ଦାମ୍‌ ଓ ମୂଲ୍ୟ

କଥାଟିଏ-ଯାଯାବର

ଗୋଟିଏ ସହରରୁ ଦୁଇ ଜଣ ତରୁଣ ବନ୍ଧୁ ବାହାରର ବିଶ୍ବବିଦ୍ୟାଳୟରେ ଶିକ୍ଷା ଶେଷ କରି ଫେରିଗଲେ। ଫେରିବା ପରେ ଜଣେ ସହରର ଉଚ୍ଚ ପଦରେ ଚାକିରି କଲା। ଆର ଜଣକ ଚାକିରିବାକିରି ନ କରି ଚିତ୍ର ଆଙ୍କିବାରେ ମନ ଦେଲା। ଚିତ୍ରକର ଯୁବକର ବାପାମା’ଙ୍କ ମନରେ ନିରାଶା ଦେଖା ଦେଲା। କାରଣ ସେମାନେ ଚାହୁଥିଲେ ତାଙ୍କ ପୁଅଟି ବି ଶିକ୍ଷା ସାରିବା ପରେ ଭଲ ଚାକିରି କରୁ ଏବଂ ପ୍ରତିଷ୍ଠିତ ହେଉ। ଚିତ୍ରକର ଯୁବକଟି ମଧ୍ୟ ଭଲ ପଢୁଥିଲା, ତେଣୁ ଆଶା ରହିବା ସ୍ବାଭାବିକ।
ଏମିତି କିଛି ଦିନ ବିତିଗଲା। ଥରେ ଉଚ୍ଚ ପଦାଧିକାରୀ ଯୁବକଟି ବିଶ୍ବବିଦ୍ୟାଳୟରେ ତାର ପ୍ରିୟତମ ଶିକ୍ଷକଙ୍କୁ ଭେଟିବାକୁ ଗଲା। ଶିକ୍ଷକ ମହାଶୟ ଯୁବକ ଠାରୁ ସବୁ ଶୁଣିଲେ ଏବଂ ତାର ବନ୍ଧୁଟି କିଭଳି ଚାକିରି ନ କରି ଚିତ୍ର କରିବାରେ ସମୟ ବ୍ୟୟ କରୁଛି, ତାହା ମଧ୍ୟ ଜାଣିଲେ। ସବୁ ଶୁଣିବା ପରେ ଶିକ୍ଷକ କହିଲେ- ତୁମର ତ ଦାମ୍‌ ବହୁତ ବଢ଼ିଛି। କିନ୍ତୁ ତୁମ ବନ୍ଧୁଟି ତାର ମୂଲ୍ୟ ବଢ଼ାଇବାରେ ଲାଗିଛି।
ଯୁବକ ପଚାରିଲା- ଦାମ୍‌ ଏବଂ ମୂଲ୍ୟ କ’ଣ ଏକା କଥା ନୁହେଁ?
ଶିକ୍ଷକ କିଛି କହିଲେ ନାହିଁ।
ଅନେକ ବର୍ଷ ବିତିଗଲା। ଯୁବକଟି ପରିଣତ ବୟସରେ ଏକ ଅତି ଉଚ୍ଚ ପଦରେ ଅବସର ନେଲା। କିନ୍ତୁ ତା’ ପରେ ସେ ଯେମିତି ହଠାତ୍‌ ଗୁରୁତ୍ବହୀନ ହୋଇପଡ଼ିଲା। ପଦରେ ଥିବା ବେଳର ଗରିମା ବା ସମ୍ମାନ ଆଉ ତାକୁ ମିଳିଲା ନାହିଁ। କିନ୍ତୁ ସେତେବେଳକୁ ତାର ବନ୍ଧୁ ଜଣେ ପ୍ରବୀଣ ଚିତ୍ରକର। ତାର ଯଶ ବିଭିନ୍ନ ଦିଗରେ ବ୍ୟାପ୍ତ।
ଏବେ ଅବସର ନେଇଥିବା ଯୁବକଟି ମନରେ ଶିକ୍ଷକଙ୍କ କଥା ଖେଳିଗଲା। ସତରେ ଦାମ୍‌ ଏବଂ ମୂଲ୍ୟ ଭିତରେ ଏତେ ତଫାତ୍‌! ଦାମ୍‌ ଦିନେ ଖସିଯାଏ। ଏହା ବେପାରର ମାଧ୍ୟମ ମାତ୍ର। କିନ୍ତୁ ମୂଲ୍ୟ ଏକ ଚିରନ୍ତନ ବିଷୟ। ଏହାର କ୍ଷୟ ନ ଥାଏ; ଯେମିତି ପାଣିର ମୂଲ୍ୟ କେହି ହେଲେ ଦେଇ ପାରିବେ ନାହିଁ, କିନ୍ତୁ ତାହା ବୋତଲ ପିଛା କେଇ ଟଙ୍କା ଦାମ୍‌ରେ ବିକ୍ରି ହୁଏ।

ସମ୍ବନ୍ଧିତ ଖବର