେତନ ଥିବାରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଛାଡ଼ି ମହାରାଷ୍ଟ୍ରର ଏକ ନିଭୃତ କୋଣରେ ଥିବା ତାଙ୍କ କର୍ମକ୍ଷେତ୍ରକୁ ଅପସରି ଯାଇଥିଲେ ସିନା; ଅରବିନ୍ଦଙ୍କ ପଦାର୍ପଣ ସହିତ ଭାରତୀୟ ରାଜନୀତିର ଚରିତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆସିବାର ଆଶା ନେଇ ଅନେକ ଆଦର୍ଶବାଦୀ, ବିଚକ୍ଷଣ ବ୍ୟକ୍ତିତ୍ବ ତାଙ୍କ ସହିତ ସଂଶ୍ଳିଷ୍ଟ ମଧ୍ୟ ହୋଇଥିଲେ! କିନ୍ତୁ ସମସ୍ତ ଆଶାକୁ ଧୂଳିସାତ୍ କରି କ୍ରମେ କେଜ୍ରିୱାଲଙ୍କ ‘ଆମ୍ ଆଦ୍ମୀ ପାର୍ଟି’ ଏକ ଇତର ରାଜନୈତିକ ଦଳ ଭଳି ଦିଶିବାକୁ ଲାଗିଥିଲା, ଯାହାକୁ ଯୋଗେନ୍ଦ୍ର ଯାଦବ ବା ପ୍ରଶାନ୍ତ ଭୂଷଣ ବା କୁମାର ବିଶ୍ବସ ଇତ୍ୟାଦିଙ୍କ ଭଳି ଆଶାବାଦୀ, ଆଦର୍ଶବାଦୀ ଓ ସକ୍ରିୟ ଜନ ବିଦ୍ବାନମାନେ କ୍ରମେ ପରିତ୍ୟାଗ କରିଥିଲେ ବା ଦଳ ଦ୍ବାରା ପରିତ୍ୟକ୍ତ ହୋଇଥିଲେ। ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ସର୍ବାଧିକ ବିଡ଼ମ୍ବନା ହେଲା, କ୍ରମେ ‘ଆମ୍ ଆଦ୍ମୀ ପାର୍ଟି’ ଏକ ରାଜନୈତିକ ମତାଦର୍ଶବିହୀନ ଦଳରେ ପରିଣତ ହେଲାଣି; ଯାହା ରାଜନୈତିକ ସୁବିଧାବାଦ ସୂତ୍ରରେ କେତେବେଳେ ନିଜକୁ ‘ବାମ ପନ୍ଥୀ’ ତ କେତେବେଳେ ‘ଦକ୍ଷିଣ ପନ୍ଥୀ’ ତ କେତେବେଳେ ‘ମଧ୍ୟମ ପନ୍ଥୀ’ ରୂପେ ପ୍ରଦର୍ଶିତ କରି ଚାଲିଛି। ଏ ମର୍ମରେ ଗୋଟିଏ ଉଦାହରଣ ଯଥେଷ୍ଟ। ଅନେକ ପାଠକପାଠିକାଙ୍କ ସ୍ମରଣରେ ଥିବ ଯେ ଧର୍ମୀୟ ରାଜନୀତିର ପ୍ରତିଯୋଗିତାରେ ବିଜେପିକୁ ଅତିକ୍ରମ କରିବା ଲାଗି ଅରବିନ୍ଦ କେଜ୍ରିୱାଲଙ୍କ ଏକ ଉଦ୍ଭଟ ପ୍ରସ୍ତାବ ଥିଲା ଯେ ଭାରତୀୟ ଟଙ୍କାରେ ଲକ୍ଷ୍ମୀ ଠାକୁରାଣୀଙ୍କ ଚିତ୍ର ସ୍ଥାନିତ ହେଉ। କେତେକ ପର୍ଯ୍ୟବେକ୍ଷକଙ୍କ ମତରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେଇ ଏକ ସାଂବିଧାନିକ ସଂକଟ ସୃଷ୍ଟି କରିବା ମଧ୍ୟ କେଜ୍ରିୱାଲ ସୁଲଭ ଅବାଂଛିତ ଜିଦ୍ଦିର ପ୍ରମାଣ। ନିକଟରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନ ଗିରଫ ହେବା ପୂର୍ବରୁ ଇସ୍ତଫା ଦେଇ ରାଜ୍ୟ ଶାସନକୁ ଗତିଶୀଳ କରି ରଖିବା ଲାଗି ବିକଳ୍ପ ବ୍ୟବସ୍ଥା କରିଥିଲେ। ଅରବିନ୍ଦ କେଜ୍ରିୱାଲ ସମ୍ଭବତଃ ସେଭଳି ଚାହିଁ ନ ଥାଆନ୍ତି। ସୁତରାଂ, ଅନେକଙ୍କ ଚକ୍ଷୁରେ ସେ ଜଣେ ବିଭ୍ରାଟ ସୃଷ୍ଟିକାରୀ ମୁଖ୍ୟମନ୍ତ୍ରୀ, ଯିଏ ନିଜ ଜିଦ୍ଦି ଲାଗି ଶାସନ ବ୍ୟବସ୍ଥାକୁ ସ୍ଥାଣୁ କରି ଦେବାକୁ ପଛାନ୍ତି ନାହିଁ।
ପ୍ରକାଶ ଥାଉ କି ଏହି ଘଟଣା ପରିପ୍ରେକ୍ଷୀରେ ମନ୍ତବ୍ୟ ଦେଇ ସନ୍ତୋଷ ହେଗ୍ଡେ ଆଉ ଯାହା କହିଛନ୍ତି ତାହା ଏକ ବ୍ୟଙ୍ଗୋକ୍ତି, ଯାହା କହିଥାଏ ଯେ ବର୍ତ୍ତମାନର ସରକାର କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ ବିରୋଧୀ ପକ୍ଷଙ୍କୁ ନିଶାଣରେ ରଖି ଅନ୍ତତଃ ପକ୍ଷେ ପଚାଶ ପ୍ରତିଶତ ଦୁର୍ନୀତି ଦୂର କରି ଦିଅନ୍ତୁ। ଯଦି କେବେ ବିଜେପି କ୍ଷମତାରୁ ଅପସାରିତ ହୁଏ, ତେବେ ଏବର ବିରୋଧୀ ପକ୍ଷ ସେହି ‘କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଜରିଆରେ ଅବଶିଷ୍ଟ ପଚାଶ ପ୍ରତିଶତ ଦୁର୍ନୀତି ଦୂର କରିଦେବେ। ଏହା ଏକ ତିର୍ଯକ୍ ଉକ୍ତି ହୋଇଥିଲେ ହେଁ ଏଥିରେ ସାଂପ୍ରତିକ ରାଜନୀତିର ଜାନ୍ତବ ଚରିତ୍ରଟି ଦିଶିଥାଏ। ସେହି ଦୃଷ୍ଟିରୁ ନିର୍ବାଚନ ପୂର୍ବରୁ ‘ସମତଳ କ୍ରୀଡ଼ାଙ୍ଗନ’ ଦାବି କରୁଥିବା ଦଳମାନେ ଜାଣି ରଖିବା ଉଚିତ ଯେ ତୀବ୍ର ରାଜନୈତିକ ଧ୍ରୁବୀକରଣ ପରିପ୍ରେକ୍ଷୀରେ କ୍ଷମତାସୀନଙ୍କ ପ୍ରତିଶୋଧ ପରାୟଣତା ହିଁ ରାଜନୀତିର କ୍ଷେତ୍ରକୁ ଏକ ‘ସମତଳ କ୍ରୀଡ଼ାଙ୍ଗନ’ରେ ପରିଣତ କରିବ! ସେହି ଦୃଷ୍ଟିରୁ ବିଜେପି ବା ଆପ୍ ମଧ୍ୟରେ ବିଶେଷ ପ୍ରଭେଦ ରହିବ ନାହିଁ।