ଦୁଇଟି ନାଆରେ ପାଦ

ଅମାତ୍ୟ କୁମାର ପ୍ରଧାନ

କିଛି ଦିନ ତଳେ ଜଣେ ବନ୍ଧୁ ଦେଖା ହେଲେ। ତାଙ୍କର ସମୟ କିଭଳି ଠିକ ଭାବେ ଯାଉନି, ସେ ବିଷୟରେ ସେ କହିଲେ। ସେ ଦିଶୁଥିଲେ ବିମର୍ଷ ଚିତ୍ତ। ଏମିତି ଚିନ୍ତାମାନ ତାଙ୍କୁ ମାଡ଼ି ବସିଥିଲା ଯେ ଭୋକ, ଶୋଷ ଓ ନିଦ ଯେମିତି ତାଙ୍କ ଜୀବନରୁ ଅପହୃତ ହୋଇଯାଇଥିଲା। ତାଙ୍କ ଚେହେର‌ାରେ ଚିନ୍ତାର ଚିହ୍ନ ଗାଢ଼ ହୋଇଯାଇଥିଲା। ତେବେ, ଅନେକ ପଚାରିବା ପରେ ଅତି କୁଣ୍ଠିତ ଭାବେ ସେ ତାଙ୍କ ଏତାଦୃଶ ଦଶାର କାରଣ ଜଣାଇଲେ। ଅତି ସନ୍ତର୍ପଣ ଓ ଅପ୍ରସ୍ତୁତ ଭାବେ ସେ କହିଲେ ଯେ ଇତି ମଧ୍ୟରେ ବିବାହ ବାହାରେ ତାଙ୍କର ଏକ ମଧୁର ସଂପର୍କ ଗଢ଼ି ଉଠିଛି! କଥାଟା ଯେତେ ଆଗକୁ ବଢୁଛି, ପରିଣାମ ନେଇ ଦୁଶ୍ଚିନ୍ତା ସେତେ ଉଦ୍‌ବିଗ୍ନ କରି ପକାଉଛି।
ଏହା ଶୁଣି ମୋ ପାଟିରୁ ତତ୍‌କ୍ଷଣାତ୍‌ ବାହାରିଗଲା- ହେ ପ୍ରଭୁ! ଦୁଇଟି ନାଆରେ ପାଦ ଦେଇ ଛିଡ଼ା ହୋଇଛ!
ମୁଁ ତାଙ୍କୁ ପଚାରିଲି- ଭାଇ ଏ ଦୁର୍ବୁଦ୍ଧି ଜାତ ହେଲା କେମିତି?
ସେ ନିରୁତ୍ତର ରହିଲେ।
କହନ୍ତି ଯେ ମଣିଷ ଭିତରେ ସୈତାନ ଓ ଭଗବାନ ଉଭୟେ ବିରାଜମାନ ଅଛନ୍ତି। ଆମମାନଙ୍କର ଦୈନନ୍ଦିନ ଜୀବନରେ ଏହାର ପ୍ରମାଣ ଆମେ ପାଇ ଚାଲିଥାଏ। ପିଲା ଦିନରୁ ଚିହ୍ନା ଦୋକାନୀ ଯେତେବେଳେ ମୁହଁରେ ହସ ଖେଳାଇ ଆମକୁ ଖରାପ ଜିନିଷଟିଏ ଦେଇ ଠକିଦିଏ ଆମେ ଜାଣିବା ଦରକାର ଯେ ସେତିକି ବେଳେ ସୈତାନ ତାକୁ ମାଡ଼ି ବସିଲା। ସେହି ଲୋକ ତ କିଛି ଦିନ ତଳେ ଉଦୁଉଦିଆ ଖରାରେ ଆମେ ଚାଲିଚାଲି ଆସୁଥିବା ବେଳେ ପଛରୁ ଆସି ‘ଭାଇ ଗାଡ଼ିରେ ବସ’ ବୋଲି କହି ତା’ ବାଇକ୍‌ରେ ଲିଫ୍‌ଟ ଦେଇଥିଲା! ସେତିକି ବେଳେ ତା’ ହୃଦୟରେ ଭଗବାନ ଥିଲେ।
କିନ୍ତୁ ବେଳେ ବେଳେ ଏହି ଦ୍ବୈତ ମନୁଷ୍ୟକୁ ଦ୍ବିଧା ବିଭକ୍ତ କରି ପକାଏ। ଗୋଟିଏ ଉଦାହରଣ ଦେଉଛି। ଜଣେ ବ୍ୟକ୍ତି ଦୁର୍ନୀତିଗ୍ରସ୍ତ ହେଲେ, ଅର୍ଥାତ୍‌ ସେ ସୈତାନର ଦାସ ହୋଇଗଲେ। କିନ୍ତୁ ଏଣେ ବାହାରେ ନିଜକୁ ଜଣେ ସଚ୍ଚୋଟ ବ୍ୟକ୍ତିର ପରିଚୟ ଦେବାକୁ ଚାହିଁଲେ (ପ୍ରାୟତଃ ସେମିତି ହୋଇଥାଏ)। ଏଭଳି ସ୍ଥଳେ ସେ କପଟାଚରଣ କରିବାକୁ ବାଧ୍ୟ ହେବେ। କେମିତି ତାଙ୍କର ଦୁର୍ନୀତି ଅର୍ଜିତ ସଂପତ୍ତିକୁ ଲୁଚାଇ ରଖିବେ, ସେ ନେଇ ସେ ନାନା ଉପାୟ କରିବେ। ସୁତରାଂ, ସେ ଆଉ ରାତିରେ ଶାନ୍ତିରେ ଶୋଇ ପାରିବେ ନାହିଁ।
