ଏ ବର୍ଷ ଏହି ନୂଆ କାମରେ ହାତ ଦେଇଥିଲେ ବାବୁସାନ୍‌

ଓଲିଉଡର ଷ୍ଟାର୍‌ ବାବୁସାନ୍‌ ୨୦୧୭ ନୂଆ କାମରେ ହାତ ଦେଇଥିଲେ । ଏହି କାମରେ ତାଙ୍କ ମାଆ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଥରେ ହାତ ଦେଇଥିଲେ, ହେଲେ ତା’ପରେ ପ୍ରକାରାନ୍ତରେ କହିବାକୁ ଗଲେ, ସେଥିରୁ ଓହରି ଯାଇଛନ୍ତି । ଏବେ ଆପଣମାନେ ଭାବୁଥିବେ ସେ କାମଟା ତା’ହେଲେ କ’ଣ?

ଏହା ହେଲା ସିନେମା ପ୍ରଯୋଜନା କରିବା । ଓଡ଼ିଆ ସିନେମା ପ୍ରଯୋଜନା କରିବା ଏକ ରିସ୍କ କାମ ବୋଲି ସମସ୍ତେ ଜାଣନ୍ତି । ଏଥିରୁ ବାଦ୍‌ ପଡି ନାହାନ୍ତି ବାବୁସାନ୍‌ । ଏଥିପ୍ରତି କିନ୍ତୁ ଭ୍ରୁକ୍ଷେପ କରି ନ ଥିଲେ ସେ । ତେବେ ତାଙ୍କ ଅଭିନୀତ କେତେକ ସିନେମାକୁ ବିପୁଳ ବ୍ୟାବସାୟିକ ସଫଳତା ମିଳିଥିବା ହେତୁ ସେ ପ୍ରଯୋଜନାରେ ମନୋନିବେଶ କରିଥିଲେ । ହଁ, ସେ, ଯେଉଁ ସିନେମାରୁ ପ୍ରଯୋଜନା ଆରମ୍ଭ କରିଥିଲେ, ତାର ଟାଇଟଲ୍‌ ଥିଲା ‘ସୁନା ପିଲା ଟିକେ ସ୍କୃ ଢିଲା।’ ସେତେବେଳେ ବାବୁସାନ୍‌ କହିଥିଲେ ଯେ ଏହାର କାହାଣୀକୁ ନେଇ କେହି ପ୍ରଯୋଜକ ଫିଲ୍ମ ତିଆରି କରିବାକୁ ରାଜି ନ ହେବାରୁ ସେ ପ୍ରଯୋଜକ ହେଲେ । ଏହି ସିନେମାରେ କାହାଣୀ ରଚନା କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । ଏଥିରେ ନିଜେ ବାବୁସାନ୍‌, ଶୀତଲ୍‌, ପିଣ୍ଟୁ ନନ୍ଦ, ପପୁ ପମ୍‌ପମ୍‌ , ପ୍ରଜ୍ଞା, ମିହିର ଦାସ , ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଜୀବନ ପଣ୍ଡା ଓ ସଲିଳ ମିତ୍ର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ଏହାର ସଂଳାପ ଲେଖିଥିଲେ ସାରିକା ସ୍ୱାଇଁ । ଡ. ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ ଗୀତ ରଚନା କରିଥିବା ବେଳେ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସୁଧାକର ବସନ୍ତ ଏହାର ନିର୍ଦ୍ଦେଶନା ଦାହିତ୍ୱବହନ କରିଥିଲେ ।

ତେବେ ଫିଲ୍ମ ରିଲିଜ୍‌ ହେବା ବେଳକୁ କିନ୍ତୁ ପ୍ରଯୋଜକଙ୍କ ନାମ ବଦଳିଯାଇଥିଲା । ପ୍ରଶାନ୍ତ ବେହେରା ଓ କେ. ସୁନୀଲ କୁମାର ଯାଦବ ଏହାର ପ୍ରଯୋଜକ ହୋଇଥିଲେ । ତେବେ ବାବୁସାନ୍‌ ଫିଲ୍ମସ ସହିତ ମିଳିତ ଭାବେ ଏହା ନିର୍ମିତ ହୋଇଥିଲା ।

ସମ୍ବନ୍ଧିତ ଖବର