୩ ହାଇୱେ ଲୁଟେରା ଗିରଫ

କୋମନା : ନୂଆପଡ଼ା ଜିଲ୍ଲା କୋମନା ଥାନା ପୁଲିସ ୩ ଜଣ ହାଇୱେ ଲୁଟେରାଙ୍କୁ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଭରୁଆପାଲି ଗାଁରୁ ଗିରଫ କରିଛି। ଗିରଫ ଲୁଟେରାମାନେ ହେଲେ ଥବିର ମାଝୀ, ଲୋଚନ କଠାର ଓରଫ ରୂପଚନ ଏବଂ ଉମାକାନ୍ତ ଛତ୍ରିଆ। ସେମାନଙ୍କଠାରୁ ଗୋଟିଏ ବାଇକ, ଗୋଟିଏ ମୋବାଇଲ ଫୋନ୍‌ ଓ ୧୪ଶହ ଟଙ୍କା ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏନ୍‌ଏଚ୍‌ ୩୫୩ର କୋମନା ଥାନା ଉଦ୍ୟାନବନ୍ଧ ଗାଁ କଟକିଆପଡ଼ା ନିକଟରେ ଗତ ୧୩ ତାରିଖ ରାତିରେ ଏକ ମାଲବୋଝେଇ ଟ୍ରକ୍‌ ଅଟକିଥିଲା। ବିଳମ୍ବିତ ରାତିରେ ଏକ ବାଇକ୍‌ରେ ଉକ୍ତ ତିନି ଅଭିଯୁକ୍ତ ଆସି ଡ୍ରାଇଭର ସୁଶାନ୍ତ ଶବରଙ୍କୁ ଧମକଚମକ ଦେଇଥିଲେ। ଛୁରି ଦେଖାଇ ତାଙ୍କ ପାଖରେ ଥିବା ଟଙ୍କା ଲୁଟି ନେଇଥିଲେ। ଏନେଇ କୋମନା ଥାନାରେ ଅଭିଯୋଗ ହେବା ପରେ ଏସ୍‌ଆଇ ମଞ୍ଜୁଲତା ଖାଡ଼ଙ୍ଗା ଘଟଣାର ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏନେଇ ଥାନା କେସ୍‌ ନଂ ୨୪୩ରେ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଆଇଆଇସି ଜ୍ୟୋତିରଞ୍ଜନ ଗୌଡ଼ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର