ମୁଁ କେବେ ବି ଦ୍ୱିଅର୍ଥବୋଧକ ଗୀତ ଗାଇନି : ସୌରଭ

ମଞ୍ଚ ଓ ମେଲୋଡିରୁ ନିଜର ସଙ୍ଗୀତ ଜୀବନ ଆରମ୍ଭ କରି ସେ ଓଲିଉଡ୍‌କୁ ଉପହାର ଦେଇଛନ୍ତି ଅନେକ ସୁପରହିଟ୍‌ ଗୀତ । ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ରୁପା ଗାଁର ସୁନା କନିଆ’ରେ କଣ୍ଠଦାନ କରି ସେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ପ୍ରବେଶରେ ହିଁ ମିଳିଥିଲା ସଫଳତା। ଜଣେ ସୁଗାୟକ ଭାବେ ଦର୍ଶକଙ୍କ ମନରେ ଘର କରିଥିବା ଏହି ଗାୟକ ହେଉଛନ୍ତି ସୌରଭ ନାୟକ । ଶହ ଶହ ଭଜନ, ଆଧୁନିକ ଓ ସିନେ-ଗୀତ ଗାଇଥିବା ସୌରଭ ନିଜର କଳାପ୍ରତିଭା ଲାଗି ବହୁ ଭାବେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି। ଶ୍ରେଷ୍ଠ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ଓଡ଼ିଶାର ସୁରେଶ ଓ୍ଵାଡ଼େକର କୁହାଯାଉଥିବା ସୌରଭଙ୍କୁ ଭେଟିଛନ୍ତି ‘ସମ୍ବାଦ ଡ଼ଟ ଇନ୍‌’ ପ୍ରତିନିଧି ସୁମନ ମହାନ୍ତି ଏବଂ ମୋନାଲିସା ପରିଡ଼ା।

ପ୍ରଶ୍ନ : ଆପଣଙ୍କର ସଙ୍ଗୀତ ଜୀବନ କିପରି ଆରମ୍ଭ ହୋଇଥିଲା ?

ଉତ୍ତର : ମୁଁ ପିଲାଟି ବେଳୁ ହିଁ ଗୀତ ଗାଇଆସୁଛି। ପଢ଼ିବା ବେଳେ ସ୍କୁଲ ଏବଂ କଲେଜରେ ବିଭିନ୍ନ ସଂଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଉଥିଲି, ପୁରସ୍କାର ଜିଣୁଥିଲି। ସଙ୍ଗୀତ ପ୍ରତି ଦୁର୍ବଳତା ଥିବା ଯୋଗୁଁ ମାଟ୍ରିକ ପରେ ମୁଁ ଉତ୍କଳ ସଂଙ୍ଗୀତ ମହାବିଦ୍ୟାଳୟରେ ଯୋଗ ଦେଇ ଓଡ଼ିଶୀ ସଂଗୀତରେ ପିଜି କରିଥିଲି। ଏହା ପରେ ସଂଗୀତକୁ କ୍ୟାରିଅର କରିବା ପାଇଁ ମନସ୍ଥ କଲି ।

ପ୍ରଶ୍ନ : ଆପଣଙ୍କ ଗାୟକ ଜୀବନ କିଭଳି ଆରମ୍ଭ ହୋଇଥିଲା? ପ୍ରଥମେ କେଉଁ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ?
ଉତ୍ତର : ପ୍ରକୃତରେ ମୁଁ ଆରମ୍ଭରେ ବିଭିନ୍ନ ସଂଗୀତ ମଞ୍ଚ ଓ ଅର୍କେଷ୍ଟ୍ରାରେ ଗାଉଥିଲି । ମୁଁ ବହୁତ ଜାଗାରେ ସୋ’ ମଧ୍ୟ କରିଛି । ପରେ ବିଭିନ୍ନ ଷ୍ଟୁଡିଓରେ ବଲିଉଡ୍‌ ଗାୟକଙ୍କ ଲାଗି ଉଦ୍ଦିଷ୍ଟ ଗୀତରେ ଡ଼ମି ସିଙ୍ଗର ଭାବେ ବହୁ ଗୀତ ଗାଇଥିଲି । କାରଣ ସେତେବେଳେ ଓଡ଼ିଆ ସିନେମାରେ ଅଧିକାଂଶ ଗୀତ ମୁମ୍ବାଇର ଗାୟକ ଗାଉଥିଲେ। ଏହାପରେ ମୁଁ ଓଡ଼ିଆ ଚଳଚ୍ଚିତ୍ର ‘ରୁପା ଗାଁର ସୁନା କନିଆ’ ଚଳଚ୍ଚିତ୍ରରେ ବ୍ରେକ୍‌ ପାଇଥିଲି। ରାଜୁ ମିଶ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ ମୋର ପ୍ରଥମ ଫିଲ୍ମ ଗୀତ ଶ୍ରୋତାଙ୍କ ପାଖକୁ ଆସିଥିଲା।

