ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା

ଜୀବନର ମାନେ ଗୋଟେ ନୁହେଁ, ମୁଁ ଭାବେ ଦି’ଟା। କିଏ ସଙ୍ଘର୍ଷ କରି ମଧ୍ୟ ବିଫଳ ହେଇଯାଏ, ଆଉ କିଏ ସାମାନ୍ୟ କାମଟିଏ କରି ବି ବଡ଼ ସଫଳତା ପାଇଯାଏ। କିନ୍ତୁ ଯିଏ ‌େଯଉଁ କ୍ଷେତ୍ରରେ କାମ କରୁଛନ୍ତି ସେଥିରେ ସଫଳତା ପାଇବାକୁ ଚେଷ୍ଟା କରନ୍ତି ଏବଂ ଆଶା ରଖିଥାନ୍ତି। ମୋ ଜୀବନରେ ପ୍ରତ୍ୟେକ ଛୋଟ ହେଉ କି ବଡ଼ କାମ; ସବୁଥିରେ ମୁଁ ସଫଳତା ପାଇଛି। ପ୍ରଥମେ ମୁଁ ମ୍ୟୁଜିକାଲ୍ ଆଲବମ୍‌ରେ ଅଭିନୟ କରୁଥିଲି। ଭାବି ନ ଥିଲି ‌େଯ ମୋତେ ସିନେମାରେ ସୁଯୋଗ ମିଳିବ! ଅଭିନେତା-ନିର୍ଦ୍ଦେଶକ ହର ପଟ୍ଟନାୟକ ମୋତେ ପ୍ରଥମେ ତାଙ୍କ କାହାଣୀର ନାୟକ ଭାବେ ମନୋନୀତ କରିଥିଲେ। ପ୍ରଥମେ ଲଭରବୟ ଭୂମିକାରେ ଅଭିନୟ କଲି, ଖୁସି ତ ଥିଲି, ପୁଣି ସଫଳତା ବି ପାଇଲି। ଏହାପରେ ‘ସ୍ବପ୍ନର ସୌଦାଗର’ ଚଳଚ୍ଚିତ୍ରରେ ଜଣେ ଆଣ୍ଟି ହିରୋ ଭାବେ ଅଭିନୟ କଲି, ଦର୍ଶକ ମୋତେ ତାରିଫ କଲେ। ପୁଣି ‘ଲଭ୍ ଡଟ୍ କମ୍‌’ ସିନେମାରେ ଜଣେ ଇଞ୍ଜିନିୟର ଏବଂ ‘ଶ୍ବଶୁର ଘର ଜିନ୍ଦାବାଦ୍‌’ରେ ଗୋଟେ ଝିଅ ପିଲା ଭାବେ ଅଭିନୟ କଲି। ଏସବୁ ଚଳଚ୍ଚିତ୍ରରେ ଦର୍ଶକ ମୋତେ ଗ୍ରହଣ କଲେ।

