କ୍ଷୁଦ୍ର ମୂର୍ତ୍ତିରେ ସୁଦୀକ୍ଷାଙ୍କ ବିଶ୍ବ ରେକର୍ଡ: ଏମ୍‌ସିଲ୍‌ ଅଠାରେ କରୁଛନ୍ତି ବିଭିନ୍ନ ପ୍ରତିମୂର୍ତ୍ତି

ରାଉରକେଲା: ଦିଲ୍ଲୀରେ ସୁନ୍ଦରଗଡ଼ର ୧୨ ବର୍ଷର ଝିଅ ଦେଖାଇଛନ୍ତି କମାଲ। ବିନା ତାଲିମରେ ହାସଲ କରିଛନ୍ତି ସଫଳତା। ଅଦକାରୀ ଜିନିଷ ଓ ଏମ୍‌ସିଲ୍ ଅଠାରେ ଅତି କ୍ଷୁଦ୍ର ଦେବାଦେବୀଙ୍କ ମୂର୍ତ୍ତି ତିଆରି ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି। ଆଗାମୀ ଦିନରେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିବାକୁ ଜାରି ରଖିଛନ୍ତି ପ୍ରୟାସ। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ସୁଦୀକ୍ଷା ନନ୍ଦ। ଏମ୍‌ସିଲ୍‌ ଅଠାରେ ଅତି କ୍ଷୁଦ୍ର ମୂର୍ତ୍ତି ତିଆରି କରିବାରେ ସେ ବେଶ ମାହିର।

୧୦  କି ୨୦ଟି ନୁହେଁ ଏମ୍‌ସିଲ୍‌ ଅଠାରେ ତିଆରି ସାରିଛନ୍ତି ପ୍ରାୟ ୨୦୦ରୁ ଅଧିକ ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି। ତାଙ୍କ ହାତରେ ଜାଦୁରେ ଜୀବନ୍ତ ହୁଏ ଦେବାଦେବୀଙ୍କ ମୂର୍ତ୍ତି, ବନ୍ୟଜନ୍ତୁ, ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ନ ପ୍ରତିମୂର୍ତ୍ତି। ୧୦ଟି ଏକ ଇଞ୍ଚରୁ କମ୍‌ ଆକାରର ଅତିକ୍ଷୁଦ୍ର ପ୍ରତିମୂର୍ତ୍ତି ତିଆରି କରି ‘ୱାଲର୍ଡୱାଇଡ୍‌ ବୁକ୍‌ ଅଫ୍ ରେକର୍ଡସ’ ଅଧିକାରୀ ହୋଇଛନ୍ତି ସୁଦୀକ୍ଷା। ପ୍ରତିମୂର୍ତ୍ତିଗୁଡ଼ିକ ମଧ୍ୟରେ ରହିଥିଲା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା,  ଶିବଲିଙ୍ଗ, ଗଣେଶ, ବୀଣା, ଅଶୋକଚକ୍ର, ଡୋରେମନ୍‌, ଜାତୀୟ ପତାକା ଓ‌ ପେନ୍‌ସିଲ୍‌। ସବୁ ପ୍ରତିମୂତ୍ତିଗୁଡ଼ିକର ଆକାର ୧ ଇଞ୍ଚରୁ କମ୍‌ ରହିଥିଲା। କେବଳ  ପୁଟିରେ ତାଙ୍କ ହାତ ତିଆରି ମୟୁର,  କଇଁଚ, ଓଟ,  ଗାଈମୁଣ୍ଡ, ଗଛ ବେଶ୍‌ ଆକର୍ଷଣୀୟ ହୋଇଛି। ଘରେ ଅଦକାରୀ ଜିନିଷଗୁଡ଼ିକୁ ବ୍ୟବହାର କରି ଗୋଟିଏ ପରେ ଗୋଟିଏ ବିଭିନ୍ନ ପ୍ରତିମୂର୍ତ୍ତି ତିଆରି କରି ଚାଲିଛନ୍ତି। ପ୍ରତିମୂର୍ତ୍ତି ତିଆରି ସହ ତାଙ୍କର କଳାପ୍ରତି ମଧ୍ୟ ବେଶ୍‌ ଆଗ୍ରହ ରହିଛି।

