ସଂଗୀତ ପରୀକ୍ଷାରେ କେବେ ବି ଫେଲ୍‌ ମାରି ନଥିବା ପ୍ରେମ ଆନନ୍ଦ ପାଠପଢ଼ା ସମୟରେ କେବେ ଫେଲ୍‌ ହୋଇଥିଲେ କି?

ସାକ୍ଷାତ୍‌କାର/ ବନ୍ଦନା ମିଶ୍ର

ଭୁବନେଶ୍ୱର: ପ୍ରଥମେ ଆଲବମରୁ ନିଜ ସଂଗୀତ କ୍ୟାରିୟର୍‌ ଆରମ୍ଭ କରି ୨୦୦୪ ମସିହାରେ ଚଳଚ୍ଚିତ୍ର ‘ତୁ ଏକା ଆମ ସାହା ଭରସା’ ଜରିଆରେ ଓଲିଉଡ୍‌ରେ ପାଦ ରଖିଥିବା ପ୍ରେମ ଆନନ୍ଦ ଆଜି ଓଡ଼ିଶାର ଘରେ ଘରେ ଜଣେ ଚିହ୍ନା ଚେହେରା। ପରେ ପରେ  ‘ଧୀରେ ଧୀରେ ପ୍ରେମ ହେଲା’, ‘ରସିକ ନାଗର’, ‘ଗପ ହେଲେ ବି ସତ’, ‘ଅଭିମନ୍ୟୁ’, ‘ଲଭ୍‌ ଡଟ୍  କମ୍‌’, ‘ଜଗା ହାତରେ ପଘା’, ‘ଅଗସ୍ତ୍ୟ’, ‘ବେବି’, ‘କାବୁଲା ବାରବୁଲା’, ‘ତୁ ମୋ ଲଭ୍‌ ଷ୍ଟୋରି’, ‘ତୁ ମୋ ଲଭ୍‌ ଷ୍ଟୋରି-୨’ ଆଦି ୬୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ଏହି ସ୍ରଷ୍ଟା ଆଉ କେବେ ପଛକୁ ଫେରି ଚାହିଁନାହାଁନ୍ତି।

କେବଳ ଓଲିଉଡ୍‌ ନୁହେଁ, ବଲିଉଡ୍‌ରେ ବି ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚାହାନ୍ତି ଓଡ଼ିଶାର ଏହି  ସ୍ବନାମଧନ୍ୟ ସଂଗୀତ ନିର୍ଦ୍ଦେଶକ। ନିକଟ ଭବିଷ୍ୟତରେ ମୁକ୍ତିଲାଭ କରିବାକୁ ଯାଉଥିବା ବଲିଉଡ୍‌ ସିନେମା ‘ଲଭ୍‌ ୟୁ ଟର୍ଣ୍ଣ’ରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଏଥିରେ ସ୍ଥାନ ପାଇଥିବା ଦୁଇଟି ରୋମାଣ୍ଟିକ୍‌ ଗୀତ ବଲିଉଡ୍‌ରେ ତାଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି ସେ ଆଶା ରଖିଛନ୍ତି। ସଂଗୀତକୁ ନେଇ ବିଭିନ୍ନ ପରୀକ୍ଷାନିରୀକ୍ଷା କରି ‘ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ୍‍’ ଆଖ୍ୟା ପାଇଥିବା ପ୍ରେମ ଆନନ୍ଦ ‘ଜଗନ୍ନାଥ ସହସ୍ର ନାମ’ ‘ଚତୁର୍ଭୂଜ ଜଗନ୍ନାଥ’ ଶୀର୍ଷକ ଗୀତ ତାଙ୍କର ଶ୍ରେଷ୍ଠ ସୃଷ୍ଟି ବୋଲି ମତ ଦିଅନ୍ତି।

ପୂର୍ବରୁ ପ୍ରେମ ଆନନ୍ଦଙ୍କ ବୃତ୍ତିଗତ ଜୀବନ ସଂପର୍କରେ ଆପଣମାନେ ଅନେକ ସାକ୍ଷାତ୍‌କାର ପଢ଼ିଥିବେ, ଶୁଣିଥିବେ ଓ ଦେଖିଥିବେ ମଧ୍ୟ। ମାତ୍ର  ଏହି ସାକ୍ଷାତ୍‌କାର ଟିକେ ନିଆରା।  ଆପଣ ପ୍ରେମ ଆନନ୍ଦଙ୍କ ସଂପର୍କରେ ଯାହା ଜାଣି ନ ଥିବେ ସେଭଳି କିଛି କଥା ଆମେ ଏଠାରେ ଉପସ୍ଥାପନା କରୁଛୁ। ତେବେ, ଚାଲନ୍ତୁ ପ୍ରେମ ଆନନ୍ଦଙ୍କ ସଂପର୍କରେ ଜାଣିବା ମଜା ମଜା କଥା।

