ଶେଷରେ ଆନ୍ଧ୍ର କୋଟିଆ ନେଇଯିବ କି?

ଗଦାଧର ପରିଡ଼ା

କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ର ପ୍ରଦେଶ ତାର ଅଧିକାର ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିଚାଲିଛି ଏବଂ ଆଜିର ସ୍ଥିତି ଅନୁଧ୍ୟାନ କଲେ ଏ କଥା ମନକୁ ଆସୁଛି ଯେ ପାଚିପେଣ୍ଟା, ବୋରାମୁଠା ଭଳି କୋଟିଆ ଗ୍ରାମପୁଞ୍ଜ ବି ବୋଧହୁଏ ଆମ ଜୀବଦ୍ଦଶାରେ ହିଁ କୋରାପୁଟ ଜିଲ୍ଲା ତଥା ଓଡ଼ିଶାର ମାନଚିତ୍ରରୁ ଲିଭିଯିବ।
ପହିଲା ଅପ୍ରେଲ, ୧୯୩୬ ମସିହା ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ସହିତ ମାଡ୍ରାସ ପ୍ରେସିଡେନ୍‌ସିରୁ ଅବିଭାଜିତ ଜୟପୁର ଜମିଦାରୀ ସହିତ, ଜମିଦାରୀ ବାହାରେ ଥିବା ପଟ୍ଟାଙ୍ଗୀ ତାଲୁକକୁ ନେଇ କୋରାପୁଟ ଜିଲ୍ଲା ବି ଗଠିତ ହୋଇଥିଲା। ମାଡ୍ରାସ ପ୍ରେସିଡେନ୍‌ସିର ଯେଉଁ ଗାଁଗୁଡ଼ିକ ଓଡ଼ିଶାକୁ ହସ୍ତାନ୍ତରିତ ହୋଇଥିଲା, ତାହାର ଏକ ତାଲିକା ବି ଓଡ଼ିଶା ସରକାରଙ୍କୁ ଦିଆଯାଇଥିଲା। ଭାଇଜାଗାପଟମର ତତ୍‌କାଳୀନ ଜିଲ୍ଲାପାଳ ଖଜଣା ଆଦାୟ କରିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ଏହି ହସ୍ତାନ୍ତରିତ ଗ୍ରାମଗୁଡ଼ିକର ତାଲିକା ସହିତ ଆଦାୟ କରାଯିବା ଖଜଣାର ବିବରଣୀ ମଧ୍ୟ ଯୋଗାଇ ଦେଇଥିଲେ, ଯେହେତୁ ଉଭୟ ପକ୍ଷ ଇଂରେଜ ସରକାରଙ୍କ ଶାସନାଧୀନ ଥିଲେ।

ତତ୍‌କାଳୀନ ପାଚିପେଣ୍ଟାର ଜମିଦାର କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ତାଙ୍କ ଗ୍ରାମମାନଙ୍କରୁ ଆଦାୟ ହୋଇଥିବା ଖଜଣା ଜମା କରିବାର ନିୟମ ଥିବା ଦୃଷ୍ଟିରୁ ଏବଂ ତିନି ବର୍ଷର ଖଜଣା ଏବଂ ପେସ୍‌କିସ ବାକି ରହିବାରୁ ୨୮.୦୭.୧୯୩୯ ଦିନ ତତ୍‌କାଳୀନ କୋରାପୁଟ ଜିଲ୍ଲାପାଳ ଏଚ୍.ଡବ୍ଲ୍ୟୁ ଆଲ୍‍ଡର୍‍ସନ୍ ଗୋଟିଏ ଚିଠି ପାଚିପେଣ୍ଟା ଜମିଦାରଙ୍କୁ ଲେଖିଥିଲେ। ସେହି ଚିଠି ପରେ ତତ୍‌କାଳୀନ ମାଡ୍ରାସ୍ ସରକାରଙ୍କ ଆଦେଶ ଅନୁପାଳନ କରି ତତ୍‌କାଳୀନ ଭାଇଜାଗାପଟମ ଜିଲ୍ଲାପାଳ ପାଚିପେଣ୍ଟା ଜମିଦାରୀ ସମେତ ସେହି ବିସ୍ତୃତ ଅଞ୍ଚଳର ଗ୍ରାମଗୁଡ଼ିକୁ ଓଡ଼ିଶା ପ୍ରଦେଶ ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ଜମିଦାରୀ ଉଚ୍ଛେଦ ପ୍ରକ୍ରିୟାରେ ଓଡ଼ିଶା ସରକାର ୨୯.୧୨.୧୯୫୨ ଦିନ ଏକ ବିଜ୍ଞପ୍ତିରେ ଏହି ଜମିଦାରୀକୁ ଉଚ୍ଛେଦ କରି ସମସ୍ତ ଗାଁଗୁଡ଼ିକୁ ଓଡ଼ିଶା ପ୍ରଦେଶରେ ସାମିଲ କରିଥିଲେ। ଏହା ପରେ ତଥା ଅନ୍ୟାନ୍ୟ ଜମିଦାରୀର ଉଚ୍ଛେଦ ପରେ ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରକାଶିତ ନକ୍‌ସାରେ ଏହି ସବୁ ଅଞ୍ଚଳ ସ୍ଥାନ ପାଇବା କଥା। କିନ୍ତୁ ପାଚିପେଣ୍ଟା ଜମିଦାରୀର ଗାଁ ସବୁ ଓଡ଼ିଶାର ମାନଚିତ୍ରରେ ସ୍ଥାନ ପାଇଲା ନାହିଁ। କ’ଣ ହେଲା? ଏଥିପାଇଁ କିଏ ଦାୟୀ?

