ସହରରେ ଥିଲେ ଜଣେ ନୀତିବାନ୍ ଶିକ୍ଷକ। ତାଙ୍କ ଛାତ୍ରମାନଙ୍କୁ ନୀତିନିଷ୍ଠ କରି ଗଢ଼ି ତୋଳିବା ଥିଲା ତାଙ୍କ ଲକ୍ଷ୍ୟ। ଦିନେ ତାଙ୍କର ପ୍ରିୟତମ ଛାତ୍ର ମିଛ କହି କିଛି ବନ୍ଧୁଙ୍କ ସହିତ ବଣଭୋଜି କରିବାକୁ ଚାଲିଗଲା। କିନ୍ତୁ ପରେ ଛାତ୍ରଟି ଅନୁତାପ ଜର୍ଜରିତ ହୋଇ ଶିକ୍ଷକଙ୍କ ଆଗରେ ସବୁ କଥା କହିଦେଲା। ଶିକ୍ଷକ ଜଣକ ଏହା ଶୁଣି ଦୁଃଖିତ ଓ କ୍ରୋଧାନ୍ବିତ ହେଲେ ଏବ˚ ଛାତ୍ରକୁ ଆଉ ତାଙ୍କ ପାଖକୁ ନଆସିବାକୁ ଚରମ ବାଣୀ ଶୁଣାଇ ଦେଲେ। ଛାତ୍ରଟିକୁ କ୍ଷମା କରିବାକୁ ଶିକ୍ଷକ ଆଦୌ ପ୍ରସ୍ତୁତ ନ ଥିଲେ।
ଏହାର କିଛି ଦିନ ପରେ ଶିକ୍ଷକଙ୍କ ବାପା ତାଙ୍କ ଘରକୁ ବୁଲି ଆସିଲେ। ବାପାଙ୍କ ସହିତ ଗପୁ ଗପୁ ଶିକ୍ଷକ ଏ କଥାଟି ଉଠାଇ କହିଲେ ଯେ ନୀତିନିଷ୍ଠ ଜୀବନକୁ ଗୁରୁତ୍ବ ଦେଇ ସେ ଭାରି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ସେଇ ଛାତ୍ରଟିର ଉଦାହରଣ ଦେଇ ସେ କହିଲେ, ସେ ଥିଲା ମୋର ସବୁଠାରୁ ପ୍ରିୟ। କିନ୍ତୁ, ସେ ଯାହା କଲା ସେଥିରେ କ୍ଷମା ଲାଭ କରିବାର ଯୋଗ୍ୟତା ହରାଇଲା।
ଏ କଥା ଶୁଣି ବାପା କହିଲେ, ତୁମେ କିନ୍ତୁ ଏ ପ୍ରକାର ନିଷ୍ପତ୍ତି ନେଇ ଭୁଲ୍ କରିଛ। ଶିକ୍ଷକ ଏହା ଶୁଣି କହିଲେ- ବାପା, ନୈତିକ ଜୀବନ ଯାପନ କରିବାର ଶିକ୍ଷା ଯଦି ମୁଁ କାହାଠାରୁ ପାଇ ଥାଏ, ସେ ହେଉଛନ୍ତି ଆପଣ। ଅଥଚ ଆପଣ ମୋ ଠାରେ ତ୍ରୁଟି ଦେଖୁଛନ୍ତି?
ଏ କଥା ଶୁଣି ବାପା କହିଲେ- ବାବୁ, ତୁମେ ବି ପିଲା ଦିନେ ଜଣେ ସାଧାରଣ ବାଳକ ଥିଲ। ତୁମେ ବି ଭୁଲ୍ କରୁଥିଲ ଏବ˚ ସେଥିପାଇଁ ଅନୁତାପ କରି ନିଜକୁ ସଜାଡୁଥିଲ। ଅନୁତାପର ନିଆଁରେ ନ ଜଳିଲେ ଜଣେ ଖାଣ୍ଟି ହେବ ବା କେମିତି? କିନ୍ତୁ ତୁମେ ନିଜ ଛାତ୍ରମାନଙ୍କଠାରୁ ଏକା ଥରକେ ଚରମ ନୈତିକତା ଆଶା କରୁଛ? ପିଲାରୁ ବଡ଼ ହେବା ଭିତରେ ତୁମେ ଯେଉଁ ବାଟ ଦେଇ ଯାଇଛ, ତାହା ଭୁଲି ଯାଅ ନାହିଁ। ସେଇ ବାଟରେ ନିଜ ପିଲାମାନଙ୍କୁ ମଣିଷ କର।