ଭାଷା ଊଣା ପଡ଼ିଗଲା

କଥାଟିଏ - ଯାଯାବର

ଥରେ ଗୌତମ ବୁଦ୍ଧ ତାଙ୍କର କିଛି ଶିଷ୍ୟଙ୍କ ସହିତ ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ସହିତ ସାମନାସାମନି ହୋଇଗଲା। ସେହି ବ୍ୟକ୍ତି ଜଣକ ଗୌତମ ବୁଦ୍ଧଙ୍କୁ ପ୍ରବଳ ଘୃଣା କରୁଥିଲେ। ସୁତରାଂ, ଯେତେବେଳେ ଉଭୟେ ମୁହାଁମୁହିଁ ହୋଇଗଲେ, ସେହି ଲୋକଟିର ମୁହଁ ଘୃଣାରେ ଭରିଗଲା ଏବଂ ସେ ଗୌତମ ବୁଦ୍ଧଙ୍କ ମୁହଁ ଉପରକୁ ଛେପ ପକାଇ ଦେଲା। ଗୌତମ ବୁଦ୍ଧ ନିର୍ବିକାର ଥିଲେ। କିନ୍ତୁ ତାଙ୍କ ଶିଷ୍ୟମା‌ନଙ୍କୁ ଏହା ବାଧିଲା ଏବଂ ସେମାନେ ଏହାର ପ୍ରତିବାଦ କରିବାକୁ ଉଦ୍ୟତ ହେଲେ। ଗୌତମ ତାଙ୍କୁ ଅଟକାଇ ଦେଇ କହିଲେ- ଏଥିରେ ତାଙ୍କର କୌଣସି ଦୋଷ ନାହିଁ। ସେ ମୋତେ କିଛି କହିବାକୁ ଚାହୁଥିଲେ, କିନ୍ତୁ ସେ ଭାବ ବ୍ୟକ୍ତ କରିବାକୁ ଭାଷା ଊଣା ପଡ଼ିଲା। ତେଣୁ ସେ ଏହିଭଳି ଭାବେ ତାଙ୍କ ମନ କଥା କହିଲେ। ମୁଁ ତାଙ୍କ ଭାଷାକୁ ବୁଝି ଗଲି।

ଏହା କହି ବୁଦ୍ଧ ତାଙ୍କ ବାଟରେ ଚାଲିଗଲେ। ଏ କଥା କିନ୍ତୁ ସେହି ବ୍ୟକ୍ତିର ମନରେ ଘୋର ଭାବାନ୍ତର ଜାତ କଲା। ‌ସେଇ ବାଟେ ବୁଦ୍ଧ ଫେରିବା ବେଳକୁ ସେ ସେହି ଠାରେ ଜଗି ରହିଥିଲା ଏବଂ ବୁଦ୍ଧଙ୍କ ପାଦ ତଳେ ପଡ଼ିଗଲା।

ବୁଦ୍ଧ ତାକୁ ତଳୁ ଉଠାଇ ଦେଲେ ଏବଂ କହିଲେ- ଏଥର ବି ଭାବ ବ୍ୟକ୍ତ କରିବାକୁ ଭାଷା ଊଣା ପଡ଼ିଗଲା। କିନ୍ତୁ ମୁଁ ବୁଝି ପାରିଲି!

ସମ୍ବନ୍ଧିତ ଖବର