ଯୁବକ ଓ ସମୁରାଇ ଯୋଦ୍ଧା

କଥାଟିଏ - ଯାଯାବର

ଜଣେ ପ୍ରସିଦ୍ଧ ସମୁରାଇ ଯୋଦ୍ଧା ଜାଣିଲେ ଯେ ତାଙ୍କ କନ୍ୟା ଯାହାକୁ ବିବାହ କରିବାକୁ ଚାହୁଁଛି ସେ ତାଙ୍କର ପରମ ଶତ୍ରୁଙ୍କ ପୁତ୍ର। ସେହି ସମୟର ନିୟମ ଥିଲା ଏଭଳି କ୍ଷେତ୍ରରେ ଜଣେ ତା’ର ପ୍ରତିପକ୍ଷଙ୍କୁ ଖଡ୍‌ଗ ଯୁଦ୍ଧ ଲାଗି ଆହ୍ବାନ ଦେବ। ଯଦି ତହିଁରେ ପ୍ରତିପକ୍ଷ ପରାସ୍ତ ହୁଏ, ତେବେ ସେ ବିଜୟୀର କଥା ମାନିବାକୁ ବାଧ୍ୟ। ସୁତରାଂ, ସମୁରାଇ ଯୋଦ୍ଧା ଯୁବକକୁ ଖଡ୍‌ଗ ଯୁଦ୍ଧ ଲାଗି ଆହ୍ବାନ ଦେଲେ।

କିନ୍ତୁ ଯୁବକଟି ଥିଲା ଏ ବାବଦରେ ପୂରା କଞ୍ଚା। ସେ ଜୀବନରେ କେବେ ବି ସମୁରାଇ ଖଣ୍ଡା ଧରି ନ ଥିଲା। କିନ୍ତୁ ଏଣେ ମନା କରିବା ଲାଗି ଉପାୟ ନାହିଁ। ‌ସୁତରାଂ, ସେ ଘରକୁ ଗଲା ଏବଂ ଗୋଟିଏ ସମୁରାଇ ଖଣ୍ଡା ଧରି ଫେରିଲା। ସେ ମନେ ମନେ ଭାବିଲା- ‘ମୋର ମୃତ୍ୟୁ ତ ସୁନିଶ୍ଚିତ। ତେବେ ଆଉ ଡରିବି କାହିଁକି? ଏବେ ମୋର ଗୋଟିଏ ଲକ୍ଷ୍ୟ ହେଲା ମରିବି ତ ଡରି କରି ମରିବି କାହିଁକି? ଲଢ଼ିବି। ଏହା ସହିତ କନ୍ୟାଟିର ପ୍ରେମ ବି ଥିଲା ଆଉ ଏକ ଆକର୍ଷଣ।

ଯୁଦ୍ଧ ଆରମ୍ଭ ହେଲା। ଯୁବକଟି ଯୁଦ୍ଧକୁ ଲଂଫ ଦେଲା। ସେ ଖଣ୍ଡାକୁ ଓଲଟା ଧରିଥିଲା ସତ, କିନ୍ତୁ ସେହି ସମୟରେ ସେ ଏମିତି ଦିଶୁଥିଲା ଯେ ସମୁରାଇ ଯୋଦ୍ଧାଙ୍କ ମନରେ ବି ଛନକା ପଶିଗଲା। ତା’ର ନାକରୁ ଯେମିତି ଅଣଚାଶ ପବନ ବହୁଥିଲା। ସେ ଏକା ଥରକେ ନାହିଁ ନ ଥିବା ଆକ୍ରମଣ କରିଦେଲା।

ବଡ଼ ବିଚିତ୍ର ଥିଲା ‌ସେ ଯୁଦ୍ଧ। ସମୁରାଇ ଯୋଦ୍ଧା ହଡବଡ଼େଇ ଗଲେ କାରଣ ସେ ଯୁଦ୍ଧରେ କୌଣସି ଧାରା ନ ଥିଲା କିନ୍ତୁ ଥିଲା ଭୀଷଣ ଆକ୍ରମଣାତ୍ମକତା। ସମୁରାଇ ଯୋଦ୍ଧା ହତଭମ୍ବ ହୋଇ ଅସୀ ଚାଳନା ବନ୍ଦ କରିଦେଲେ।

ଏବେ ସେ ଯୁବକଟିକୁ ଆଲିଙ୍ଗନ କରି ପକାଇଲେ। ସେ କହିଲେ- ତୁମେ ଆଜି ବିଜୟୀ ହେବାର କାରଣ ତୁମେ ଏହାକୁ କେବଳ ଏକ ସାଧାରଣ ଆହ୍ବାନ ଭାବେ ନ ନେଇ ଜୀବନ-ମରଣର ବିଷୟ ବୋଲି ଧରିନେଲ। ତେଣୁ ତୁମ ଆବେଗ ଆଗରେ ମୁଁ ଛିଡ଼ା ହୋଇ ପାରିଲି ନାହିଁ। ଏଥିରୁ ମୁଁ ଜାଣିଲି ଯେ ତୁମେ ମୋ କନ୍ୟାକୁ କେତେ ଗଭୀର ଭାବେ ଭଲ ପାଅ। ତେଣୁ ତୁମ ପ୍ରତି ମୋର ସମ୍ମାନବୋଧ ବଢ଼ିଯାଇଛି।

ସମ୍ବନ୍ଧିତ ଖବର