ବାବୁସାନ୍ କି ବୁଦ୍ଧାଦିତ୍ୟ ନୁହନ୍ତି, ଏହି କାରଣରୁ ‘ଗୁଣ୍ଡା’ ବନିଲେ ସିଦ୍ଧାନ୍ତ!

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ବର: ଓଲିଉଡର ମେଗାଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର ଆଜି ବି ଅଭିନୟ ଜଗତରେ ବେଶ୍‌ ସକ୍ରିୟ। ଏବେ ବି ଦର୍ଶକ ତାଙ୍କୁ ନାୟକ ଭୂମିକାରେ ଦେଖିବାକୁ ପାଉଛନ୍ତି। ୨୦୧୬ରେ ବି ସେ ନାୟକ ଭୂମିକାରେ ଏକ ଓଡ଼ିଆ ସିନେମାରେ ନଜର ଆସିଥିଲେ। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ଗୁଣ୍ଡା’।

ତେବେ ଆପଣ କ’ଣ ଜାଣନ୍ତି ‘ଗୁଣ୍ଡା’ର ଟାଇଟଲ୍‌ ରୋଲ୍‌ ଲାଗି ନିର୍ଦ୍ଦେଶକ ଶୁଭାଶିଷ ପତିଙ୍କର ପ୍ରଥମ ପସନ୍ଦ ନ ଥିଲେ ସିଦ୍ଧାନ୍ତ। ଏବେ ଆସନ୍ତୁ ଜାଣିବା ଅନ୍ୟ କେଉଁ କଳାକାରଙ୍କୁ ନେଇ ‘ଗୁଣ୍ଡା’ ନିର୍ମାଣ କରିବାକୁ ପ୍ରଥମେ ଆଗ୍ରହ ଦେଖାଇଥିଲେ ନିର୍ଦ୍ଦେଶକ ଓ କେଉଁ ପରିସ୍ଥିତରେ ସେ ସିଦ୍ଧାନ୍ତଙ୍କୁ ଚୁକ୍ତିବଦ୍ଧ କରିଥିଲେ।

ନିର୍ଦ୍ଦେଶକ ଶୁଭାଶିଷ ପତିଙ୍କର ପ୍ରଥମ ଓଡ଼ିଆ ସିନେମା ହେଲା ‘ଗଡ଼ବଡ଼’। ସେ ଏଯାବତ୍‌ ଯେଉଁ ତିନିଟି ଓଡ଼ିଆ ସିନେମା ନିର୍ମାଣ କରିଛନ୍ତି ସେ ସବୁର ଟାଇଟଲ୍‌ ଓଡ଼ିଆ ଅକ୍ଷର ‘ଗ’ରୁ ଆରମ୍ଭ କରିଛନ୍ତି । ଏହା ହେଉଛି ତାଙ୍କର ବିଶେଷତ୍ୱ। ଶୁଭାଶିଷଙ୍କ ନିର୍ଦ୍ଦେଶିତ ଫିଲ୍ମ ଗୁଡ଼ିକ ହେଲା ‘ଗଡ଼ବଡ଼’,‘ଗୁଣ୍ଡା’ଓ ‘ଗୁଡ୍ଡୁ ଆଣ୍ଡ ଗୁଡ୍ଡି’।

ଶୁଭାଶିଷ ପତି

‘ଗଡ଼ବଡ଼’ ପରି କମେଡି ଫିଲ୍ମ ତିଆରି କରିବା ପରେ ନିର୍ଦ୍ଦେଶକ ଶୁଭାଶିଷ ପତି ଏକ ଆକ୍‌ସନ୍‌ ଭିତ୍ତିକ ସିନେମାର ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଥିଲେ। ସେ ଏହି ଚଳଚ୍ଚିତ୍ରର ଶୀର୍ଷକ ରଖିଥିଲେ ‘ଗୁଣ୍ଡା’। ୨୦୧୫ରେ ଏହି ସିନେମାର କାମ ଆରମ୍ଭ ହୋଇଥିଲା। ସେହି ସମୟରେ ଓଲିଉଡର ହିରୋମାନଙ୍କ ମଧ୍ୟରେ ବାବୁସାନ୍‌ଙ୍କର ବୋଲାବାଲା ଅଧିକ ଥିଲା। ବାବୁସାନ୍‌ଙ୍କର ଅଧିକାଂଶ ଫିଲ୍ମ ସୁପରହିଟ୍‌ ବି ହେଉଥିଲା। ତା’ଛଡ଼ା ଶୁଭାଶିଷ ପତି ଏକ ବଡ଼ ବଜେଟର ସିନେମା ତିଆରି କରିବାକୁ ଚାହୁଁଥିବା ହେତୁ ପ୍ରଥମେ ବାବୁସାନ୍‌ଙ୍କୁ ‘ଗୁଣ୍ଡା’ର ଅଫର୍‌ ଦେଇଥିଲେ।

