ମୂଲ୍ୟବାନ ଦାନ

କଥାଟିଏ - ଯାଯାବର

ଜଣେ ସୁଫି ଫକିର ଥିଲେ। ତାଙ୍କୁ ଲୋକେ ପ୍ରଚୁର ଭକ୍ତି କରୁଥିଲେ। ଥରେ ସେ ରାସ୍ତାରେ ଯାଉଥିବା ବେଳେ ରାଜପ୍ରାସାଦର ଛାତ ଉପରେ ଛିଡ଼ା ହୋଇଥିବା ସମ୍ରାଟଙ୍କ ନଜର ତାଙ୍କ ଉପରେ ପଡ଼ିଲା। ସେ ତତ୍‌କ୍ଷଣାତ୍‌ ତାଙ୍କୁ ନିଜ ଘରକୁ ଡାକିଲେ ଏବଂ କହିଲେ- ମହାଶୟ, ମୋ ଜୀବନ ଆପଣଙ୍କ ଦ୍ବାରା ବହୁତ ପ୍ରଭାବିତ। ଏବେ ସୌଭାଗ୍ୟ ହେଲା ଆପଣଙ୍କୁ ନିଜ ଗହଣରେ ପାଇଛି। ମୋର ଶ୍ରଦ୍ଧା ନି‌େବଦନ ପୂର୍ବକ ଏହାକୁ ଆପଣ ଗ୍ରହଣ କରନ୍ତୁ। ଏହା କହି ସମ୍ରାଟ ଯାହା ଦେବାକୁ ବାହାରିଲେ, ତାହା ଥିଲା ଗୋଟିଏ ଅତି ମୂଲ୍ୟବାନ ହୀରା।

ଫକିର ଏହା ଦେଖି ହସିଲେ ଏବଂ କହିଲେ- ମୁଁ ଆଜି ଦିନକ ପାଇଁ ସବୁଠାରୁ ମୂଲ୍ୟବାନ ଦାନ ପାଇ ସାରିଛି। ତେଣୁ ଆଜି ଆଉ କୌଣସି ଦାନ ଗ୍ରହଣ କରିବି ନାହିଁ।

ସମ୍ରାଟ କୁତୁହଳୀ ହୋଇ ସେହି ମୂଲ୍ୟବାନ ଦାନ ବିଷୟରେ ଜାଣିବାକୁ ଚାହିଁବାରୁ ଫକିର ନିଜ ମୁଣିରୁ କିଛି ସାଧାରଣ ମଳିନ ଦିଶୁଥିବା ମୁଦ୍ରା ବାହାର କରି ଦେଖାଇଲେ।

ଏଥିରେ ବିସ୍ମିତ ହୋଇ ରାଜା ପଚାରିଲେ- ଏହା କେମିତି ମୁଁ ‌େଦଇଥିବା ହୀରାଠାରୁ ଅଧିକ ମୂଲ୍ୟବାନ ହେଲା?

ଫକିର କହିଲେ- ଏହା ଜଣେ କାଠୁରିଆର ଗୋଟିଏ ଦିନର ଆୟ। ସେ ଏହା ମୋତେ ଦେଇଥିବାରୁ ତା’ସହିତ ତା’ ପରିବାର କ୍ଷୁଧାରେ ରହିବେ।

ଆପଣଙ୍କ ହୀରା ଆପଣଙ୍କ ସଂପତ୍ତିର ବା ଦିନକର ଆୟର କାଣିଚାଏ। ତେଣୁ ଏହି ସାଧାରଣ ମୁଦ୍ରାଗୁଡ଼ିକ ସହିତ ଆପଣଙ୍କ ହୀରା ପାସଙ୍ଗରେ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର