କଳାକାର ଭତ୍ତାରୁ ବଂଚିତ ଜିଲାର ଶତାଧିକ ପରିବାରଙ୍କ ଭୋଟ ବର୍ଜନ ନିଷ୍ପତ୍ତି, ଜିଲାପାଳଙ୍କ ଜରିଆରେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଚରମ ପତ୍ର

ଭଦ୍ରକ: ୨୦୨୧ ମସିହା ଡିସେମ୍ବର ମାସରେ ସରକାରଙ୍କ ଦ୍ୱାରା ଚୟନ ହୋଇ କଳାକାର ଭତ୍ତାରୁ ବଂଚିତ ହୋଇଥିବା ଏହି ଜିଲାର ୯୫୧ ଜଣ  କଳାକାର ଶୁକ୍ରବାର ଜିଲାପାଳଙ୍କ ଜରିଆରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ ପୂର୍ବକ ଆସନ୍ତା ଦିନରେ ସରକାର ସେମାନଙ୍କ ପ୍ରତି ନ୍ୟାୟ ପ୍ରଦାନ ନକଲେ ଅଦାଲତର ଆଶ୍ରୟ ନେବା ସହ ଆଗାମୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଜିଲା ସଂସ୍କୃତି ବିଭାଗ ଅଧିକାରିଣୀଙ୍କୁ ଭେଟିଛନ୍ତି।
ଭଦ୍ରକ ଜିଲା କଳା ସଂସ୍କୃତି ସଂଘର ଉପସଭାପତି  ତ୍ରିଲୋଚନ ପଣ୍ଡା, ତପନ କୁମାର ମିଶ୍ର, ଜୟନ୍ତ କୁମାର ନାୟକ, ଜଗନ୍ନାଥ ଦାସ, ମହେଶ୍ୱର ଲେଙ୍କା, ନାରାୟଣ ବିନ୍ଧାଣି, ବିଜୟ ଜେନା, ବିନୋଦ ବିହାରୀ ଜେନା, ଶକୁନ୍ତଳା ଦାସ, ବୈକୁଣ୍ଠ ନାୟକ ପ୍ରମୁଖଙ୍କ ଅଭିଯୋଗ ମୂଳେ ଏହି ଜିଲାର କଳାକାର ମାନଙ୍କୁ ସରକାର ଭତ୍ତା ଯୋଗାଇଦେବା ପାଇଁ ବିଜ୍ଞାପନ ଜରିଆରେ ଆବେଦନ ପତ୍ର ଆହ୍ୱାନ କରିଥିଲେ। ତଦନୁଯାୟୀ ଜିଲାର ବହୁ କଳାକାର ତାହା ଆବେଦନ କରିବା ପରେ ପର୍ଯ୍ୟାୟକ୍ରମେ କିଛି କଳାକାରଙ୍କୁ ତାହା ପ୍ରଦାନ କରାଗଲା। ପରବର୍ତ୍ତୀ ସମୟରେ ଅନ୍ୟ ଯୋଗ୍ୟ ବିବେଚିତ କଳାକାରଙ୍କୁ ୱେଟିଂ ଲିଷ୍ଟରେ ରଖାଯାଇ ସେମାନଙ୍କୁ ପର୍ଯ୍ୟାୟ କ୍ରମେ ଭତ୍ତା ଯୋଗାଇଦେବା ପାଇଁ ଜିଲା ସଂସ୍କୃତି ଅଧିକାରୀଙ୍କ ମାଧ୍ୟମରେ ବ୍ୟାଙ୍କ ପାସବୁକ୍ ଓ ଆବଶ୍ୟକ କାଗଜପତ୍ର ଗ୍ରହଣ କରିଥିଲେ। କିନ୍ତୁ  ଗତ ୧୫ ତାରିଖ ଦିନ ସରକାର କଳାକାରମାନଙ୍କ ପାଇଁ ପୁନର୍ବାର ଆଉ ଏକ ବିଜ୍ଞାପନ ଜରିଆରେ ସେମାନେ ଚୟନ ହୋଇଥିଲେ ହେଁ ପୁନଃ କଳାକାର ଭତ୍ତା ଆବେଦନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ନିୟମ ଆଧାରରେ ଯେଉଁ ଅସହାୟ କଳାକାରମାନେ ନିଜର ଯୋଗ୍ୟତା ଭିତ୍ତିରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜିଲା ସଂସ୍କୃତି ଅଧିକାରୀଙ୍କ ନିକଟରେ ସମସ୍ତ ପ୍ରମାଣପତ୍ର ସହିତ ବ୍ୟାଙ୍କ ଜମାଖାତା, ଆଧାରକାର୍ଡର ଅବିକଳ ନକଲ ଦୁଇବର୍ଷ ହେଲା ପ୍ରଦାନ କରିଛନ୍ତି, ସେମାନଙ୍କ ପାଇଁ ଭତ୍ତାର ବନ୍ଦୋବସ୍ତ ବ୍ୟବସ୍ଥା ନକରି ପୁନଃ ନୂତନ ଆବେଦନ ନିମିତ୍ତ ବିଜ୍ଞାପନ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଏହି ଆବେଦନ ପତ୍ରରେ ଜଣାଇଛନ୍ତି। ଇତିମଧ୍ୟରେ ବହୁ କଳାକାର ଗତ ୨ ବର୍ଷ ହେବ ୱେଟିଂ ଲିଷ୍ଟରେ ତାଲିକା ଭୁକ୍ତ ଥାଇ ଅତ୍ୟନ୍ତ ଦୁଃଖ ଓ ଦୁର୍ଦ୍ଦଶାରେ ପରଲୋକ ଗମନ କଲେଣି। ଏଣୁ ଭଦ୍ରକ ଜିଲାରେ କଳାକାର ଭତ୍ତାରୁ ବଂଚିତ ଏହି କଳାକାରମାନଙ୍କ ଏହି ଆବେଦନକୁ ସରକାର ସହୃଦୟତାର ସହ ବିଚାରକୁ ନେଇ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଆବେଦନ କରିଛନ୍ତି। ନଚେତ୍ ଆଗାମୀ ଦିନରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ସହ ଚଳିତ ନିର୍ବାଚନରେ ସେମାନଙ୍କ ପରିବାର ଭୋଟ ବର୍ଜନ କରିବାର ଚେତାବନୀ ଦେଇଛନ୍ତି।
ତେବେ ଏ ସଂପର୍କରେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରିଣୀଙ୍କୁ ଏ ସଂପର୍କରେ କେତେକ ଗଣମାଧ୍ୟମ ପ୍ରତିନିଧି ଯୋଗାଯୋଗ କରିବାରେ ସେ ଉପରୋକ୍ତ ୱେଟିଂ ଲିଷ୍ଟରେ ଥିବା କଳାକାରମାନଙ୍କ ସଂପର୍କରେ ଗତ ନଭେମ୍ବର ସୁଦ୍ଧା ଜିଲାପାଳଙ୍କ ସମେତ ସରକାରଙ୍କୁ ତିନି ତିନି ଥର ପତ୍ର ମାଧ୍ୟମରେ ଅବଗତ କରାଇଥିବାର କହିଛନ୍ତି।
ସମ୍ବନ୍ଧିତ ଖବର