ସେହିଭଳି ବୋରାମୁଠାର ତେର ଗୋଟି ଗାଁ ଜୟପୁର ଜମିଦାରୀ ଅଧୀନରେ ଥିବାରୁ ଗ୍ରାମଦେବତୀଙ୍କ ସେବା ପୂଜା ପାଇଁ ଜମିଦାର ପୂଜାରୀ ଆଦି ମୁକରୀର କରିଥିଲେ ଯେଉଁମାନଙ୍କ ବଂଶଜ ମାନେ ଏବେ ବି ଓଡ଼ିଶା ଭାଷା ଶୁଣିଲେ ଖୁସିରେ ଗଦଗଦ ହୋଇ ଯାଉଛନ୍ତି ବା ରେଳ ଷ୍ଟେସନରେ କିମ୍ବା ରେଳ ଭିତରେ ଓଡ଼ିଆ କଥା ଶୁଣିଲେ ଦୁଇ ଚାରିଟି ଆତ ଅଧିକା ଦେଇ ଦେଉଛନ୍ତି। ଅଥଚ S.L.P. no. 11/1968ର ୨୦୧୦ ମସିହାର ଆଦେଶନାମାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଉଲ୍ଲେଖ କରିଛନ୍ତି ଯେ ଏହି ଗ୍ରାମର ଲୋକମାନଙ୍କର ପ୍ରଥମ ଭାଷା ଯେ ଓଡ଼ିଆ, ତାହା ଓଡ଼ିଶା ସରକାର ପ୍ରମାଣ କରିପାରିଲେ ନାହିଁ। ଏହାକୁ ବିଧିର ବିଡ଼ମ୍ବନା ଛଡ଼ା ଆଉ କ’ଣ କୁହାଯାଇପାରିବ? ନା ଏହା ଓଡ଼ିଆମାନଙ୍କର ଅପାରଗତା?

ଏଇ କ୍ରମରେ ବର୍ତ୍ତମାନ ବୋଧହୁଏ କୋଟିଆ ଗ୍ରାମପୁଞ୍ଜର ପାଳି। ନଥପତ୍ରରୁ ଜଣାଯାଏ ଯେ ଜୁଲାଇ ମାସ ୧୯୬୮ ମସିହାରେ ଆନ୍ଧ୍ର ପ୍ରଦେଶର ଏକ ପୁଲିସ ଦଳ କୋଟିଆ ଅଞ୍ଚଳକୁ ଅନଧିକାର ପ୍ରବେଶ କରିଥିଲେ। ଓଡ଼ିଶା ସରକାର ଏହାର ଦୃଢ଼ ପ୍ରତିବାଦ କରିବା ପରେ ବି ସମସ୍ୟାର ସମାଧାନ ନ ହେବାରୁ ୧୨.୯.୧୯୬୮ ଦିନ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଦ୍ୱୟ ଦିଲ୍ଲୀ ଠାରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରି ଏଥିରେ ବିଫଳ ହେବାରୁ ଓଡ଼ିଶା ସରକାର S.L.P no. 10/1968ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଲେ। ଏହାକୁ ବିଚାର କରିବା ପାଇଁ ଗ୍ରହଣ କରିବା ସହିତ, ବିଚାର ସରିବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ ମସିହାରେ ସମ୍ବିଧାନର ଧାରା ୧୩୧କୁ ନଜରରେ ରଖି ମାନ୍ୟବର ଅଦାଲତ ଏହି ବିଚାର କରିବାକୁ ନାସ୍ତି କରିଦେଲେ ଏବଂ ଉଭୟ ପକ୍ଷଙ୍କ ସହମତିରେ ଉପଯୁକ୍ତ ଫୋରମରେ ଏହାର ବିଚାର ସରିବା ପର୍ଯ୍ୟନ୍ତ ଏହି ସ୍ଥିତାବସ୍ଥା ବଳବତ୍ତର ରହିବ ବୋଲି ଆଦେଶ କରିଥିଲେ। କିନ୍ତୁ ଆନ୍ଧ୍ର ପ୍ରଦେଶ ଏହି ସ୍ଥିତାବସ୍ଥାର ଉଲଂଘନ କରିବାରୁ ଓଡ଼ିଶା ସରକାର ୨୦୨୧ ମସିହାରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ଅବମାନନା ପାଇଁ ଉଚ୍ଚତମ ନ୍ୟାୟାଳୟ ଯାଇଥିଲେ।

S.L.P, no. 10/68 ଅନୁସାରେ ଆନ୍ଧ୍ର ପ୍ରଦେଶ ଓଡ଼ିଶାର କୋଟିଆ ଅଞ୍ଚଳକୁ ଅନୁପ୍ରବେଶ କରୁଥିଲା। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ଏହି ଗାଁମାନଙ୍କରେ ପକ୍କା ଘର ବନାଇଛି କିମ୍ବା ବନାଉଛି। ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ଫାଟୁସିନେରୀ ଗାଁର ଗୀର୍ଜା ଘରେ ବୁଥ୍ କଲେ। ଏବେ ତ ପ୍ରାୟ ପ୍ରତିଦିନ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଏହି ଗାଁ ମାନଙ୍କରେ ସଭାସମିତି କରି ଲୋକମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁଫଳ ଦେବା ସହିତ ଓଡ଼ିଶା ତରଫରୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ଖୋଲାଖୋଲି ମତାଉଛନ୍ତି।

କୋଭିଡ଼ କଟକଣା ଯୋଗୁଁ ଓଡ଼ିଶାର ବିଦ୍ୟାଳୟ ସବୁ ପ୍ରାୟ ଦେଢ଼ ବର୍ଷ ହେବ ବନ୍ଦ ଥିବାରୁ ଏହି ଅଞ୍ଚଳର ଅନେକ ଗାଁର ପିଲାମାନେ ଆନ୍ଧ୍ର ପ୍ରଦେଶ ଦ୍ବାରା ପରିଚାଳିତ ସ୍କୁଲମାନଙ୍କରେ ନାମ ଲେଖାଇ ତେଲେଗୁ ଭାଷାରେ ପାଠ ପଢୁଥିବା ବେଳେ ତାଙ୍କ ମା’ମାନଙ୍କୁ ଛାତ୍ର, ଛାତ୍ରୀ ପିଛା ପନ୍ଦର ହଜାର ଟଙ୍କାର ସହାୟତା ଦିଆଇଛନ୍ତି। ଓଡ଼ିଶାର ବିଦ୍ୟାଳୟ ଖୋଲିବା ବେଳକୁ ଓଡ଼ିଆରେ ପାଠ ପଢ଼ିବା ପାଇଁ ପିଲା ଥିବେ ତ? ଏବଂ ପୁଣି ଥରେ ସେହି ସିଦ୍ଧାନ୍ତ ହେବ ଯେ ଓଡ଼ିଶା ସରକାର ପ୍ରମାଣ କରିପାରିଲେ ନାହିଁ ଯେ ଏହି ଅଞ୍ଚଳବାସୀଙ୍କର ପ୍ରଥମ ଭାଷା ହେଉଛି ଓଡ଼ିଆ; ତେଣୁ ଏହା ଓଡ଼ିଶାର ନୁହଁ! ଏବଂ ବର୍ତ୍ତମାନର ଓଡ଼ିଶା ସରକାର ଏବଂ ଓଡ଼ିଆ ମାନଙ୍କ ଢଙ୍ଗରଙ୍ଗରୁ ଏହା ସ୍ପଷ୍ଟ ହେବାରେ ଲାଗିଛି ଯେ ବୋଧହୁଏ ସେ ଦିନ ଆଉ ବେଶି ଦୂରରେ ନାହିଁ।
ପୂର୍ବତନ ପ୍ରଶାସକ

ସମ୍ବନ୍ଧିତ ଖବର