ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀଙ୍କ ମୃତ୍ୟୁ

ହରଭଙ୍ଗା: ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା ଅଞ୍ଚଳରେ ମଙ୍ଗଳବାର ଏଭଳି ଘଟଣା ଘଟିଛି। ପୁଲିସ କହିଛି, ପୁରୁଣାକଟକ ଥାନା ଆଡେଣିଗଡ଼ ଫାଣ୍ଡି ଗୁଣ୍ଡୁରିସାହି ମୁଖୀବସ୍ତିରେ ରହୁଥିବା ନାରାୟଣ ମୁଖୀଙ୍କ ଝିଅ କୁନୁ ମୁଖୀଙ୍କୁ ତରଣୀସେନ ପ୍ରଧାନ ବହୁବର୍ଷ ହେଲା ବିବାହ କରି ଘରଜ୍ବାଇଁ ଭାବେ ରହୁଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ତରଣୀ ନିଶାସକ୍ତ ହୋଇ ଘରକୁ ଫେରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା। ସ୍ତ୍ରୀ କୁନୁଙ୍କୁ ତରଣୀ ମାଡ଼ ମାରିଥିଲେ। କୁନୁ ଉତ୍‌କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ସ୍ବାମୀ ତରଣୀଙ୍କ ବେକ ଓ ଛାତିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଖବର ପାଇ ଆଡେଣିଗଡ଼ ଫାଣ୍ଡି ପୁଲିସ ଓ ହରଭଙ୍ଗା ଦମକଳ ବାହିନୀ ପହଞ୍ଚି ତରଣୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ଅଭିଯୁକ୍ତ କୁନୁଙ୍କୁ ଖୋଜୁଛି।

ସମ୍ବନ୍ଧିତ ଖବର