ପ୍ରଶ୍ନ: ସଙ୍ଗୀତକୁ କ୍ୟାରିଅର ଭାବେ ନେବା ପାଇଁ ପରିବାର ତରଫରୁ କିଛି ବାଧା ସୃଷ୍ଟି ହୋଇଥିଲା କି ?
ଉତ୍ତର : ନା ସେମିତି କିଛି ବାଧା ନ ଥିଲା । କାରଣ ମୋ ବାପା ଯାତ୍ରା ଜଗତର ଜଣେ ବିଶିଷ୍ଟ କଳାକାର । ତେଣୁ ସେ ଏହି ପ୍ରଫେସନରେ ବହୁତ କଷ୍ଟ କରିବା ପାଇଁ ପଡ଼ିଥାଏ ଏବଂ ଧୀରେ ଧୀରେ ସଫଳତା ମିଳିଥାଏ ବୋଲି ଜାଣିଥିଲେ ।

ପ୍ରଶ୍ନ : କେବେ କୌଣସି ଆଇଟମ୍‌ ନମ୍ବର କିମ୍ବା ଚଲ୍‌ତି ଗୀତ ଗାଇବା ପାଇଁ ଅଫର ଆସିଛି କି ?
ଉତ୍ତର : ଅଫର ଆସିଛି, କିନ୍ତୁ ମୁଁ ଏଭଳି ଗୀତ ଗାଇବା ପାଇଁ ପସନ୍ଦ କରେନି । ମୁଁ କେବେ ବି ଦ୍ୱିଅର୍ଥବୋଧକ ଏବଂ ଭାବ ନ ଥିବା ଗୀତ ଗାଇବାକୁ ଚାହିଁ ନାହିଁ। ଏଭଳି ଗୀତ ଗାଇବା ମୋର ପସନ୍ଦ ନୁହେଁ । ମୁଁ ଏମିତି କାମ କରିବା ପାଇଁ ଚାହେଁ ଯାହାକୁ ମୁଁ ମୋର ପରବର୍ତ୍ତୀ ପିଢ଼ିକୁ ଶୁଣାଇ ପାରିବି । ମୁଁ ଅନେକ ଆଲବମ ଏବଂ ଚଳଚ୍ଚିତ୍ରରେ ଆଧୁନିକ ଗୀତ ଗାଇଛି ହେଲେ ଏଥି ମଧ୍ୟରୁ କୌଣସିଟ ି ଦ୍ୱିଅର୍ଥବୋଧକ ନୁହେଁ ।

ପ୍ରଶ୍ନ : ଏସବୁ ଗୀତ ଗାଇଥିଲେ ଆପଣଙ୍କୁ ଅଧିକ ସଫଳତା ମିଳିଥାନ୍ତା ବୋଲି ଭାବୁଛନ୍ତି କି ?
ଉତ୍ତର : ମୁଁ କହିବିନି କି ମତେ କମ ସଫଳତା ମିଳିଛି। କାରଣ ମୁଁ ଏତିକି ମଧ୍ୟ ମିଳିବ ବୋଲି ଭାବି ନଥିଲି । ହଁ, ଏହା ନିଶ୍ଚିତ ଯେ ଆଜିକାଲି କଳାକାରଙ୍କ ପାଖରେ ଯେତେ ସୁଯୋଗ ଏବଂ ସୁବିଧା ରହୁଛି ଯଦି ମତେ ସେତେବେଳେ ମିଳିଥାନ୍ତା ତେବେ ବୋଧହୁଏ ମୁଁ ଅଧିକ ସଫଳତା ପାଇଥାନ୍ତି । ମୁଁ ମଧ୍ୟ ଏତେ କିଛି ଭାବି ନଥିଲି, ମତେ ତ ଗୀତ ଗାଇବାର ଥିଲା ଏବଂ ମୁଁ ଗାଉଥିଲି ।

ପ୍ରଶ୍ନ: ଆପଣଙ୍କ ସମୟ ଏବଂ ବର୍ତ୍ତମାନର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ କିପରି ରହିଛି ପ୍ରତିଯୋଗିତା ?
ଉତ୍ତର : ଦେଖିବାକୁ ଗଲେ ବର୍ତ୍ତମାନ ବି ପ୍ରତିଯୋଗିତା ଚାଲିଛି। କାରଣ ଇଣ୍ଡଷ୍ଟି୍ରକୁ ପ୍ରତିବର୍ଷ ରିଆଲିଟି ସୋ’ ଜରିଆରେ ବହୁତ ଭଲ ଭଲ ଗାୟକ ଆସୁଛନ୍ତି । କିନ୍ତୁ ଆମ ଇଣ୍ଡଷ୍ଟ୍ରିରେ କାମ ଯେତିକିକୁ ସେତିକି ହିଁ ରହିଛି। ଦେଖିବାକୁ ଗଲେ ଏବେ ବହୁତ ପ୍ରତିଯୋଗିତା ରହିଛି ।

ପ୍ରଶ୍ନ : ବର୍ତ୍ତମାନର ଗାୟକଙ୍କୁ କ’ଣ ପରାମର୍ଶ ଦେବା ପାଇଁ ଚାହୁଁଛନ୍ତି ?
ଉତ୍ତର : ସବୁବେଳେ ପ୍ରତିଯୋଗିତାର ଭାଗୀଦାର ହୁଅନ୍ତୁ । ସବୁବେଳେ ନିଜକୁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ । ନିଜକୁ ଶୁଣନ୍ତୁ ଏବଂ ସୁଧାରିବାକୁ ଚେଷ୍ଟା କରନ୍ତୁ । ଗୋଟେ ଭଲ ପ୍ଲାନ କରି କ୍ୟାରିଅରକୁ ଆଗକୁ ବଢ଼ାନ୍ତୁ ।

ସମ୍ବନ୍ଧିତ ଖବର