Incredible Orissa

ମୋ ଲାଇଫ୍‌ର ସବୁଠୁ ବଡ଼ ସଫଳତା, ଯାହା ମୋ ଜୀବନର ଟର୍ଣ୍ଣିଂ ପଏଣ୍ଟ। ଏହା ଅଭିନୟ କ୍ଷେତ୍ର ନୁହେଁ। ଦିନେ ମୁଁ ଏକ ଘରୋଇ ହସ୍‌ପିଟାଲ୍‌କୁ ଯାଇଥାଏ, ଜଣେ ସିନେମା ନିର୍ଦ୍ଦେଶକଙ୍କ ଦେହ ଅସୁସ୍ଥ ଥାଏ। ମୁଁ ଆଉ ‌େମାର କେତେଜଣ ସାଙ୍ଗ ତାଙ୍କୁ ଦେଖା କରିବାକୁ ଯାଇଥାଉ। ସେ ଇମର୍ଜେନ୍ସି ୱାର୍ଡରେ ଥା‌ଆନ୍ତି। ତାଙ୍କ ପାଖ ବେଡ୍‌ରେ ଆଉ ଜଣେ ସିରିଅସ୍ ପେସେଣ୍ଟ ଥାଆନ୍ତି। ସେ ବଡ଼ ଯନ୍ତ୍ରଣା ପାଉଥାନ୍ତି, ଖୁବ୍ ଜୋରରେ ଚିତ୍କାର କରୁଥାନ୍ତ। ତାଙ୍କ ପରଦା ଫାଙ୍କରେ ମୁଁ ତାଙ୍କୁ ଦେଖିପାରିଲି। ତାଙ୍କ ଆଖି ମୋ ଉପରେ ଯେତେବେଳେ ପଡ଼ିଗଲା, ହଠାତ୍ ତାଙ୍କ ଚିତ୍କାର ବନ୍ଦ ହେଇଗଲା। ତାଙ୍କ ମୁହଁରେ ସ୍ମିତହସ ଚାଲିଆସିଲା। ସେ ମୋତେ ଦେଖିକି ହଠାତ୍ କେମିତି ବଦଳିଗଲେ। ସେଇ ତିନି ସେକେଣ୍ଡର ହସ ପାଇଁ ଗୋଟେ ଲୋକର ପେନ୍ କିଲର୍‌ ଭାବେ ବୋଧେ ମୋ ଚେହେରାଟି କାମ କଲା। ମୁଁ ବିସ୍ମିତ ହେଲି ଯେ ଭଗବାନ ମୋ ଦେହରେ କେତେ ଶକ୍ତି ଦେଇଛନ୍ତି, ଜଣେ ରୋଗଗ୍ରସ୍ତ ମଣିଷକୁ ବି ଏହା ପ୍ରଭାବିତ କରିପାରିଲା। ଜଣେ କଳାକାର ଜୀବନ କେତେ ଯେ ମୂଲ୍ୟବାନ, ମୁଁ ଏହାକୁ ବାସ୍ତବରେ କାମରେ ଲଗେଇବି ବୋଲି ସେଇଦିନରୁ ସଂକଳ୍ପ ନେଲି। କୋଭିଡ୍ ସଂକ୍ରମଣ ସମୟରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍ କଟକଣାରେ ପ୍ରବାସୀ ଓଡ଼ିଆ ଏବଂ ଅନେକ ଅସହାୟଙ୍କର ‌ସେବା କରିବାର ସୁଯୋଗ ପାଇଲି। ଏଥିପାଇଁ ମୋତେ ଅନେକ ବଦାନ୍ୟ ବ୍ୟକ୍ତି ମଧ୍ୟ ସାହାଯ୍ୟ କଲେ।

