ନିର୍ବାଚନୀ ବଣ୍ଡ୍‌ ଆଣିବ କି ନିର୍ବାଚନୀ ଭୂକମ୍ପ?

ଯୋଗେନ୍ଦ୍ର ଯାଦବ

ନିର୍ବାଚନୀ ବଣ୍ଡ୍‌ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ ଚଳିତ ନିର୍ବାଚନର ମୋଡ଼ ବଦଳାଇଦେଇପାରେ। କିନ୍ତୁ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଏ ନେଇ ସଠିକ୍‌ ପ୍ରଶ୍ନ ଓ ପ୍ରକୃତ ଉତ୍ତର ଦେଶବାସୀଙ୍କ ପାଖରେ ପହଞ୍ଚିବ। ଯଦି ଜନସାଧାରଣ ବୁଝିବେ ଯେ ଏହି ଯୋଜନା ରାଜନୀତିରେ କଳାଟଙ୍କା ହଟାଇବା ପାଇଁ ନୁହେଁ, ବରଂ ତାହାକୁ ଧଳା କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଯଦି ଜନସାଧାରଣଙ୍କୁ ଜଣା ପଡ଼ିଯାଏ ଯେ ନିର୍ବାଚନୀ ବଣ୍ଡ୍‌ ତଥ୍ୟକୁ ଲୁଚାଇବା ପାଇଁ ସରକାର କେତେ ପ୍ରୟାସ କରିଛନ୍ତି। ଯଦି ଦିନ ଦ୍ବିପ୍ରହରରେ ହୋଇଥିବା ଏହି ଡକାୟତି ବିଷୟରେ ସଂପୂର୍ଣ୍ଣ ସତ୍ୟ ପ୍ରକାଶ ପାଏ, ତେବେ ବୋଫର୍ସ କି ୨-ଜି ପରି ଭ୍ରଷ୍ଟାଚାର ମାମଲା ତା’ ଆଗରେ ପିଲାଖେଳ ପରି ଦେଖାଯିବ। ବୋଫର୍ସରେ ଅନୁସନ୍ଧାନକାରୀ ପତ୍ରକାରମାନେ ଯେଉଁ ୬୪ କୋଟି ଟଙ୍କା ଲାଞ୍ଚର ଆରୋପ ଲଗାଇଥିଲେ, ତାହାକୁ ସରକାର କେବେ ସ୍ବୀକାର କରିନାହାନ୍ତି କି ଅଦାଲତରେ ତାହା ପ୍ରମାଣିତ ବି ହୋଇପାରିନାହିଁ। ୟୁପିଏ ସରକାର ଅମଳରେ ୨-ଜି ଦୁର୍ନୀତିର ଆରୋପ ସିଏଜିଙ୍କର ଆକଳନ ଉପରେ ଆଧାରିତ ଥିଲା ଏବଂ ତାହା ମଧ୍ୟ ଅଦାଲତରେ ପ୍ରମାଣିତ ହୋଇପାରିଲା ନାହିଁ। ନିର୍ବାଚନୀ ବଣ୍ଡ୍‌ ମାମଲା ତ ଅଦାଲତଙ୍କ ଆଦେଶରୁ ଆରମ୍ଭ ହୋଇଛି। ଏଥିରେ ପ୍ରମାଣ ଖୋଜିବାର କୌଣସି ଆବଶ୍ୟକତା ନାହିଁ- ପୂରା ସତ ସମସ୍ତଙ୍କ ସାମନାରେ ଅଛି।

ଏହି ନିର୍ବାଚନୀ ବଣ୍ଡ୍‌ କେଳେଙ୍କାରୀରେ କେତେ ଟଙ୍କା ସଂଗ୍ରହ କରାଯାଇଛି, ତାହା ଅସଲ ପ୍ରଶ୍ନ ନୁହେଁ। ତଥାପି ବର୍ତ୍ତମାନ ସୁଦ୍ଧା ଘୋଷିତ ୧୬,୫୧୮ କୋଟି ଟଙ୍କା ଏକ ବିପୁଳ ପରିମାଣ। ଏକଥା ବୁଝନ୍ତୁ ଯେ, ପାଞ୍ଚ ବର୍ଷର ଅବଧି ଭିତରେ ଏହି ଯୋଜନା ମାଧ୍ୟମରେ ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାୟ ୩୦ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଅର୍ଥାତ୍‌ କେବଳ ଏହି ଯୋଜନା ମାଧ୍ୟମରେ ସଂଗୃହୀତ ଅର୍ଥ ଗୋଟିଏ ଲୋକସଭା ନିର୍ବାଚନୀମଣ୍ଡଳୀ ଏବଂ ତାହା ଭାଗରେ ପଡୁଥିବା ପ୍ରାୟ ୭ଟି ବିଧାନସଭାମଣ୍ଡଳୀ ପାଇଁ ପ୍ରତି କ୍ଷେତ୍ରର ପ୍ରାୟ ୧୦ ଜଣ ପ୍ରାର୍ଥୀଙ୍କର ସର୍ବାଧିକ ନିର୍ବାଚନୀ ଖର୍ଚ୍ଚଠାରୁ ବି ଅଧିକ ହେବ। ତଥାପି ଏହି ଅର୍ଥ ପରିମାଣ ସବୁଠୁ ବଡ଼ ପ୍ରଶ୍ନ ନୁହେଁ। ସତକଥାଟି ହେଉଛି, ଯେ କୌଣସି ବେପାର ପରି ରାଜନୀତି ବେପାରରେ ଧଳା ଟଙ୍କା ହେଉଛି ମୋଟ ଖର୍ଚ୍ଚର ଏକ ଛୋଟ ଅଂଶ, ଅଟାରେ ମିଶୁଥିବା ଲୁଣ ସଦୃଶ। ପ୍ରକୃତ ଦୁର୍ନୀତି କେବଳ ୧୬,୫୧୮ କୋଟି ଟଙ୍କା ନୁହେଁ। ଏହା ତ ରାଜନୀତି ଧନ୍ଦାର ଏପରି ଏକ ଛୋଟ ଅଂଶ, ଯାହା ସଂଯୋଗବଶତଃ ଆଇନ ନଜରରେ ଧରାପଡ଼ିଛି। ପୂରା ରାଶି ତ ଲକ୍ଷ ଲକ୍ଷ କୋଟି ଟଙ୍କା ହେବ।
ପ୍ରକୃତ ପ୍ରଶ୍ନ ହେଉଛି ନିର୍ବାଚନୀ ବଣ୍ଡ୍‌ ମାଧ୍ୟମରେ ସଂଗୃହୀତ ହୋଇଥିବା କେତେ ଟଙ୍କା ବିଜେପିକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନାନୁଯାୟୀ, ବିଜେପିକୁ ୮,୨୫୦ କୋଟି ଟଙ୍କାର ବଣ୍ଡ୍‌ ମିଳିଛି। ଅର୍ଥାତ୍‌ ଅନ୍ୟ ସମସ୍ତ ରାଜନୈତିକ ଦଳଙ୍କୁ ମିଳିତ ଭାବରେ ଯେତିକି ଟଙ୍କା ମିଳିଛି, କେବଳ ବିଜେପି ଏକୁଟିଆ ସେତିକି ପାଇଛି। ଏହା ବିଜେପିକୁ ମିଳିଥିବା ଭୋଟ୍‌ର ଅନୁପାତ କି ଦେଶରେ ବିଜେପି ସାଂସଦ ଓ ବିଧାୟକଙ୍କ ଅନୁପାତ ତୁଳନାରେ ଯଥେଷ୍ଟ ଅଧିକ। ଯଦି ପ୍ରତି ପ୍ରାର୍ଥୀ ଦୃଷ୍ଟିରୁ ଦେଖିବା, ତେବେ ବିରୋଧୀ ଦଳମାନଙ୍କର ପ୍ରତ୍ୟେକ ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀଙ୍କ ପାଖରେ କେଇ ଗୁଣା ଅଧିକ ନିର୍ବାଚନ ପାଣ୍ଠି ରହିଥିଲା। ଯଦି ସେଥିରେ ନିର୍ବାଚନୀ ଟ୍ରଷ୍ଟ୍‌ ମାଧ୍ୟମରେ ମିଳିଥିବା ଟଙ୍କାକୁ ଯୋଡ଼ିଦିଆଯାଏ ଏବଂ ପିଏମ୍‌ କେୟାର ନାମକ ଦୁର୍ନୀତି ପାଣ୍ଠିକୁ ବି ଯୋଡ଼ି ଦିଆଯାଏ, ତା’ହେଲେ ବିଜେପିର ନିର୍ବାଚନ ପାଣ୍ଠି ତମାମ ବିରୋଧୀ ଦଳଙ୍କ ଠାରୁ କେତେଗୁଣ ଅଧିକ ହେବ।