ସତ କହିଲେ ଆମେ ସମସ୍ତେ ଊଣାଅଧିକେ ଏମିତି ଦୁଇ ନାଆରେ ଗୋଡ଼ ଦେଇ ଜୀବନ କାଟି ଦିଅନ୍ତି। ଦେବତା ଓ ସୈତାନଙ୍କ ଲୁଚକାଳି ଖେଳ ଭିତରେ ଆମ ଜୀବନ ବହି ଚାଲିଥାଏ। କିନ୍ତୁ ସେ ସବୁ ଏତେ ନିରୀହ କିସମର ଯେ ତାହା ଆମମାନଙ୍କୁ ବୁଡ଼ାଇ ଦେଇ ନ ଥାଏ। ଧରନ୍ତୁ ଏକ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିବାର କଥା ଦେଇ ଘରୁ ବାହାରି ନ ଥିବା ସତ୍ତ୍ବେ ଅପର ପଟରୁ ଫୋନ୍‌ ଆସିଲେ ‘ବାଟରେ ଅଛି ଓ ପାଞ୍ଚ ମିନିଟ୍‌ରେ ପହଞ୍ଚୁଛି’ ବୋଲି ଆପଣ କହି ପାରନ୍ତି। ଥରେ ଭାବନ୍ତୁ ତ ଏମିତି ସାମାନ୍ୟ ଓ ବେଳେ ବେଳେ ମଧୁର ମିଛମାନ ଆମେ ସମସ୍ତେ କେତେ କେତେ ନ କହୁ? ତା’ର ଅର୍ଥ ଭଗବାନ ଓ ସୈତାନଙ୍କ ମିଠା ଖଟା ସ୍ବାଦ ନେଇ ଜୀବନ ଗଡ଼ି ଚାଲେ। କିନ୍ତୁ ବେଳେ ବେଳେ ଏହି ମିଛ ଆଉ ନିରୀହ ହୋଇ ରହେନା। ତାହା ଏମିତି ଅତିକାୟ ହୋଇଯାଏ ଯେ ଜୀବନକୁ ବିଧ୍ବସ୍ତ କରି ପକାଇବା ଭଳି ସମସ୍ୟା ଜାତ ହୁଏ। ବନ୍ଧୁଙ୍କ ମିଛ ସେହି ସ୍ତରରେ ପହଞ୍ଚି ଯାଇଥିଲା।
ମୁଁ କହିଲି- ତୁମେ ଏଭଳି କାମ କଲ କାହିଁକି?
ବନ୍ଧୁ କହିଲେ- ନିଜକୁ ରୋକି ପାରିଲି ନାହିଁ। ସଂପର୍କ ବଢୁ ବଢୁ ବହୁତ ବଢ଼ିଗଲା।
ମୁଁ କହିଲି- ଦୁଇଟି ନାଆରେ ପାଦ ଦେଇଛ। ଦୁଇ ନାଆରେ ପାଦ ରଖିଥିବା ଲୋକେ ହିଁ ମଝି ଦରିଆରେ ବୁଡ଼ି ମରନ୍ତି। ତେଣୁ ଯାହା କରୁଛ ତାହା ଆତ୍ମଘାତୀ ହେବ। ତୁମେ ସେହି ସଂପର୍କରୁ ବାହାରି ଯାଅ, ନ ହେଲେ ପତ୍ନୀଙ୍କ ସାମନାରେ ସତ କଥା ସ୍ବୀକାର କରିଯାଅ ଏବଂ ପରିଣାମ ଯାହା ହେବ ତା’ର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୁଅ।
ବନ୍ଧୁ ମୋ କଥା ଯେମିତି ଶୁଣୁ ନ ଥିଲେ। ମୋ କଥା ନ ସରୁଣୁ ସେ କହିଲେ- ହଉ, ଚାଲିଲି।
ମୁଁ ନିଶ୍ଚିତ ଥିଲି ଯେ ସେ ଦୁଇ ନାଆରେ ପାଦ ଦେଇ ଯେ ପର୍ଯ୍ୟନ୍ତ ସମ୍ଭବ ଭାରସାମ୍ୟ ରଖିବାକୁ ଚେଷ୍ଟା କରିବେ। ସ୍ଥିତି ଅସମ୍ଭା‌ଳ ହେଲେ ଦେଖାଯିବ ଭଳି ଭାବନା ତାଙ୍କ ମନରେ ରହିଛି।
ମୁଁ କିନ୍ତୁ ଜଳ ଜଳ କରି ଦେଖି ପାରୁଥିଲି ତାଙ୍କର ନିସ୍ତାର ନାହିଁ।
ମୋ- ୯୪୩୭୨୧୯୬୧୩

ସମ୍ବନ୍ଧିତ ଖବର