ମୁମ୍ବାଇ: ପୂର୍ବରୁ କୁଇନ୍ ଭାବେ ପରିଚିତ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ପୁଣି ଥରେ ଜଣେ ରାଣୀଙ୍କ ଭୂମିକାରେ ନଜର ଆସିବେ। ଏଥର କଥାଟି ସଂପୂର୍ଣ୍ଣ ଭିନ୍ନ। କାହିଁକି ନା, କଙ୍ଗନା ଏଥର ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ ନଜର ଆସୁଛନ୍ତି। ରାଣୀ ଭାବେ କଙ୍ଗନା କିପରି ଦିଶୁଛନ୍ତି ଫଟୋଗୁଡ଼ିକ ଦେଖିବା ପରେ ଆପଣ ଅନୁମାନ କରି ସାରିବେନି ନିଶ୍ଚୟ। ତେବେ, ରାଣୀ ଭୂମିକାରେ ସେ କିପରି ଅଭିନୟ କରନ୍ତି ତାହାର ବର୍ଣ୍ଣନା ଅନାବଶ୍ୟକ ପ୍ରାୟ।
Sambad is now on WhatsApp
Join and get latest news updates delivered to you via WhatsApp
ଚଳଚ୍ଚିତ୍ରଟିର ନାମ ରହିଛି ‘ମଣିକର୍ଣ୍ଣିକା: ଦ କୁଇନ୍ ଅଫ୍ ଝାନ୍ସି’। ତିନି ଥର ଜାତୀୟ ପୁରସ୍କାର ବିଜେତା କଙ୍ଗନା ଏହି ଚଚ୍ଚଚିତ୍ର ପାଇଁ ପୁଣି କେଉଁ ପୁରସ୍କାରର ହକଦାର ହେବେ କି ଆଉ! ସେ ଯାହାବି ହେଉ, ଚଳଚ୍ଚିତ୍ରଟିରେ କଙ୍ଗନାଙ୍କ ସହ ନଜର ଆସିବେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ। ଏହା ଅଙ୍କିତାଙ୍କ ଡେବ୍ୟୁ ଚଳଚ୍ଚିତ୍ର। କଙ୍ଗନା ଲକ୍ଷ୍ମୀବାଇଙ୍କ ଭୂମିକାରେ ନଜର ଆସିବା ବେଳେ ଅଙ୍କିତା ଝଲକରବାଇ ଭୂମିକାରେ ନଜର ଆସିବେ। ଯିଏକି ଲକ୍ଷ୍ମୀବାଇଙ୍କର ଜଣେ ପରାମର୍ଶଦାତା ସହ ବଡ଼ ଯୋଦ୍ଧା ମଧ୍ୟ।
ଚଳଚ୍ଚିତ୍ରଟିରେ ଜାତୀୟ ପୁରସ୍କାର ବିଜେତା ଅତୁଲ କୁଲକର୍ଣ୍ଣି ମଧ୍ୟ ଦେଖିବାକୁ ମିଳିବେ। ଯିଏକି ପୂର୍ବରୁ ଗୁଡ଼ାଏ ଚ୍ୟାଲେଞ୍ଜିଂ ଅଭିନୟ କରି ନିଜକୁ ପ୍ରମାଣିତ କରି ସାରିଛନ୍ତି। ଚଳଚ୍ଚିତ୍ରଟିରେ ସେ ରାମଚନ୍ଦ୍ର ପାଣ୍ଡୁରଙ୍ଗ ଭୂମିକା ନିଭାଇବେ।
ରାଣୀ ଲକ୍ଷ୍ମୀବାଇଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି କ୍ରିସ୍ ଏବଂ ପ୍ରଯୋଜକ ହେଉଛନ୍ତି ଉଭୟ ଜି ଷ୍ଟୁଡିଓର କମଲ ଜୈନ ଓ ନିଶାନ୍ତ ପିଟି।