କଦାକାର ପିଲା

କଥାଟିଏ - ଯାଯାବର

ଗୋଟିଏ ସ୍କୁଲରେ ପିଲାଟିଏ କାନ୍ଦୁଥିବାର ଶିକ୍ଷକ ଦେଖିଲେ। ସେ ପିଲାଟିକୁ ଅତି ଆଦରର ସହିତ ପାଖକୁ ଡାକି ପଚାରିଲେ, ‘କାନ୍ଦୁଛୁ କାହିଁକିରେ ପୁଅ?’ ପିଲାଟି କହିଲା, ‘ମୁଁ ମୋଟା ଓ ଦେଖିବାକୁ କଦାକାର। ତେଣୁ, ମୋ ସାଙ୍ଗମାନେ ମୋତେ ଚିଡ଼ାଉଛନ୍ତି।’ ଶିକ୍ଷକ କହିଲେ, ‘ଯେଉଁମାନେ ତୋତେ ଚିଡ଼ାଉଛନ୍ତି, ସେମାନେ ବହୁତ ସୁନ୍ଦର କି?’

ପିଲାଟି କିଛି କହିଲା ନାହିଁ।

ଶିକ୍ଷକ କହିଲେ- ସେମାନେ ସମସ୍ତେ ସାଧାରଣ। କିନ୍ତୁ ତୁମେ ଅସାଧାରଣ। ଏବେ ଶୁଣ ଗୋଟିଏ କଥା।

ଡେନ୍‌ମାର୍କର କୋପେନହାଗାନ ସହରରେ ଆଜିକୁ ପ୍ରାୟ ୨୦୦ ବର୍ଷ ତଳେ ଜଣେ ପିଲା ଥିଲା। ତା’ର ଚେହେରା ଏତେ କଦାକାର ଥିଲା ଯେ ତା’କୁ କେହି ପାଖରେ ପୂରାଉ ନ ଥିଲେ। ସେ ପୁଣି ଜନ୍ମ ହୋଇଥିଲା ଅତି ଦରିଦ୍ର ପରିବାରରେ। ସେ କିନ୍ତୁ ବୁଝିଲା ଯେ ତା’ର ଚେହେରା ଯେମିତି ସାଧାରଣ ନୁହେଁ, ସେମିତି ତା’ର ମନ ବି ସାଧାରଣ ନୁହେଁ। ସେ ଅସାଧାରଣ। ନିଜକୁ ଅସାଧାରଣ ପ୍ରମାଣିତ କରିବାକୁ ଯାଇ ସେ ଆରମ୍ଭ କଲା ଗପ ଲେଖା। ଅତିି ସୁନ୍ଦର ପରୀ କାହାଣୀମାନ ସେ ଲେଖିବାକୁ ଲାଗିଲା। ସେ ଥିଲା ଅସ˚ଖ୍ୟ ଅଭୁଲା ପରୀ କାହାଣୀର ରଚୟିତା ହାନ୍‌ସ କ୍ରିଷ୍ଟିଆନ୍‌ ଆଣ୍ତରସନ୍‌। ତା’କୁ କଦାକାର କହି ପାଖରେ ପୂରାଉ ନ ଥିବା ଲୋକଙ୍କୁ ଆଜି କିଏ ମନେ ପକାଉଛି କହିଲୁ? କିନ୍ତୁ ହାନ୍‌ସ ଆଣ୍ତରସନ୍‌ ଆଜି ବି ଅମର। ଆଉ ସେ ଯେଉଁ ସୁନ୍ଦର ପରୀ କାହାଣୀସବୁ ଲେଖିଯାଇଛନ୍ତି, ତାହା ପଢ଼ି ପିଢ଼ି ପରେ ପିଢ଼ି ଶିଶୁମାନେ ଆନନ୍ଦିତ ଓ ରୋମା˚ଚିତ ହୋଇ ଚାଲିଛନ୍ତି।

ସମ୍ବନ୍ଧିତ ଖବର