ଏହି ଜଣାଶୁଣା ନାୟକଙ୍କ ନାୟିକା ବି ବନିଛନ୍ତି ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ୨୦୦୩ରେ ମୁକ୍ତିଲାଭ କରିଥିବା ‘ଏ ଯୁଗର କୃଷ୍ଣ ସୁଦାମା’ ଜରିଆରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ସୂରଜ କୁମାର ଥିଲେ ବର୍ଷାଙ୍କ ବିପକ୍ଷରେ ନାୟକ।
ସେ ତାଙ୍କ ଦୀର୍ଘ କ୍ୟାରିଅର୍ ଭିତରେ ବିଭିନ୍ନ ସିନେମାରେ ଭିନ୍ନ ଭିନ୍ନ ନାୟକଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ନାୟିକା ଭାବେ ସେ ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ, ଜିତ୍, ବୁଦ୍ଧାଦିତ୍ୟ, ଦେବାଶିଷ, ଆକାଶ, ଦୁଷ୍ମନ୍ତ ଓ ସବ୍ୟସାଚୀଙ୍କ ସହ କାମ କରିଛନ୍ତି।
ହେଲେ ଆପଣ କ’ଣ ଜାଣନ୍ତି ଯେ ଆଉ ଜଣେ ଜଣାଶୁଣା ନାୟକଙ୍କ ନାୟିକା ବି ବନିଛନ୍ତି ବର୍ଷା। ଏଠାରେ ଯେଉଁ ନାୟକଙ୍କ କଥା କୁହାଯାଉଛି, ସେ ହେଲେ ସୁନୀଲ କୁମାର। ଯେଉଁ ଓଡ଼ିଆ ଛବିରେ ଏ ଦୁଇ କଳାକାର ଏକାଠି ନଜର ଆସିଥିଲେ ତା’ର ଶୀର୍ଷକ ହେଲା ‘ଅଗ୍ନିଶିଖା’।


ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ତଥା ଚଣ୍ଡୀ ପରିଜାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରଥମ ଓ ଅନ୍ତିମ ଥର ଲାଗି ସୁନୀଲ କୁମାରଙ୍କ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ବର୍ଷାଙ୍କୁ ମିଳିଥିଲା ଏକ ଶକ୍ତିଶାଳୀ ନାରୀର ଚରିତ୍ର। ଏହି ସିନେମାରେ ବର୍ଷା ପ୍ରିୟଦର୍ଶିନୀ ଜଣେ ପ୍ରତିଶୋଧପରାୟଣା ମହିଳା ଭୂମିକାରେ ଦେଖା ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହର ପଟ୍ଟନାୟକ, ସରୋଜ ଦାଶ, ପପି ସନ୍ତୁକା ଓ ମିହିର ଦାସ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମର ସଙ୍ଗୀତକାର ଥିଲେ ମନ୍ମଥ ମିଶ୍ର। ଏହା ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା।
ସୂଚନାଯୋଗ୍ୟ, ସୁନୀଲ କୁମାର ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ରାଜୁ ମିଶ୍ରଙ୍କ ନିର୍ଦେଶିତ ଓଡ଼ିଆ ଛବି ‘ହରି ଭାଇ ହାରେନା’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ଏହି ସିନେମାରେ ସୁନୀଲଙ୍କ ନାୟିକା ବନିଥିଲେ ଅନୁ ଚୌଧୁରୀ। ଏହାପରେ ସେ ରକତେ ଲେଖିଚି ନାଆଁ, ସାତ ସୁରେ ବନ୍ଧା ଏ ଜୀବନ, ଜୀବନ ମୃତ୍ୟୁ ଓ ଆଶିକ୍ ଆୱାରା ଆଦି ଓଡ଼ିଆ ଛବିରେ ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର