ନାଁରେ ପୁଣି କ’ଣ ଅଛି?

ସୃଜନ ପ୍ରକାଶ ଦାସ

ନାଁରେ ପୁଣି କ’ଣ ଅଛି? ଉଇଲିଅମ ସେକ୍‌ସପିଅର ତାଙ୍କର କାଳଜୟୀ ନାଟକ ରୋମିଓ ଓ ଜୁଲିଏଟର ଏକ ସଂଳାପରେ ଅବଶ୍ୟ ଲେଖିଛନ୍ତି- ନାଁରେ ଅବା କ’ଣ ଅଛି? ଗୋଲାପକୁ ଯେ କୌଣସି ନାଁ ରେ ଡାକିଲେ ମଧ୍ୟ ତାର ସୁଗନ୍ଧ କ’ଣ କମି ଯିବ? କିନ୍ତୁ ନାଁ ତ ପରିଚୟ। ଅନେକ ସମୟରେ ନାଁରୁ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଅନୁମାନ କରିହୁଏ। ଅନେକ କହନ୍ତି ନାଁର ପ୍ରଭାବ ମଣିଷର ଚରିତ୍ର ଓ ବ୍ୟବହାର ଉପରେ ମଧ୍ୟ ପଡ଼େ। ସେଥି ଲାଗି ହୁଏ’ତ ଯାଜ୍ଞବଳକ୍ୟ ନାମଧାରୀ ଅପରାଧୀଟିଏ ମିଳିବା କଷ୍ଟକର।

ବିଶ୍ୱର ସର୍ବାଧିକ ବିକ୍ରୟ ହୋଇଥିବା ପୁସ୍ତକ How to win friends and influence people ରେ ପୁଣି ଡେଲ କାର୍ନେଗି ବନ୍ଧୁତ୍ୱ ଗଢ଼ିବାର ଷଷ୍ଠ ପରାମର୍ଶରେ ଲେଖିଛନ୍ତି -ବ୍ୟକ୍ତିର ପ୍ରଥମ ନାଁ ହିଁ ହେଉଛି ତାର ପ୍ରିୟତମ ଶବ୍ଦ ଓ ଧ୍ୱନି। ତେଣୁ ବନ୍ଧୁ, ସହକର୍ମୀମାନଙ୍କୁ ମହାନ୍ତି, ପଟ୍ଟନାୟକ, ରଥ, ନନ୍ଦ ଇତ୍ୟାଦି ସାଙ୍ଗିଆ ପରିବର୍ତ୍ତେ ପ୍ରଥମ ନାମରେ ଡାକିଲେ ବ୍ୟକ୍ତି ସମ୍ମାନିତ ବୋଧ କରିଥାଏ। ତାହା ତାକୁ ଆପଣାର ଲାଗେ। ପୁଣି ପ୍ରଥମ ନାଁରେ ଯେଉଁ ଆବେଗ ରହିଛି, ତା ଠାରୁ ଅଧିକ ଆବେଗ ଡାକ ନାମରେ ଥାଏ, ଯାହା ଅଧିକ ଆପଣାର ବୋଲି ଲାଗେ। ସାଙ୍ଗିଆରେ ସେହି ଆପଣାପଣ କାହିଁ?
ହିନ୍ଦୁ ପରମ୍ପରା ଅନୁଯାୟୀ ଶିଶୁର ନାମକରଣ ଏକ ବିଶେଷ ଗୁରୁତ୍ୱ ରଖେ। ଶିଶୁର ଜନ୍ମ ସମୟରେ ଗ୍ରହ ମାନଙ୍କର ସ୍ଥିତି ଅନୁଯାୟୀ ତାର ଜାତକ ତିଆରି ହୋଇଥାଏ। ଜାତକ ଅନୁସାରେ ଶିଶୁର ଚନ୍ଦ୍ର ରାଶିକୁ ଆଧାର କରି ରାଶିର ପ୍ରଥମ ଅକ୍ଷରରେ ତାର ନାମକରଣ କରାଯାଏ। ଶିଶୁର ଜନ୍ମ ଦିବସରେ କିମ୍ବା ପରେ କୌଣସି ଶୁଭ ମୁହୂର୍ତ ଦେଖି ଏହି ନାମକରଣ ପର୍ବର ଆୟୋଜନ କରାଯାଇଥାଏ। ଏହି ସମୟ ମଧ୍ୟରେ ପରିବାର ବର୍ଗ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନଙ୍କର ପରାମର୍ଶ ନିଆଯାଏ ଓ ତହିଁ ମଧ୍ୟରୁ ସବୁଠୁ ଭଲ ନାଁ ବାଛି ଶିଶୁର ନାମକରଣ ହୋଇଥାଏ।

ସପ୍ତମ ବା ଅଷ୍ଟମ ଦଶକରେ ସ୍କୁଲରେ ପଢୁଥିବା ବେଳ କଥା ମନେ ପଡୁଛି। ଓଡ଼ିଆ ବା ଇଂରେଜୀ ସାହିତ୍ୟରେ ଦୁର୍ବଳ ଛାତ୍ର ମାନଙ୍କ ପାଇଁ ପରୀକ୍ଷା ପ୍ରଶ୍ନ ପତ୍ରରେ ଅନେକ ସମୟରେ ଗୋଟିଏ ପ୍ରଶ୍ନ ଥାଏ ହିମାଳୟ ପର୍ବତ ଭଳି କଠିନ ଓ ଅଲଂଘନୀୟ। ତାହା ହେଉଛି ଗଳ୍ପ କିମ୍ବା କବିତାର ‘ନାମକରଣର ଯଥାର୍ଥତା ଲେଖ’। ବିଷୟକୁ ଭଲ ଭାବେ ବୁଝି ପାରି ନ ଥିବା କିଛି ସହପାଠୀଙ୍କ ଲାଗି ଏହା ହୋଇପଡ଼େ ସବୁଠାରୁ ବିଷମ ପ୍ରଶ୍ନ।

ଯେ କୌଣସି ସମ୍ବାଦପତ୍ରର ପ୍ରଥମ ପୃଷ୍ଠା ଓ ଖେଳ ପୃଷ୍ଠାରେ ନିୟୋଜିତ ସାମ୍ବାଦିକମାନଙ୍କର ଗୋଟିଏ ବଡ଼ ସମସ୍ୟା ଥାଏ ଏହି ନାମକରଣକୁ ନେଇ। ୧୯୮୯-୯୦ ମସିହାରେ ଇଷ୍ଟର୍ଣ୍ଣ ମିଡିଆ ତରଫରୁ ପ୍ରକାଶିତ ‘ଦି ସନ୍‌ ଟାଇମସ୍‌’ ଦୈନିକରେ ଏହି ଲେଖକ ଅଳ୍ପ ଦିନ ପାଇଁ ସହ ସମ୍ପାଦକ ହେବାର ସୌଭାଗ୍ୟ ଲାଭ କରିଥିଲା। ସେହି ଅଭିଜ୍ଞତାକୁ ଭିତ୍ତି କରି କହି ହେବ ଯେ ଚାରିଟି ସ୍ତମ୍ଭ (column) ବିଶିଷ୍ଟ ଏକ ଦୀର୍ଘ ଲେଖା ଲେଖିବା ହୁଏତ ସହଜ, ମାତ୍ର ତା ପାଇଁ ଏକ ଉପଯୁକ୍ତ ଶିରୋନାମା ବାଛିବା ବେଶ କଷ୍ଟକର। ଶିରୋନାମା ଆକର୍ଷଣୀୟ ହେବା ଆବଶ୍ୟକ। ଅସାମାନ୍ୟ ଶିରୋନାମା ପାଠକପାଠିକାମାନଙ୍କର ଦୃଷ୍ଟି ଆକର୍ଷଣ କରେ।

