ପ୍ରକୃତ ମୁକ୍ତି
କଥାଟିଏ ଯାଯାବର
ଥରେ ଗୋଟିଏ ବଡ଼ ଅପରାଧରେ କିଛି ଯୁବକ ଧରା ପଡ଼ି ଜେଲରେ ରହିଲେ। ଜେଲ ଭିତରେ କେବଳ ଜଣଙ୍କୁ ଛାଡ଼ି ଅନ୍ୟମାନେ କେମିତି ଜେଲରୁ ବାହାରି ପଳାଇବେ, ସେଇ ଚିନ୍ତାରେ ରହିଲେ। କେବଳ ସେହି ଜଣଙ୍କର ମନରେ ପରିବର୍ତ୍ତନ ଆସିଥିଲା। ସତକୁ ସତ ଦିନେ ରାତିରେ ସେମାନେ ଜେଲ କବାଟ ଭାଙ୍ଗି ପଳାୟନ କଲେ। କେବଳ ସେଇ ଯୁବକ ଜଣକ ହିଁ ସେଠାରେ ରହିଗଲା। ଗଲା ବେଳକୁ ତାର ସାଥୀମାନେ ତାକୁ ଡାକିଥିଲେ, କିନ୍ତୁ ସେ ଗଲା ନାହିଁ। କେବଳ ସେ ଏତିକି କହିଲା- ମୁଁ ତୁମମାନଙ୍କ ଭଳି ମୁକ୍ତ ହେବାକୁ ଚାହେଁ ନାହିଁ। କହିବା ବାହୁଲ୍ୟ, କିଛି ଦିନ ଭିତରେ ସେମାନଙ୍କ ଭିତରୁ କେଇ ଜଣ ଧରା ହୋଇ ଜେଲକୁ ଆସିଲେ। ସେମାନଙ୍କ ଲାଗି ଅଧିକ କଟକଣା ଲାଗିଲା। ବିଚାର ପରେ ସେମାନେ ଅଧିକ ଦଣ୍ତ ପାଇଲେ। କିନ୍ତୁ ସେମାନଙ୍କ ଆଚରଣରେ ପରିବର୍ତ୍ତନ ଆସି ନ ଥିଲା। ସେମାନେ କେମିତି ପୁଣି ଥରେ ଜେଲରୁ ବାହାରି ପଳାୟନ କରିବେ, ସେଇ ମସୁଧାରେ ଲାଗିଲେ। କାରଣ ବନ୍ଦୀର ଜୀବନ ସେମାନଙ୍କ ଲାଗି ଅସହ୍ୟ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷରେ ଅନ୍ତଃକରଣରେ ପରିବର୍ତ୍ତିତ ହୋଇ ସାରିଥିବା ଯୁବକ ନିର୍ଲିପ୍ତ ଭାବେ ତାର ସଜା କାଟି ଜେଲରୁ ବାହାରିଲା। ତା ମନରେ କୌଣସି ଗ୍ଳାନି ନଥିଲା। ଜେଲରୁ ବାହାରିବା ବେଳେ ସେ ତାର ବନ୍ଧୁମାନଙ୍କୁ ଦେଖା କରି କହିଲା – ତୁମମାନଙ୍କ ଭଳି ମୋତେ ମଧୢ ବନ୍ଦୀ ଭାବେ ଜୀବନ କାଟିବା ଭଲ ଲାଗେ ନାହିଁ। କିନ୍ତୁ ତୁମମାନେ ଚାହୁଁଥିବା ଭଳି ମୁକ୍ତି ମୁଁ ଚାହେଁ ନାହିଁ। ତୁମମାନଙ୍କ ଭିତରୁ ଯେଉଁମାନେ ଏବେ ବି ଜେଲ ବାହାରେ ରହିଛନ୍ତି, ସେମାନେ ପ୍ରକୃତରେ ମୁକ୍ତ ନୁହନ୍ତି। ସେମାନେ ଭୟରେ ଲୁଚିଛପି ବୁଲୁଛନ୍ତି। ସେମାନେ ମଧୢ ତୁମମାନଙ୍କ ଭଳି ବନ୍ଦୀ। କିନ୍ତୁ ମୁଁ ଚାହିଁଲି ସମ୍ୟକ ମୁକ୍ତି। ତାର ଅର୍ଥ ଏଭଳି ଏକ ମୁକ୍ତି ଯାହା ମୋତେ ଭୟ ଓ ଗ୍ଳାନି ସବୁଥିରୁ ମୁକ୍ତ କରିବ। ଆଜି ମୋତେ ତାହା ମିଳିଛି।