ପାକିସ୍ତାନ ସଂକଟ: ସଂବିଧାନ, ସୁପ୍ରିମ କୋର୍ଟ ଓ ସେନା

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଏହି ଅଗ୍ରଲେଖଟି ପ୍ରକାଶିତ ହେଲା ବେଳକୁ ପାକିସ୍ତାନର ରାଜନୈତିକ ଅବସ୍ଥା କ’ଣ ହୋଇଥିବ, ତାହା ଆକଳନ କରିବା ସମ୍ଭବପର ନୁହେଁ। କାରଣ, ପାକିସ୍ତାନରେ ଗଣତାନ୍ତ୍ରିକ ଶାସନ ଚାଲିଛି ବୋଲି କୁହାଯାଉଥିଲେ ମଧ୍ୟ ଅତୀତ କହୁଛି ସେନା ହେଉଛି ଏଠାକାର ଅସଲ କ୍ଷମତାର କେନ୍ଦ୍ର। ଇମରାନ ଖାଁଙ୍କ ପୂର୍ବରୁ ନୱାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ୨୦୧୪ରେ ଯେତେବେଳେ ନରେନ୍ଦ୍ର ମୋଦୀଙ୍କ ସରକାର ଶପଥ ଗ୍ରହଣ କଲା, ସେତେବେଳେ ତାଙ୍କ ନିମନ୍ତ୍ରଣ ପାଇ ନୱାଜ ସରିଫ ଦିଲ୍ଲୀ ଆସିଥିଲେ, ସେଠାକାର ସେନାବାହିନୀକୁ ଯାହା ପସନ୍ଦ ହୋଇନଥିଲା। ଏହାଛଡ଼ା କେନ୍ଦ୍ର ଏସିଆରୁ ଫେରିବା ବେଳେ ଆକସ୍ମିକ ଭାବରେ ମୋଦୀ ଲାହୋରରେ ଓହ୍ଲାଇ ନୱାଜ ସରିଫଙ୍କ ଘରକୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଯିବା ଯେ କେବଳ ସମସ୍ତଙ୍କୁ ଚକିତ କରିଥିଲା ସେତକ ନୁହେଁ, ପାକ୍ ସେନା ମଧ୍ୟ ଆହୁରି ଅସନ୍ତୁଷ୍ଟ ହୋଇଥିଲା। ସେତେବେଳେ ନୱାଜ ସରିଫ ଅନ୍ୟ କେତେକ ବରିଷ୍ଠ ସେନାଧ୍ୟକ୍ଷଙ୍କୁ ଅଣଦେଖା କରି ବର୍ତ୍ତମାନର କନିଷ୍ଠ ସେନାପତି କ୍ୱମର ଜାଭେଦ ବାଜୱାଙ୍କୁ ସେନାଧ୍ୟକ୍ଷ ପଦ ଦେଇଥିଲେ। କିନ୍ତୁ ପରବର୍ତ୍ତୀ କାଳରେ ନୱାଜ ସରିଫ ନିଜର କ୍ଷମତା ଜାହିର କରିବାକୁ ଚେଷ୍ଟା କରିବାରୁ ଜେନେରାଲ ବାଜୱା ତାଙ୍କୁ ହଟାଇବା ଚେଷ୍ଟାରେ ଲାଗିଲେ ଓ ଯେତେବେଳେ ‘ପାନାମା ପେପର୍ସ’ରେ ବାହାରିଲା ଯେ, ବିଦେଶୀ ବ୍ୟାଙ୍କ୍‌ ମାନଙ୍କରେ ତାଙ୍କର ଓ ତାଙ୍କ ପୁଅଙ୍କର ବିପୁଳ ଅର୍ଥ ଅଛି, ସେତେବେଳେ ତାଙ୍କୁ କ୍ଷମତାଚ୍ୟୁତ କରାଗଲା ଓ ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇଥିଲା। କିନ୍ତୁ ଆମେରିକା ଓ ସାଉଦି ଆରବଙ୍କର ହସ୍ତକ୍ଷେପ ଫଳରେ ତାଙ୍କୁ ଦେଶାନ୍ତର କରି ଦିଆଯାଇଛି ଓ ଏବେ ସେ ଲଣ୍ଡନରେ ରହୁଛନ୍ତି।
ଇମରାନ ଖାଁ ହେଉଛନ୍ତି ଏହି ସେନାବାହିନୀର ମନୋନୀତ ବ୍ୟକ୍ତି। ଦୀର୍ଘ ୨୦ ବର୍ଷ କାଳ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଅପେକ୍ଷା କରି ବସିଥିଲେ। ଗତ ନିର୍ବାଚନରେ ସେନାବାହିନୀ ସବୁ କ୍ଷମତା ପ୍ରୟୋଗ କରି ଭୋଟ ଜାଲିଆତି କଲା ଓ ତାଙ୍କୁ ବିଜୟୀ କରାଇଲା।

କିନ୍ତୁ ଇମରାନ ଖାଁ କିଛି କାଳ ପରେ ନିଜର ଆଧିପତ୍ୟ ବିସ୍ତାର ଆରମ୍ଭ କରିବାରୁ ସେନା ସହ ତାଙ୍କର ମତଭେଦ ହେଲା। ବିଶେଷ କରି ଗୋଟିଏ ମୁଖ୍ୟପଦ ଆଇଏସ୍‌ଆଇର ମହାନିର୍ଦ୍ଦେଶକ ପଦରୁ ଲେଫ୍‌ଟନାଣ୍ଟ ଜେନେରାଲ ଫୌଜ ହମିଦଙ୍କୁ ବଦଳାଇ ତାଙ୍କ ଜାଗାରେ ଲେଫ୍‌ଟନାଣ୍ଟ ଜେନେରାଲ ନଦୀମ ଅଂଜୁମଙ୍କୁ ପଦାସୀନ କରିବା ପାଇଁ ସେନାଧ୍ୟକ୍ଷ ଜେନେରାଲ ବାଜୱାଙ୍କ ପ୍ରସ୍ତାବକୁ ସେ ସହଜରେ ଗ୍ରହଣ କଲେ ନାହିଁ। ସେନା ସହ ତାଙ୍କର ମତଭେଦ ହେବାର ଏହା ଏକ ବଡ଼ କାରଣ ଅଟେ। ଦେଶର ଆର୍ଥିକ ଅବସ୍ଥା କ୍ରମଶଃ ଶୋଚନୀୟ ହେବାକୁ ଲାଗିବାରୁ ବିରୋଧୀ ଦଳମାନେ ଏହାର ସୁଯୋଗ ନେଇ ଗତ ୨ ବର୍ଷ ହେଲା ଇମରାନଙ୍କ ବିରୋଧରେ ଗଣ ଆନ୍ଦୋଳନମାନ ଚଳାଇଛନ୍ତି। ସେନାବାହିନୀ ଇମରାନଙ୍କୁ କ୍ଷମତାରେ ରଖିବା ପାଇଁ କୌଣସି ଚେଷ୍ଟା କରୁନାହିଁ। ବିରୋଧୀମାନେ ଏହାର ସୁଯୋଗ ନେଇ ସେଠାକାର ନ୍ୟାସନାଲ ଆସେମ୍ଲି (ଭାରତର ଲୋକସଭା ପରି)ରେ ଇମରାନ ଖାଁଙ୍କ ସରକାର ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବକୁ ଶତାଧିକ ସଦସ୍ୟ ସମର୍ଥନ କରିଥିବାରୁ ଆଲୋଚନା ଓ ଭୋଟଦାନ ପାଇଁ ତାହାକୁ ସେଠାକାର ବାଚସ୍ପତି ଗୃହୀତ କରିଥିଲେ। ସେଠାକାର ବର୍ତ୍ତମାନର ସମ୍ବିଧାନ ଅନୁସାରେ (ଏଯାଏଁ ପାକିସ୍ତାନରେ ମୋଟ୍ ୪ଟି ସମ୍ବିଧାନ ସ୍ୱାଧୀନତା ପରେ ପ୍ରଣୀତ ହେଲାଣି) ଅନାସ୍ଥା ପ୍ରସ୍ତାବ ଅଣାଗଲେ ତାହାର ବିତର୍କ ୩ ରୁ ୭ଦିନ ମଧ୍ୟରେ କରାଯିବ ଓ ବିତର୍କ ପରେ ଭୋଟ ଗ୍ରହଣ କରାଯିବ। କିନ୍ତୁ ଯେଉଁ ଦିନ ଏହି ବିତର୍କ ହେବ ବୋଲି ବାଚସ୍ପତି ସ୍ଥିର କରିଥିଲେ, ସେ ଦିନ ସେ ନିଜେ ଉପସ୍ଥିତ ରହିଲେ ନାହିଁ। ତାଙ୍କ ଜାଗାରେ ଉପବାଚସ୍ପତି କ୍ୱାସିମ ସୁରୀ ଗୃହ ପରିଚାଳନା କଲେ। ପ୍ରଥମରୁ ସେ ସୂଚନା ମନ୍ତ୍ରୀ ଫୌୱାଦ ଚୌଧୁରୀଙ୍କୁ ଭାଷଣ ଦେବାକୁ ଅନୁମତି ଦେଇଥିଲେ। ଫୌୱାଦ ଚୌଧୁରୀ କହିଥିଲେ ଯେ, ବିଦେଶୀ ଶକ୍ତିମାନେ ପାକିସ୍ତାନକୁ ଧ୍ୱଂସ କରିବାକୁ ଷଡ଼୍‌ଯନ୍ତ୍ର କରୁଛନ୍ତି। ତେଣୁ ଏହି ଅନାସ୍ଥା ପ୍ରସ୍ତାବକୁ ଖାରଜ କରାଯାଉ ତଥା ଗୃହକୁ ମୁଲତବି କରାଯାଉ। ଉପବାଚସ୍ପତି ସେଇଆ କଲେ ଓ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ନ କରି ତାହାକୁ ଖାରଜ କରିଦେଲେ ଓ ଗୃହକୁ ମଧ୍ୟ ମୁଲତବି କରିଦେଲେ। ଏହା ପରେ ଇମରାନ ଖାଁ ଦେଶର ରାଷ୍ଟ୍ରପତି ଡ. ଅରିଫ ଆଲଭିଙ୍କୁ ସୁପାରିସ କଲେ ଯେ, ଗୃହକୁ ଭାଙ୍ଗି ଦିଆଯାଉ। ରାଷ୍ଟ୍ରପତି ଆଲଭି ସେୟା କଲେ ତଥା ଗୃହକୁ ଭାଙ୍ଗି ଦେଇ ୯୦ ଦିନ ପରେ ନିର୍ବାଚନ ହେବ ବୋଲି ଘୋଷଣା କଲେ।

କିନ୍ତୁ ପାକିସ୍ତାନ ଇତିହାସରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଲା ଓ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଉମର ଅଦା ବାନ୍ଦିଆଲ ଆପେ ଆପେ ସୁପ୍ରିମ୍‌ କୋର୍ଟର ଅଧିବେଶନ ଡାକି ଗୃହ ଭଙ୍ଗ ଉପରେ ବିଚାର ଆରମ୍ଭ କଲେ। ତାଙ୍କୁ ବିରୋଧୀ ଦଳର ଓକିଲ କହିଲେ, ସୁପ୍ରିମ୍‌ କୋର୍ଟର ପୂର୍ଣ୍ଣ ଖଣ୍ଡପୀଠ ଅର୍ଥାତ୍ ସବୁ ବିଚାରପତି ଏହି ଅନାସ୍ଥା ପ୍ରସ୍ତାବ ଉପରେ ବିଚାର କରନ୍ତୁ। କିନ୍ତୁ ମୁଖ୍ୟ ବିଚାରପତି ବାନ୍ଦିଆଲ ପୂରା ଖଣ୍ଡପୀଠ ଗଠନ ନ କରି ପାଞ୍ଚଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି ଓ ତାହା ଏବେ ଏହି ମାମଲାର ଶୁଣାଣି ଚଳାଇଛି। ଅତୀତରେ ମାତ୍ର ବର୍ଷାଧିକ କାଳ ତଳେ ନେପାଳରେ ଠିକ୍ ଏହି କଥା ଘଟିଥିଲା। ସେଠାକାର ତଦାନୀନ୍ତନ ପ୍ରଧାନମନ୍ତ୍ରୀ କେ.ପି.ଓଲି ଶର୍ମା ସେଠାକାର ସଂସଦରେ ସଂଖ୍ୟାଗରିଷ୍ଠତା ହରାଇବାରୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରିଙ୍କୁ ସଂସଦ ଭଙ୍ଗ କରି ନୂଆ ନିର୍ବାଚନ କରାଇବା ପାଇଁ ସୁପାରିସ କରିଥିଲେ। ରାଷ୍ଟ୍ରପତି ଭଣ୍ଡାରି ମଧ୍ୟ ସେୟା କରିଥିଲେ। ମାମଲା ସୁପ୍ରିମ୍‌ କୋର୍ଟକୁ ଗଲା। ମୁଖ୍ୟ ବିଚାରପତି ଚୌଳେନ୍ଦ୍ର ସମଶେର ରାଣା, ଏକ ପୂର୍ଣ୍ଣ ଖଣ୍ଡପୀଠ ଗଠନ କରି ଏହାର ବିଚାର କଲେ ଓ ଗୃହ ଭଙ୍ଗକୁ ଅସାମ୍ବିଧାନିକ ବୋଲି ଘୋଷଣା କଲେ। ତେଣୁ ଗୃହକୁ ପୁନଃ ସ୍ଥାପିତ କରାଗଲା ଓ ଆଉ ଜଣେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କଲେ। ସେ ସରକାର ବର୍ତ୍ତମାନ ମଧ୍ୟ ଚାଲିଛି।
ତେବେ ପାକିସ୍ତାନର ସୁପ୍ରିମ୍‌ କୋର୍ଟର ବାସ୍ତବ କ୍ଷମତା କେତେ ତାହା ସ୍ଥିର ନୁହେଁ। କାରଣ ଜେନେରାଲ ପରଭେଜ ମୁସରଫ ରାଷ୍ଟ୍ରପତି ଥିଲା ବେଳେ ତଦାନୀନ୍ତନ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଇଫତିଖାର ମହମ୍ମଦ ଚୌଧୁରୀଙ୍କୁ ତାଙ୍କ ପଦରୁ ବରଖାସ୍ତ କରିଥିଲେ ଓ ସେନାବାହିନୀ ତାଙ୍କୁ ସୁପ୍ରିମ୍‌ କୋର୍ଟ ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥିଲା।

ପାକିସ୍ତାନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୃହ ଭଙ୍ଗ ହେବାରୁ ସେଠାକାର ଆଟର୍ଣ୍ଣି ଜେନେରାଲ ଓ ଉପଆଟର୍ଣ୍ଣି ଜେନେରାଲ ଦୁହେଁ ପଦରୁ ଇସ୍ତଫା ଦେଇଛନ୍ତି ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ, ସୁପ୍ରିମ୍‌ କୋର୍ଟରେ ଗୃହ ଭଙ୍ଗ ପ୍ରସଙ୍ଗ ସପକ୍ଷରେ ଯୁକ୍ତି କରିବା ଆଦୌ ସମ୍ଭବପର ନୁହେଁ। ଏଠାରେ ଆହୁରି ଗୁରୁତର କଥା ହେଉଛି, ଇମରାନ ଖାଁ କହୁଛନ୍ତି ଆମେରିକାର ଷଡ଼୍‌ଯନ୍ତ୍ରରେ ତାଙ୍କୁ ପଦରୁ ବରଖାସ୍ତ କରାଯାଇଛି। ଏହାକୁ ପ୍ରମାଣ କରିବା ପାଇଁ ସେ ଏକ ଚିଠି ଦେଖାଉଛନ୍ତି। ଏହି ଚିଠିଟି ଦେଇଛନ୍ତି ଆମେରିକାର ରାଷ୍ଟ୍ରଦୂତ ପଦ ଛାଡ଼ିଥିବା ପାକିସ୍ତାନର ଆସାଦ ମଜିଦ ଖାଁ। ସେ ଜଣେ ଆମେରିକାର ଅଧିକାରୀଙ୍କ ସହ ଏହି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରି ଯେଉଁ ଉତ୍ତର ପାଇଥିଲେ, ତାହାର ସାରାଂଶ ଉପରେ ଏହି ଚିଠିଟି ଲେଖାଯାଇଛି। କିନ୍ତୁ ପାକିସ୍ତାନ ପରି ଗୋଟିଏ ଅଣଗୁରୁତ୍ୱପୂର୍ଣ୍ଣ ଦେଶର ସରକାରଙ୍କୁ ହଟାଇବା ପାଇଁ କାହିଁକି ଆମେରିକା ସରକାର ଷଡ଼୍‌ଯନ୍ତ୍ର କରିବେ, ଏ କଥା ବିଶ୍ଳେଷକମାନେ ପ୍ରଶ୍ନ କରୁଛନ୍ତି। ଏହା ଛଡ଼ା ଚିଠିଟି ମଧ୍ୟ ଜାଲ୍ ବୋଲି ଅନ୍ୟମାନେ କହୁଛନ୍ତି।

ଯେଉଁ ଦିନ ରୁଷିଆ, ୟୁକ୍ରେନ୍‌ ଉପରେ ଆକ୍ରମଣ କଲା ସେହିଦିନ ଇମରାନ ଖାଁ ରୁଷିଆ ଗସ୍ତ କରିଥିଲେ। ଏଥିପାଇଁ ସେଠାକାର ସେନା ମୁଖ୍ୟ ଜେନେରାଲ ବାଜୱା କ୍ଷୁବ୍‌ଧ। କାରଣ ରୁଷ୍‌ର ଆକ୍ରମଣକୁ ପ୍ରବଳ ବିରୋଧ କରୁଥିବା ଆମେରିକାକୁ ଏହି ରୁଷ ଗସ୍ତ କରି ଆହୁରି ଅସନ୍ତୁଷ୍ଟ କରିବାକୁ ଜେନେରାଲ ବାଜୱା ଚାହୁଁ ନ ଥିଲେ। କାରଣ ଗୋଟିଏ ସମୟ ଥିଲା ଯେତେବେଳେ ପାକିସ୍ତାନ ୩ଟି ‘ଏ’ ବଳରେ ଚାଲିଛି ବୋଲି କୁହାଯାଉଥିଲା। ସେମାନେ ହେଲେ ଆଲ୍ଲା, ଆର୍ମି (ସେନା) ଓ ଆମେରିକା। ଏକଦା ଆମେରିକାର ଅର୍ଥ ବଳରେ ପାକିସ୍ତାନୀ ସେନାମାନଙ୍କୁ ଦରମା ଦିଆଯାଉଥିଲା; ଏବେ ଅଫଗାନିସ୍ତାନ ଯୋଗୁଁ ପାକିସ୍ତାନ-ଆମେରିକା ସମ୍ପର୍କ ଖରାପ ହୋଇଯାଇଛି। ଜେନେରାଲ ବାଜୱା, ଆମେରିକା ସହ ପାକିସ୍ତାନ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ସେ ରୁଷ୍‌କୁ ନୁହେଁ, ୟୁକ୍ରେନ୍‌କୁ ସମର୍ଥନ କରୁଛନ୍ତି। ଇମରାନଙ୍କ ରୁଷିଆ ଗସ୍ତ ତାଙ୍କୁ ସେଥିପାଇଁ ଅସନ୍ତୁଷ୍ଟ କରିଛି। ଅନାସ୍ଥା ପ୍ରସ୍ତାବ ରଦ୍ଦ ବେଳେ ସେନା ପକ୍ଷରୁ ବାର୍ତ୍ତା ଦିଆଯାଇଛି ଯେ ସେମାନେ ଏହି ସରକାର ଭଙ୍ଗା-ଗଢ଼ାରେ ସଂପୃକ୍ତ ନୁହନ୍ତି। ଅର୍ଥାତ୍‌, ଇମ୍ରାନଙ୍କୁ କ୍ଷମତାରେ ରଖିବାକୁ ସେମାନେ ଆଗ୍ରହୀ ନୁହନ୍ତି।

ଏଠାରେ ସବୁଠାରୁ ବିଚିତ୍ର କଥା ହେଲା, ଯେମିତି ଭାବରେ ପାକିସ୍ତାନରେ ଏହି ଗୁରୁତର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲିଛି, ତାହାକୁ ଦେଖିଲେ ମନେ ହେବ ସତେ ଯେମିତି ଭାରତରେ ତାହା ଘଟୁଛି। ଯାହା କିଛି ସାମ୍ବିଧାନିକ ଆଲୋଚନା ଚାଲିଛି, ତାହା ପାକିସ୍ତାନ ସମ୍ବିଧାନର ଧାରା ଅନୁସାରେ ନ ହୋଇ ଭାରତ ସମ୍ବିଧାନର ଧାରାମାନଙ୍କ ଉପରେ ହେଉଛି। ଭାରତ ପରି ସେଠାକାର ସୁପ୍ରିମ୍‌ କୋର୍ଟ ଏହି ମାମଲାର ଆପେ ଆପେ ଶୁଣାଣି ଆରମ୍ଭ କରିଛି। ଏହାଛଡ଼ା ଭାରତର ୭୨ଟି ଟିଭି ଚ୍ୟାନେଲ୍‌ମାନଙ୍କରେ ପାକିସ୍ତାନର ଏହି ସାମ୍ବିଧାନିକ ସଂକଟ ଉପରେ ଆଲୋଚନା ଚାଲିଛି, ଯେଉଁଥିରେ ଅଂଶଗ୍ରହଣକାରୀମାନେ ହେଉଛନ୍ତି ପାକିସ୍ତାନୀ। ସେମାନେ ଭାରତୀୟ ଟିଭି ଚ୍ୟାନେଲ୍‌ରେ ବସି ଆଲୋଚନା କରିବାକୁ ଆନନ୍ଦ ଅନୁଭବ କରୁଛନ୍ତି, ସଂକୋଚ ନୁହେଁ। ମନେ ହେଉଛି ସତେ ଯେମିତି ସାମ୍ବିଧାନିକ ସଂକଟ ଗୋଟିଏ ଭାରତୀୟ ରାଜ୍ୟରେ ହେଉଛି, ପାକିସ୍ତାନରେ ନୁହେଁ। ଗୃହକୁ ଭଙ୍ଗ କରାଗଲା ପରେ ଜଣେ ବିରୋଧୀ ଦଳର ସଦସ୍ୟ ବାଚସ୍ପତିଙ୍କ ଆସନରେ ବସି ଗୃହକୁ ପରିଚାଳନା କରିବାର ଦୃଶ୍ୟ ମନେ ହେଉଥିଲା ସତେ ଯେମିତି ଭାରତରେ କୌଣସି ରାଜ୍ୟରେ ଏପରି ଘଟୁଛି।
ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର