ରାଜପୁତ୍ରଙ୍କ ନିୟତି

କଥାଟିଏ - ଯାଯାବର

ରାଜପୁତ୍ର ବାପାଙ୍କୁ କହିଲେ- ମୋର ବୃଦ୍ଧ ହେବାକୁ ଇଚ୍ଛା ନାହିଁ। ଜରାଗ୍ରସ୍ତ ଅବସ୍ଥା ମୋ ଲାଗି ଅସହ୍ୟ। ମୁଁ ମୃତ୍ୟୁ ଯାକେ ତରୁଣ ହୋଇ ରହିବାକୁ ଚାହେଁ।

ପୁଅର ଏ କଥା ଶୁଣି ରାଜା କହିଲେ- ମୋ ରାଜ୍ୟରେ ଜଣେ ସିଦ୍ଧ ମୁନି ଅଛନ୍ତି। ତାଙ୍କୁ ଯାଇ କହ। ସେ ତୋତେ ଏଭଳି ବର ଦେଇ ପାରିବେ।

ପୁଅ ଏହା ଶୁଣି ସିଦ୍ଧ ମୁନିଙ୍କ ଆଶ୍ରମରେ ପହଞ୍ଚିଲା। ରାଜପୁତ୍ରଙ୍କ ଅଭିପ୍ରାୟ ଶୁଣି ମୁନି କହିଲେ- ବିଷମ ସମସ୍ୟା ହେବ। ତୁ ଆଉ କିଛି କହ।

କିନ୍ତୁ ରାଜପୁତ୍ର ଥିଲେ ଜିଦିରେ ଅଟଳ। ସେ କହିଲେ- ଆପଣ ମୋତେ ସେ ମନ୍ତ୍ର ଦିଅନ୍ତୁ। ମୋ ପିତା ସ୍ବୟ˚ ମହାରାଜା ମୋତେ ଏଥି ଲାଗି ପଠାଇଛନ୍ତି। ତେଣୁ ଆପଣ ମୋତେ ମନା କରିପାରିବେ ନାହିଁ।

ଏହା ଶୁଣି ସାଧୁ କିଛି ସମୟ ଭାବି କହିଲେ- ହଉ ରାଜାଙ୍କୁ ଧରି ଆସ। ତାଙ୍କ ସହିତ ମୋର କିଛି କଥାବାର୍ତ୍ତା କରିବାର ଅଛି। ତା’ ପରେ ଯେଉଁ କଥା।

ଏ କଥା ଶୁଣି ରାଜପୁତ୍ର ତୁରନ୍ତ ରାଜନଅରକୁ ଯାଇ ରାଜାଙ୍କୁ ଧରି ଆସିଲେ।

ସିଦ୍ଧ ମୁନି ରାଜାଙ୍କୁ କହିଲେ- ମୁଁ ଗୋପନରେ ଆପଣଙ୍କୁ କିଛି କହିବାକୁ ଚାହେଁ।

ଏହା ପରେ ରାଜପୁତ୍ର ସେଠାରୁ ବାହାରକୁ ଚାଲିଗଲେ। ଏବେ ମୁନି କହିଲେ- ମହାରାଜା, ଆପଣ ଭାବିଛନ୍ତି କି ସମସ୍ତେ ମୃତ୍ୟୁ ପୂର୍ବରୁ ବୃଦ୍ଧ ହେବାକୁ ବାଧୢ? ଅନେକ ତରୁଣ ଅବସ୍ଥାରେ ପରଲୋକ ଗମନ କରନ୍ତି। ଆପଣଙ୍କ ଦୁର୍ଭାଗ୍ୟ ରାଜପୁତ୍ରଙ୍କ ମରଣ ବି ତାରୁଣ୍ୟରେ ହେବାର ଅଛି। ତେଣୁ ସେ ଯାହା ଚାହୁଁଛନ୍ତି ନିୟତି ତାହା ହିଁ ତାଙ୍କ ଲାଗି ରଖିଛି। ଏଥି ସକାଶେ କୌଣସି ମନ୍ତ୍ରର ପ୍ରୟୋଜନ ନାହିଁ।

ରାଜା ଚମକି ପଡ଼ିଲେ। ସେ ବୁଝିପାରିଲେ ନିୟତିର ଖେଳ ଦୁର୍ବୋଧ୍ୟ।

ସମ୍ବନ୍ଧିତ ଖବର