ତଥାପି ଏଇଟା ବି ଅସଲ ପ୍ରଶ୍ନ ନୁହେଁ। ପ୍ରକୃତ ପ୍ରଶ୍ନଟି ହେଉଛି- ସବୁ ନିୟମ ଓ ମର୍ଯ୍ୟାଦାକୁ ବାଜିରେ ଲଗାଇ ନିର୍ବାଚନୀ ବଣ୍ଡ୍‌ କେଉଁଭଳି ଭାବେ ସଂଗ୍ରହ କରାଯାଇଥିଲା? କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ତମାମ ସଂସ୍ଥାକୁ ବ୍ୟବହାର କରି ଏହି ନିର୍ବାଚନ ଦାନ ସଂଗ୍ରହ ବ୍ୟବସାୟ କରାଯାଇଥିଲା। ଏହା ଯୋଜନାର ଦୁରୁପଯୋଗ ନଥିଲା। ସତକଥାଟି ହେଉଛି- ଏହି କାମ ପାଇଁ ହିଁ ଏହି ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହାକୁ ପ୍ରସ୍ତୁତ କରିବା ଲାଗି ସଂବିଧାନକୁ ଅମାନ୍ୟ କରାଯାଇଥିଲା। ଏବଂ ସୁପ୍ରିମ୍‌ କୋର୍ଟ ଏହା ଉପରେ ଯେତେବେଳେ ଅଙ୍ଗୁଳି ଉଠାଇଲେ, ସେତେବେଳେ ପ୍ରତ୍ୟେକ ସରକାରୀ ସଂସ୍ଥାକୁ ବ୍ୟବହାର କରି ଏହାର ସତ୍ୟତାକୁ ଲୁଚାଇବାର ପ୍ରଚେଷ୍ଟା କରାଯାଇଥିଲା। ଏହା କେବଳ ଏକ ବିରାଟ ରାଜନୈତିକ ଭ୍ରଷ୍ଟାଚାର ମାମଲା ନୁହେଁ। ଏହା ହେଉଛି ଦୁର୍ନୀତିକୁ ଆଇନର ଜାମା ପିନ୍ଧାଇ ଦିନ ଦ୍ବିପ୍ରହରରେ ଡକାୟତିକୁ ସ୍ବାଭାବିକ ଆଚରଣ କରାଇବାର ମାମଲା। ଏ ଦୃଷ୍ଟିରୁ ଏହା ହେଉଛି ସ୍ବାଧୀନ ଭାରତ ଇତିହାସର ସବୁଠୁ ବଡ଼ ଦୁର୍ନୀତି। ଏହି ଡକାୟତିର କେତେକ ଉଦାହରଣକୁ ଲକ୍ଷ୍ୟ କରନ୍ତୁ। ୨୦୨୨ ଏପ୍ରିଲ ୨ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫ୍ୟୁଚର ଗେମିଂ ନାମକ ଏକ ଲଟେରି କମ୍ପାନି ଉପରେ ଚଢ଼ଉ କରିଥିଲେ। ତାହାର ୫ ଦିନ ପରେ କମ୍ପାନି ୧୦୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ କିଣିଛି। ସେହିପରି ଡକ୍ଟର ରେଡ୍‌ଡି ନାମକ ସଂସ୍ଥା ଉପରେ ୨୦୨୩ ନଭେମ୍ବର ୧୩ ତାରିଖରେ ଆୟକର ଚଢ଼ଉ ହୋଇଥିଲା ଏବଂ ନଭେମ୍ବର ୧୭ ତାରିଖରେ ଏହା ୨୧ କୋଟି ଟଙ୍କା ମୂଲ୍ୟର ବଣ୍ଡ୍‌ କ୍ରୟ କରିଥିଲା। ସେହିପରି ଭାବରେ ବଣ୍ଡ୍‌ କିଣିବା ସହିତ ତାହାର ଚୁକ୍ତିକୁ ଯୋଡ଼ିବାର ଉଦାହରଣ ଦେଖନ୍ତୁ। ସି. ଏମ୍‌. ରମେଶ ପୂର୍ବରୁ ଜଣେ ଟିଡିପି ନେତା ଥିଲେ, ଯେତେବେଳେ ତାଙ୍କ କମ୍ପାନି ‘ଋତିକ ପ୍ରୋଜେକ୍ଟ’ ଉପରେ ଚଢ଼ଉ କରାଯାଇଥିଲା। ତା’ପରେ ସେ ବିଜେପିରେ ଯୋଗ ଦେଇ ୪୫ କୋଟି ଟଙ୍କାର ବଣ୍ଡ୍‌ କିଣିଥିଲେ। ଆଦିତ୍ୟ ବିର୍ଲା ଗ୍ରୁପ୍‌ ୫୩୪ କୋଟି ଟଙ୍କା ମୂଲ୍ୟର ବଣ୍ଡ୍‌ କ୍ରୟ କରିଛି। ସେହି ଗ୍ରୁପ୍‌ର ଗ୍ରାସିମ୍‌ ନାମକ କମ୍ପାନି ୩୩ କୋଟି ଟଙ୍କାର ବଣ୍ଡ୍‌ ନେଇଛି। ସରକାର ଆଣ୍ଟି ଡୋପିଂ କର ହଟାଇଦେଲେ, ଯଦ୍ଦ୍ବାରା କମ୍ପାନିର ପ୍ରବଳ ଲାଭ ହୋଇଥିଲା। ଏହାପରେ କମ୍ପାନିକୁ ହିମାଚଳ ପ୍ରଦେଶରେ ୧୦୯୮ କୋଟି ଟଙ୍କା ମୂଲ୍ୟର ବିଦ୍ୟୁତ୍‌ ପ୍ରକଳ୍ପର ଚୁକ୍ତି ମିଳିଥିଲା। ସେହିଭଳି କୈଭେଣ୍ଟର ନାମକ କମ୍ପାନି ଭିନ୍ନ ଭିନ୍ନ ନାମରେ ୬୧୭ କୋଟି ଟଙ୍କା ମୂଲ୍ୟର ବଣ୍ଡ୍‌ କିଣିଥିବା ବେଳେ କମ୍ପାନିର ମୋଟ ଲାଭ ୧୦ କୋଟି ଟଙ୍କା ବି ନୁହେଁ ଏବଂ ଏହି ବଣ୍ଡ୍‌ କେଉଁ ଦଳକୁ ଦିଆଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଔପଚାରିକ ଭାବରେ ଜଣାପଡ଼ିନଥିଲେ ବି ସେହି ଅର୍ଥର ସିଂହଭାଗ ବିଜେପି ଖାତାକୁ ଯାଇଥାଇପାରେ ବୋଲି ଅନୁମାନ କରିବା କଷ୍ଟକର ନୁହେଁ। ପ୍ରତିଦିନ ଏହି ମହାଦୁର୍ନୀତିର ନୂଆ ନୂଆ ଦିଗ ଉନ୍ମୋଚିତ ହେବାରେ ଲାଗିଛି। ସେହିଭଳି ସରକାର ମଧ୍ୟ ଏହି ସତ୍ୟକୁ ଏଡ଼ାଇବାକୁ ଅଥବା ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ଉତ୍ସରୁ ଗଣମାଧ୍ୟମମାନେ ଏହି ଖବରକୁ କିଛିମାତ୍ରାରେ ସ୍ଥାନ ଦେଇଛନ୍ତି, କିନ୍ତୁ ଆନ୍ନା ହଜାରେଙ୍କ ସମୟରେ ଯେପରି ଭ୍ରଷ୍ଟାଚାର ଅଭିଯୋଗ ଜନସାଧାରଣଙ୍କ ନିକଟରେ ଦିନକୁ ୨୪ ଘଣ୍ଟା ଧରି ଖୋଲାଖୋଲି ଭାବେ ଖବର ଉପସ୍ଥାପିତ ହେଉଥିଲା, ସେଭଳି କରିବାର ସାହସ କାହାର ନାହିଁ। ସେଥିପାଇଁ ଏବେ ବି ଏକ ବହୁତ ଛୋଟ ବର୍ଗ ହିଁ ଏହି କାଣ୍ଡ ବାବଦରେ ସୂଚନା ପାଇଛନ୍ତି। ଯଦି ‘ଇଣ୍ଡିଆ’ ମେଣ୍ଟ ଏହି ଦୁର୍ନୀତିକୁ ୨୦୨୪ ନିର୍ବାଚନର ସବୁଠାରୁ ବଡ଼ ପ୍ରସଙ୍ଗ କରି ତାହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇପାରିବ, ତେବେ ଏହି ନିର୍ବାଚନରେ ଚମତ୍କାର ହୋଇପାରିବ।
ରାଷ୍ଟ୍ରୀୟ ସଂଯୋଜକ,
ଭାରତ ଯୋଡ଼ୋ ଯାତ୍ରା

ସମ୍ବନ୍ଧିତ ଖବର