ବେଗୁସରାଇର ମର୍ମ
ପ୍ରତ୍ୟେକ ମନୁଷ୍ୟ ପ୍ରତ୍ୟହ ପ୍ରାୟ ୨୦,୦୦୦ ଥର ଶ୍ବାସକ୍ରିୟା ସଂପାଦନ କରିଥାଆନ୍ତି ଏବଂ ୨୦ କିଲୋଗ୍ରାମ ଓଜନର ବାୟୁ ଗ୍ରହଣ କରନ୍ତି; କିନ୍ତୁ ହାରାହାରି ଦୈନିକ ମାତ୍ର ୨ ଲିଟର ଜଳ ପାନ କରିଥାଆନ୍ତି। ଅଥଚ, ସ୍ବଚ୍ଛ ଜଳ ପାନ କରିବା ଲାଗି ମନୁଷ୍ୟର ଆଗ୍ରହ ନିର୍ମଳ ବାୟୁ ସେବନ ପରିପ୍ରେକ୍ଷୀରେ ଦେଖିବାକୁ ମିଳି ନ ଥାଏ। ଏହାର କାରଣ ସମ୍ଭବତଃ ଏହା ଯେ ବାୟୁମଣ୍ଡଳରେ ରହିଥିବା ଶତ୍ରୁ ଅଦୃଶ୍ୟ। ତେବେ, ଦୃଶ୍ୟମାନ ହେଉ ନ ଥିବା ଶତ୍ରୁ ଯେ ଅନୁପସ୍ଥିତ ଏଭଳି ମୂଢ଼ ଧାରଣାରୁ ଆମେମାନେ ମୁକ୍ତ ହେବା ଆବଶ୍ୟକ। ତାହା ହେଲେ ବାୟୁ ପ୍ରଦୂଷଣ ସୃଷ୍ଟି କରିବାରୁ ଆମେମାନେ କ୍ଷାନ୍ତ ହେବା ସହିତ ନିର୍ମଳ ବାୟୁ ସେବନ କରିବା ଲାଗି ଆଗ୍ରହୀ ହେବା। କାରଣ ‘ବେଗୁସରାଇ’ଗୁଡ଼ିକ କେବଳ ଆମ ଅପରିଣାମଦର୍ଶିତା, ବିଚାରଶୂନ୍ୟତା, ମୂଢ଼ତାର ପ୍ରତୀକ ଭାବେ ଛିଡ଼ା ହୋଇଥାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇତିମଧ୍ୟରେ ବିହାରର ବେଗୁସରାଇ ସହରଟି କିଭଳି ଖ୍ୟାତି ବା ଅପଖ୍ୟାତି ଅର୍ଜନ କଲାଣି, ସେ ସମ୍ବନ୍ଧରେ ଏହି ସ୍ତମ୍ଭର ପାଠକପାଠିକାମାନେ ଅବଗତ କି? ତାହା ହେଲା ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ବା ‘ଡବ୍ଲ୍ୟୁ.ଏଚ୍.ଓ.’ (‘ହୁ’) ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ଅନୁଧ୍ୟାନମୂଳକ ରିପୋର୍ଟ, ଯାହା ଗତ ବର୍ଷର ସ୍ଥିତିକୁ ପୁନର୍ବାର ଦୋରସ୍ତ କରି ବେଗୁସରାଇକୁ ସର୍ବାଧିକ ବାୟୁ ପ୍ରଦୂଷଣର ଶିକାର ଭାରତୀୟ ସହର ଭାବେ ନାମିତ କରିଛି। ବାୟୁ ପ୍ରଦୂଷଣକୁ ନେଇ ‘ହୁ’ ଦ୍ବାରା ପ୍ରକାଶିତ ଏହି ରିପୋର୍ଟ କେବଳ ହତାଶାଜନକ ନୁହେଁ, ଅନେକ ଦୃଷ୍ଟିରୁ ବିମର୍ଷକର ମଧ୍ୟ; ଯାହା ଅନୁସାରେ ପୃଥିବୀର ୧୩୪ଟି ଦେଶ ମଧ୍ୟରୁ ମାତ୍ର ସାତଟି ଦେଶର ନାଗରିକ ‘ହୁ’ ଦ୍ବାରା