ଅନ୍ତରା ପାଇବେ ‘ଶାନ୍ତିରାଜ ସ୍ମୃତି ସମ୍ମାନ’

ଓଡ଼ିଶା ସଙ୍ଗୀତ ଜଗତର ପ୍ରତିଭାଧର ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ଶାନ୍ତିରାଜ ଖୋସଲା ଆଉ ଶଶରୀରେ ଶ୍ରୋତାଙ୍କ ଗହଣରେ ନାହାନ୍ତି। କୋଭିଡ୍-୧୯ରେ ଆକ୍ରାନ୍ତ ହେଇ ତାଙ୍କର ଅକାଳ ବିୟୋଗ ହେଇଛି। ତାରାକାନ୍ତ ଓ ପ୍ରଫୁଲ୍ଲ ବେହେରାଙ୍କ ପରି ଶାନ୍ତିରାଜ ଥିଲେ ଓଡ଼ିଆ ସଙ୍ଗୀତ ଜଗତର ଅନତିକ୍ରମ ଆୟୁଧ। କୋରାପୁଟ ଜୟପୁରରେ ଜନ୍ମିତ ଶାନ୍ତିରାଜ ସାରା ଓଡ଼ିଶା ପାଇଁ ଥିଲେ ଗର୍ବ ଓ ଗୌରବ। ଶାନ୍ତିରାଜଙ୍କୁ ଝୁରି ହେଉଥିବା ସଙ୍ଗୀତପ୍ରେମୀମାନେ ଏବେ ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାକୁ ଏକ ଭିନ୍ନ ପ୍ରୟାସ କରିଛନ୍ତି।

‘ଶାନ୍ତି ତୁମେ ସିନା ଶାନ୍ତିରେ ଆଜି ଚିରନିଦ୍ରାରେ ଗଲ ଶୋଇ’ ଏବଂ ‘ଝିପିଝିପି ବର୍ଷା’; ଶାନ୍ତିରାଜଙ୍କ ପାଇଁ ଏଇ ଦୁଇଟି ଗୀତ ଶ୍ରଦ୍ଧାସୁମନ ଭାବେ ଅର୍ପଣ କରାଯିବ। ଏହି ସନ୍ଧ୍ୟାରେ ପ୍ରଥମ ‘ଶାନ୍ତିରାଜ ସ୍ମୃତି ସମ୍ମାନ’ ପାଇବେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ। ଏହାବ୍ୟତୀତ ନମିତା ଅଗ୍ରୱାଲ, କୁମାର ବାପି ଓ ବାବୁଲ ସୁପ୍ରିୟୋଙ୍କୁ ମଧ୍ୟ ସମ୍ମାନିତ କରାଯିବ। କୁନ୍ଦନ କ୍ରିଏସନ୍ସ, ଲିସା କ୍ରିଏସନ୍ସ ଆଣ୍ଡ ଏଣ୍ଟରଟେନମେଣ୍ଟ ଏବଂ ମୁଡ ସୁଇଙ୍ଗ୍ ଓଡ଼ିଶା ପକ୍ଷରୁ ଏହି ସ୍ମୃତି ସନ୍ଧ୍ୟାର ଆୟୋଜନ କରାଯାଇଛି। ପ୍ରଦୀପ ସାହୁ, ଶାଶ୍ବତୀ ସାହୁ, ମୋନାଲିସା ପଣ୍ଡା, ନିହାର ଆଚାର୍ଯ୍ୟ, ସୁଶ୍ରୀ ଅନ୍ତରା ଚକ୍ରବର୍ତ୍ତୀ, ନରେନ୍ଦ୍ର କୁମାର ମିଶ୍ର, ପ୍ରାଞ୍ଜଲ, ସୁବ୍ରତ ଏବଂ ସ୍ବତନ୍ତ୍ର ଭାବେ ଗୀତିକାର ମୋହିତ ଚକ୍ରବର୍ତ୍ତୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ଅଂଶଗ୍ରହଣ କରିବେ। ସେପ୍ଟେମ୍ବର ୧ ତାରିଖରେ ମାଷ୍ଟରକ୍ୟାଣ୍ଟିନ୍ ନିକଟସ୍ଥ ପ୍ରେସ୍ କ୍ଲବ୍ ପରିସରରେ ଅନୁଷ୍ଠିତ ହେବାକୁ ଥିବା ‘ଶାନ୍ତିରାଜ ସ୍ମୃତି ସନ୍ଧ୍ୟା’ରେ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦଗତି ପାଇଁ କିଛି ମୁହୂର୍ତ୍ତ ସମର୍ପିତ କରିବାକୁ ଆୟୋଜକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର