ମୁହାଁମୁହିଁ ହେବେ ଓଲିଉଡର ଦୁଇ ଷ୍ଟାରସନ୍!

ଭୁବନେଶ୍ବର: ମୁହାଁମୁହିଁ ହେବେ ଓଲିଉଡର ଦୁଇ ଷ୍ଟାରସନ୍। ଏଠାରେ ଦୁଇ ନାୟକଙ୍କ କଥା କୁହାଯାଉଛି, ସେଦୁହେଁ ହେଲେ ଉତ୍ତମ ମହାନ୍ତି-ଅପରାଜିତାଙ୍କ ପୁତ୍ର ବାବୁସାନ୍ ଓ ୰ ମିହିର ଦାସଙ୍କ ପୁଅ ଅମ୍ଳାନ। କହିବାର ତାତ୍ପର୍ଯ୍ୟ ହେଲା ଏଦୁଇ ଲୋକପ୍ରିୟ ନାୟକଙ୍କ ନୂଆ ଓଡ଼ିଆ ସିନେମା ଆଗାମୀ ରଥଯାତ୍ରା ଅବସରରେ ମୁକ୍ତିଲାଭ କରୁଛି।

ରଥଯାତ୍ରରେ ପରଦାକୁ ଆସିବ ବାବୁସାନଙ୍କ ଅଭିନୀତ ‘ବିଦ୍ୟାରାଣ’। ‘ବିଦ୍ୟାରାଣ’ରେ ବାବୁସାନଙ୍କ ନାୟିକା ଭୂମିକାରେ ଅଛନ୍ତି ଶିବାନୀ। ଏଥିରେ ବାବୁସାନ୍-ଶିବାନୀଙ୍କ ବ୍ୟତୀତ ପୁପୁଲ ଭୂୟାଁ ଏବଂ ଯୋଗେଶ ଜୋଜୋ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।  ଓଡ଼ିଆ ସିନେଜଗତର ଲୋକପ୍ରିୟ ନିର୍ଦେଶକ ସୁଧାଂଶୁ ମୋହନ ସାହୁଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ। ଜ୍ୟୋତି ଦାସ ଏହି ସିନେମାର ନିର୍ଦେଶକ। ‘ବିଦ୍ୟାରାଣ’ର ପ୍ରଯୋଜନା କରୁଛନ୍ତି ନିରଞ୍ଜନ ନାୟକ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ବାପୁ ଗୋସ୍ବାମୀ ଏହାର ସଂଳାପ ଲେଖିଛନ୍ତି।

ଏଣେ ଅମ୍ଳାନଙ୍କ ନୂଆ ଓଡ଼ିଆ ଛବି ‘ଲାଗେ ପ୍ରେମ ନଜର’ ଜୁଲାଇ ୧ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏଥିରେ ଅମ୍ଳାନ ଓ ରାକେଶ ନାୟକ ଭୂମିକାରେ ଥିବା ବେଳେ ରୀୟା, ପ୍ରିୟା ଓ ରାଗିଣୀ ଅଛନ୍ତି ନାୟିକା ଚରିତ୍ରରେ।

ଦିଲୀପ ପଣ୍ଡା ‘ଲାଗେ ପ୍ରେମ ନଜର’ର ନିର୍ଦେଶକ। ଉକ୍ତ ଚଳଚ୍ଚିତ୍ରର ପ୍ରଯୋଜକ ହେଲେ ବ୍ୟୋମକେଶ। ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ଦୁଇଟି ଫିଲ୍ମ ଭିନ୍ନ ଭିନ୍ନ ସ୍ବାଦର ହୋଇଥିବା ବେଳେ କାହାକୁ ଅଧିକ ଦର୍ଶକୀୟ ସମର୍ଥନ ମିଳୁଛି ତାହା ଦେଖିବା କଥା।

ସମ୍ବନ୍ଧିତ ଖବର