ପଣ୍ଡାମୁକ୍ତ ଦେବାଳୟ

ମନୋଜ ପରିଡ଼ା

ମୁଁ ସଂପୂର୍ଣ୍ଣ ଅବଗତ ଯେ ଉପରୋକ୍ତ ଶିରୋନାମାଟି ପଢ଼ି କତିପୟ ବ୍ୟକ୍ତିଙ୍କ ରକ୍ତଚାପ ଊର୍ଦ୍ଧ୍ବ ଗତିପ୍ରାପ୍ତ ହେବ। ଅନ୍ୟ କେତେ ଜଣ ରକ୍ତ ଚାଉଳ ଚୋବାଇ ଲେଖକଙ୍କ ସପ୍ତ ପୁରୁଷ ଉଦ୍ଧାର କରିବେ। କିନ୍ତୁ ଭାରତର ବାକ୍‌-ସ୍ୱାଧୀନତାର ଦ୍ୱାହି ଦେଇ ମୁଁ ନିବେଦନ କରିବି ଯେ ସେମାନେ ସାମୟିକ ପ୍ରାଣାୟାମ କରି ଧୀରସ୍ଥିର ମନରେ ବିଚାର କରନ୍ତୁ ଯେ ପ୍ରସ୍ତାବଟି ଗ୍ରହଣଯୋଗ୍ୟ ଅଥବା ସମ୍ପୂର୍ଣ ଅଗ୍ରାହ୍ୟ।
ନିକଟରେ ଓଡ଼ିଶା ସରକାର ଅଗଣିତ ମନ୍ଦିରଙ୍କୁ ପୁନର୍ଜୀବନ ପ୍ରଦାନ କରିଛନ୍ତି। ପ୍ରାଚୀନ ମନ୍ଦିରଗୁଡ଼ିକର କାୟାକଳ୍ପ ଘଟିଛି। ପୁରୀ ଜଗନ୍ନାଥ ମନ୍ଦିର, ମା’ ସମଲେଶ୍ୱରୀ, ମା’ ବିରଜା, ଆଖଣ୍ଡଳମଣି, ମା’ ସାରଳା, ମା’ ଉଗ୍ରତାରା, ମା’ ତାରିଣୀ ଏ ସମସ୍ତ ଦେବାଳୟଗୁଡ଼ିକର ବାହ୍ୟ ସୁନ୍ଦରୀକରଣ ଅଗଣିତ ଭକ୍ତଙ୍କ ମନରେ ଆନନ୍ଦର ଫଲ୍‌ଗୁ ଛୁଟାଇ ଦେଇଛି। ସ୍ୱଚ୍ଛ ପରିବେଶ, ବିଶ୍ରାମଗୃହ, ଶୌଚାଳୟ, ଯାନବାହନ ନିମନ୍ତେ ସ୍ବତନ୍ତ୍ର ରହଣି ସ୍ଥାନ, ସବୁଜୀକରଣ, ବୟସ୍କ ଯାତ୍ରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପରିବହନ ଭଳି ଅନେକ ନୂତନ ବ୍ୟବସ୍ଥା ଭକ୍ତମାନଙ୍କ ହୃଦୟକୁ ଆହ୍ଲାଦିତ କରିଛି।
କିନ୍ତୁ, ଏ ସମସ୍ତ ସୁବିଧା ସୁଯୋଗ ତଥା କାୟା ପରିବର୍ତ୍ତନ ମଧ୍ୟରେ ବାକି ରହିଯାଇଛି ଏକ ମୁଖ୍ୟ ସଂସ୍କାର। ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ମଧ୍ୟସ୍ଥି ଥିବା ପଣ୍ଡାମାନଙ୍କ ଭାଷା, ବେଶଭୂଷା ତଥା ବ୍ୟବହାରର ସଂସ୍କାର। ଆବହମାନ କାଳରୁ ଚାଲି ଆସୁଥିବା ଅତୀତରେ ଯଜମାନମାନେ ବଂଶାନୁକ୍ରମେ ପଣ୍ଡାମାନଙ୍କ ନିକଟରେ ପହଞ୍ଚୁଥିଲେ ତଥା ପଣ୍ଡାମାନେ କିଛି ଦକ୍ଷିଣା ବିନିମୟରେ ସେମାନଙ୍କର ରହଣି, ଖାଦ୍ୟପେୟ ତଥା ଦର୍ଶନ ଆଦିର ବନ୍ଦୋବସ୍ତ କରିଦେଉଥିଲେ। ଆଧୁନିକ ସମୟରେ ଏ ସବୁର ପ୍ରୟୋଜନ ନାହିଁ। ଏହି ପଣ୍ଡା-ଯଜମାନ ପ୍ରଥାକୁ ବିଲୁପ୍ତ କରିବା ହୁଏତ ସମ୍ଭବ ନୁହେଁ; କିନ୍ତୁ ସେଗୁଡ଼ିକୁ ମାର୍ଜିତ କରିବା ନିମନ୍ତେ ପ୍ରୟାସ ଆବଶ୍ୟକ। ନିକଟରେ ଘଟିଥିବା କେତେଗୋଟି ଘଟଣା ଯଥା ସେବକମାନଙ୍କ ମଧ୍ୟରେ ମନ୍ଦିର ପରିସର ଭିତରେ ମୁଷ୍ଟିଯୁଦ୍ଧ, କେତେକ ଭକ୍ତଙ୍କୁ ଶାରୀରିକ ଆକ୍ରମଣ, ନକଲି ପ୍ରସାଦ ତଥା ବାନା ବିକ୍ରୟ ଇତ୍ୟାଦି ସମସ୍ତଙ୍କୁ ମର୍ମାହତ କରିଛି।
କେବଳ ମନ୍ଦିରଗୁଡ଼ିକର ବାହ୍ୟ ପରିବେଶ ଅଥବା ଭିତ୍ତିଭୂମି ପରିବର୍ତ୍ତନ କଲେ ସମସ୍ୟାର ସମାଧାନ ହେବ ନାହିଁ। ଯେପରି କଂପ୍ୟୁଟରର କେବଳ ‘ହାର୍ଡୱେର୍‌’ ପରିବର୍ତ୍ତନ କରି ପୁରୁଣା ‘ସଫ୍‌ଟୱେର୍‌’ ଚଳାଇଲେ କୌଣସି ପ୍ରଗତି ହୁଏନାହିଁ। ସେହି ପରି ମନ୍ଦିର ପରିଚାଳନାରେ ପରିବର୍ତ୍ତନ କରା ନ ଗଲେ ସମସ୍ତ କାୟାକଳ୍ପ ମୂଲ୍ୟହୀନ ହୋଇଯିବ। ଇଞ୍ଜିନ ନ ବଦଳାଇ ଖାଲି ପୁରୁଣା ଗାଡ଼ିଟିକୁ ନୂଆ ରଙ୍ଗ ଦେଇ ଦେଲେ, ଯାତ୍ରୀ, ଭକ୍ତ ଅଥବା ପର୍ଯ୍ୟଟକମାନଙ୍କର ବିଶେଷ ଲାଭ ହେବ ନାହିଁ।
ତିରୁପତି, ସିରିଡିସାଇ, କାଶୀ ମହାବିନାୟକ ମନ୍ଦିରରେ ବ୍ରାହ୍ମଣ, ପୂଜାରୀ, ପଣ୍ଡା ଥାଇ ମଧ୍ୟ କୌଣସି ଯାତ୍ରୀ ଦୁର୍ବ୍ୟବହାର ଅଥବା ଆର୍ଥିକ ଶୋଷଣର ଶିକାର ହୋଇନଥାନ୍ତି। କିନ୍ତୁ, ଓଡ଼ିଶାର କତିପୟ ମନ୍ଦିରରେ ଦୂରାଗତ ଭକ୍ତମାନେ ଅନେକ ଦୌରାତ୍ମାର ସାମନା କରିଥାନ୍ତି। ପୀଡ଼ିତମାନଙ୍କ ଅଭିଯୋଗ ନିବାରଣର କୌଣସି ବ୍ୟବସ୍ଥା ନ ଥିବାରୁ, ଅସହାୟ ଭକ୍ତଗଣ ତ୍ରିବାର କର୍ଣ୍ଣ ମର୍ଦନ କରି ପୁନର୍ବାର ନ ଫେରିବାର ପଣ କରି ଦେବାଳୟରୁ ପ୍ରସ୍ଥାନ କରନ୍ତି।
