ବନ୍ଧୁ ମିଳନ

କଥାଟିଏ - ଯାଯାବର

ଦୁଇ ଘନିଷ୍ଠ ବନ୍ଧୁ ଥିଲେ। ପାଠ ପଢ଼ି ସାରିବା ପରେ ଜଣେ ସହର ଛାଡ଼ି ବାହାରକୁ ଭାଗ୍ୟ ତିଆରି କରିବାକୁ ଚାଲିଗଲେ। ସେ ଅତି ସଫଳ ଓ ବିଖ୍ୟାତ ହୋଇଗଲେ। ଅନେକଙ୍କ ଲାଗି ସେ ଈର୍ଷଣୀୟ ହୋଇଗଲେ। ତାଙ୍କ ମନରେ ଟିକିଏ ଅହମିକା ଜାତ ହେଲା।

ଥରେ ତାଙ୍କ ମନରେ ଇଚ୍ଛା ହେଲା ଥରେ ଯାଇ ତାଙ୍କ ବାଲ୍ୟ କାଳର ସହରରୁ ବୁଲି ଆସିବେ। ସେଇ ଛୋଟ ସହରରେ ତାଙ୍କ ଆଗମନ ଲାଗି ବିଶେଷ ସ୍ବାଗତ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା। ଏଥିରେ ଭଦ୍ରଲୋକଙ୍କ ଛାତି କୁଣ୍ଢେମୋଟ। କିଛି ସମୟ ପରେ ସେ ରହୁଥିବା ଡାକବଙ୍ଗଳାରୁ ନିଜ ଅନ୍ତରଙ୍ଗ ବନ୍ଧୁଙ୍କୁ ଖବର ପଠାଇ ଡକାଇଲେ। ବନ୍ଧୁ ଜଣକ ସେଇ ସହରରେ ଏକ ଅତ୍ୟନ୍ତ ସାଧାରଣ ଜୀବନ କାଟୁଥିଲେ। ଅନେକ ଦିନ ପରେ ବାଲ୍ୟ ବନ୍ଧୁଙ୍କ ସହିତ ଦେଖା ହେବ ବୋଲି ସେ ଗଦଗଦ ହୋଇ ଦୌଡ଼ିଲେ। ଦୁଇ ବନ୍ଧୁଙ୍କ ମିଳନ ହେଲା। ସଫଳ ବନ୍ଧୁ ଜଣକ ନିଜ ସଫଳତାର କାହାଣୀ କହି ଚାଲିଲେ ଯାହା ବନ୍ଧୁଙ୍କୁ ଆହ୍ଲାଦିତ କଲା। ସବୁ କିଛି ଶୁଣି ବନ୍ଧୁ ଆତ୍ମହରା ହେଉଥାଆନ୍ତି।

ବିଖ୍ୟାତ ଭଦ୍ରବ୍ୟକ୍ତି ଏବେ ନିଜ ବାଲ୍ୟକାଳୀନ ସହରରୁ ବିଦାୟ ନେଲେ। ଗଲା ବେଳେ ବନ୍ଧୁଙ୍କ ଲାଗି ଛୋଟିଆ ଚିଠିଟିଏ ଦେଇ ଗଲେ।

ତହିଁରେ ଲେଖା ଥିଲା- ପ୍ରିୟ ବନ୍ଧୁ, ମୁଁ ମୋ ସହରକୁ ଯାଇଥିଲି ଏକ ଅହ˚କାରର ବଶବର୍ତ୍ତୀ ହୋଇ। ଯେମିତି ମୋ ସଫଳତା ଅନ୍ୟମାନଙ୍କ ଗାତ୍ରଦାହ କରିବ ବା ମୁଁ ଈର୍ଷାର ପାତ୍ର ହେବି। ତାହା ମୋତେ ଆତ୍ମପ୍ରସାଦ ଦେଇଥାଆନ୍ତା। ସେଠାରେ ସେମିତି ଘଟିଲା ମଧୢ। କିନ୍ତୁ ତୁମ ସହିତ ସାକ୍ଷାତ ମୋତେ ମୋ ନିଜର ଦୁର୍ବଳତାକୁ ଦେଖାଇ ଦେଲା। ତୁମେ ମୋ ସଫଳତାରେ ଏତେ ନିରୋଳା ଆନନ୍ଦ ପ୍ରକାଶ କଲ ଯେ ମୋ ଅହ˚କାର ଦ୍ରବୀଭୂତ ହୋଇଗଲା। ଦେଖିଲି ସତରେ ତୁମ ବିଚାର କେତେ ଉଚ୍ଚରେ! ଅନ୍ୟମାନଙ୍କ ଭଳି ତୁମେ ମୋତେ ଈର୍ଷା କରିଥିଲେ ହୁଏତ ଏ ଚିଠିଟି ମୁଁ ତୁମକୁ ଲେଖି ନ ଥାଆନ୍ତି।

ସମ୍ବନ୍ଧିତ ଖବର

Comments are closed.