ମୋ ତୀର୍ଥ ସରିଲା

କଥାଟିଏ-ଯାଯାବର

ଗାଁ ଲୋକେ ତୀର୍ଥରେ ବାହାରିଲେ। ଜଣେ ଯୁବକ ଯାହାକୁ ସମସ୍ତେ ଆଡ଼ବାୟା ବୋଲି କହନ୍ତି ପଚାରିଲା- ତୀର୍ଥ କ’ଣ ପାଇଁ? ଲୋକେ କହିଲେ- ଭଗବାନଙ୍କ ଦର୍ଶନ ପାଇଁ। ଆଡ଼ବାୟା କହିଲା- ମୁଁ ବି ଯିବି। ସମସ୍ତେ କହିଲେ- ବାବୁରେ, ଭାରି ବିପଦସଙ୍କୁଳ ରାସ୍ତା। ଯିବା କଥା କହନା। କିନ୍ତୁ ତା’ର ଏକା ଜିଦ ସେ ନିଶ୍ଚୟ ଯିବ।
ଯାତ୍ରା ଭୀଷଣ କ୍ଳାନ୍ତିଦାୟକ ଥିଲା। କିନ୍ତୁ ଯାତ୍ରା ଯେତିକି ବାଧୁ ନ ଥିଲା, ବେଶୀ କଷ୍ଟ ଓ ବିରକ୍ତି ଆଣୁଥିଲା ଆଡ଼ବାୟା ଯୁବକର ପ୍ରଶ୍ନ- ଭଗବାନ କାହାନ୍ତି?
ଯାହା ହେଉ ଶେଷରେ ତୀର୍ଥଯାତ୍ରୀ ଦଳ ଏମିତି ଏକ ଜାଗାରେ ପହଞ୍ଚିଲେ ଯେଉଁଠି ଆଉ ଆଗକୁ ଯିବା ସମ୍ଭବ ନ ଥିଲା। କାରଣ ପାହାଡ଼ କଟାଯାଇ ଏକ ଅତ୍ୟନ୍ତ ସରୁ ରାସ୍ତା ତିଆରି ହୋଇଥିଲା, ଯାହା ପାଣି ଓ ଶିଉଳିରେ ପୂରାପୂରି ପିଚ୍ଛିଳ ଥିଲା। ତା’ ଉପରେ ପାଦ ଦେବାର ଅର୍ଥ ଗୋଡ଼ ଖସି ଗଭୀର ଖାତରେ ପଡ଼ି ପ୍ରାଣ ହରାଇବା। କିନ୍ତୁ ସେଠି ଜଣେ ଲୋକ ଗଧଟିଏ ଧରି ବସିଥିଲା। ସେ ଗଧ ପିଠିରେ ଜଣ ଜଣ କରି ଲୋକଙ୍କୁ ବସାଇ ଦଶଟି ମୁଦ୍ରା ବିନିମୟରେ ସେଇ ଅତ୍ୟନ୍ତ ବିପଜ୍ଜନକ ରାସ୍ତାକୁ ପାର କରାଉଥିଲା। ଯାତ୍ରୀମାନେ ସେଇ ଗଧ ପିଠିରେ ବସି ରାସ୍ତା ପାର ହେଲେ। ଆଡ଼ବାୟା ଯୁବକ ବି ତା’ ଉପରେ ବସି ରାସ୍ତା ପାର ହେଲା।
ଆର ପଟରେ ପହଞ୍ଚିଲା ବେଳକୁ ସେ ପୂରା ଡରିଯାଇଥିଲା। ହତଭମ୍ବ ହୋଇ ସେ ଗଧ ପିଠିରେ ବସି ରହିଥିଲା। ସହଯାତ୍ରୀମାନେ ତାକୁ ଗଧ ପିଠିରୁ ଓହ୍ଲାଇବାକୁ କହିବାରୁ ସେ କହିଲା- ଗଧ କାହିଁ? କେଉଁ ଗଧ କଥା କହୁଛ?
ସହଯାତ୍ରୀମାନଙ୍କ ଧୈର୍ଯ୍ୟର ସୀମା ଟପିଯାଇଥିଲା। ସେମାନଙ୍କ ଭିତରୁ ଜଣେ ତା’ ଗାଲରେ ଚଟକଣାଟିଏ କଷି ଦେଇ କହିଲା- ଗଧ ପିଠିରେ ବସି ପଚାରୁଛୁ ଗଧ କାହିଁ?
ଆଡ଼ବାୟା ଯୁବକ ଗାଲକୁ ଆଉଁଷି କହିଲା- ୟେ ଗଧ ନୁହେଁ, ୟେ ହିଁ ଭଗବାନ। ମୋର ତୀର୍ଥ ସରିଲା। ଏହା କହି ସେ ଏକୁଟିଆ ସେହି ଗଧ ପିଠିରେ ବସି ଫେରି ଆସିଲା।

ସମ୍ବନ୍ଧିତ ଖବର