ଯୁବକଙ୍କ ଜ୍ଞାନ ଉଦୟ

କଥାଟିଏ-ଯାଯାବର

ଜଣେ ଯୁବକ ସାଧୁଙ୍କ ପାଖରେ ପହଞ୍ଚି କହିଲା- ଆଜ୍ଞା, ଆତ୍ମଜ୍ଞାନ ଉପଲବ୍‌ଧି କରିବା କଅଣ ଭାରି କଷ୍ଟକର?
ସାଧୁ କହିଲେ- କିଏ କହିଲା? ତାହା ସହଜ।
ସେତିକି ବେଳେ ସାଧୁଙ୍କ ପାଖରେ ବସିଥିଲା ଜଣେ ସାଧାରଣ ଗାଉଁଲି ଲୋକଟିଏ। ହଠାତ୍‌ ଯୁବକଙ୍କୁ ସାଧୁ କହିଲେ- ମୋ ଲାଗି ଗୋଟିଏ କାମ କରିଦେବ? ତା’ ପରେ ସେଇ ଗାଉଁଲି ଲୋକଙ୍କୁ ଦେଖାଇ ସାଧୁ କହିଲେ- ୟାଙ୍କ ସହିତ ୟାଙ୍କ ଘରକୁ ଯାଇ ମୋ ଲାଗି ମସିଣାଟିଏ ଆଣିଦେବ କି?
ଯୁବକ ସେହି ଲୋକଙ୍କ ସାଙ୍ଗରେ ବାହାରିଲେ। ଗଲା ବେଳେ ଯୁବକ ପଚାରିଲେ- କେତେ ବାଟ କି? ଲୋକଟି କହିଲା- ଏଇ ପାଖରେ। ମୁଁ ତ ସବୁ ଦିନ କେତେ ଥର ଯାଏ ଆଉ ଆସେ।
ଯୁବକ ତା’ ସହିତ ଚାଲିଗଲା।
କିନ୍ତୁ ମସିଣା ନେଇ ଯୁବକ ଫେରିଲା ବେଳକୁ କ୍ଳାନ୍ତିରେ ପଡ଼ିଯିବାକୁ ବସିଥାଏ। ପହଞ୍ଚିଲା ପରେ ଢାଳେ ପାଣି ପିଇ ସେ କହିଲା- ଆଜ୍ଞା, ଧନ୍ୟ କହିବା ସେ ଲୋକଙ୍କୁ। କହିଲେ ପାଖ ବାଟ। ହେଲେ ଗୋଟିଏ ନଈ ଓ ଦୁଇଟି ପାହାଡ଼ ଟପିଲେ ଯାଇ ତାଙ୍କ ଗାଁ!
ସାଧୁ କହିଲେ- ବାପ, ସେ ସବୁ ଦିନ ଏଇ ବାଟେ ଦୁଇ ଥର ଯାଏ ଆଉ ଆସେ। ତେଣୁ ତାକୁ ସେଇ ବାଟ ପାଖ ଲାଗେ।
ହଠାତ୍‌ ଚାଉଁ କିନା ଯୁବକର ଜ୍ଞାନ ଉଦୟ ହେଲା।
ସେ ଗୁରୁଙ୍କ ପାଦ ତଳେ ପଡ଼ିଯାଇ କହିଲା- ଆଜ୍ଞା ଆପଣଙ୍କ କଥାର ମର୍ମ ଏବେ ବୁଝିପାରିଲି। ଆପଣଙ୍କ ଲାଗି ଆତ୍ମଜ୍ଞାନ ପ୍ରାପ୍ତି ସିନା ସହଜ, ମୋ ଲାଗି ଭାରି କଷ୍ଟ। କିନ୍ତୁ ମୁଁ ଆପଣଙ୍କ ଦିଗ୍‌ଦର୍ଶନରେ ଚାଲିବାକୁ ପ୍ରସ୍ତୁତ।
ସନ୍ନ୍ୟାସୀ କହିଲେ- ମୋ ପରୀକ୍ଷାର ମର୍ମ ବୁଝିଲ; ତେଣୁ ମୋର ଶିଷ୍ୟ ମଧୢ ହେଲ।

ସମ୍ବନ୍ଧିତ ଖବର