ପ୍ରଶ୍ନ ୧. ଆପଣ ବନ୍ଦ ଆଖିରେ ଏପରି କିଛି ସ୍ୱପ୍ନ ଦେଖିଛନ୍ତି କି, ଯାହା ମନେ ପଡ଼ିଗଲେ ଖୁବ୍‌ ଖୁସି ଲାଗେ?
ଉତ୍ତର: ହଁ, ମୁଁ ଥରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ୱପ୍ନରେ ଦେଖିଥିଲି। ସେ ସ୍ୱପ୍ନ ମୋତେ ଅଧିକାଂଶ ସମୟରେ ଆନ୍ଦୋଳିତ କରେ।

ପ୍ରଶ୍ନ ୨. ମ୍ୟୁଜିକ୍‌ କିଙ୍ଗ୍‌ ପ୍ରେମ ଆନନ୍ଦ ଘର କାମରେ କେତେ ପାରଙ୍ଗମ? ବାସନମଜା, ଘରପୋଛା ଓ ଲୁଗା ସଫା ଭିତରୁ ଗୋଟିଏ କରିବାକୁ କୁହାଗଲେ ପ୍ରେମ ଆନନ୍ଦ କେଉଁଟି କରିବେ?
ଉତ୍ତର: ମୁଁ ଆଜ୍ଞା ବାସନ ମାଜିଦେବି। ଅବିବାହିତ ଥିବା ବେଳେ ଅନେକ ସମୟରେ ଏ କାମ କରିଛି, ତେଣୁ ବାସନ ମାଜିବାର ଅଭିଜ୍ଞତା ମୋର ଅଛି।

ପ୍ରଶ୍ନ ୩. ସଂଗୀତ ପରୀକ୍ଷାରେ କେବେ ବି ଫେଲ୍‌ ମାରୁ ନ ଥିବା ପ୍ରେମ ଆନନ୍ଦ ପାଠ ପଢ଼ା ସମୟରେ କେବେ ଫେଲ୍‌ ହୋଇଛନ୍ତି କି?
ଉତ୍ତର: ହଁ। ଦଶମ ପରୀକ୍ଷାରେ ମୁଁ ପ୍ରଥମ ବର୍ଷ ଗୋଟିଏ ବିଷୟରେ ପାସ୍‌ କରିପାରି ନ ଥିଲି। ପରବର୍ଷ ପରୀକ୍ଷା ଦେଇ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲି।

ପ୍ରଶ୍ନ ୪.  ଅସୀମା ପଣ୍ଡା, ଈରା ମହାନ୍ତି, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ ଓ ଅନ୍ତରା ଚକ୍ରବର୍ତ୍ତୀଙ୍କ ମଧ୍ୟରୁ କେଉଁ କଣ୍ଠଶିଳ୍ପୀଙ୍କ ସହ କାମ କରିବାକୁ ପ୍ରେମ ଆନନ୍ଦ ବେଶି ଭଲପାଆନ୍ତି?
ଉତ୍ତର: ଆପଣ ଯେଉଁମାନଙ୍କ ନାଁ ନେଲେ ଏମାନେ ସମସ୍ତଙ୍କ ସହ ମୁଁ କାମ କରିଛି। ଯଦି କାହା ସହ କାମ କଲା ବେଳେ ବେଶି ଖୁସି ପାଏ, ତେବେ ସେ ଦୁହେଁ ହେଲେ ଦୀପ୍ତିରେଖା ଓ ଅନନ୍ୟା ।

ପ୍ରଶ୍ନ ୫. ଆପଣ ଉପହାର ଦେବାନେବା ପସନ୍ଦ କରନ୍ତି କି? ଯଦି କରନ୍ତି ତେବେ ଆପଣ ଦେଇଥିବା ଶ୍ରେଷ୍ଠ ଉପହାରଟି କ’ଣ?
ଉତ୍ତର: ମୁଁ ଖୁବ୍‌ ଲାଜୁଆ। କାହାକୁ ଉପହାର ଦେବାକୁ ମୋତେ ଲାଜ ଲାଗେ। ମାତ୍ର ଫୁଲତୋଡ଼ା କିମ୍ବା ର‍୍ୟାପିଂ ବକ୍ସର ଉପହାରକୁ ବାଦ୍‌ ଦେଇ ଦେଖିଲେ ମୋ ଜୀବନର ଏକ କାହାଣୀ ଅଛି ଯାହାକୁ ଆପଣ ଏକ ପ୍ରକାରର ଉପହାର ବୋଲି ଭାବିପାରନ୍ତି।

ଥରେ ମୁଁ ଏକ ଔଷଧ ଦୋକାନକୁ ଯାଇଥିଲି। ମୋ ସହ ‘ଦାସ ବାବୁ ବିୟୁଟିଫୁଲ୍‌’ ଥାଆନ୍ତି। ଔଷଧ ଦୋକାନକୁ ଜଣେ ବ୍ୟକ୍ତି ଆସିଲେ। ତାଙ୍କର ଛୋଟ ପୁଅଟି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥାଏ । ସେ ଦୋକାନୀଙ୍କୁ  ଔଷଧ ଓ ହଗିସ୍‌ ପ୍ୟାଣ୍ଟ୍‌ ନେବାକୁ କହିଲେ। ମାତ୍ର ତାଙ୍କ ପାଖରେ ଦୁଇଟି ଯାକ ଜିନିଷ ନେବାକୁ ଆବଶ୍ୟକୀୟ ଟଙ୍କା ନ ଥାଏ। ଏତିକି ଟଙ୍କାରେ ଦୁଇଟି ଜିନିଷ ହେବନି ବୋଲି କହି ଔଷଧ ଦୋକାନୀ ଫେରାଇ ଦଉଥାନ୍ତି। ମୁଁ ସେତିକିବେଳେ ସେହି ବ୍ୟକ୍ତି ଜଣଙ୍କୁ ‘ହଗିସ୍‌’ କିଣାଇ ଦେଇଥିଲି, ଯାହାକି ମୋତେ ଖୁବ୍‌ ତୃପ୍ତି ଦେଇଥିଲା। ତାହାକୁ ମୋ ଜୀବନର ଶ୍ରେଷ୍ଠ ଉପହାର ବୋଲି ଧରି ନେଇପାରନ୍ତି।

ପ୍ରଶ୍ନ ୬. ଯଦି ଆପଣଙ୍କୁ ଏକ ସୁଯୋଗ ମିଳେ ଯେ ଆପଣ ପୂରା ବିଶ୍ୱକୁ ନିଜ ହିସାବରେ ଗଢ଼ିବେ, ତେବେ ଆପଣ ତା’ର ସ୍ୱରୂପ କେମିତି ଭାବେ ଦେଖିବାକୁ ଚାହିଁବେ?
ଉତ୍ତର: ମୁଁ ପ୍ରଥମେ ନିଜକୁ ସୁଧାରିବି। ନିଜକୁ ନସୁଧାରିବା ଲୋକଟି ବିଶ୍ୱକୁ କିପରି ସୁଧାରିବ? ମୁଁ ଆଗ ନିଜକୁ ଜଣେ ସଂପୂର୍ଣ୍ଣ ମଣିଷ କରି ଗଢ଼ି ତୋଳିବି।

ପ୍ରଶ୍ନ ୭. ଯଦି ସେପରି ପରିସ୍ଥିତି ଆସେ ପରିବାର ଓ ସଂଗୀତ ଭିତରକୁ କାହାକୁ ଆପଣେଇବେ ପ୍ରେମ ଆନନ୍ଦ?
ଉତ୍ତର: ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱରୁ ଯଦି ଗୋଟିଏ ପାର୍ଶ୍ୱଟିକୁ ଘସି ଦେବା ତେବେ ସେ ମୁଦ୍ରା ଅଚଳ ହୋଇଯିବ। ପରିବାର ଓ ସଂଗୀତ ଦୁଇଟା ଯାକ ମୋ ପାଇଁ ସମାନ। ଏଥିରୁ ଗୋଟିଏକୁ ବାଛିବା କଷ୍ଟକର।

            (ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ।)

ସମ୍ବନ୍ଧିତ ଖବର