ଏହି କାରଣ ପାଇଁ ୩୦ଦିନ ମଧ୍ୟରେ ୩୦ଥର ଏକତା କପୁରଙ୍କ ପିଛା କରିଥିଲେ କ୍ୟାବ୍ ଚାଳକ, ଗିରଫ କଲା ମୁମ୍ବାଇ ପୁଲିସ
ମୁମ୍ବାଇ : ପ୍ରଯୋଜିକା-ନିର୍ଦ୍ଦେଶିକା ଏକତା କପୁରଙ୍କୁ ଜଣେ କ୍ୟାବ୍ ଚାଳକ ପିଛା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକତାଙ୍କ ଘରଠାରୁ ଆରମ୍ଭ କରି ସେ କେଉଁ ସ୍ଥାନକୁ ଯାଉଛନ୍ତି, ସେ ସବୁ ସ୍ଥାନରେ ଯାଇ ପହଞ୍ଚି ଯାଉଥିଲା କ୍ୟାବ୍ ଚାଳକ । ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତର ନାଁ ରାଜେନ୍ଦ୍ର ସିଂହ ବୋଲି ଚିହ୍ନଟ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଦେଇଥିବା ସୂଚନା ମୁତାବକ, ରାଜେନ୍ଦ୍ର ଗତ ୩୦ଦିନ ମଧ୍ୟରେ ଏକତାଙ୍କ ସହ ଦେଖା କରିବା ପାଇଁ ୩୦ଥର ପ୍ରୟାସ କରିଥିଲେ । କେବେ ମନ୍ଦିରରେ ତ କେବେ ଷ୍ଟୁଡିଓ ବାହାରେ ସେ ଏକତାଙ୍କ ସହ ସାକ୍ଷତ କରିବା ପାଇଁ ଚେଷ୍ଟା କରିଥିଲେ । ପ୍ରଥମେ ଏକତା ଏହାକୁ ଅଣଦେଖା କରିଥିବା ବେଳେ ରାଜେନ୍ଦ୍ରଙ୍କୁ ସବୁ ସ୍ଥାନରେ ଦେଖି ସେ ପୁଲିସରେ ଅଭିଯୋଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଅଭିଯୋଗ ପରେ ଏବେ ମୁମ୍ବାଇ ପୁଲିସ ରାଜେନ୍ଦ୍ରଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି । ଏକତାଙ୍କ ସହ ଚିହ୍ନା ହୋଇ ରାଜେନ୍ଦ୍ର ତାଙ୍କୁ କାମ ମାଗିବାକୁ ଚାହୁଁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।