ସାଧାରଣ ନାଁ ତୁଳନାରେ ଗୋଟିଏ ଅସାଧାରଣ ନାଁ ମଧ୍ୟ ଦୃଷ୍ଟି ଆକର୍ଷଣ କରେ; ଯେମିତିକି ପୂର୍ବତନ ସାଂସଦ ମହାମେଘ ବାହନ ଐର ଖାରବେଳ ସ୍ୱାଇଁଙ୍କ ନାମ ତାର ଦୀର୍ଘତା କାରଣରୁ ଏବଂ ଓଡ଼ିଶାର ପୁଲିସ ଡିଜି ମହୋଦୟ ଶ୍ରୀଯୁକ୍ତ ଅଭୟଙ୍କ ନାମ ତାର ସଂକ୍ଷିପ୍ତତା କାରଣରୁ।

ପୁଣି ଆମେମାନେ ଏକ ଭଲ ନାମକୁ ଅପଭ୍ରଂଶ କରିବାରେ ଧୁରନ୍ଧର। ଆମ ମୁହଁରେ ସୁରେନ୍ଦ୍ର ସୁରିଆ, ମନୋରଞ୍ଜନ ମନୁଆ ଏପରିକି ବେଦପ୍ରକାଶ ବେଦୁ ଆଦିରେ ପରିଣତ ହୁଅନ୍ତି। ପୁଣି, ସମୟେ ସମୟେ ସଂପୂର୍ଣ୍ଣ ନାମଟିଏ ପାଇ ନ ଥିବା ‘ପରଶୁ’ ପରିବର୍ତ୍ତିତ ପରିସ୍ଥିତିରେ ‘ବାବୁ ପରଶୁରାମ’ରେ ମଧ୍ୟ ପରିଣତ ହୁଅନ୍ତି। ସରକାରୀ ବାବୁମାନଙ୍କର ଏ ନାଁ ପ୍ରୀତି ଟିକିଏ ଭିନ୍ନ ଧରଣର। କାର୍ଯ୍ୟାଳୟ କୋଠରି ଆଗରେ ବଡ଼ ବଡ଼ ଅକ୍ଷରରେ ଯଦି ନାମଫଳକ ନ ଝୁଲିଲା, ତେବେ ସେ କି ବାବୁପଣିଆ? ତେଣୁ ନୂଆ ପଦ ମିଳିବା ସଂଗେସଂଗେ ନାମଫଳକ ପରିବର୍ତନ ପାଇଁ ତାଗିଦା ହୋଇଯାଏ। ଯେତେ ବଡ଼ ନାମ ଫଳକ, ତାର ସେତେ କ୍ଷମତା। ନାମ ଓ ପଦର ମାୟା ଏତେ ପ୍ରବଳ ଯେ କେତେକ ବାବୁ ତ ଅବସର ପରେ ମଧ୍ୟ ଏଥିରୁ ନିସ୍ତାର ପାଆନ୍ତି ନାହିଁ।

ତେଣୁ, ‘ନାମ ମେ କ୍ୟା ରଖା ହୈ?’ ବା ‘ନାଁରେ ଅବା କ’ଣ ଅଛି?’ ଭଳି କଥାର ଯଦିଓ ପ୍ରାସଙ୍ଗିକତା ରହିଛି ତେବେ ନାଁକୁ ଗୁରୁତ୍ବହୀନ ବୋଲି ଭାବିବା ଅନୁଚିତ। ଏହା ସତ ଯେ ଗୋଲାପକୁ ଅନ୍ୟ କୌଣସି ନାମରେ ଡାକିଲେ ବି ବି ତାର ମହକ ସମାନ ରହିବ, କିନ୍ତୁ ଗୋଲାପ ନାମର ଆବେଦନକୁ ବି ନଜରଅନ୍ଦାଜ କରି ହେବ ନାହିଁ।

ମୋ: ୯୪୩୮୧ ୪୯୭୬୧
[email protected]

ସମ୍ବନ୍ଧିତ ଖବର