ବଜାରରେ ଗେଣ୍ଡୁଫୁଲ

ସତ୍ୟନାରାୟଣ ଗନ୍ତାୟତ

ପଚାରିଲ ଯେ, କ’ଣ ଆଉ କହିବା ଏ ଗଡ଼ଗଡ଼ା ସହର କଥା?
ତେବେ ଶୁଣ, ଏଠି କିଛି ଉପୁଜେନି, ତୟାର ହୁଏନି ବା ଗଢ଼ା ଯାଏନି। କିନ୍ତୁ, ଏଇଠି ସବୁ ଚିଜ ମିଳେ!
ଏମିତିଆ ସହରର ବଜାରକୁ ସେଦିନ ଗଣ୍ଡେ ଗେଣ୍ଡୁଫୁଲ କିଣିବାକୁ ଯାଇଥିଲୁ। ହେଲେ ସେଠି ପହଞ୍ଚନ୍ତେ ଦେଖିଲୁ ଏକ ଅଜବ ଦୃଶ୍ୟ। ପାଖ ସହରରୁ ଗେଣ୍ଡୁଫୁଲ ମୁଣ୍ଡେଇ ବିକିବାକୁ ଆସିଥିବା ମହିଳାମାନଙ୍କୁ ଏଠିକା ବେପାରୀଏ ଘେରି ସେମାନଙ୍କ ସବୁତକ ଫୁଲଝୁଡ଼ି ଏକ ରକମ କବ୍‌ଜା କରି ନେଇ ଯାଉଛନ୍ତି। ଏଣେ ଆମ ପରିକା ମାଣବସା ଗୁରୁବାର ପାଳିବାର ମହାର୍ଘ କାମନା ନେଇ ଗେଣ୍ଡୁଫୁଲ କିଣି ନେବାକୁ ଆସିଥିବା କିଣାଳୀ ଦଳ ଆପଣା ଆପଣାର ଚିରାଚରିତ ଭୂମିକା ନିର୍ବାହ କରୁଛନ୍ତି, ଅର୍ଥାତ୍‌ ନିରୁପାୟ ହୋଇ ନିରବ ଦ୍ରଷ୍ଟା ପାଲଟି ଯାଇଛନ୍ତି।
କାରଣ ସେମାନେ ଜାଣନ୍ତି ଯେ ଗଡ଼ଗଡ଼ା ସହରର ବଜାର କୋଉ ଅନାଦି କାଳରୁ ବିକାଳିଙ୍କ ଦ୍ବାରା କବଳିତ। ଅନ୍ୟ ସହରର ବଜାରଠୁ ଅତି ନିକୁଛରେ ଦି ଗୁଣା ଦରରେ ଫି ଜିନିଷ ଯେନ ତେନ ପ୍ରକାରେଣ ବିକିବାର ମହତ ଉଦ୍ଦେଶ୍ୟ ନେଇ ହିଁ ଏଠିକା ବଜାରର କାରବାର ଆରମ୍ଭ ହୋଇଥାଏ। ଚଢ଼ା ଦର ଶୁଣି ତୋବା ତୋବା ହୋଇ କିଣାଳୀଏ ଯେଝା ବାଟରେ ବାହୁଡ଼ି ଯାଆନ୍ତୁ ଓ ଚିଜତକ ପଚି ଶଢ଼ି ବରବାଦ ହୋଇଯାଉ ପଛକେ ଉଚିତ ଦରରେ କଦାପି ନ ବିକିବାର ଦୃଢ଼ ସଂକଳ୍ପ ସତେ ଅବା ନେଇଥାନ୍ତି ଏଠିକା ବେପାରୀଏ।
ହଁ ଗେଣ୍ଡୁଫୁଲ କଥା ପଡ଼ିଥିଲା। ଆଉ ଆପଣ ବି ପଚାରି ପାରନ୍ତି ଗେଣ୍ଡୁଫୁଲ ଗଛ ଦି’ଟା ବାଡ଼ିରେ ଲଗାଇ ପାରୁନା? ଲାଗୁଚି ଭାରି ଅଳସୁଆ ତୁମ ଗଡ଼ଗଡ଼ା ବାସିନ୍ଦାଏ!
