ଅପସ୍ମାର ସହିତ ଫତିମାଙ୍କ ସଂଘର୍ଷ

ଅଭିନେତ୍ରୀ ଫତିମା ସନା ଶେଖ ଯେ ଅପସ୍ମାର ରୋଗରେ ପୀଡ଼ିତ, ଏକଥା ଅନେକ ଲୋକ ଜାଣି ନ ଥିବେ କାରଣ ଫତିମା ଏ ନେଇ ପୂର୍ବରୁ କେବେ ଖୋଲାଖୋଲି ଆଲୋଚନା କରିନଥିଲେ। ତେବେ ଗତ ରବିବାର ଦିନ ସେ ପ୍ରଥମ ଥର ପାଇଁ ଅପସ୍ମାର ସହ କିପରି ସଂଘର୍ଷ କରିଆସିଛନ୍ତି ତାହା ପ୍ରଘଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ ସହିତ ସିଧାସଳଖ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ଫତିମା ଅପସ୍ମାର ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଥିଲେ। ମୂର୍ଚ୍ଛାରୋଗ ତାଙ୍କର ପେସାଦାର ଜୀବନକୁ କିଭଳି ପ୍ରଭାବିତ କରେ ବୋଲି ଜଣେ ପଚାରିବାରୁ ସେ କହିଥିଲେ ଯେ ତାଙ୍କୁ ସବୁକିଛି ଧୀରେ କରିବାକୁ ପଡ଼େ, କିନ୍ତୁ ସେ ସବୁକିଛି କରିବାକୁ ସକ୍ଷମ। ଅପସ୍ମାର ତାଙ୍କର ସ୍ପୃହା ହ୍ରାସ କରିପାରିନାହିଁ କି ସେ ନିଜର ସର୍ବଶ୍ରେଷ୍ଠ ଦେବାରୁ ବିରତ ହୋଇନାହାନ୍ତି। ମୂର୍ଚ୍ଛା ରୋଗୀଙ୍କୁ ଦୁର୍ଗନ୍ଧଯୁକ୍ତ ଜୋତା ଶୁଙ୍ଘିବାକୁ ବାଧ୍ୟ କରାଯାଏ ବୋଲି ଆଉ ଜଣେ ପ୍ରଶଂସକ କହିବାରୁ ଫତିମା ଏହାକୁ ଏକ ଭୁଲ୍ କହି ଏଭଳି ନ କରିବାକୁ ଅନୁରୋଧ କରିଥିଲେ। ମୂର୍ଚ୍ଛା ଯିବାର ଅଭିଜ୍ଞତାରୁ ବାହାରିବା ବେଳେ ବହୁତ କଷ୍ଟ ଲାଗିଥାଏ, ତା ଉପରେ ଜୋତାର ଦୁର୍ଗନ୍ଧ ସେ କଷ୍ଟକୁ ଆହୁରି ବଢ଼ାଇଦେଇଥାଏ ବୋଲି ସେ ନିଜ ଅଭିଜ୍ଞତା ଉଦ୍ଧାର କରି କହିଥିଲେ। ପ୍ରକୃତରେ ତାଙ୍କୁ ମଧ୍ୟ ପୂର୍ବରୁ କିଛି ଲୋକ ଦୁର୍ଗନ୍ଧପୂର୍ଣ୍ଣ ଜୋତା ଶୁଙ୍ଘାଇଛନ୍ତି।

ଅପସ୍ମାର ରୋଗ ସତ୍ତ୍ବେ ସେ ନିୟମିତ ବ୍ୟାୟାମ କରିପାରୁଥିବାର ସେ ପ୍ରକାଶ କରିଥିଲେ। ତେବେ ଏହା ପୂର୍ବରୁ ଅପସ୍ମାର ରୋଗୀ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଅପସ୍ମାର ପାଇଁ କେଉଁ ଔଷଧ ଖାଉଛନ୍ତି ତାହା ସେ ପ୍ରକାଶ କରି ନ ଥିଲେ କିନ୍ତୁ ପୂର୍ବ ଔଷଧର ପାର୍ଶ୍ବପ୍ରତିକ୍ରିୟା ସ୍ବରୂପ ସେ ବାନ୍ତି, ମୁଣ୍ଡବ୍ୟଥା ଓ ଢୁଳାଇବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ ଠିକ୍ ଅନୁଭବ କରୁଛନ୍ତି ଏବଂ ସାଧାରଣ ଜୀବନଯାପନ କରିପାରୁଛନ୍ତି କହି ପ୍ରଶଂସମାନଙ୍କୁ ଆଶ୍ବସ୍ତ କରିଛନ୍ତି। ପୋଷାକୁକୁର ‘ବିଜଲି’ ତାଙ୍କ ରୋଗର ସୁପରିଚାଳନା ଦିଗରେ ସହାୟକ ହେଉଥିବା ଆଉ ଏକ ସୁଖଦ ବିଷୟ। ଏବେ ଫତିମା ‘ଧକ୍ ଧକ୍’ ଓ ‘ଶାମ ବାହାଦୂର’ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର