ଅମ୍ଳାନ ଓ ଅର୍ଧେନ୍ଦୁଙ୍କ ପରେ କେଉଁ ଓଲିଉଡ୍‌ ନାୟକଙ୍କ ପାଳି ?

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ବର: ଏଇ ନିକଟରେ ଦୁଇ ଜଣ ଓଲିଉଡ୍‌ ନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏ ଦୁଇ ନାୟକ ହେଲେ ଅମ୍ଳାନ ଓ ଅର୍ଧେନ୍ଦୁ। ଉଭୟେ ପ୍ରେମ ବିବାହ କରିଛନ୍ତି। ଅମ୍ଳାନ ଭୂମିକାଙ୍କ ପାଣିଗ୍ରହଣ କରିଥିବା ବେଳେ ଅର୍ଧେନ୍ଦୁ ପଲ୍ଲବୀଙ୍କୁ ବିବାହ କରିଛନ୍ତି।

ଗତ ବର୍ଷ ଓଲିଉଡର ଦୁଇ ଜଣାଶୁଣା ନାୟକ ଅଭିଷେକ ଓ ସମ୍ବିତ ବାହା ହୋଇଥିଲେ। ଏବେ କାହାର ପାଳି ବୋଲି ଓଲିଉଡରେ ଚର୍ଚ୍ଚା ଚାଲିଛି। ତେବେ ବେଶ୍‌ କିଛି ବର୍ଷ ଧରି ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଅଛନ୍ତି ଓଲିଉଡର ହ୍ୟାଣ୍ଡସମ୍‌ ହିରୋ ବୁଦ୍ଧାଦିତ୍ୟ ମହାନ୍ତି। ତାଙ୍କର ବୟସ ୪୦ ଟପିଯାଇଥିଲେ ମଧ୍ୟ ସେ ଏଯାଏଁ ବିବାହ ବନ୍ଧନରେ ଆବଦ୍ଧ ହୋଇନାହାନ୍ତି। ଏ ଦୃଷ୍ଟିରୁ ବୁଦ୍ଧାଦିତ୍ୟ ବି ତାଲିକାରେ ରହିଛନ୍ତି।

ବୁଦ୍ଧାଦିତ୍ୟ ମହାନ୍ତି ‘ଆଇ ଲଭ ମାଇଁ ଇଣ୍ଡିଆ’, ‘ପ୍ରେମରୋଗୀ’, ‘ନନ୍ଦିନୀ ଆଇ ଲଭ୍ ୟୁ’, ‘ଲୋଫର୍’, ‘ତୁ ଥିଲେ ମୋ’ ଡର କାହାକୁ’,ପାଗଳ କରିଚି ପାଉଁଜି ତୋ’ର’, ‘କେଉଁ ଦୁନିଆଁରୁ ଆସିଲ ବନ୍ଧୁ’, ‘ଜଗା ହାତରେ ପଘା’, ‘ଶ୍ରୀମାନ୍‌ ସୁରଦାସ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି।

ଏହାପରେ ଓଲିଉଡର ଜଣାଶୁଣା ନାୟକ ଜ୍ୟୋତିଙ୍କ ନମ୍ବର ଥିବା କୁହାଯାଉଛି। ଜ୍ୟୋତିରଞ୍ଜନ ଇତିମଧ୍ୟରେ ‘ଦେଲେ ଧରା କଥା ସରେ’, ‘ନିଝୁମ ରାତିର ସାଥୀ’, ‘ମିଠା ମିଠା’, ‘ଦିଲ୍‌କା ରାଜା’, ‘ଓଲେ ଓଲେ ଦିଲ୍‌ ବୋଲେ’, ‘ହାପି ଲକି’, ‘ପ୍ରେମ ଅଲଗା ପ୍ରକାର’, ‘ସାଥୀ ତୁ ଫେରିଆ’ ଏବଂ ‘ପ୍ରେମରେ ରଖିଚି ଶହେରୁ ଶହେ’ ଆଦି ଓଡ଼ିଆ ସିନେମାରେ ଲିଡ୍‌ ରୋଲରେ ନଜର ଆସିଛନ୍ତି। ବ୍ୟାଚେଲର୍‌ ହିରୋ ଜ୍ୟୋତି କେବେ ହାତକୁ ଦି ହାତ ହେଉଛନ୍ତି, ତାକୁ ନେଇ ଓଲିଉଡରେ ଉତ୍କଣ୍ଠା ପ୍ରକାଶ ପାଇଛି।

ଏଣେ ଆଉଜଣେ ଓଡ଼ିଆ ନାୟକ କେବେ ବାହା ହେବେ ତା’କୁ ନେଇ ବି ଚର୍ଚ୍ଚା ଲାଗି ରହିଛି। ସେ ହେଲେ ସାନୁ। ତାଙ୍କୁ ଦର୍ଶକ ‘ହେଲୋ’, ‘ଚମ୍ପିଆନ୍’ ଏବଂ ‘ଅଦୃଶ୍ୟମ୍’ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି।
ଠିକ୍ ସେହିପରି ‘ଲଭ୍ ପ୍ରମିଜ୍’ ଏବଂ ‘ତୁ କହିଦେ ଆଇ ଲଭ୍ ୟୁ’ ଭଳି ସିନେମାର ନାୟକ ରାକେଶ ବି କେବେ ବାହା ହେବେ ତା’ ଉପରେ ବି ରହିଛି ସିନେପ୍ରେମୀଙ୍କ ନଜର।

ସମ୍ବନ୍ଧିତ ଖବର