ନିର୍ବାଚନୀ ବଣ୍ଡ୍‌ ମାମଲା: ସୂଚନା ଅଧିକାରର ଆଲୋକ

ସତ୍ୟ ନାରାୟଣ ମିଶ୍ର

ନିର୍ବାଚନୀ ବଣ୍ଡ୍‌ ପରିପ୍ରେକ୍ଷୀରେ ସୁପ୍ରିମ୍ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ହେତୁ ଭାରତର ବୃହତ୍ତମ ସରକାରୀ ବ୍ୟାଙ୍କ୍ ‘ଦ ‌େଷ୍ଟଟ୍‌ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ ପ୍ରାଥମିକ ଟାଳଟୁଳ ପରେ ନିର୍ବାଚନୀ ବଣ୍ଡ୍ କ୍ରୟ କରିଥିବା ପ୍ରାୟ ୨୦,୦୦୦ ସରିକି ଗ୍ରାହକଙ୍କ ନାମ ପ୍ରଦାନ କରିଛି। ପ୍ରକାଶ ଥାଉ କି ଜନପ୍ରତିନିଧିତ୍ବ ଆଇନ (ଆର୍‌.ପି.ଓ.ପି.) ୧୯୫୧, ଆୟକର (ଆଇଟି) ଆଇନ ୧୯୬୧, ବିଦେଶୀ ଅଂଶଦାନ ବିନିମୟ (ଏଫ୍‌.ସି.ଆର୍‌.ଏ.) ଅଧିନିୟମ ୨୦୧୦ ଓ କଂପାନି ଅଧିନିୟମ ୨୦୧୩ ଆଦିରେ ସଂଶୋଧନ ଆଣି ସରକାର ୨୦୧୮ ମସିହାରେ ନିର୍ବାଚନୀ ବଣ୍ଡ୍‌ ଯୋଜନା ଆରମ୍ଭ କରିଥିଲେ, ଯେଉଁଥିରେ କର୍ପୋରେଟ୍‌ ସଂସ୍ଥାମାନଙ୍କୁ ସେମାନଙ୍କ ପସନ୍ଦର ରାଜନୈତିକ ଦଳକୁ ଅସୀମିତ ପରିମାଣର ଦାନ ଦେବା ବେଳେ ଅଜ୍ଞାତ ରହିବାକୁ ଅନୁମତି ମିଳିଥିଲା। ଯଦିଓ ସରକାର କହିଥିଲେ ଯେ ରାଜନୈତିକ ପାଣ୍ଠି ସଂଗ୍ରହ ବ୍ୟବସ୍ଥାକୁ ପରିଷ୍କାର କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି, ଅନେକଙ୍କ ମତରେ ଏହା ଥିଲା ଅସାଂବିଧାନିକ ଏବଂ ଗଣତନ୍ତ୍ର ତଥା ମୁକ୍ତ ନିର୍ବାଚନ ବ୍ୟବସ୍ଥାର ପରିପନ୍ଥୀ।
ଏହି ବଣ୍ଡ୍ ବିକ୍ରୟରେ ଏଭଳି ବ୍ୟବସ୍ଥା ହୋଇଥିଲା, ଯେମିତି ବଣ୍ଡ୍ କ୍ରେତା ଏବଂ ସେ କେଉଁ ଦଳକୁ ଚାନ୍ଦା ଦେଲେ ତାହା ସର୍ବଦା ଅଜ୍ଞାତ ରହିବ। କେବଳ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିକଟରେ ଏ ସଂପର୍କିତ ଏକ ଆଭାସମୂଳକ ବିବରଣୀ ରହିବ ମାତ୍ର। କିନ୍ତୁ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କହିଲେ ଯେ ନିର୍ବାଚନ ପ୍ରସଙ୍ଗରେ ପ୍ରାର୍ଥୀ ଏବଂ ଦଳ ବାବଦରେ ଜାଣିବା ହେଉଛି ନାଗରିକର ମୌଳିକ ଅଧିକାରର ଅଂଶ; ସୁତରାଂ, ଏଭଳି ଗୋପନୀୟତା ଦ୍ବାରା ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି। ସରକାରଙ୍କ ଏହି ଯୋଜନା ବିରୋଧରେ ଯୁକ୍ତି ରଖି ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ଏହି ଯୋଜନା ଦ୍ବାରା ଶାସନ କ୍ଷମତାରେ ରହିଥିବା ଦଳକୁ ଅଧିକ ପାଣ୍ଠି ମିଳିବ, କାରଣ ଏହା ବଦଳରେ କର୍ପୋରେଟ୍‌ ମା‌ଲିକମାନେ ଅଧିକ ଅନୁଗ୍ରହ ପାଇବାର ଆଶା ରଖିବେ। ଦାତାମାନେ ଅଜ୍ଞାତ ରହିବାର ସୁବିଧା ସେମାନଙ୍କ ଲାଗି ସୁରକ୍ଷା କବଚ ପାଲଟିବ। ପ୍ରଶାନ୍ତ ଭୂଷଣ ଏହାକୁ ଗଣତନ୍ତ୍ରର ପରିପନ୍ଥୀ ବୋଲି କହିଥିଲେ, ଯାହାକୁ ସର୍ବୋଚ୍ଚ ଅଦାଲତଙ୍କ ପାଞ୍ଚଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଗ୍ରହଣ କରିଛନ୍ତି।
ଏଠାରେ ମୌଳିକ ପ୍ରଶ୍ନ ଉଠୁଛି କି ନାଗରିକର ସୂଚନା ଅଧିକାର ତା’ର ଅଭିବ୍ୟକ୍ତିର ଅଧିକାରର ଏକ ଅଂଶ କି ନୁହେଁ? ଏହି ଦୃଷ୍ଟିରୁ ଧାରା ୧୯(୧)(କ)ର ବିଭିନ୍ନ ଅଦାଲତୀ ବ୍ୟାଖ୍ୟା ଏହି ପ୍ରସଙ୍ଗକୁ ପ୍ରସାରିତ କରିଛି। ଏସ୍‌ପି ଗୁପ୍ତା ବନାମ ଭାରତ ସରକାର (୧୯୮୧) ମାମଲାରେ ପ୍ରଧାନ ବିଚରପତି ଭଗବତୀ ଲେଖିଥିଲେ ଯେ ଜାଣିବାର ଅଧିକାର ଅଭିବ୍ୟକ୍ତିର ସ୍ବାଧୀନତା ଅଧିକାରରେ ନିହିତ ରହିଛି। କିଛି ଅତ୍ୟନ୍ତ ଆବଶ୍ୟକ ରାଷ୍ଟ୍ର ସ୍ବାର୍ଥ ସଂପର୍କିତ ଗୋପନୀୟତାକୁ ଛାଡ଼ିଦେଲେ ସରକାରଙ୍କ କାର୍ଯ୍ୟକଳାପ ବାବଦରେ ସମସ୍ତ ସୂଚନା ଲାଭ କରିବା ନାଗରିକଙ୍କ ଏକ ମୌଳିକ ଅଧିକାର। ନିର୍ବାଚନ ପ୍ରସଙ୍ଗରେ ସବୁଠାରୁ ସ୍ପଷ୍ଟ ନିଷ୍ପତ୍ତି ‘ଏ.ଡି.ଆର୍‌.’ ବନାମ ଭାରତ ସରକାର (୨୦୦୨) ମାମଲାରେ ଦିଆଯାଇଥିଲା, ଯେଉଁଥିରେ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଆର୍ଥିକ ଏବଂ ଆପରାଧିକ ପୃଷ୍ଠଭୂମି ସମ୍ବନ୍ଧରେ ପ୍ରକାଶ କରିବା ବାଧ୍ୟତାମୂଳକ କରାଯାଇଥିଲା। ସେହିପରି ପିୟୁସିଓଲ୍‌ ବନାମ ଭାରତ ସରକାର (୨୦୦୩) ମାମଲାରେ ଅଦାଲତଙ୍କ ରାୟ ହେଲା, ସୂଚନା ଲାଭ କରିବାର ଅଧିକାରକୁ ସୁଗମ କରିବାକୁ ସରକାର ସବୁ ମତେ ବ୍ୟବସ୍ଥା କରିବେ।
କହିବା ବାହୁଲ୍ୟ ଯେ ନିର୍ବାଚନୀ ବଣ୍ଡ୍ କାରବାରର ଗୋପନୀୟତା ଅସାଂବିଧାନିକ ବୋଲି ଅଦାଲତଙ୍କ ଦ୍ବାରା ଅଭିହିତ ହେବା ପଛରେ ନାଗରିକଙ୍କ ସୂଚନା ଅଧିକାର ଆଇନ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲା। ସୂଚନା ଅଧିକାର ଆଇନ ଯେ ଗାଣତନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା ଦିଗରେ ଯୁଗାନ୍ତକାରୀ ଥିଲା, ତାହା କହିବା ବାହୁଲ୍ୟ ମାତ୍ର। ଏବଂ ଅଦାଲତଙ୍କ ହସ୍ତକ୍ଷେପ ଏହାକୁ କ୍ଷୁଣ୍ଣ ହେବାକୁ ଦେଉନାହିଁ ବା ନିଷ୍ପ୍ରଭ ହେବାର ଚକ୍ରାନ୍ତରୁ ମୁକ୍ତ ରଖିବାରେ ସହାୟକ ହୋଇଛି।
[email protected]

ସମ୍ବନ୍ଧିତ ଖବର