ସମର୍ପଣର ଶିକ୍ଷା

କଥାଟିଏ-ଯାଯାବର

ଏକ ଦୁର୍ଗମ ପାହାଡ଼ ଉପରେ ରହୁଥିଲେ ଜଣେ ସାଧୁ। ଥରେ ତାଙ୍କ ପାଖକୁ ଜଣେ ବଣିକ ଆସିଲେ। ବଣିକଙ୍କ ପୁଅ ଅନେକ ଦିନ ଧରି ଏକ ବ୍ୟାଧିରେ ପଡ଼ି ମୃତପ୍ରାୟ ହୋଇଯାଇଥିଲା। ସବୁ ବୈଦ୍ୟ ବିଫଳ ହେବାରୁ ସେ ସାଧୁଙ୍କ ଶରଣାପନ୍ନ ହୋଇଥିଲେ। ଏକ ଘୋଡ଼ା ପିଠିରେ ବସି ତୀଖ, ଅଣଓସାରିଆ ଓ କାଦୁଅ ଦ୍ବାରା ପିଚ୍ଛିଳ ଘାଟି ରାସ୍ତାରେ ସେ ଆସିଥିଲେ। ଘୋଡ଼ାର ଗୋଡ଼ ଟିକିଏ ଖସିଲେ ମୃତ୍ୟୁ ସୁନିଶ୍ଚିତ ଥିବାରୁ ସେ ଭଗବାନଙ୍କୁ ଡାକି ଡାକି ଆସିଥିଲେ।
ଯାହା ହେଉ, ସାଧୁ ସବୁ ଶୁଣିବା ପରେ କହିଲେ- ଭଗବାନଙ୍କ ଉପରେ ସବୁ ଛାଡ଼ିଦିଅ। ତୁମ ପୁଅ ଭଲ ହୋଇଯିବ।
ବଣିକ ଏହା ଶୁଣି ହତାଶ ହୋଇ ଘରକୁ ଫେରିବାକୁ ବାହାରିଲେ।
ଏଇ ସମୟରେ ପ୍ରବଳ ବର୍ଷା ହେଲା। ବର୍ଷା ପରେ ସେଇ ରାସ୍ତାରେ ଫେରିବା ବଣିକଙ୍କ ଲାଗି ଅସମ୍ଭବ ଥିଲା। ସାଧୁ କହିଲେ- ମୋର ଜଣେ ଶିଷ୍ୟ ଏଭଳି ରାସ୍ତାରେ ଘୋଡ଼ା ଚଳାଇ ନେବାରେ ଧୁରନ୍ଧର। ମୁଁ ତାକୁ ପଠାଉଛି ତୁମକୁ ଛାଡ଼ିଦେଇ ଆସିବ।
ଏଥର ସାଧୁଙ୍କ ଶିଷ୍ୟ ଘୋଡ଼ାରେ ବଣିକଙ୍କୁ ଧରି ବାହାରିଲେ। ଘରେ ବଣିକଙ୍କୁ ଓହ୍ଲାଇ ଦେଲା ପରେ ଶିଷ୍ୟ ପଚାରିଲେ- ମୋ ସହିତ ଥିଲା ବେଳେ ଭୟ ଲାଗୁଥିଲା? ବଣିକ କହିଲେ- ସତ କହୁଛି ଯେ ମୁଁ ନିଜେ ସାଧୁଙ୍କ ପାଖକୁ ଯାଉଥିବା ବେଳେ ଭଗବାନଙ୍କ ଉପରେ ସବୁ କିଛି ଅର୍ପଣ କରିଦେଇଥିବା ସତ୍ତ୍ବେ ମୋତେ ଭୟ ଲାଗୁଥିଲା, କାଳେ ତୀଖ ପାହାଡ଼ରୁ ଖସି ପଡ଼ିବି କି? କିନ୍ତୁ ଆପଣଙ୍କ ଭଳି ଓସ୍ତାତ ହାତରେ ସବୁ ଦାୟିତ୍ବ ଥିବାରୁ ମୁଁ ନିଶ୍ଚିନ୍ତ ଥିଲି।
ଶିଷ୍ୟ କହିଲେ- ମୋ ଗୁରୁ ଠିକ ତାହା ହିଁ କହିଛନ୍ତି। ଭଗବାନଙ୍କ ଭଳି ଜଣେ ଓସ୍ତାତ ଆମ ଜୀବନକୁ ଚଳାଉଥିବା ବେଳେ ଆପଣ ଭୟ କରିବା ଅନୁଚିତ। ଦେଖିବେ ସବୁ ଠିକ ହୋଇଯିବ। ବଡ଼ କଥା ହେଲା ଆମେମାନେ ସ˚ପୂର୍ଣ୍ଣ ସମର୍ପଣ କ’ଣ ତାହା ଜାଣି ନାହାନ୍ତି ବୋଲି ଭଗବାନଙ୍କୁ ପ୍ରାର୍ଥନା କରି ବି ଭୟାର୍ତ୍ତ ହୋଇ ରହୁ।

ସମ୍ବନ୍ଧିତ ଖବର