ଅନେକ ପ୍ରତିଯୋଗିତା ସାମିଲ ହୋଇ ବହୁ  ପୁରସ୍କାର ସାଉଁଟିଛନ୍ତି। ବିଶ୍ବ ରେକର୍ଡ ପାଇବା ପାଇବା ପରେ ତାଙ୍କ ଅଜା ବିନୟ କୁମାର ନନ୍ଦ, ଆଇ ସରୋଜିନୀ ନନ୍ଦ, ମା’ ରାଜକ୍ଷ୍ମୀ ଓ ଭାଇ ସିଦ୍ଧାର୍ଥଙ୍କ ପ୍ରୋତ୍ସାହନ ରହିଛି। ସୁଦୀକ୍ଷା ପିଲାଟି ଦିନରୁ ମାଟିରେ ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ତିଆରି କରିବାରେ ବେଶ୍‌ ଆଗ୍ରହ ରହିଥିଲା। ମା’ ରାଜଲକ୍ଷ୍ମୀ ପାଠ ପଢ଼ା ଛାଡି ଏସବୁ କରିବାକୁ ପ୍ରଥମେ ବାରଣ କରୁଥିଲେ। ତାଙ୍କ କୁନି ଝିଅର ହାତ ତିଆରି ଏକ ପ୍ରତିମୂର୍ତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେବେଠାରୁ ଝିଅକୁ ଏସବୁ  ପ୍ରତିମୂର୍ତ୍ତି ତିଆରି କରିବାରେ ପ୍ରୋତ୍ସହନ ଦେଉଥିଲେ।

କରୋନା ପ୍ରଥମ ଓ ଦ୍ବିତୀୟ ଲହରରେ ସ୍କୁଲ ବନ୍ଦ ‌ହୋଇଯାଇଥିବାରୁ ଏସବୁ ପ୍ରତିମୂର୍ତ୍ତି ତିଆରି କରିବାକୁ ବେଶ୍‌ ଅଧିକ ସମୟ ପାଇଥିଲେ। ମାଟି ନୁହେଁ ବରଂ ପୁଟି ଓ ଏମ୍‌ସିଲ୍‌ ଠାରେ ପ୍ରଥମେ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ତିଆରି ଆରମ୍ଭ କରିଥିଲେ। ଏମ୍‌ସିଲ୍‌ ଅଠାରେ ଏସବୁ ପ୍ରତିମୂର୍ତ୍ତି ତିଆରି କରିବା ତାଙ୍କ ପକ୍ଷରେ ବେଶ୍‌ କଷ୍ଟ କରିଥିଲା। ବାରମ୍ବାର ବିଫଳ ହୋଇଥିଲେ ହେଁ ସେ କେବେ ଧୈର୍ଯ୍ୟହରା ହୋଇ ପଡ଼ିଥିଲେ। ସମ୍ଭବକୁ ଅସମ୍ଭବ କରି ଦେଖିବାକୁ ପ୍ରୟାସ ଜାରି ରଖିଥିଲେ।

ଶେଷରେ ଏମ୍‌ସିଲ୍‌ ଅଠାରେ ଅତି ନିଖୁଣ ଭାବେ ପ୍ରତିମୂର୍ତ୍ତି ତିଆରି କରିବା ତାଙ୍କୁ ବେଶ୍‌ ସହଜ ହୋଇଥିଲା। ସେବେଠୁ ଆଉ ପଛକୁ ଚାହିଁ ନଥିଲେ। ସୁଦୀକ୍ଷା ରାଜଗାଙ୍ଗପୁରସ୍ଥ ନିର୍ମଳ ଇଂରାଜୀ ମାଧ୍ୟମ ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ପିତା ଡାକ୍ତର ସରୋଜ  ରଞ୍ଜନ ନନ୍ଦ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ୍‌ ବିଭାଗରେ କାର୍ଯ୍ୟ କରନ୍ତି। ଭବିଷ୍ୟତରେ ସେ ହୃଦ୍‌‌ରୋଗ ବିଶେଷଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସୁଦୀକ୍ଷା କହିଛନ୍ତି, କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ। ଯାହାକୁ ମୁଁ ଅତି କମ୍‌ ବସୟରେ ପ୍ରମାଣିତ କରିପାରିଛି। ପାଠ ପଢ଼ାକୁ ଯେତିକି ଗୁରୁତ୍ବ ଦିଏ,  ପ୍ରତିମୂର୍ତ୍ତି ତିଆରି କରିବାକୁ ମଧ୍ୟ ସେହି ସମୟ ଦିଅନ୍ତି। ରାତି ୧୧ଟାରୁ ୨ଟା ପର୍ଯ୍ୟନ୍ତ ପରିଶ୍ରମ କରନ୍ତି ‌ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର