ମୁଁ ବହୁତ ସହିଲି! ଏବେ ଚୁପ୍‌ ରହିବାଟା ମୋ ପାଇଁ ଦୁର୍ବଳତା ହେବ : ରିତ୍ୱିକ୍‌

କିଛି ଦିନ ପୂର୍ବରୁ ବଲିଉଡ କୁଇନ୍‌ ବୋଲାଉଥିବା କଙ୍ଗନା ରନାଓ୍ଵତ୍‌ ତାଙ୍କର ଏକ ଟିଭି ଇଣ୍ଟରଭ୍ୟୁରେ ଆକ୍ଟର ରିତ୍ୱିକ୍‌ ରୋଶନ୍‌ ଏବଂ ଆଦିତ୍ୟ ପଂଚୋଲିଙ୍କ ବିରୋଧରେ ବହୁତ କିଛି ଆରୋପ ଲଗାଇଥିଲେ। ଏହାପରେ ଆଦିତ୍ୟ ପଂଚୋଲି କଙ୍ଗନାଙ୍କ ବିରୋଧରେ ମିଡ଼ିଆ ସମ୍ନାକୁ ଆସିଥିଲେ ହେଁ ସେହିଠାରେ ରିତ୍ୱିକ୍‌ ନିଜକୁ ଚୁପ୍‌ ରହିବାକୁ ଉଚିତ୍‌ ମନେକଲେ। ହେଲେ ଏବେ ରିତ୍ୱିକ୍‌  ଆଉ ଅଧିକ ଦିନ ଚୁପ୍‌ ରହି ନ ପାରି, ଶେଷରେ ତାଙ୍କର ମୁହଁ ଖୋଲିଛନ୍ତି। ଯେଉଁଥିପାଇଁ ବଲିଉଡ୍‍ର ଏହି ଷ୍ଟାର୍‌ ଜଣକ ଦୁଇଦିନ ପୂର୍ବରୁ ହିଁ ସୋସିଆଲ୍‌ ମିଡ଼ିଆରେ ତାଙ୍କର ଏକ ଲେଟର୍‌କୁ ସେୟାର୍‌ କରିଥିଲେ।  ତେବେ ସୋସିଆଲ୍‌ ମିଡ଼ିଆର ସାହାଯ୍ୟ ନେବା ପରେ ଏବେ ରିତ୍ୱିକ୍‌ ଏକ ଟିଭି ଚ୍ୟାନେଲ୍‌କୁ ଆପଣେଇଛନ୍ତି।  ରିତ୍ୱିକ୍‌ ଏକ ଇଣ୍ଟରଭ୍ୟୁ ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆସିବା ସହିତ ଖୋଲାଖୋଲି ଭାବରେ କଙ୍ଗନାଙ୍କ ବିଷୟରେ ଜଣାଇଛନ୍ତି। ଏବେ ରିତ୍ୱିକ୍‌ଙ୍କର ଏହି ସାକ୍ଷାତ୍‌କାରର ଟିଜର୍‌ ମଧ୍ୟ ରିଲିଜ୍‌ ହୋଇଛି।

ଏଥିରେ ରିତ୍ୱିକ୍‌ କହିଛନ୍ତି କି ‘ବହୁତ ହୋଇଗଲା’। ମତେ ଅନୁଭବ ହେଲାଣି କି ମୁଁ ମୋର ଷ୍ଟାର୍‌ ଇମେଜ୍‌ ରଖିବାକୁ ଯାଇ ଚୁପ୍‌ ରହିଥିଲି। ଏଥିସହିତ ରିତ୍ୱିକ୍‌ କହିଛନ୍ତି କି ସେ ପୂର୍ବରୁ ଭାବୁଥିଲେ କି ସେ କୁଲ୍‌ ରହିବେ ଏବଂ ଅଯଥା କଥାରେ ମୁଣ୍ଡ ପୁରାଇବେ ନାହିଁ। ହେଲେ ଏବେ ଏହାକୁ ନେଇ ରିତ୍ୱିକ୍‌ଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବାରେ ଲାଗିଛି। ଏଥିସହିତ ରିତ୍ୱିକ୍‌ କହିଛନ୍ତି କି ସେ ଏହି ଘଟଣାରେ ପୀଡ଼ିତ ନୁହଁନ୍ତି।

ରିତ୍ୱିକ୍‌ ଉକ୍ତ ଇଣ୍ଟରଭ୍ୟୁରେ ଆସିବାକୁ ଅସହଜ ମନେକରୁଥିଲେ ବି ସମସ୍ତଙ୍କ ସମ୍ମୁଖରେ ନିଜର ମତ ରଖିବାକୁ ଚାହୁଁଥିଲେ। ଏହାସହିତ ସେ ତାଙ୍କ ଜୀବନରେ କୌଣସି ମହିଳାଙ୍କ ସହିତ କେବେ ହେଲେ ବି ଝଗଡ଼ା କରିନଥିବା କଥାକୁ ମଧ୍ୟ ଏହି ସାକ୍ଷାତ୍‌କାର ଜରିଆରେ ଜଣାଇଛନ୍ତି। ସେ କଦାପି ହେଲେ ଚାହୁଁ ନ ଥିଲେ କି ସର୍ବସାଧାରଣରେ ତାଙ୍କର ମତ ରଖନ୍ତୁ, କାହିଁକିନା ତାଙ୍କର ଏହି ମତକୁ ଖରାପ ଅର୍ଥରେ ନିଆଯାଇ ପାରେ। ଏହି ପ୍ରସଙ୍ଗରେ ରିତ୍ୱିକ୍‌ ଉଦାହରଣର ସହାୟତା ନେଇ କହିଛନ୍ତ, ଯଦି ସେ ରାସ୍ତାରେ ଯାଉଥିବେ ଓ କେହି ଜଣେ ବ୍ୟକ୍ତି ତାଙ୍କୁ ଗାଳି କରିବେ ତ, ତାଙ୍କ ପାଇଁ ଏହାହିଁ ଉଚିତ୍‌ ହେବ କି ସେ ତାଙ୍କ ରାସ୍ତାରେ ଚାଲିଯିବେ। କାହିଁକିନା ଏହା ତାଙ୍କ ଜୀବନ ଉପରେ କୌଣସି ବି ପ୍ରଭାବ ପକାଇବ ନାହିଁ। ହେଲେ ଯଦି କେହି ତାଙ୍କ ଉପରେ ପଥର ଫିଙ୍ଗନ୍ତି, ଯାହା ଦ୍ୱାରାକି ତାଙ୍କର ଓ ତାଙ୍କ ପରିବାରର କ୍ଷତି ଘଟିବ,ସେସମୟରେ ତାଙ୍କର ଚୁପ୍‌ ରହିବାଟା ତାଙ୍କର ଦୁର୍ବଳତାକୁ ସୂଚାଇବ। ତେଣୁ କଙ୍ଗନାଙ୍କର ଏହି ମିଥ୍ୟା ଆରୋପକୁ ନେଇ ୪ ବର୍ଷ କାଳ ଚୁପ୍‌ ରହି ବହୁତ କିଛି ସହିଛନ୍ତି ବୋଲି କହିଛନ୍ତି ରିତ୍ୱିକ୍‌।

ସମ୍ବନ୍ଧିତ ଖବର