ନିର୍ଦ୍ଧାରିତ ମାନକ ଅନୁସାରୀ ନିର୍ମଳ ବାୟୁ େସବନ କରିବାର ସୌଭାଗ୍ୟ ଲାଭ କରନ୍ତି; ଅର୍ଥାତ୍ ସମଗ୍ର ପୃଥିବୀର ମାତ୍ର ୫ ପ୍ରତିଶତ ଅଞ୍ଚଳ। ପ୍ରକାଶ ଥାଉ କି ପ୍ରତି ବର୍ଷ ବାୟୁ ପ୍ରଦୂଷଣ କାରଣରୁ ପ୍ରାୟ ୭୦ ଲକ୍ଷ ଲୋକ ପ୍ରାଣ ହରାନ୍ତି; ଯାହା ମେଲେରିଆ, ସଡ଼କ ଦୁର୍ଘଟଣା ଏବଂ ଯୁଦ୍ଧ ବା ସନ୍ତ୍ରାସ କାରଣରୁ ହେଉଥିବା ସମୁଦାୟ ମୃତ୍ୟୁ ସଂଖ୍ୟା ଠାରୁ ମଧ୍ୟ ଅଧିକ। କିନ୍ତୁ ଚିନ୍ତାର ବିଷୟ ହେଲା, ବଞ୍ଚି ରହିବା ସକାଶେ ଶ୍ବାସ-ପ୍ରଶ୍ବାସ ଭଳି ଅନିବାର୍ଯ୍ୟ ମୌଳିକ ଜୈବିକ କ୍ରିୟା ସହିତ ସିଧାସଳଖ ଯୋଡ଼ି ହୋଇଥିଲେ ହେଁ ବାୟୁ ପ୍ରଦୂଷଣ ଭଳି ପ୍ରାଣଘାତୀ ସମସ୍ୟା ସାଧାରଣ ସ୍ତରରେ ଯେତିକି ଉଦ୍ବେଗ ସୃଷ୍ଟି କରିବା କଥା, ତାହା କରି ନ ଥାଏ କି ଏହାର ସମାଧାନ ସକାଶେ ସଘନ ପ୍ରୟାସ ମଧ୍ୟ ଦୃଷ୍ଟିଗୋଚର ହୋଇ ନ ଥାଏ। ଏହା ଏକ ବିଡ଼ମ୍ବନା!
ପ୍ରଥମେ ‘ହୁ’ର ତଥ୍ୟାବଳି ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ତାହା ଅନୁସାରେ ଅଷ୍ଟ୍ରେଲିଆ, ଫିନଲାଣ୍ଡ, ଆଇସଲାଣ୍ଡ, ଏଷ୍ଟୋନିଆ, ଗ୍ରାନାଡା, ମରିସସ୍ ଏବଂ ନିଉଜିଲାଣ୍ଡର ଅଧିବାସୀମାନେ ଅନାବିଳ ପବନ ସେବନ କରନ୍ତି। ସେହିଭଳି ସର୍ବାଧିକ ବାୟୁ ପ୍ରଦୂଷଣର ସମ୍ମୁଖୀନ ହେଉଥିବା ପାଞ୍ଚଟି ରାଷ୍ଟ୍ର କ୍ରମାନ୍ବୟରେ ହେଲେ ବାଂଲାଦେଶ, ପାକିସ୍ତାନ, ଭାରତ, କାଜାଖସ୍ତାନ ଏବଂ ବରକିନା-ପାସୋ (ଆଫ୍ରିକା); ଯେଉଁଠି ବାଂଲାଦେଶରେ ପ୍ରଦୂଷଣ ସ୍ତର ‘ହୁ’ ଦ୍ବାରା ନିର୍ଦ୍ଧାରିତ ମାନକ ଠାରୁ ୧୫ ଗୁଣ ଅଧିକ ହୋଇଥିବା ବେଳେ ପାକିସ୍ତାନରେ ତାହା ୧୪ ଗୁଣ ଏବଂ ଭାରତରେ ୧୦ ଗୁଣ। ଏହି ରିପୋର୍ଟ ଅନୁସାରେ ପୃଥିବୀର ୭୮୦୦ଟି ସହର ମଧ୍ୟରୁ ସର୍ବାଧିକ ପ୍ରଦୂଷିତ ବାୟୁମଣ୍ଡଳର ଅଧିକାରୀ ୧୦୦ଟି ସହରରୁ ୯୯ଟି କେବଳ ଏସିଆ ମହାଦେଶରେ ଅବସ୍ଥିତ; ଯହିଁରୁ ୮୭ଟି ଭାରତରେ। ଏହି ରିପୋର୍ଟ ଅନୁସାରେ ସର୍ବାଧିକ ବାୟୁ ପ୍ରଦୂଷଣର ଶିକାର ତିନି ଭାରତୀୟ ସହର ଯଥାକ୍ରମେ ବେଗୁସରାଇ, ଗୁଆହାଟୀ ଏବଂ ଦିଲ୍ଲୀ। ‘ହୁ’ ପକ୍ଷରୁ ଦୋହରା ଯାଇଛି ଯେ ଏହି ପ୍ରଦୂଷଣର ପ୍ରମୁଖ କାରଣ ହେଉଛି ଜୀବାଶ୍ମ ଦହନ; ଯାହା ଗାଡ଼ିମଟର ଚଳାଚଳ ଠାରୁ ଆରମ୍ଭ କରି ତାପଜ ବିଦ୍ୟୁତ କେନ୍ଦ୍ର ପର୍ଯ୍ୟନ୍ତ ସର୍ବତ୍ର ପ୍ରମୁଖ ଶକ୍ତିର ଉତ୍ସ ଭାବେ ବ୍ୟବହୃତ ହେବାରେ ଲାଗିଛି। ଏହି ଦହନରୁ ଜାତ ହେଉଥିବା ନାଇଟ୍ରସ ଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍ ଏବଂ ଅଙ୍ଗାରକାମ୍ଳ ଗ୍ୟାସ ତଥା ଚକ୍ଷୁକୁ ଦୃଶ୍ୟମାନ ହେଉ ନ ଥିବା ଭଳି କ୍ଷୁଦ୍ରାତିକ୍ଷୁଦ୍ର କଣିକା ବା ‘ପାର୍ଟିକ୍ୟୁଲେଟ୍ ମ୍ୟାଟର୍’ ପ୍ରଶ୍ବାସ ଜରିଆରେ ଶରୀରରେ ପ୍ରବେଶ କରି ଯାବତୀୟ ବ୍ୟାଧି ଉତ୍ପନ୍ନ କରିବାରେ ଲାଗିଛନ୍ତି; ବିଶେଷ କରି ‘ପାର୍ଟିକ୍ୟୁଲେଟ୍ ମ୍ୟାଟର’ଗୁଡ଼ିକ ଫୁସ୍ଫୁସ୍ରେ ଜମି ରହିବା ସହିତ ରକ୍ତ ପ୍ରବାହରେ ଭାସି ବୁଲି ହୃତ୍ପିଣ୍ଡ, ମସ୍ତିଷ୍କ ଏବଂ ବୃକ୍କ ଭଳି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଅଙ୍ଗରେ ପ୍ରଦାହ ସୃଷ୍ଟି କରିଥାଆନ୍ତି, ଯାହା ପ୍ରାଣଘାତୀ ହୋଇଥାଏ। ଏକ ଆକଳନ ଅନୁସାରେ ବାୟୁ ପ୍ରଦୂଷଣ କାରଣରୁ ପ୍ରତ୍ୟେକ ଭାରତୀୟ ତାଙ୍କ ଆୟୁରୁ ହାରାହାରି ସାଢ଼େ ଚାରି ବର୍ଷ ହରାଉଛନ୍ତି। କିନ୍ତୁ ଏହା ସତ୍ତ୍ବେ ବାୟୁ ପ୍ରଦୂଷଣକୁ ନେଇ ଯେଉଁଭଳି ଉଦ୍ବେଗ ସୃଷ୍ଟି ହେବା କଥା, ତାହା ହୋଇ ନ ଥାଏ କାହିଁକି? ଏହାର କାରଣ କ’ଣ ଏୟା ଯେ ଉପରେ ବର୍ଣ୍ଣିତ ଘାତକ କଣିକା ବା ବିଷାକ୍ତ ଗ୍ୟାସମାନ ଅଦୃଶ୍ୟ ଏବଂ ରଙ୍ଗହୀନ ହୋଇଥିବାରୁ ସେମାନଙ୍କ ଉପସ୍ଥିତି ସତ୍ତ୍ବେ ବାୟୁମଣ୍ଡଳ ମୁଖ୍ୟତଃ ନିର୍ମଳ ଦିଶିଥାଏ? ବିଶେଷଜ୍ଞମାନଙ୍କ ମତରେ ଯାନବାହନ ଚଳାଚଳ ବା ଶିଳ୍ପୋଦ୍ୟୋଗରୁ ଜାତ ପ୍ରଦୂଷଣ ଗୃହର ବାତାୟନ ଦେଇ ପ୍ରକୋଷ୍ଠ ମଧ୍ୟରେ ପ୍ରବେଶ କରି ସଂଚାଳିତ ହେଉଥିବାରୁ ସହରର କୌଣସି ସ୍ଥାନ ପ୍ରଦୂଷଣମୁକ୍ତ ହୋଇ ରହିନାହିଁ। ତେଣୁ ଆମ ଅଗୋଚରରେ ତାହା ଆମର କ୍ଷତି ଘଟାଇ ଚାଲିଛି, ଯହିଁରୁ ମୁକ୍ତି ଲାଗି ବିଧିବଦ୍ଧ ପ୍ରୟାସର ଆବଶ୍ୟକତା ମଧ୍ୟ ରହିଛି।