ହଁ ଆଜ୍ଞା, କଥାଟା ଠିକ୍ ଠଉରାଇଚନ୍ତି। କିନ୍ତୁ କ’ଣ କରାଯିବ? ମାଣବସା ଗୁରୁବାରର ଶେଷ ପାଳି ପରା! ସୁତରାଂ ସାରା ଗଡ଼ଗଡ଼ା ସହର ଗେଣ୍ଡୁଫୁଲ ଖୋଜି ଖୋଜି ଆସି ପହଞ୍ଚି ଯାଇଚି ବଜାରରେ।
ଆମ ନିଜ ଘରେ ଅବଶ୍ୟ ଛୋଟକାଟିଆ ବଗିଚାଟିଏ ଅଛି ଓ ତହିଁରେ ଅନ୍ୟ କିଛି ଫୁଲ ଗଛଙ୍କ ସହ ଏ ବର୍ଷ ଦି ଚାରିଟା ଗେଣ୍ଡୁ ଗଛ ବି ଲଗା ଯାଇଅଛି। ତେବେ ଏ ନେଇ ଆମର ଗୋଟିଏ ‘କହି ହୁଏନା କି ସହି ହୁଏନା’ ଜାତୀୟ ପୁରୁଣା ଦୁଃଖ ବି ରହିଅଛି। କଥା ହେଲା ଆମେ ହିଁ ଆମ ନିଜ ବାଡ଼ିରୁ ନିଜେ ଚୋରି ନ କଲେ ବହୁ ସମୟରେ ଆମକୁ ଫୁଲ ମିଳି ନଥାଏ। କିଏ ଡାଳେ ଡାଳେ ଗଲେ ଆଉ କିଏ ପତରେ ପତରେ ଯାଏ ଭଳି କଥା ଇଏ। କଥା ହେଲା, ଆମ ବାଡ଼ିରୁ ନିତି ଫୁଲ ଚୋରି ହୁଏ। ସୁତରାଂ, ଫୁଲ ଚୋର ଆମ ବଗିଚା ଉପରେ ନଜର ପକାଇବା ଆଗରୁ ଅତି ପାହାନ୍ତାରୁ ଉଠି ଆମେ ଆମ ବାଡ଼ିର ଫୁଲକୁ ତରବର ହୋଇ ଚୋର ବାଗିଆ ତୋଳି ପକାଉ।
ଏହା ଭିତରେ ଗେଣ୍ଡୁଫୁଲ ଫୁଟିବା ସୁରୁ ହେଲା। ତା’ ସହ ଆରମ୍ଭ ବି ହୋଇଗଲା ମାର୍ଗଶିର ମାସର ମାଣବସା ଗୁରୁବାର। ଏଣିକି ସବୁ ପାଳିରେ ରୀତିମତ ମଧ୍ୟ-ରାତ୍ରି ପର ଠୁ ସତର୍କ ହୋଇ ରହିବାକୁ ପଡ଼ିଲା। ରାତି ଅନିଦ୍ରା ହେଲୁ ସିନା ପୂଜା ଲାଗି ଫୁଲ ମିଳିଗଲା।
ସବୁ ଠିକଠାକ ଚାଲିଥିଲା। ତେବେ ଶେଷ ପାଳି ଗୁରୁବାର ବେଳକୁ ହୋଇଗଲା ଗଡ଼ବଡ଼। କାରଣ ଶେଷ ପାଳିରେ ବହୁ ପ୍ରକାରର ପିଠା ପ୍ରସ୍ତୁତି ପାଇଁ ମଧ୍ୟ ରାତ୍ରି ଯାଏ ଚେଇଁ ରହିଥିବା ଘରଣୀ ପିଠାଦି ପ୍ରସ୍ତୁତ କରିବା ପରେ ଘଡ଼ିଏ ଆଖି ପକାଇ ପୁଣି ପାହାନ୍ତା ନ ହେଉଣୁ ଉଠିଯିବା ଯୋଜନାରେ ଅଳପ ଘୁମେଇ ପଡ଼ିବା କାଳରେ ଅତି ସିଆଣିଆ ଫୁଲଚୋର ବାଡ଼ିର ଗେଣ୍ଡୁ ଗଛ ଲଣ୍ଡା କରିଦେବାରେ ସଫଳ ହେଲା।
