ଆମ ଜୀବନ ବିଷୟରେ ଦେଖାଇ ନିଜ ପେଟ ପୋଷୁଛନ୍ତି…; ଗଣମାଧ୍ୟମ ଉପରେ ବିରକ୍ତି ପ୍ରକାଶ କରିବା ପଛର କାରଣ କହିଲେ ଜୟା

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ପୋଡକାଷ୍ଟ ‘ହ୍ବାଟ ଦ ହେଲ ନବ୍ୟା’ରେ ଯୋଗ ଦେଇ ନିଜ ମନର କଥା କହିଛନ୍ତି। ଅନେକ ସମୟ‌ରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ କ୍ରୋଧ ପ୍ରକାଶ କରୁଥିବାର ନଜର ଆସିଥାନ୍ତି। ଏହାକୁ ନେଇ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି। ଟ୍ରୋଲିଂ ମଧ୍ୟରେ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ପୋଡକାଷ୍ଟ ‘ହ୍ବାଟ ଦ ହେଲ ନବ୍ୟା’ରେ ସେ ଏହା ପଛର କାରଣ ଜଣାଇଛନ୍ତି।

ପୋଡକାଷ୍ଟରେ ଜୟା କହିଛନ୍ତି ଯେ, ମୁଁ ସେମାନଙ୍କୁ ଘୃଣା କରେ, ଯେଉଁମାନେ ଅନ୍ୟର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରନ୍ତି ଏବଂ ସେମାନଙ୍କ ସହ ଜଡିତ ବିଷୟବସ୍ତୁକୁ ବିକ୍ରି କରି ନିଜର ପେଟ ପୋଷନ୍ତି। ମୁଁ ଏହାକୁ ପସନ୍ଦ କରେ ନାହିଁ। ଏହିପରି ଲୋକଙ୍କୁ ଦେଖିଲେ ମୋତେ ବିରକ୍ତ ଲାଗେ। ମୁଁ ସେମାନଙ୍କୁ ସର୍ବଦା କହିଥାଏ, ‘ଆପଣମାନଙ୍କୁ ଲାଜ ଲାଗୁନି କି?

ଟ୍ରୋଲିଂ ବିଷୟରେ ନିଜର ପ୍ରତିକ୍ରିୟା ରଖି ଜୟା କହିଛନ୍ତି, ଯଦି ଲୋକମାନେ ମୋର ସମସ୍ତ କ୍ରୋଧ ପ୍ରକାଶ କରୁଥିବାର ଭିଡିଓ ୟୁଟ୍ୟୁବ, ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ପୋଷ୍ଟ କରି ରୋଜଗାର କରୁଛନ୍ତି, ମୋର ସେଥିରେ କିଛି ଆପତ୍ତି ନାହିଁ। ଆପଣ କହିପାରିବେ ଯେ, ମୁଁ ଜଣେ ଖରାପ ଅଭିନେତ୍ରୀ ବା ଜଣେ ଖରାପ ସାଂସଦ। କିନ୍ତୁ ମୋର ବ୍ୟକ୍ତିଗତ ଚରିତ୍ର ବିଷୟରେ ବିଚାର କରିବାର କୌଣସି ଅଧିକାର କାହା ପାଖରେ ନାହିଁ। ମୁଁ କୌଣସି ସ୍ଥାନକୁ ଗଲେ ଗଣମାଧ୍ୟମ ସଂସ୍ଥାର ଫଟୋଗ୍ରାଫର ଆସି ମୋର ଫଟୋ ଓ ଭିଡିଓ ଉତ୍ତୋଳନ କରୁଛନ୍ତି। ଏଭଳି କାହିଁକି? ମୁଁ ପସନ୍ଦ କରୁନଥିବା ଜାଣି ମଧ୍ୟ ସେମାନେ ଏଭଳି କରୁଛନ୍ତି। ମୁଁ କ’ଣ ମଣିଷ ନୁହେଁ କି? ବୋଲି ଜୟା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର