ଗୋଟିଏ ଦୀପର ଆଲୋକ

କଥାଟିଏ - ଯାଯାବର

ସୃଷ୍ଟି ଆରମ୍ଭ ବେଳର କଥା। ମନୁଷ୍ୟ ସମେତ ସବୁ ପ୍ରାଣୀଙ୍କ ସକାଶେ ଈଶ୍ବର ସୂର୍ଯ୍ୟ ଏବ˚ ଚନ୍ଦ୍ରଙ୍କ ଠାରୁ ଜ୍ୟୋତି ଆଣି ଦୁଇଟି ଚକ୍ଷୁର କଳ୍ପନା କଲେ। ଚକ୍ଷୁ ଦ୍ବୟ ଦେଇ ପ୍ରାଣୀମାନେ ସବୁ କିଛି ଦେଖି ପାରିଲେ। ସେମାନଙ୍କ ଅନ୍ତଃସ୍ଥଳ ଆଲୋକିତ ହେଲା। କିନ୍ତୁ, ଦିନେ ମଣିଷ ଈଶ୍ବରଙ୍କ ପାଖରେ ପହଞ୍ଚି କହିଲା, ଆପଣ ସମସ୍ତଙ୍କ ଭଳି ଆମ ସକାଶେ ବି ଦୁଇଟି ଚକ୍ଷୁର ପରିକଳ୍ପନା କଲେ। କିନ୍ତୁ, ତା ସତ୍ତ୍ବେ ବି ଅନ୍ଧତ୍ବରୁ ମୁକ୍ତି ମିଳୁନାହିଁ। ବିଭିନ୍ନ ଲୋଭ, ମୋହ ବା ଆକର୍ଷଣ ଦ୍ବାରା ଅନ୍ଧ ହେଲା ଭଳି ଲାଗୁଛି। ସେଥି ପାଇଁ କିଛି ବ୍ୟବସ୍ଥା କରନ୍ତୁ। ଈଶ୍ବର କହିଲେ, ବ୍ୟବସ୍ଥା କରିଛି। ତୁମ ମନ ଭିତରେ ମୁଁ ଆଉ ଗୋଟିଏ ଦୀପ ରଖିଛି। ସେ ଦୀପ ଜଳିବା ସକାଶେ ସ୍ଫୁଲିଙ୍ଗ ବି ରଖିଛି। କିନ୍ତୁ ତାକୁ ଖୋଜିବା ଦାୟିତ୍ବ ତୁମର। ଯିଏ ଖୋଜି କରି ତାକୁ ପାଇବ, ତା ମନ ଭିତରେ ଆଉ ଗୋଟିଏ ଚକ୍ଷୁ ଖୋଲିଯିବ। ସେ ସବୁ ପ୍ରକାର ଅନ୍ଧତ୍ବରୁ ମୁକ୍ତି ପାଇବ।

ମଣିଷ ସେଠାରୁ ଫେରିଲା ଏବ˚ ନିଜ ଭିତରକୁ ଝାଙ୍କି ତାକୁ ଖୋଜିବାକୁ ଲାଗିଲା। ସେ ଦେଖିଲା ମନ ଭିତରେ ଏକ କୋଣରେ ବିବେକ ନାମକ ସ୍ଫୁଲିଙ୍ଗ ଅତି ଦୁକୁଦୁକୁ ଅବସ୍ଥାରେ ଜଳୁଛି। ସେଥିରେ ସେ ନିଜ ମନ ଭିତରେ ଥିବା ଦୀପକୁ ଜଳାଇଲା। ଥରେ ତାହା ଜଳିଲା ପରେ ଅନୁଭବ କଲା ଯେ ତାର ସମସ୍ତ ପ୍ରକାର ଅନ୍ଧତ୍ବ ଦୂର ହେଉଛି।

ସେ ଈଶ୍ବରଙ୍କ ପାଖକୁ କୃତଜ୍ଞତା ଜଣାଇବା ସକାଶେ ଗଲା। ଈଶ୍ବର କହିଲେ, ବାବୁ, ଏ ଇଲମ ମୁଁ ତମକୁ ଏଥି ପାଇଁ ଦେଲି, କାରଣ ତୁମେ ନିଜ ଭିତରେ ଥିବା ଅନ୍ଧତ୍ବ ବିଷୟରେ ସଚେତନ ହୋଇ ସେଥିରୁ ମୁକ୍ତିି ଚାହିଁଲ। ତୁମ ଭଳି ଯେଉଁ ପ୍ରାଣୀ ତାହା ଚାହିଁବ, ତାକୁ ଏ ନୂତନ ଦୀପକୁ ନିଜ ଭିତରେ ଖୋଜିବାକୁ ହେବ। ଯେ ଚିହ୍ନି ପାରିଲା ସେ ଏ ପ୍ରକ୍ରିୟାରେ ମଣିଷରୁ ଦେବତା ଆଡ଼କୁ ଅଗ୍ରସର ହେବ। ଯିଏ ଚିହ୍ନି ନ ପାରିବ ସେ ପଶୁତୁଲ୍ୟ ହୋଇ ରହିବ। ସେଇ ଗୋଟିଏ ଦୀପର ଆଲୋକ ପଶୁତ୍ବରୁ ଦେବତ୍ବକୁ ପଡ଼ିଥିବା ରାସ୍ତା ଦେଖାଇବ।

ସମ୍ବନ୍ଧିତ ଖବର