updateodisha.com

ପ୍ରଥମେ ମୁଁ କେବଳ ଆଲବମ୍ ଅଭିନେତା ଥିଲି। ସେଥିରେ ‌ନୃତ୍ୟାଭିନୟ ବ୍ୟତୀତ ସଂଳାପ କହିବାକୁ ପଡ଼ୁନଥିଲା। ପ୍ରଥମଥର ପାଇଁ ଯେତେବେଳେ ସିନେମାରେ ଅଭିନୟ କଲି, ପ୍ରଥମ ଦିନ ପ୍ରଥମ ଟେକ୍‌ ମୋତେ ବ୍ୟତିବ୍ୟସ୍ତ କରିଦେଇଥିଲା। ମାତ୍ର ଦୁଇଟି ଲାଇନ୍‌ର ସଂଳାପ ଥିଲା। ଆକ୍ସନ୍…ରୋଲିଂ… ଟେକ୍। ଓଃ ଏତିକିବେଳେ ନେଗେଟିଭ୍ ସଙ୍ଗ୍ ଆରମ୍ଭ ହେଇଗଲା। ମୁଁ ନର୍ଭସ୍‌ ହେଇକି ଡାଇଲଗ୍ ଭୁଲିଗଲି। ମାତ୍ର ଦୁଇ ଧାଡ଼ିର ସଂଳାପ ମୋତେ ନାକେଦମ୍ କରିଦେଇଥିଲା। ଫାଷ୍ଟ ଟେକ୍‌ଟାରେ ବ୍ଲାଙ୍କ୍ ହେଇକି ରହିଗଲି। ନିର୍ଦ୍ଦେଶକ ହର ପଟ୍ଟନାୟକ ମୋ ପାଖକୁ ଆସିଲେ। କହିଲେ- ତୁ କ’ଣ ନର୍ଭସ୍ ହେଇଯାଉଛୁ? ତୁ ଭାବ ଏଠି କେହିନାହାଁନ୍ତି, କେବଳ ତୁ ଏକା ଅଛୁ। କହ ଡାଇଲଗ୍ କହ, ହେଇଯିବ। ମୁଁ ଟିକେ ହସିଦେଲି, ମୋ ଭିତରେ ସାହସ ଆସିଗଲା। ଶଟ୍ ବି ଦ୍ବିତୀୟ ଥରରେ ଓକେ ହେଇଗଲା।

ତୋ ବିନା ଭଲ ଲାଗେନା, ବନ୍ଦେ ଉତ୍କଳ ଜନନୀ, ମତେ ଆଣି ଦେଲ ଲକ୍ଷେ ଫଗୁଣ, ଧୀରେ ଧୀରେ ପ୍ରେମ ହେଲା, ପାଗଳ କରିଛି ପାଉଁଜି ତୋର, କୋଉ ଦୁନିଆରୁ ଆସିଲ ବନ୍ଧୁ, ପ୍ରେମ୍ ରୋଗୀ, ତୋର ମୋର ଯୋଡ଼ି ସୁନ୍ଦର, ମେଘ ସବାରୀରେ ଆସିବ ଫେରି, ଛାତିରେ ଲେଖିଚି ତୋରି ନାଁ, ଦୋସ୍ତି, ଚାନ୍ଦିନୀ ଆଇ ମିସ୍ ୟୁ, କେବେ ତୁମେ ନାହଁ କେବେ ମୁଁ ନାହିଁ, ଓମ୍ ସାଇରାମ୍, ମୁଁ ଏକା ତୁମର, ସ୍ମାଇଲ ପ୍ଲିଜ୍, ପିଲାଟା ବିଗିଡ଼ିଗଲା, ହେଲା ମତେ ପ୍ରେମ ଜ୍ବର, ଛାତି ତଳେ ଡିଙ୍ଗ୍ ଡଙ୍ଗ୍, ଅଭିମାନ, ମାଲ ମହୁ ଜୀବନ ମାଟି, ଲକି୍କିର ଲକ୍‌ଡାଉନ୍ ଲଭ୍ ଷ୍ଟୋରି ପରି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛି। ଏହା ବ୍ୟତୀତ ତେଲୁଗୁ ସିନେମା ‘ସୀତାରାମୁଲା କଲ୍ୟାଣମ୍ ଚୁଥାମୁ ରାରାଣ୍ଡି’, ତାମିଲ୍ ସିନେମା ‘ନାଧିରୁ ଧିନା’ ଏବଂ ବେଙ୍ଗଲୀ ସିନେମା ‘ରକ୍ତମୁଖୀ ନୀଲା’ରେ ମଧ୍ୟ ଅଭିନୟ କରିଛି। ହିରୋ, ଆଣ୍ଟି ହିରୋ, ହାସ୍ୟାଭିନୟ ଏପରିକି ଝିଅପିଲା ଭୂମିକାରେ ଅଭିନୟ କରି ମଧ୍ୟ ମୁଁ ଆତ୍ମସନ୍ତୋଷ ପାଇଛି।

ସମ୍ବନ୍ଧିତ ଖବର