ଏକ ଫିଲ୍ମର ସୁଟିଂ ସେଟ୍‌ରେ ବାବୁସାନ୍‌ ଓ ଶୁଭାଶିଷଙ୍କର ସାକ୍ଷାତ-ଆଲୋଚନା ହେଲା। ବାବୁସାନ୍‌ ନିର୍ଦ୍ଦେଶକଙ୍କ ଠାରୁ କାହାଣୀ ଶୁଣିବା ପରେ ‘ଗୁଣ୍ଡାରେ’ହିରୋ ହେବାକୁ କୁଣ୍ଠାବୋଧ କରିଥିଲେ। ସେ ରୋମାଣ୍ଟିକ୍‌ କମେଡି ଫିଲ୍ମ କରି ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଥିଲେ। ଏଣୁ ଆକସନ୍‌ ଫିଲ୍ମ ପାଇଁ ଅରାଜି ହୋଇଥିଲେ।

ବାବୁସାନଙ୍କଠାରୁ ନାସ୍ତି ଶୁଣିବାପରେ ନିର୍ଦ୍ଦେଶକ ଶୁଭାଶିଷ ‘ଗୁଣ୍ଡା’ଟାଇଟଲ୍‌ ରୋଲ୍‌ ଲାଗି ଓଲିଉଡର ଅନ୍ୟତମ ଜଣାଶୁଣା ନାୟକ ବୁଦ୍ଧାଦିତ୍ୟଙ୍କୁ ଅଫର୍‌ ଦେଇଥିଲେ। ସେ କାହାଣୀ ଶୁଣିବା ପରେ ରାଜି ହୋଇଯାଇଥିଲେ। ନିର୍ଦ୍ଧାରିତ ସମୟରେ ସୁଟିଂ ଆରମ୍ଭ ହେବାର ଯୋଜନା ବି ହୋଇଥିଲା।

କିନ୍ତୁ ବୁଦ୍ଧାଦିତ୍ୟ ନିଜର ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ହେବା ଫଳରେ ଶୁଭାଶିଷଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ କହିଥିଲେ। ପ୍ରକାରାନ୍ତରେ ‘ଗୁଣ୍ଡା ଫିଲ୍ମ ଝୁଲି ରହିଥିଲା। ତା’ ଭିତରେ ନିର୍ଦ୍ଦେଶକ ଅନ୍ୟ ସବୁ କଳାକାରଙ୍କ ଡେଟ୍‌ସ ନେଇ ସାରିଥିଲେ। ଏଣୁ ସେ ବିକଳ୍ପ କଥା ଚିନ୍ତା କରି ବସିଥିଲେ।

ତା’ପରେ ଶୁଭାଶିଷ ପତି ସେହି ଅଫର୍‌ ନେଇ ପହଞ୍ଚିଥିଲେ ସିଦ୍ଧାନ୍ତ ମହାପାତ୍ରଙ୍କ ପାଖରେ। ଆଗରୁ ସିଦ୍ଧାନ୍ତ ଶୁଭାଶିଷଙ୍କ ନିର୍ଦ୍ଦେଶିତ ‘ଗଡବଡ’ରେ ଅଭିନୟ କରିଥିଲେ। ଏ ଦୃଷ୍ଟିରୁ ସିଦ୍ଧାନ୍ତ ସହଜରେ ରାଜି ହୋଇଥିଲେ। ଅବଶେଷରେ ବାବୁସାନ୍‌ ଓ ବୁଦ୍ଧାଦିତ୍ୟ ଛାଡ଼ିଥିବା ସିନେମା ‘ଗୁଣ୍ଡା’ରେ ହିରୋ ବନିଥିଲେ ସିଦ୍ଧାନ୍ତ।‘ଗୁଣ୍ଡା’ରେ ଦର୍ଶକ ସିଦ୍ଧାନ୍ତଙ୍କୁ ବି ବେଶ ପସନ୍ଦ କରିଥିଲେ। ଏହି ସିନେମାଟି ହିଟ୍‌ ମଧ୍ୟ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ହିମିକା, ରକ୍‌ ପାତ୍ର, ମାମୁନି ମିଶ୍ର, ନିକିତା ଓ ବାପି ରାୟ ପ୍ରମୁଖ ଅଭିନୟ କରିଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାର।

ସମ୍ବନ୍ଧିତ ଖବର