ପ୍ରସିଦ୍ଧ ଜେନ୍ ଗୁରୁ ବାନ୍କେଙ୍କ ନିକଟକୁ ଯୁବକଟିଏ ଆସି ପଚାରିଲା- ଆମର ସବୁଠାରୁ ବଡ଼ ଶତ୍ରୁ କିଏ ଓ ସବୁଠାରୁ ବଡ଼ ମିତ୍ର କିଏ?
ବାନ୍କେ ଏହା ଶୁଣିବା କ୍ଷଣି ଯୁବକର ଗାଲରେ ଚଢ଼ାଇ ଦେଲେ ଏକ ଶକ୍ତ ଚାପୁଡ଼ା। ଯୁବକର ମୁଣ୍ଡ ଘୂରାଇଗଲା। ସେ ଏଭଳି ଅପମାନିତ ବୋଧ କଲା ଯେ ସଙ୍ଗେ ସଙ୍ଗେ ବୁଲି ପଡ଼ି ପ୍ରସ୍ଥାନ କଲା।
ଯୁବକଟି ନିଜ ଘରେ ପହଞ୍ଚି ଏହି ଅନୁଭୂତିଟି କହିଲା ଏବଂ ବାନ୍କେଙ୍କ ନିକଟକୁ ତାକୁ ଯିବା ଲାଗି କାହିଁକି ତା’ ବାପା କହିଥିଲେ ବୋଲି ପଚାରିଲା।
ବାପା କହିଲେ- ହତଭାଗା, ଚାପୁଡ଼ା ଖାଇ ଚାଲି ଆସିଲୁ? ଏବେ ସେଇଠାକୁ ଫେରି ଯାଆ। େସ ହିଁ ସବୁଠାରୁ ଉତ୍ତମ ଦିଗ୍ଦର୍ଶକ।
ସୁତରାଂ, ଯୁବକଟି ଫେରି ଆସିଲା।
ବାନ୍କେ କହିଲେ- ଆଉ ମାରିବି ନାହିଁ। ଆସ। ଆଚ୍ଛା କୁହ ତୁମେ ଏଠାରୁ ପଳାଇଗଲ କାହିଁକି?
ଯୁବକ କହିଲା- ଆପଣ ମାରିଲେ ବୋଲି ଅଭିମାନରେ ଚାଲିଗଲି।
ବାନ୍କେ କହିଲେ- ଧନ୍ୟବାଦ ତୁମ ବାପାଙ୍କୁ। କାରଣ ସେ ତୁମକୁ ଏଠାକୁ ପୁଣି ପଠାଇଲେ। ଯଦି ମୋ ଠାରୁ ଚାଲିଯାଇ ଥାଆନ୍ତ, ତେବେ ତୁମେ ନିଜେ ନିଜର କ୍ଷତି କରିଥାଆନ୍ତ। ତେଣୁ ମୋ ଚାପୁଡ଼ା ବଡ଼ କଥା ନୁହେଁ। ଚାପୁଡ଼ା ଖାଇ ତୁମ ପ୍ରତିକ୍ରିୟା ବଡ଼ କଥା। ତୁମର ରାଗ ବା ଅଭିମାନ ତୁମର କ୍ଷତି କରିଥାଆନ୍ତା। ଅର୍ଥାତ୍ ତୁମେ ନିଜେ ନିଜର ଶତ୍ରୁ।
ତା’ ପରେ ସେ ଅନ୍ୟ ଶିଷ୍ୟମାନଙ୍କୁ ଦେଖାଇ କହିଲେ- ଏମାନେ ସମସ୍ତେ ମୋ ଠୁ ଚାପୁଡ଼ା ଖାଇ ରହିଛନ୍ତି। ସେମାନେ ନିଜେ ନିଜର ଭଲ ଚାହାନ୍ତି ବୋଲି ସେମିତି କରିଛନ୍ତି। ତେଣୁ ସେମାନେ ନିଜେ ନିଜର ସବୁଠାରୁ ବଡ଼ ମିତ୍ର। ଏବେ ତୁମ ପ୍ରଶ୍ନର ଉତ୍ତର ପାଇଲ ତ?