ଇଗଲର ଉଡ଼ାଣ

କଥାଟିଏ - ଯାଯାବର

ଏକ ଅତି ଉଚ୍ଚ ପର୍ବତର ଖୋଲରେ ବାସ କରୁଥିଲା ଗୋଟିଏ ଅତି ବିଶାଳକାୟ ଇଗଲ୍‌। ସେ ଯେତେବେଳେ ପକ୍ଷ ବିସ୍ତାର କରି ଉଡୁଥିଲା ସେତିକି ବେଳେ ତାର ଡେଣାର ଛାଇ ମାଟି ଉପରେ ପଡୁଥିଲା ଏବ˚ କ୍ଷଣିକ ଲାଗି ସୂର୍ଯ୍ୟ ବି ତାର ଡେଣା ପଛରେ ଲୁଚି ଯାଉଥିଲେ। ସେ କିନ୍ତୁ ଏଥି ନେଇ ଭାରି ସତର୍କ ଥିଲା। ସେ ଏହାକୁ ଈଶ୍ବରଙ୍କ ଏକ ବରଦାନ ବୋଲି ବିଚାର କରୁଥିଲା। କୌଣସି ପ୍ରକାର ଅହଙ୍କାରକୁ ପ୍ରଶ୍ରୟ ନ ଦେଇ ସମସ୍ତଙ୍କ ସହିତ ବିନମ୍ର ଆଚରଣ କରୁଥିଲା।

କିନ୍ତୁ ତାକୁ ଦେଖି ଈର୍ଷାରେ ଜଳି ଯାଉଥିଲା ଏକ ବୃଦ୍ଧ ଇଗଲ। ସେ ତାର ଅନିଷ୍ଟ ଚାହୁଥିଲା। ବିଶାଳ ଇଗଲର ପୁଅ ଯେତେବେଳେ ଛୁଆରୁ ବଡ଼ ହେଲା ସେତିକି ବେଳେ ଦେଖାଗଲା ଯେ ସେ ବି ବାପ ଭଳି ବିଶାଳ ଓ ସୁନ୍ଦର ହେବାର ସମସ୍ତ ଲକ୍ଷଣ ବହନ କରିଛି। ଏହା ଦେଖି ବାପା ଆହୁରି ସତର୍କ ହୋଇଗଲା। ସେ ଚାହୁଥିଲା ରୂପର ଗର୍ବ ତା ପୁଅ ମନରେ ନ ପଶୁ। କାରଣ ଥରେ ଗର୍ବ ପଶିଗଲେ ତାହା ଉନ୍ନତିର ବାଟକୁ ବନ୍ଦ କରିଦେବ।

ଛୁଆ ଇଗଲ ଉଡ଼ି ଶିଖିଲା। ପ୍ରଥମ ଉଡ଼ାଣରେ ସେ ବାହାରିଲା। ଏହା ଦେଖି ବୃଦ୍ଧ ଇଗଲ ଆହୁରି ଈର୍ଷାତୁର ହୋଇ ସଇତାନକୁ ସୁମରଣା କଲା। ସଇତାନ ତା କାନରେ ବୁଦ୍ଧି ଦେଇଦେଲା। ବୃଦ୍ଧ ଇଗଲ ଏଥର ତାର କିଛି ବନ୍ଧୁଙ୍କୁ ଡାକି କହିଲା- ଦେଖ ଆମ ପୁଅ ଏବେ ଉଡ଼ିବା ଆରମ୍ଭ କରିବ। ସେ ଯେତେବେଳେ ଉଡ଼ିବାକୁ ଲାଗିବ, ତୁମେମାନେ ସେତେବେଳେ ତାଳି ବଜାଇ କମ୍ପାଇ ଦେବ।

ପ୍ରଥମ ଦିନ ଉଡ଼ାଣ ସାରି ଇଗଲ୍‌ ପୁଅ ବାପା ପାଖରେ ପହଞ୍ଚିବା ପରେ ବାପା ପଚାରିଲା- ଆଜିକାର ଅନୁଭୂତି କଅଣ?

ପୁଅ ଗଦଗଦ ହୋଇ କହିଲା- ବାପା ଚମତ୍କାର। ମୁଁ ଉଡୁଥିବା ବେଳେ ଗହଗହ ତାଳି ଶବ୍ଦ ମୋ କାନରେ ପଡୁଥିଲା। ମୁଁ ଦେଖିଲି ଯେ ମୋ ଉଡ଼ାଣ ଦେଖି ତୁମର ବନ୍ଧୁମାନେ ତାଳି ମାରି କହୁଛନ୍ତି- ଚମତ୍କାର, ଅତି ଚମତ୍କାର।

ଏହା ଶୁଣି ବାପ ଗମ୍ଭୀର ହୋଇଗଲା ଏବ˚ କହିଲା- ଏଣିକି ସେ ତାଳି ଶୁଣିବାକୁ ଚେଷ୍ଟା କରିବୁ ନାହିଁ। ତାହା ସଇତାନର କାରସାଦି।

ସମ୍ବନ୍ଧିତ ଖବର