ଏହା ଏକ ବାସ୍ତବତା ଯେ ପ୍ରଦୂଷଣର ଉତ୍ସଗୁଡ଼ିକର ନିଘଞ୍ଚତା ଦୃଷ୍ଟିରୁ ଗୋଟିଏ ସହରରେ ବିଭିନ୍ନ ଅଞ୍ଚଳର ପ୍ରଦୂଷଣର ସ୍ତର ଭିନ୍ନ ଭିନ୍ନ ହୋଇଥାଏ; େଯମିତି ରାଜପଥ କଡ଼ରେ ବା ଶିଳ୍ପାଞ୍ଚଳ ନିକଟରେ ବସବାସ କରୁଥିବା ଲୋକେ ଦୂରବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କ ତୁଳନାରେ ଅଧିକ ପ୍ରଦୂଷଣର ଶିକାର ହୁଅନ୍ତି। ବିଶେଷଜ୍ଞମାନଙ୍କ ମତରେ ଏଭଳି ସ୍ଥଳେ ସହରର ପୌର ପ୍ରଶାସନ ପକ୍ଷରୁ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ସ୍ଥାନର ବାୟୁ ପ୍ରଦୂଷଣର ମାତ୍ରା ଯାଞ୍ଚ କରି ସମସ୍ତ ତଥ୍ୟକୁ ଏକତ୍ର କରିବା ସହ ସେହି ଆଧାରରେ ଏକ ସମନ୍ବିତ ନିରାକରଣ ମାର୍ଗ ପ୍ରସ୍ତୁତ କରିବା ଆବଶ୍ୟକ। ଏକ ଦୃଢ଼, ସମର୍ଥ ଏବଂ ଦୂରଦର୍ଶୀ ପ୍ରଶାସନ ଦ୍ବାରା ହିଁ ଏଭଳି କୌଣସି ପଦକ୍ଷେପ ସମ୍ଭବ ହୋଇପାରେ। ପ୍ରକାଶ ଥାଉ କି ଯେଉଁ ସାତଟି ରାଷ୍ଟ୍ର ‘ହୁ’ର ମାନକ ଅନୁସାରେ ସର୍ବାଧିକ ନିର୍ମଳ ବାୟୁମଣ୍ଡଳ ଧାରଣ କରିଥାଆନ୍ତି, ସେ ସମସ୍ତ ରାଷ୍ଟ୍ର ଶିଳ୍ପୋନ୍ନତ ଏବଂ ବିକାଶିତ। ଅଷ୍ଟ୍ରେଲୀୟ ସହର ସିଡ୍ନୀ ବା ପର୍ଥ ବା ମେଲବୋର୍ନ୍ ଇତ୍ୟାଦି ବେଶ୍ ଜନାକୀର୍ଣ୍ଣ ଏବଂ ଚଳଚଞ୍ଚଳ; ମରିସସ୍ର ଅର୍ଥନୀତିର ଆଧାର ହେଉଛି ପର୍ଯ୍ୟଟନ, ଯଦ୍ଦ୍ବାରା ସେଠାକୁ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଧାଡ଼ି ଲାଗିଥାଏ। ତଥାପି ଏହି ରାଷ୍ଟ୍ରଗୁଡ଼ିକରେ ପ୍ରଦୂଷଣମୁକ୍ତ ବାୟୁମଣ୍ଡଳ ସମ୍ଭବ ହୋଇଛି, ଯହିଁରେ ନିହିତ କାରଣ ହେଲା ଏ ନେଇ ଦୃଢ଼ ସରକାରୀ ନିୟମ ଓ କଟକଣା ଏବଂ ତାକୁ ମାନ୍ୟ କରିବା ସକାଶେ ନାଗରିକ ଆଗ୍ରହ। ସିଙ୍ଗାପୁର