ଏ ସମସ୍ତ ସମସ୍ୟାର ଏକମାତ୍ର କାରଣ ଅର୍ଥ ଲୋଭ ଏବଂ ଏକମାତ୍ର ସମାଧାନ ପର୍ଯ୍ୟାପ୍ତ ଅର୍ଥ ବିତରଣ। ଆମ ଲୋକପ୍ରିୟ ସରକାର ଯେପରି ବିଶାଳ ହୃଦୟରେ ମନ୍ଦିର ସଂଲଗ୍ନ ଜମିବାଡ଼ି, ମଠ, ଦୋକାନ ଏବଂ ଉଦ୍ୟାନ ଆଦିକୁ ପ୍ରଭୂତ ଅର୍ଥ ପ୍ରଦାନ କରି ସେଗୁଡ଼ିକୁ ସରକାରୀ ଭାବେ ଆହରଣ କରି ପୁନର୍ବିନ୍ୟାସ କରିପାରିଲେ, ସେହିପରି ଏକ ବିଶାଳ ତଥା ‘ସ୍ୱତନ୍ତ୍ର ପାଣ୍ଠି’ ପୂଜକ, ସେବକ ତଥା ସହାୟକଙ୍କ ନିମନ୍ତେ ପ୍ରସ୍ତୁତ କରନ୍ତୁ। ସରକାରଙ୍କ ଅର୍ଥ ଦାନ ବ୍ୟତୀତ, ହୁଣ୍ଡିରୁ ଆୟ ତଥା ମନ୍ଦିର ସମ୍ପତ୍ତିର ଅନ୍ୟାନ୍ୟ ଆୟ ଏହି ପାଣ୍ଠିରେ ଜମା କରାଯାଉ। ପାଣ୍ଠିର ସମସ୍ତ ପରିଚାଳନା ତଥା ସେବକମାନଙ୍କୁ ନିୟମିତ ଅର୍ଥ ବିତରଣର ଦାୟିତ୍ୱ ସେବକମାନଙ୍କ ପରିଚାଳନା ସମିତିକୁ ପ୍ରଦାନ କରାଯାଉ। ପାଣ୍ଠି ପରିଚାଳନରେ ସରକାରଙ୍କ ହସ୍ତକ୍ଷେପ ସର୍ବନିମ୍ନ ହେଉ। ମନ୍ଦିର ପରିସରରେ ଦର୍ଶନ, ପରିମଳ, ସୁରକ୍ଷା ତଥା ଭିଡ଼ ନିୟନ୍ତ୍ରଣ ସରକାରୀ କର୍ମଚାରୀଙ୍କ ଉପରେ ନ୍ୟସ୍ତ ହେଉ।
ଓଡ଼ିଶାରେ ମନ୍ଦିର ପ୍ରସାଦ ସେବନ ନିମନ୍ତେ ଭକ୍ତମାନଙ୍କର ଅସୀମ ଆଗ୍ରହ ରହିଥାଏ। ଅନ୍ତତଃ ପ୍ରସାଦର ପ୍ରସ୍ତୁତି, ମୂଲ୍ୟ ନିରୂପଣ, ବିକ୍ରୟ ଓ ବିତରଣ ଆଦି ବ୍ୟବସ୍ଥା ସରକାରୀ ତତ୍ତ୍ବାବଧାନରେ କରାଗଲେ ଭକ୍ତଗଣ ନିର୍ଦ୍ଦିଷ୍ଟ ସମୟରେ ପ୍ରସାଦ ସେବନ କରିପାରନ୍ତେ। ସେହିପରି ଦର୍ଶନ ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ସାରଣୀ ପ୍ରସ୍ତୁତ କରି ତାହାକୁ ଦୃଢ଼ ଭାବେ ପାଳନ କଲେ ଅନ୍ତତଃ ଦୂରଦୂରାନ୍ତରୁ ଆସିଥିବା ଭକ୍ତଗଣ ଅକାରଣରେ ଦୀର୍ଘ ସମୟ ଧରି ମନ୍ଦିର ପରିସରରେ ଅପେକ୍ଷା କରନ୍ତେ ନାହିଁ।
ବ୍ୟବସ୍ଥିତ ଦର୍ଶନର ସୁବିଧା ପ୍ରଦାନ କରାଗଲେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବା ସହ ପାଣ୍ଠିର ଆକାର ମଧ୍ୟ ବୃଦ୍ଧି ପାଇବ; ଏବଂ ‘ପଣ୍ଡା ମୁକ୍ତ ଦେବାଳୟ’ ସ୍ୱପ୍ନ ସାକାର ହେବ।
ମୋ: ୭୮୬୭୦୦୨୦୨୪

ସମ୍ବନ୍ଧିତ ଖବର