ଅଗତ୍ୟା ବଜାର ନ ଗଲେ ନ ଚଳେ। ହେଲେ ସେଠି ପହଞ୍ଚନ୍ତେ ଏ ଅଭାବିତ ଦୃଶ୍ୟ! ଭାରି ରାଗ ମାଡ଼ିଲା। ହେଲେ କ’ଣ କରାଯାଏ? ଏ ଗଡ଼ଗଡ଼ା ସହରର ବାସିନ୍ଦାଏ ସର୍ବଦା ଏମିତି; ଏହିଭଳି ପରିସ୍ଥିତିରେ କିଛି କିଣିଲା ବେଳେ ସେମାନଙ୍କୁ ଯେମିତି କାଳିସୀ ଲାଗିଯାଏ; ଧରାପରା ହୋଇ ଯାହା ବି ଦର ହେଉ କିଣି ପକାନ୍ତି। ମନେ ପଡ଼ିଯାଉଥିଲା କିଛି ମାସ ତଳର କଥା। ଥରେ ମୁଖ୍ୟ ରାସ୍ତାରେ ଠାଏ ବହୁ ଲୋକ ଠିଆ ହୋଇ ଓ ନଇଁ ହାଉଜାଉ ହେଉଥିବା ଦେଖି କ’ଣ ହୋଇଗଲା ବୋଲି ଭାବି ଘାବରେଇ ହେବା ବେଳକୁ ଜଣାପଡ଼ିଲା ଯେ ଜଣେ ପାଖ ସହରରୁ ଶ୍ରାବଣ ଛତୁ ବସ୍ତାଏ ଆଣି ସେଠି ପସରା ମେଲିଛି ଓ ତାକୁ ନ କିଣିଲେ ସତେ ଅବା ନର୍କରେ ଶଢିବେ ବୋଲି ଭାବି ସମସ୍ତେ ଝାଂପି ପଡ଼ି ଚଢ଼ା ଦରରେ ତାହା କିଣିବାରେ ବ୍ୟସ୍ତ।
ତେବେ ସେଦିନ ସିନା ଛତୁ ନ କିଣି ମୁହଁ ମୋଡ଼ି ଚାଲି ଯାଇଥିଲୁ। ହେଲେ ଏବେ ଗେଣ୍ଡୁଫୁଲ ନ ନେଲେ ନ ଚଳେ! ଗଡ଼ଗଡ଼ା ଲୋକଙ୍କ ସ୍ବଭାବ ଜାଣି ସହରର ସର୍ବ ପୁରାତନ ‘କଲର୍ ଫୁଲ୍ ଫ୍ଲୋରିଷ୍ଟ’ର ସୁପରିଚିତ ମାଲିକ ‘ଦିଟଙ୍କାରେ ଗୋଟେ ଫୁଲ’ ହିସାବରେ ବିକିବା ସୁରୁ କରିଦେଲେ! ସୁତରାଂ, ଏବେ ନ ନେଲେ କିଛି ବି ଫୁଲ ମିଳିବନି ବୋଲି ହେଜି ଅଗତ୍ୟା ପଚାଶ ଟଙ୍କାର ଫୁଲ କିଣି ଆଣି ଘରଣୀଙ୍କୁ ଦେଇ କହିଲୁ- ‘ବସ୍ତ୍ର ଅଭାବେ ସୂତ୍ର ଦାନ ପ୍ରାୟେ ଏତକ ଫୁଲରେ ପୂଜିବା ଚଳାଇ ଦିଅ।’
ତା’ ପରେ ପୁଣି କହିଲୁ, ‘ମାଆ ମହାଲକ୍ଷ୍ମୀ ଆମର ଏ ଅବସ୍ଥାରୁ ଠିକ୍ ଜାଣିଯିବେ ଯେ ଆମ ପୂଜାରେ ରତିଏ ସୁଦ୍ଧା ଊଣା ନାହିଁ। କାରଣ ଫୁଲର ଚୋରି ଭଳି କୃଚ୍ଛ୍ର ସାଧନା କରୁଥିବା ବା ‘ବାଣିଜ୍ୟେ ବସତେ ଲକ୍ଷ୍ମୀ’ ଜପି ଚାଲିଥିବା ତାଙ୍କ ଭକ୍ତମାନଙ୍କ ତାକତ ବିଷୟରେ ମାଆଙ୍କୁ ଭଲ ଭାବେ ଜଣା!’
‘ସୁହାସିତମ୍’, କସ୍ତୁରୀ ନଗର ରାୟଗଡ଼ା: ୭୬୫୦୦୧

ସମ୍ବନ୍ଧିତ ଖବର