ଭଳି ଏକ ଜନ-ସାନ୍ଦ୍ର ବିଷୁବ-ମଣ୍ଡଳୀୟ ଏସୀୟ ନଗର ରାଷ୍ଟ୍ରର ବାୟୁମଣ୍ଡଳ ମଧ୍ୟ ପ୍ରଶଂସନୀୟ ଭାବେ ନିର୍ମଳ; କାରଣ ସେଠାରେ ଅତି ଉନ୍ନତ ସାଧାରଣ ପରିବହନ ବ୍ୟବସ୍ଥା ଘରୋଇ ଯାନ ବ୍ୟବହାରକୁ ହ୍ରାସ କରିଥାଏ ଏବଂ ତା’ ସହିତ ଆଉ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ସେଠାକାର ସାଧାରଣ ଲୋକେ ମଧ୍ୟ ଅକାରଣରେ ଘରୋଇ ଯାନ ବ୍ୟବହାର ନ କରିବାର ବୁଦ୍ଧିମତ୍ତା ଓ ସଚେତନତା ପ୍ରଦର୍ଶନ କରନ୍ତି। ଆମ ରାଜଧାନୀ ସହର ଦିଲ୍ଲୀରେ ମଧ୍ୟ ଘରୋଇ ଗାଡ଼ି ବ୍ୟବହାରକୁ ନେଇ କେତେକ କଟକଣା ରହିଛି; କିନ୍ତୁ ତାକୁ ଫଳପ୍ରଦ କରିବା ଲାଗି ଦୃଢ଼ ଓ ପାରଦର୍ଶୀ ସାଧାରଣ ପରିବହନ ବ୍ୟବସ୍ଥା ନାହିଁ କି କୌଣସି ସଚେତନତା ଦିଲ୍ଲୀବାସୀଙ୍କୁ ଗାଡ଼ିଟିଏ କ୍ରୟ କରି ବ୍ୟବହାର କରିବାର ନିଶାରୁ ମୁକ୍ତ କରି ପାରୁନାହିଁ। ଏବଂ ଭାରତର ସବୁ ସହରରେ ଏହି ସମ ଦଶା ପରିଦୃଷ୍ଟ।
ଉଲ୍ଲେଖଯୋଗ୍ୟ ଯେ ପ୍ରତ୍ୟେକ ମନୁଷ୍ୟ ପ୍ରତ୍ୟହ ପ୍ରାୟ ୨୦,୦୦୦ ଥର ଶ୍ବାସକ୍ରିୟା ସଂପାଦନ କରିଥାଆନ୍ତି ଏବଂ ୨୦ କିଲୋଗ୍ରାମ ଓଜନର ବାୟୁ ଗ୍ରହଣ କରନ୍ତି; କିନ୍ତୁ ହାରାହାରି ଦୈନିକ ମାତ୍ର ୨ ଲିଟର ଜଳ ପାନ କରିଥାଆନ୍ତି। ଅଥଚ, ସ୍ବଚ୍ଛ ଜଳ ପାନ କରିବା ଲାଗି ମନୁଷ୍ୟର ଆଗ୍ରହ ନିର୍ମଳ ବାୟୁ ସେବନ ପରିପ୍ରେକ୍ଷୀରେ ଦେଖିବାକୁ ମିଳି ନ ଥାଏ। ଏହାର କାରଣ ସମ୍ଭବତଃ ଏହା ଯେ ବାୟୁମଣ୍ଡଳରେ ରହିଥିବା ଶତ୍ରୁ ଅଦୃଶ୍ୟ। ତେବେ, ଦୃଶ୍ୟମାନ ହେଉ ନ ଥିବା ଶତ୍ରୁ ଯେ ଅନୁପସ୍ଥିତ ଏଭଳି ମୂଢ଼ ଧାରଣାରୁ ଆମେମାନେ ମୁକ୍ତ ହେବା ଆବଶ୍ୟକ। ତାହା ହେଲେ ବାୟୁ ପ୍ରଦୂଷଣ ସୃଷ୍ଟି କରିବାରୁ ଆମେମାନେ କ୍ଷାନ୍ତ ହେବା ସହିତ ନିର୍ମଳ ବାୟୁ ସେବନ କରିବା ଲାଗି ଆଗ୍ରହୀ ହେବା। କାରଣ ‘ବେଗୁସରାଇ’ଗୁଡ଼ିକ କେବଳ ଆମ ଅପରିଣାମଦର୍ଶିତା, ବିଚାରଶୂନ୍ୟତା, ମୂଢ଼ତାର ପ୍ରତୀକ ଭାବେ ଛିଡ଼ା ହୋଇଥାଆନ୍ତି।