୨୦୦କୋଟିର ବିଳାସପୂର୍ଣ୍ଣ ମନ୍ନତର ମାଲିକ ହୋଇଥାନ୍ତେ ସଲମାନ, ଏହି କାରଣରୁ କିଣିଲେନି ଘର

ମୁମ୍ବାଇ: ୨୦୦କୋଟିର ବିଳାସପୂର୍ଣ୍ଣ ମନ୍ନତର ମାଲିକ ହୋଇଥାନ୍ତେ ବଲିଉଡର ଦବଙ୍ଗ ଖାନ ସଲମାନ। ପ୍ରଥମେ ମନ୍ନତ କିଣିବାର ଅଫର ସଲମାନଙ୍କୁ ମିଳିଥିଲେ ବି ସେ ଏହାକୁ ଗ୍ରହଣ କରିନଥିଲେ। ପରେ କିଙ୍ଗ ଖାନ୍ ଶାହାରୁଖ ଏହି ବିଳାସପୂର୍ଣ୍ଣ ଘରକୁ ନିଜ ନାଁରେ କରିଥିଲେ। ମୁମ୍ବାଇ ବୁଲିବାକୁ ଗଲେ ଶାହାରୁଖଙ୍କ ଘର ବୁଲିବାକୁ ଯାଆନ୍ତି ଲୋକେ। ଶାହାରୁଖଙ୍କ ପ୍ରଶଂସକଙ୍କ ପାଇଁ ଏହାର ଏକ ପର୍ଯ୍ୟଟନ ସ୍ଥଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏଭଳି ବିଳାସପୂର୍ଣ୍ଣ ବଙ୍ଗଳାକୁ ସଲମାନ କାହିଁକି କିଣିନଥିଲେ ଆସନ୍ତୁ ଜାଣିବା।

ଏକ ସାକ୍ଷାତକାରରେ ସଲମାନ କହିଥିଲେ, ବଙ୍ଗଳା ମନ୍ନତ କିଣିବାକୁ ଶାହାରୁଖ ଖାନଙ୍କ ପୂର୍ବରୁ ପ୍ରଥମେ ମୋ ପାଖକୁ ଅଫର ଆସିଥିଲା। ସେହି ସମୟରେ ମୁଁ ମୋର କ୍ୟାରିଅର୍ ଆରମ୍ଭ କରୁଥିଲି। ତଥାପି ମନ୍ନତ କିଣିବାକୁ ମୁଁ ଇଚ୍ଛ‌ା ପ୍ରକାଶ କରିଥିଲେ ବି ମୋ ବାପା ମୋତେ ଏତେ ବଡ଼ ଘର କିଣି କରିବୁ କ’ଣ ବୋଲି ପଚାରିଥିଲେ। ଏହା ପରେ ବାପାଙ୍କ ଇଚ୍ଛା ନଥିବା ଜାଣି ମୁଁ ମନ୍ନତ କିଣିନଥିଲି। ମୁଁ ମନା କରିବା ପ‌ରେ ଶାହାରୁଖ ଏହାକୁ ନିଜ ନାଁରେ କରିଥିଲେ।

ତେବେ ସଲମାନ ଏବେ ଗ୍ୟାଲେକ୍ସି ଆପର୍ଟମେଣ୍ଟରେ ନିଜ ପରିବାର ସହ ରହୁଛନ୍ତି। ମନ୍ନତ ଭଳି ଏହା ବିଳାସପୂର୍ଣ୍ଣ ହୋଇନଥିଲେ ବି ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଏହା ହଟସ୍ପଟ ପାଲଟିଥାଏ। ପ୍ରତିବର୍ଷ ସଲମାନଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକମାନେ ଘର ତଳକୁ ଆସି ଜନ୍ମଦିନର ଶୁଭେଚ୍ଛା ଜଣାଇଥାନ୍ତି। ସଲମାନ ମଧ୍ୟ ପରିବାର ସହ ବାଲକୋନିକୁ ଆସି ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥାନ୍ତି।

ସମ୍ବନ୍ଧିତ ଖବର